Unknown

 

 

 

 

 

 

 

 

ଶ୍ରୀମଦ୍‌ ଭାଗବତ

(ଅଷ୍ଟମ ସ୍କନ୍ଧ)

ଜଗନ୍ନାଥ ଦାସ

 

ଅଷ୍ଟମ ସ୍କନ୍ଧ

 

ନାରାୟଣଂ ନମସ୍କୃତ୍ୟ ନରଂ ଚୈବ ନରୋତ୍ତମଂ ।

ଦେବୀଂ ସରସ୍ୱତୀ ବ୍ୟାସଂ ତତୋଜୟ ମୁଦିରୟେତ ।।

ମୂକଂ କରୋତି ବାଚାଳଂ ପଙ୍ଗୁଂ ଲଙ୍ଘୟତେ ଗିରିଂ ।

ଯତ୍‌କୃପା ତମହଂ ବନ୍ଦେ ପରମାନନ୍ଦ ମାଧବଂ ।।

ନିଗମକଳ୍ପତରୋର୍ଗଳିତଂ ଫଳଂ ଶୁକମୁଖାଦମୃତଦ୍ରବସଂଯୁତଂ ।

ପିବତଭାଗବତ ରସମାଳୟ ମୁହୂରହୋ ରସିକା ଭୂବି ଭାବୁକାଃ ।।

•••

 

ପ୍ରଥମ ଅଧ୍ୟାୟ

 

ରାଜୋବାଚ

ହରଷେ ଅଭିମନ୍ୟୁ ସୁତ

ରୋମ ପୁଲକେ କୃତ କୃତ୍ୟ

।।

ଶୁକ ଚରଣେ କର ଦେଇ

ବୋଲନ୍ତି ନିସ୍ତରିଲି ମୁହିଁ

।।

ବିଷ୍ଣୁ ଚରିତ ତୁମ୍ଭ ମୁଖେ

ଶୁଣିଲି ଅଦୃଷ୍ଟ ସୁପାକେ

।।

ଭୋ ମୁନି ଦୟାକର ମୋତେ

ମରଣୁ ତରିବି ଯେମନ୍ତେ

।।

ମୋଠାରେ ସ୍ନେହ ରହେ ଯେବେ

ପ୍ରସନ୍ନ ଚିତ୍ତେ କହ ଏବେ

।।

ପୂର୍ବେ ଏ ସ୍ୱାୟମ୍ଭୁବ ମନୁ

ପ୍ରତ୍ୟକ୍ଷ ପଦ୍ମଯୋନି ତନୁ

।।

ତାହାଙ୍କ ବଂଶେ ଯେ ଚରିତ

ଯେ ପୂର୍ବେ ଭୂତ ଭବିଷ୍ରତ

।।

ବିସ୍ତାରେ ତୁମ୍ଭ ମୁଖୁ ଶୁଣି

ତରିଲି ଭବତରଙ୍ଗିଣୀ

।।

ସେ ବଂଶୀ ସ୍ୱାୟମ୍ଭୁବ ରାଜା

ମନୁ ପୁରୁଷ ରୂପେ ପୂଜା

।।

ପୂଜିତ ଏ ମାୟା ଜଗତେ

ଯେବା ଚରିତ କଲେ ଯେତେ

।।

ଏ ମନୁବଂଶେ ଯେତେ କୃତ୍ୟ

ଅଦ୍ଭୁତ ବିଷ୍ଣୁର ଚରିତ

।।

ଅଦ୍ୟାପି ବସି କବିଜନେ

ଅଶେଷ ଶାସ୍ତ୍ର ଅନୁମାନେ

।।

ଗ୍ରନ୍ଥିଲେ କୃଷ୍ଣ ଗୁଣଗାଥା

ଅଶେଷ କର୍ମ ହରି କଥା

।।

ଯେ କତା କର୍ଣ୍ଣରନ୍ଧ୍ରେ ପଶି

ଅଶେଷ କଳୁଷ ବିନାଶି

।।

ଯେ ମନୁ ଅନ୍ତରେ ସେ କଥା

ବିଷ୍ଣୁ ଚରିତ ସାଧୁଗାଥା

।।

ଯେ ବର୍ତ୍ତମାନ ଯେବା ଭୂତେ

ଯେ ଅବା କଲେ ଭବିଷ୍ୟତେ

।।

ସକଳ କହି ମୁନିବର

ଏ ଭବସାଗରୁ ଉଦ୍ଧର

।।

ବାଦରାୟଣିରୁବାଚ

ଏମନ୍ତେ ପରୀକ୍ଷିତ ଆଗେ

ଶୁକ କହନ୍ତି ଅନୁରାଗେ

।।

ପ୍ରଥମ କଳ୍ପେ ମୁଁ ସମ୍ପାଦି

କହିଲି ସ୍ୱାୟମ୍ଭୁବ ଆଦି

।।

ଏ ଷଡ଼ ମନୁବଂଶେ ଯେତେ

ଦେବାଦି ମନୁଷ୍ୟ ପର୍ଯ୍ୟନ୍ତେ

।।

ଆଦ୍ୟନ୍ତ ମଧ୍ୟ କଲେ ଯେତେ

ପୂର୍ବେ ମୁଁ କହିଅଛି ତୋତେ

।।

ଆକୁତି ଦେବହୂତି ବେନି

ମନୁ ଦୁହିତା ବେନି ଭଗ୍ନୀ

।।

ଧର୍ମ ଜ୍ଞାନର ଉପଦେଶେ

ପରମବ୍ରହ୍ମ ନିଜ ଅଂଶେ

।।

ଯଜ୍ଞ ବରାହ କଳ୍ପେ ପୂର୍ବେ

ଜନ୍ମିଲେ ଦେବହୂତି ଗର୍ଭେ

।।

କପିଳ ରୂପେ କଲେ ଯେତେ

ପୂର୍ବେ ମୁଁ କହିଅଛି ତୋତେ

।।

ଆକୁତି ଦେବହୂତି ବେନି

ଯେ ଅବା କଲେ ପୂର୍ବଘେନି

।।

ସେ କଥା ଶୁଣ ନୃପବର

ହରି ଚରିତ ସୁଧାସାର

।।

ଯେ ସ୍ୱାୟମ୍ଭୁବ ମନୁ ରାଜା

ବିଷ୍ଣୁ ପ୍ରସନ୍ନେ ମହାତେଜା

।।

ସେ ପତ୍ନୀ ଶତରୂପା ସଙ୍ଗେ

ବିରକ୍ତ ଚିତ୍ତ କାମ ଭୋଗେ

।।

ବନେ ପଶିଲେ ତପ ଅର୍ଥେ

ସେ ପତିବ୍ରତାର ସମେତେ

।।

ସୁନନ୍ଦା ତୀର୍ଥେ ଏକପାଦେ

ଭୂମି ସ୍ପରଶେ ଦୃଢ଼ବନ୍ଧେ

।।

ଗଗନ ଗତେ ମୁଖ କରି

ଚଞ୍ଚଳ ଚିତ୍ତକୁ ନିବାରି

।।

ସୁଘୋର ତପେ ରହି ମନେ

ସେ ରାଜା ବିଚାରିଲା ମନେ

।।

ଯେ ହରି ଏ ବିଶ୍ୱ ସଂସାରେ

ଚେତନା ରୂପେ ହୃଦପରେ

।।

ଚେତନା ଅଚେତନ ରୂପୀ

ଜାଗ୍ରତ ସ୍ୱପ୍ନ ମଧ୍ୟେ ବ୍ୟାପି

।।

ବ୍ରହ୍ମା ନ ଜାଣେ ଯାର ଅନ୍ତ

ତେଣୁ ସେ ବୋଲାଏ ଅନନ୍ତ

।।

ଏ ବିଶ୍ୱ ଆତ୍ମା ଯାର ହୁଏ

ସତ୍ୟ ବିରାଜେ ନିଜ ଦେହେ

।।

ସୃଜଇ ପାଳଇ ସଂହାରେ

ବାଳକ ଲୀଳାରେ ବିହରେ

।।

ଦେଖନ୍ତା ପ୍ରାଣୀକି ନ ଦିଶେ

ଦୃଶ୍ୟ ଅଦୃଶ୍ୟ ରୂପେ ମିଶେ

।।

ସକଳ ରୂପେ ଯାର ବାସ

ବିଭବେ ଯେହ୍ନେ ଘଟାକାଶ

।।

ସେ ସର୍ବ ପ୍ରାଣୀଙ୍କ ମଧ୍ୟର

ଜୀମୁତ ମଧ୍ୟେ ଯେହ୍ନେ ନୀର

।।

ସୁପର୍ଣ୍ଣ ପୃଷ୍ଠେ ତାର ଗତି

ଜ୍ୟୋତିଙ୍କ ମଧ୍ୟେ ଦିବ୍ୟ ଜ୍ୟୋତି

।।

ଆଦ୍ୟନ୍ତ ମଧ୍ୟ ଯାର ନାହିଁ

ସ୍ୱକୀୟ ଭେକ ତାର ନାହିଁ

।।

ନିମିଷେ ଅନ୍ତର ବାହାରେ

ଏ ମାୟା ମୋହର ସଂସାରେ

।।

ଏ ବିଶ୍ୱଜ୍ୟୋତି ସେ ବୋଲାଇ

ବିରକ୍ତ ଆତଯାତ ନାହିଁ

।।

ସେ ବିଶ୍ୱମୟ ପୁରୋହିତ

ବିଶ୍ୱ ସୃଜନେ ଉପଗତ

।।

ବିମୋହ ମୋହ ପାଶେ ଛନ୍ଦି

ଯାର ଜ୍ଞାନେର ବିଶ୍ୱବନ୍ଦୀ

।।

ସ୍ୱୟଂ ପରମ ଜ୍ୟୋତି ଆଜ

ପରମ ପୁରୁଷ ବିରାଜ

।।

ଜୀବର ଜନ୍ମ ଆଦି ଯେତେ

ଧରଇ ଆତ୍ମଗତି ଅର୍ଥେ

।।

ଜୀବନ ଚେଷ୍ଟା ବିବର୍ଜିତ

ସ୍ୱଭାବେ ଇଚ୍ଛଇ ଜଗତ

।।

ଏ ଭାବ ଜାଣି ଋଷି ଜନେ

କର୍ମ ଇଚ୍ଛନ୍ତି ଦୃଢ଼ମନେ

।।

ଯେ ଭାବ କର୍ମଫଳ ବଳେ

ଯେଣୁ ସେ ଭଜନ୍ତି ନିଶ୍ଚଳେ

।।

ଈଶ୍ୱର ଭାବେ କର୍ମ କଲେ

ନିର୍ଗୁଣ ଲଭନ୍ତି ସେ ଭଲେ

।।

ଇଚ୍ଛା କରନ୍ତି ପ୍ରାଣୀଙ୍କର

ଯେ ଭାବେ ଭଜେ ଦୁରାଚାର

।।

ଆତ୍ମାର ଆତ୍ମା ପୂର୍ଣ୍ଣ ଅର୍ଥେ

ଯେ ତାଙ୍କୁ ଭଜନ୍ତି ଜଗତେ

।।

କେବେ ହେଁ ଭ୍ରଷ୍ଟ ସେ ନୁହଁନ୍ତି

ଅନ୍ତେ ଲଭନ୍ତି ବ୍ରହ୍ମଗତି

।।

ସକଳ ଆତ୍ମାର ଈଶ୍ୱର

ସ୍ୱଭାବେ ନାହିଁ ଅହଙ୍କାର

।।

ପୂର୍ଣ୍ଣ ଅନାଦି ନିରଞ୍ଜନ

କାହାର ନୁହେଁ ସେ ଅଧୀନ

।।

ସ୍ୱଭାବେ ନିଜ ମାର୍ଗେ ରହେ

କେ ଚିନ୍ତିଥାଇ ଅନ୍ୟ ଦେହେ

।।

ଏଣୁ ସେ ସଂସାରରେ ସାର

ତା ପାଦେ ମୋର ନମସ୍କାର

।।

ଶ୍ରୀ ଶୁକ ଉବାଚ

ଏମନ୍ତେ ବ୍ରହ୍ମ ଭାଗବତେ

ସେ ସ୍ୱାୟମ୍ଭବୁ ଦୃଢ଼ଚିତ୍ତେ

।।

ଚିନ୍ତା କରନ୍ତି ତପବଳେ

ସୁଦୃଢ଼ ସମାଧି ନିଶ୍ଚଳେ

।।

ଅସୁର ଯାତୁଧାନଗଣେ

ବେଗେ ମିଳିଲେ ଯୋଗାରଣ୍ୟେ

।।

ଭକ୍ଷିବା ପ୍ରାୟେ କ୍ଷୁଧା ଆଶେ

ବେଗେ ମିଳିଲେ ତାର ପାଶେ

।।

ତାକୁ ଦେଖିଣ ନରହରି

ଯଜ୍ଞ ପୁରୁଷ ରୂପ ଧରି

।।

ନିବାରି ଯାତୁଧାନଗଣ

ସ୍ୱର୍ଗେ ମିଳିଲେ ନାରାୟଣ

।।

ସେ ମନୁ ଅନ୍ତେ ସୁରୋଚିତ

ଦ୍ୱିତୀୟ ମନୁ ସେ ବିଦିତ

।।

ଅଗ୍ନିର ପୁତ୍ର ସେ ସ୍ୱଭାବେ

ରାଜତ୍ୱ କଲା ବିଶ୍ୱଭାବେ

।।

ଦ୍ୟୁମତ ସୁବେଶ ରୋଚିଷ

ଏ ଆଦି ତାର ପୁତ୍ର ଦଶ

।।

ସେ ମନୁ କାଳେ ନରନାଥ

ରୋଚନ ନାମେ ବଳବନ୍ତ

।।

ଯାହାର କାଳେ ଦେବଗଣେ

ତୁଷିତ ନାମ ଉଚ୍ଚାରଣେ

।।

ଋଷି ଯେ ଉର୍ଜ୍ଜସ୍ତମ୍ଭ ଆଦି

ଯେ ସପ୍ତଋଷି ବ୍ରହ୍ମାବାଦୀ

।।

ଯେ ଦେବଶିରା ନାମେ ମୁନି

ତୁଷିତା ନାମ ତା ଭାବିନୀ

।।

ସେ ପତ୍ନୀ ଗର୍ଭେ ବିଭୁ ରୂପେ

ବିଷ୍ଣୁ ଜନ୍ମିଲେ ଆଦି କଳ୍ପେ

।।

ପୂର୍ବେ ସେ ବାଳଖିଲ୍ୟା ରୂପେ

ଅଷ୍ଟାଶୀ ସହସ୍ରାବ୍ଦ କଳ୍ପେ

।।

ଯଜ୍ଞ ଆରମ୍ଭେ ଊର୍ଦ୍ଧ୍ୱରେତା

ବିଷ୍ଣୁ ଭଜନେ ବଳବନ୍ତା

।।

ବିଷ୍ଣୁର ଦୀକ୍ଷା ଶିରେ ଧରି

ସେ ମୁନିଗଣେ ବ୍ରହ୍ମଚାରୀ

।।

କୁମାର ବ୍ରତ ଆଚରିଲେ

ତେଣୁ ବାଳକ ସେ ହୋଇଲେ

।।

ତୃତୀୟ ମନୁ ଯେ ଉତ୍ତମ

ସେ ପ୍ରିୟବ୍ରତର ନନ୍ଦନ

।।

ତାର ସଞ୍ଜୟ ଜୟହୋତା

ଏ ଆଦି ସର୍ବେ ବଳବନ୍ତା

।।

ସେ କଳ୍ପେ ସପ୍ତ ଋଷିଗଣ

ବଶିଷ୍ଠ ଋଷିଙ୍କ ନନ୍ଦନେ

।।

ପ୍ରମାଦ ଆଦି ସପ୍ତ ସୁତ

ସତ୍ୟକ ନାମେ ଦେବଶ୍ରୁତ

।।

ସତ୍ୟକ ନାମେ ଇନ୍ଦ୍ରରାଜା

ହରି ଭକତ ମହାତେଜା

।।

ସୁନୁଜା ଧର୍ମପତ୍ନୀ ଗର୍ଭେ

ପୁରୁଷୋତ୍ତମ ରୂପେ ପୂର୍ବେ

।।

ଜନ୍ମିଲେ ସତ୍ୟ ଗୁଣ ତୁଲେ

ଶୁଣ ତୁ ଯେବା କର୍ମ କଲେ

।।

ଯକ୍ଷ ରାକ୍ଷସ ଭୂତଗଣ

ପ୍ରାଣୀଙ୍କୁ କରନ୍ତି ଭକ୍ଷଣ

।।

ତାହାଙ୍କୁ ମାରି ସତ୍ୟ ସଙ୍ଗେ

ଧର୍ମ ରଖିଲେ ସତ୍ୟଯୁଗେ

।।

ଚତୁର୍ଥ ପ୍ରିୟବ୍ରତ ସୁତ

ତାମସ ଉତ୍ତମର ଭ୍ରାତ

।।

ଯେ କ୍ରତୁ ପୃଥୁ ଖ୍ୟାତି ନର

ଏ ଆଦି ଦଶ ତା କୁମର

।।

ତାର ଅନ୍ତରେ ସ୍ୱର୍ଗପୁରେ

ତ୍ରିଶିଖ ନାମେ ସୁର ଘରେ

।।

ସତ୍ୟକ ହରିବୀର ଆଦି

ଦେବତା ନାମେ ଏ ପ୍ରସିଦ୍ଧି

।।

ଜ୍ୟୋତିଧର୍ମେ ମୁନିଏ ଆଦି

ତାମସ ଅନ୍ତରେ ପ୍ରସିଦ୍ଧି

।।

ବିଧୃତି ନାମେ ଦେବଗଣ

ଶୁଣ ହେ ତାହାଙ୍କ ପ୍ରମାଣ

।।

କାଳେ ସକଳ ନାଶ ଗଲେ

ଶେଷ ଅନ୍ତରେ ଯେତେ ଥିଲେ

।।

ସେ ମନୁ ଅନ୍ତରେ ଅଦ୍ଭୁତ

ହରିଣୀ ଉଦରେ ସମ୍ଭୁତ

।।

ତେଣୁ ବହିଲେ ହରି ନାମ

ରୂପେ ମୋହନ କୋଟି କାମ

।।

ଯେ ହରି ନାମ ଏ ସଂସାରେ

ଅଶେଷ ଦୂରିତ ସଂହାରେ

।।

ଯେ ରୂପେ ଗଜେନ୍ଦ୍ର ମୋକ୍ଷଣ

କୁମ୍ଭୀର ଦର୍ପ ନିବାରଣ

।।

ଜଳେ କୁମ୍ଭୀର ମୁଣ୍ଡ ହାଣି

ସତ୍ୟ ରଖିଲେ ଚକ୍ରପାଣି

।।

ଯା ନାମ ପରମ ମଙ୍ଗଳ

ଦୂରିତ ବନେ ଦାବାନଳ

।।

ଏକଥା ଶୁକ ମୁଖୁଁ ଶୁଣି

ପାଣ୍ଡବ ବଂଶ ଚୂଡ଼ାମଣି

।।

ଆନନ୍ଦେ ହୋଇ କୃତ କୃତ୍ୟ

ବୋଇଲେ ନୃପ ପରୀକ୍ଷିତ

।।

ଭୋ ମୁନି ଦୁର୍ଲ୍ଲଭ ବଚନ

ଶୁଣି ଆନନ୍ଦ ମୋର ମନ

।।

କେମନ୍ତେ ପ୍ରଭୁ ନରହରି

ଗଜ ରଖିଲେ ଗ୍ରାହ ମାରି

।।

କୁମ୍ଭୀର କେଉଁ ଜଳେ ଥିଲା

ଗଜକୁ କେମନ୍ତ ଧରିଲା

।।

ସେ ଜଳ ଜୀବ ଜଳେ ଥାଇ

ହସ୍ତୀ ସଂଯୋଗ ତାର କାହିଁ

।।

ହସ୍ତୀ ସବଳ ମହାକାୟେ

କୁମ୍ଭୀର କେତେ ବଳ ବହେ

।।

ଏ କଥା ସଂଶୟ ତ ମୋତେ

ଭୋ ମୁନି କହ ଶୁଦ୍ଧ ଚିତ୍ତେ

।।

ଏ ପୁଣ୍ୟ କଥା ମୋର ଧନ୍ୟ

ମଙ୍ଗଳ ଯୁତ ସୁଖାୟନ

।।

ଯେ ଏ ପ୍ରସ୍ତାବ ହରିବାଣୀ

ଶ୍ରବଣ ମାର୍ଗେ ଶୁଣେ ପ୍ରାଣୀ

।।

ସେ ପ୍ରାଣୀ ଭବ ଭୟୁ ତରେ

ନ ପଡ଼େ ମାୟା ତମ ଘୋରେ

।।

ସୁତ ଉବାଚ

ଏମନ୍ତେ ପରୀକ୍ଷିତ ବାଣୀ

ଆନନ୍ଦେ ଶୁକ ମୁନି ଶୁଣି

।।

ଗଙ୍ଗାର ତୀରେ ଅନ୍ତର୍ଜଳେ

ଅସଂଖ୍ୟ ମୁନିଗଣ ମେଳେ

।।

ଗୋବିନ୍ଦ ପାଦେ ଦେଇ ଚିତ୍ତ

କହଇ ବିପ୍ର ଜଗନ୍ନାଥ

।।

 

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ବୈୟାସିକ୍ୟାଂ ଅଷ୍ଟମସ୍କନ୍ଧେ ଶୁକ ପରୀକ୍ଷିତ ସମ୍ବାଦେ

ନାମ ପ୍ରଥମୋଽଧ୍ୟାୟଃ ।

•••

 

ଦ୍ୱିତୀୟ ଅଧ୍ୟାୟ

 

ଶ୍ରୀ ଶୁକ ଉବାଚ

କହନ୍ତି ବ୍ୟାସଙ୍କର ସୁତ

ଶୁଣ ସୁଜନ ପରୀକ୍ଷିତ

।।

ପର୍ବତ ଚିତ୍ରକୂଟ ନାମ

ସର୍ବ ସମ୍ପଦ ମୂଳ ଧାମ

।।

ଅୟୁତ ଯୋଜନ ବିସ୍ତୃତ

କ୍ଷୀର ସମୁଦ୍ରେ ସେ ଆବୃତ

।।

ଉଚ୍ଚ ସେ ଅୟୁତ ଯୋଜନ

ଦେଖନ୍ତେ ହରେ ପ୍ରାଣୀ ମନ

।।

ବିରାଜେ ଅଷ୍ଟଦିଗ ମଧ୍ୟେ

ଆନନ୍ଦ କରେ ଦେବବୃନ୍ଦେ

।।

ତୃତୀୟ ଶୃଙ୍ଗ ବହେ ଶିରେ

ଲୌହ ସୁବର୍ଣ୍ଣ ରୌପ୍ୟ ଧରେ

।।

ରତ୍ନ ଧାରଣ କରି ଅଙ୍ଗେ

ବିରାଜି ଶୋଭେ ଦଶଦିଗେ

।।

ନାନା ପ୍ରକାରେ ଲତା ଗୁଳ୍ମ

ନିର୍ଝର ତଟେ ରହେ ଦ୍ରୁମ

।।

ନିର୍ଝର ଶବଦ ଗଭୀର

ଅତି ସୁଷମ ମନୋହର

।।

ନିଶ୍ଚଳ ଜଳ ରମ୍ୟ ଶୋହେ

ଗିରି ଚରଣ କିବା ଧୁଏ

।।

ମର୍କତ ପାଷାଣ ସମୂହେ

ଶ୍ୟାମଳ ବର୍ଣ୍ଣ ଭୂମି ଶୋହେ

।।

ସିଦ୍ଧ ଚାରଣ ବିଦ୍ୟାଧର

ଗନ୍ଧର୍ବ ସଙ୍ଗରେ କିନ୍ନର

।।

ଅପ୍‌ସରା ମିଳି ନୃତ୍ୟ ଗୀତ

ପ୍ରମଦା ଗଣେ ଯୂଥ ଯୂଥ

।।

ଅରଣ୍ୟେ ନାନା ପଶୁଗଣେ

ଗିରି କନ୍ଦର ଘୋର ବନେ

।।

ନାଦ କରନ୍ତି ମନୋହର

ମୟୂର କୋକିଳ ଭ୍ରମର

।।

ସରିତ ସରୋବର ନଦ

ମଣି ବାଲୁକା କୁଦ କୁଦ

।।

ଦେବ କାମିନୀ ଗଣ ଯହିୋ

ସ୍ନାନ କରନ୍ତି ମୋଦବହି

।।

ତାହାଙ୍କ ଅଙ୍ଗରେ ଲେପିତ

ଗନ୍ଧ ଚନ୍ଦନ ପାରିଜାତ

।।

ସେ ଗନ୍ଧ ପବନ ସଙ୍ଗରେ

ସୁଗନ୍ଧ ଦଶଦିଗେ ସ୍ଫୁରେ

।।

ସେ ଗିରି ଦ୍ରୋଣ ମଧ୍ୟେ ବନ

ବରୁଣ କ୍ରୀଡ଼ାର ଉଦ୍ୟାନ

।।

ଉତ୍ତମ ଶୋଭା ସେ ବନର

ସୁର କାମିନୀ କ୍ରୀଡ଼ାଘର

।।

ପର୍ବତ ଅଳଂକୃତ ବନ

ଫୁଲ ପଲ୍ଲବ ଫଳମାନ

।।

ମନ୍ଦାର ପାଟଳୀ ଚମ୍ପକ

ପାରିଜାତକ କୁରୁବକ

।।

ଚୂତ ପିଆଜ ପନସକ

ଆମ୍ବ ଅଶୋକ ଆମ୍ରାତକ

।।

କଦମ୍ବ ନାରୀକେଳ ବନ

ଖର୍ଜ୍ଜୁର ବୀଜପୁର ଘନ

।।

ମଧୁର ଶାଳ ତାଳ ଶୋହେ

ତମାଳ ଆସନ ସମୂହେ

।।

ଅରୂପ ଔଦୁମ୍ବର ପ୍ଳକ୍ଷ

ନ୍ୟଗ୍ରୋଧ ଚନ୍ଦନ ରୁଦ୍ରାକ୍ଷ

।।

ନିମ୍ବ କୋବିଦାର ସରଳ

ଅର୍ଜ୍ଜୁନ ଦେବଦାରୁ କୁଳ

।।

ବିଳ୍ୱ ଜମ୍ବୀର କପିତ୍‌ଥକ

ଆମଳକ ଯେ ହରିତକ

।।

ଯହିଁ ବରୁଣ ସରୋବର

ସୁବର୍ଣ୍ଣ ପଦ୍ମ ମନୋହର

।।

କହ୍ଲାର କୁମୁଦ ଉତ୍ପଳ

ସ୍ୱଭାବେ ସୁଗନ୍ଧ ଶୀତଳ

।।

ଉତ୍ପଳ ଶତ ଶତ ଶୋଭା

କିବା ଉପମା ଆନେ ଦେବା

।।

ମତ୍ତ ଭ୍ରମର ପକ୍ଷଗଣ

ନାଦ କରନ୍ତି ଅନୁକ୍ଷଣ

।।

ହଂସ କାରଣ୍ଡବ ସମୂହେ

ସାରସ ଚକ୍ରବାକ ଶୋହେ

।।

ଜଳ କୁକୁଟ କୋ ଯଷ୍ଟିକ

କୁଜିତ କୋମଳ ଡାହୁକ

।।

ମତ୍ସ୍ୟ କଚ୍ଛପ ନିଶାଚରେ

ପ୍ରଫୁଲ୍ଲ ରଜତ ଧୂସରେ

।।

ପ୍ରକଟ ମୁଦ ଜଳବେତ

ନୀପ କୀଚକ ଯୂଥ ଯୂଥ

।।

କୁନ୍ଦ ଅଶୋକ କୁରୁବକ

କୁଟଜ ଇଙ୍ଗୁଦି ଜାଳକ

।।

ଶତପତ୍ର ଯେ ସ୍ୱର୍ଣ୍ଣଯଥୀ

ନାଗ ପୁନ୍ନାଗ ଗନ୍ଧଜାତି

।।

ମଲ୍ଲିକା ଯୂଥ ଯୂଥ ଶୋଭେ

ମାଧବୀ ଶିରୀଷ ସ୍ୱଭାବେ

।।

ଅନ୍ୟତ୍ର ଯେତେ ଫଳ ଫୁଲ

ଷଡ଼ଋତୁରେ ସମତୁଲ

।।

ଏମନ୍ତ ବନେ ଏକ ଦିନେ

ଗଜେନ୍ଦ୍ର ବିଚାରିଲା ମନେ

।।

ଏ ଗ୍ରୀଷ୍ମକାଳେ ଏ ବନସ୍ତେ

ତୃଷିତ ହୋଇ ପଶୁଯୁଥେ

।।

ଜଳ ନ କରନ୍ତି ଆହାର

କେମନ୍ତ ଧରିବେ ଶରୀର

।।

ଏମନ୍ତେ ମନେ ବିଚାରଇ

ଶୀତଳ ଜଳ ଅଛି କାହିଁ

।।

ବ୍ୟାକୁଳେ ବନରୁ ବାହାର

ତୃଷିତେ ଦିଶେ ଅନ୍ଧକାର

।।

ଗଜ ଆଶ୍ରିତେ ସେହି ବନେ

ସୁଖେ ଚରନ୍ତି ପଶୁମାନେ

।।

ଏକ ଦିନରେ ପଶୁମାନେ

ବିହାର କରୁଥିଲେ ବନେ

।।

କଣ୍ଟକାକୀର୍ଣ୍ଣ ବେଣୁବନେ

ଭ୍ରମନ୍ତି ତୃଷିତ ବଦନେ

।।

ସ୍ୱଭାବେ ମତ୍ତ ବଳବନ୍ତା

ବନ ବିହାରେ ସେହୁ ଚିନ୍ତା

।।

ଯାର ଚାଲନ୍ତେ ପାଦ ଲାଗି

ପଡ଼ନ୍ତି ବୃକ୍ଷମାନ ଭାଙ୍ଗି

।।

ତାହାର ମନ୍ଦ ଗନ୍ଧ ବାସେ

ପଶୁଏ ନ ଚରନ୍ତି ପାଶେ

।।

ବ୍ୟାଘ୍ର ଭଲ୍ଲୁକ ଖଗ ମୃଗ

ଯେବା ସଞ୍ଚରେ ମହୋରବ

।।

ଶରୀର କୃଷ୍ଣବର୍ଣ୍ଣ ହରି

ଶୁକର ଯୂଥ ସୁଚାମରୀ

।।

ବରାହ ମହିଷ ଶଲ୍ୟକ

ଗୋପୁଚ୍ଛ ଆଦି ଯେ ଶଶକ

।।

କ୍ଷୁଦ୍ର ହରିଣ ଶଶା ଯେତେ

ଚରନ୍ତି ଯେ ଯାହା ଆୟତେ

।।

ସେ ଗଜପତି ଗଜଯୂଥ

ଅନେକ ଭ୍ରମିଲା ବନସ୍ତ

।।

ନିଦାଘ ତାପେ କରୀଗଣ

ବ୍ୟାକୁଳେ ବିଚଳିତ ମନ

।।

ମଦ ଜଳରେ ହୋଇ ଛନ୍ନ

ଲାଙ୍ଗୁଳ କଲେ ପ୍ରକମ୍ପନ

।।

ପଦ୍ମକୁ ତେଜି ଅଳିଗଣ

ହସ୍ତୀଙ୍କ ମଦ କଲେ ପାନ

।।

ବରୁଣ ହ୍ରଦ ତୀରେ ଯାଇ

ତୃଷିତ ଲୋଚନେ ଅନାଇଁ

।।

ଜଳ ଶୀତଳ ପୁଷ୍ପଗନ୍ଧେ

ଆଘ୍ରାଣ କରି ନାସା ରନ୍ଧ୍ରେ

।।

କରିଣୀ ଯୂଥ ସଙ୍ଗେ ମିଶି

ସମସ୍ତେ ଶୀତଜଳେ ପଶି

।।

ସେ ସରୋବର ଜଳ ମଧ୍ୟେ

ସକଳେ ପଶିଲେ ଆନନ୍ଦେ

।।

ସକଳ ହରଷ ବଦନ

ସନ୍ତୋଷେ କଲେ ଜଳ ପାନ

।।

ଜଳ ତୋଳନ୍ତି ଥୋର ହସ୍ତେ

ସିଞ୍ଚନ୍ତି ଅନ୍ୟ ଅନ୍ୟ ଗାତ୍ରେ

।।

ନିଦାଘ କାଳେ ଶୀତଜଳେ

କ୍ରୀଡ଼ା କରନ୍ତି ହସ୍ତୀବରେ

।।

ଶବଦ ଶୁଭେ ଉଛୁଳିତ

ଯେମନ୍ତେ ଜୀମୁତ ଗର୍ଜିତ

।।

ଅଗାଧ ଜଳେ ଗ୍ରାହ ଥିଲା

ଜଳେ ଶବଦ ସେ ଶୁଣିଲା

।।

ବେଗେ ଧାଇଁଲା କୋପମନେ

ମିଳିଲା ଗଜ ସନ୍ନିଧାନେ

।।

କେହି ନ ଦେଖି ତାକୁ ଜଳେ

କୁମ୍ଭୀର ଅତି କୋପାନଳେ

।।

ଧଇଲା ଗଜପତି ପାଦ

ଶବଦ କରି ଘୋର ନାଦ

।।

ଦଇବ ବଶେ ଯୋଗବଳେ

ହସ୍ତୀ ବିପତ୍ତି ଘୋର ଜଳେ

।।

ଗ୍ରାହ ଧଇଲା ଅକସ୍ମାତେ

ଗଜ ଚରଣ ଦୃଢ଼ମତେ

।।

ସେ ଗଜପତି ବଳବନ୍ତ

ବଜ୍ରହୁଁ ତୀକ୍ଷ୍‌ଣ ତାର ଦାନ୍ତ

।।

କି କରିପାରେ ତାର ମତ

ବିଷ୍ଣୁର ମାୟାର ଆୟତ

।।

ଗଜ ସ୍ୱଭାବେ ମହାବଳୀ

ଚରଣ ନ ପାରିଲା ଚାଳି

।।

କରିଣୀ ଯୂଥ ତାହା ଦେଖି

ଦୁଃଖେ ହୋଇଲେ ଅଶ୍ରୁମୁଖୀ

।।

ସ୍ୱଭାବେ ଅତି ଶୀତପାଣି

ଗଜ ନ ପାରେ ପାଦ ଆଣି

।।

ସେ ହସ୍ତୀବୃନ୍ଦ ତାକୁ ଧରି

ଟାଣନ୍ତି ଘୋର ନାଦ କରି

।।

ମୁଖରୁ ରୁଧିର ଗଳଇ

କେବେହେଁ ଗଜ ନ ଚଳଇ

।।

ବଳେ ଆଣନ୍ତି କିଛି ଦୂର

କୁମ୍ଭୀର ଅତି ବଳିୟାର

।।

ପୁଣି ଗଭୀର ଜଳେ ଭରେ

ସୁଦୃଢ଼େ ଦନ୍ତ ପାଦ ଧରେ

।।

ଏମନ୍ତେ ଗଜ ଗ୍ରାହ ଯୁଦ୍ଧ

ଗଗନେ ଦେଖନ୍ତି ବିବୁଧ

।।

ଗଜେ ଟାଣନ୍ତି ଅତି ଖରେ

ପୁଣି ଗଭୀର ଜଳେ ଭରେ

।।

ଏମନ୍ତ ସହସ୍ର ବରଷ

ଯୁଦ୍ଧ ନୋହିଲା ଅବଶେଷ

।।

ଏମନ୍ତେ ଦୀର୍ଘକାଳ ଜଳେ

ଗଜ କୁମ୍ଭୀର ମହାବଳେ

।।

କ୍ଷୀଣ ଆୟୁଷ ଗଜପତି

ସଙ୍ଗତେ ଥିଲେ ଯେତେ ହସ୍ତୀ

।।

ଦଣ୍ଡେ ଚଳନ୍ତି ଘୋର ବନେ

ଜଳେ ବଞ୍ଚନ୍ତି ରାତ୍ର ଦିନେ

।।

ଗଜ କୁମ୍ଭୀର ଯୁଦ୍ଧଘାତେ

ସେ ଜଳେ ଜଳଜନ୍ତୁ ଯେତେ

।।

ଦୁଃଖିତ ହୋଇ ଝଟକନ୍ତି

ଜଳୁ ପଳାଇ ନ ପାରନ୍ତି

।।

ଏହି ପ୍ରକାରେ ଗଜ ଦୁଃଖୀ

ଗଜେ କାନ୍ଦନ୍ତି ତାହା ଦେଖି

।।

ଏ ଅନ୍ତେ ପୂର୍ବ ପୁଣ୍ୟବଳେ

ବୁଦ୍ଧି ସ୍ଫୁରିଲା ତାକୁ ଜଳେ

।।

କାତରେ କରଇ ବିଚାର

ଯେ ହରି ସଂସାରର ସାର

।।

ସଙ୍କଟୁ କରେ ପରିତ୍ରାଣ

ଯେ ତାଙ୍କୁ ପଶଇ ଶରଣ

।।

କାଳ ଭୁଜଙ୍ଗ ଗ୍ରାସ କାଳେ

ଯେ ତାଙ୍କ ସ୍ମରେ ଧ୍ୟାନବଳେ

।।

ବୋଇଲେ ବିପ୍ର ଜଗନ୍ନାଥ

ଭାଷା ପ୍ରବନ୍ଧେ ଭାଗବତ

।।

ଗଜେନ୍ଦ୍ର ଯୁଦ୍ଧ କର୍ମ ବାଣୀ

ଆନନ୍ଦେ ଶୁଣନ୍ତି ଯେ ପ୍ରାଣୀ

।।

ଜନ୍ମ ମରଣେ ନାହିଁ ଭ୍ରାନ୍ତି

ହେଳେ ସେ ସଙ୍କଟୁ ତରନ୍ତି

।।

 

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ବୈୟାସିକ୍ୟାଂ ଅଷ୍ଟମସ୍କନ୍ଧେ ମନ୍ୱନ୍ତର ବର୍ଣ୍ଣନେ ଗଜେନ୍ଦ୍ରୋପାଖ୍ୟାନେ

ନାମ ଦ୍ୱିତୀୟୋଽଧ୍ୟାୟଃ ।

•••

 

ତୃତୀୟ ଅଧ୍ୟାୟ

 

ଶ୍ରୀ ଶୁକ ଉବାଚ

ଶୁଣ ପାଣ୍ଡବ ଚୂଡ଼ାମଣି

ଗଜେନ୍ଦ୍ର ବୋଲି ମୋକ୍ଷବାଣୀ

।।

ଏମନ୍ତ ବୁଦ୍ଧି ସେ ବିଚାରି

ଚଞ୍ଚଳ ମନ ସ୍ଥିର କରି

।।

ପରମ ଜପ ସେ ଜପିଲା

ସେ ପୂର୍ବଜନ୍ମେ ଶିକ୍ଷା ଥିଲା

।।

ଶ୍ରୀକୃଷ୍ଣ ବ୍ରହ୍ମା ଆଦି ପାଦେ

ବୋଲେ ଆନନ୍ଦେ ଗଦ ଗଦେ

।।

ଗଜେନ୍ଦ୍ର ଉବାଚ

ନମସ୍ତେ ପ୍ରଭୁ ଭଗବାନ

ଅଶେଷ ବ୍ରହ୍ମାଣ୍ଡ ଜୀବନ

।।

ତୋର ମହିମା ଚିନ୍ତାତ୍ମକ

ଅନାଦି ପୁରୁଷ ବିବେକ

।।

ଜୀବର ଆଦିଜୀବ ତୁହି

ପରମେଶ୍ୱର ଭେଦ ବହି

।।

ଯାହାର ଦେହେ ବିଶ୍ୱ ବସେ

ସ୍ୱଭାବେ ସ୍ୱରୂପ ପ୍ରକାଶେ

।।

ଜୀବ ପରମ ଆତ୍ମା ପର

ତୁ ବ୍ରହ୍ମ ଶରଣ ସୋଦର

।।

ଏ ଯେ ସଂସାର ମାୟାବଳେ

ଆତ୍ମାର କଳ୍ପେ ସେ ନିଶ୍ଚଳେ

।।

କାହିଁ ପ୍ରସାରେ ତିରୋହିତ

କରଇ ଉର୍ଣ୍ଣନାଭ ମତ

।।

ମଧ୍ୟେ ଦେଖିଲା ସାକ୍ଷୀ ରୂପେ

କ୍ରୀଡ଼ା କରଇ କଳ୍ପେ କଳ୍ପେ

।।

ସେ ବିଷ୍ଣୁ ରଖୁ ମୋର ପ୍ରାଣ

ତା ପାଦେ ପଶିଲି ଶରଣ

।।

କାଳେ ସକଳ ଜୀବଧାରୀ

ଅନନ୍ତ ରୂପରେ ସଂହରି

।।

ସକଳ ହେତୁ କରେ ଅନ୍ତ

ତମ ନିପାତ ଘୋର ପଥ

।।

ପୁଣି ସେ ତାମସ ପ୍ରବେଶେ

ବିରାଟ ରୂପକୁ ପ୍ରକାଶେ

।।

ତାର ମହିମା ବିଚାରଣେ

ଯେତେକ ଦେବ ଋଷିଗଣେ

।।

କେହି ଯେ ତାଙ୍କୁ ନ ଜାଣନ୍ତି

ଅନେକ ଶାସ୍ତ୍ରମାନ ଚିନ୍ତି

।।

କେ ପ୍ରାଣୀ ତଦନ୍ତ ଜାଣିବ

ଯହିଁ ଭ୍ରମନ୍ତି ବ୍ରହ୍ମା ଶିବ

।।

ନଟ ଆକୃତି ପ୍ରାୟ ଖେଳେ

ଏ ମାୟା ଗହନ ଶୟଳେ

।।

ମନ କର୍ମକୁ ଦୂର ଯେହି

ସେ ହରି ରଖ ମୋର ଦେହୀ

।।

ଯାର ମହିମା ମୁନି ଜନେ

ସକଳ ଶାସ୍ତ୍ର ଅନୁମାନେ

।।

ବିମୁକ୍ତି ସଙ୍ଗ ସାଧୁଜନେ

ତପ ସାଧନ୍ତି ଘୋରବନେ

।।

ଭୂତଙ୍କ ଭୂତ ଆତ୍ମା ଯେହୁ

ସେ ହରି ମୋତେ ଗତି ହେଉ

।।

ଯାହାର ଜନ୍ମ କର୍ମ ନାହିଁ

ଅପର ଦୋଷ ଗୁଣ ନାହିଁ

।।

ତଥାପି ଲୋକ ରକ୍ଷା ଅର୍ଥେ

ଆପେ ସମ୍ଭବେ ଏ ଜଗତେ

।।

ସ୍ୱ ମାୟାବଳେ ଏ ଜଗତ

ସ୍ଥିତି ପାଳନେ କରେ ଅନ୍ତ

।।

ଅରୂପ ରୂପ ଯେ ଅଦ୍ଭୁତ

ଆତ୍ମା ପ୍ରଦୀପ ସାକ୍ଷୀମତ

।।

ପରମ ଆତ୍ମା ସାକ୍ଷୀ ଘର

ମନ ବଚନ ଅଗୋଚର

।।

ସୂକ୍ଷ୍ମ ନିର୍ମଳ ରୂପ ଯାର

ଦୁସ୍ତର ତମ ମହାଘୋର

।।

ଯାହାକୁ ସର୍ବଗୁଣେ ଗାଇ

ନିଷ୍କାମ ଚିତ୍ତେ ଯେବା ଧ୍ୟାୟି

।।

କୈବଲ୍ୟ ନାଥ ନମୋଽସ୍ତୁତେ

ନିର୍ବାଣ ସୁଖଦ ଉଦିତେ

।।

ତୁ ନାଥ ଶାନ୍ତ ଘୋରରୂପୀ

ମୁକ୍ତି ଧର୍ମେଣ ବିଶ୍ୱବ୍ୟାପୀ

।।

ଯେ ଜୀବ କ୍ଷୟ ସାକ୍ଷୀରୂପେ

ନମସ୍ତେ ଜ୍ଞାନ କାଳରୂପୀ

।।

ଯେ କ୍ଷେତ୍ରରୂପୀ ନମୋ ନମଃ

ସର୍ବଜ୍ଞ ସାକ୍ଷୀ ନିଜ ଧାମ

।।

ସେ ଏ ଜଗତେ ଆଦି ମୂଳ

ପ୍ରକୃତି ମଧ୍ୟେ ସୂକ୍ଷ୍ମ ସ୍ଥୂଳ

।।

ସର୍ବ ଇନ୍ଦ୍ରିୟ ଗୁଣଦ୍ରଷ୍ଟା

ସର୍ବ ସୃଷ୍ଟିର ଆଦିତ୍ରାତା

।।

ଅଭକ୍ତ ଜନେ ଅପ୍ରକାଶ

ଭକତ ପଦେ ରବିତ୍ରାସ

।।

ଅଖିଳ କାରଣ ସ୍ୱରୂପୀ

ଅଦ୍ଭୁତ ରୂପ ବିଶ୍ୱବ୍ୟାପୀ

।।

ସର୍ବ ନିଗମ ମହାର୍ଣ୍ଣବ

ତୋର ମହିମା କେ ବର୍ଣ୍ଣିବ

।।

ତୁ ଅପବର୍ଗ ପରାୟଣ

ନମଇଁ ତୋହର ଚରଣ

।।

ଶୂନ୍ୟ ଗଗନେ ଗୁଣପାଶେ

ବନ୍ଧନ ତୋ ମାୟା ବିଶ୍ୱାସେ

।।

ତୁ ନାଥ କରୁଣା ସାଗର

ତୋ ପାଦେ ଶରଣ ମୋହର

।।

ଅଶେଷ ଜନ୍ତୁ ହୃଦଗତେ

ତୋର ପ୍ରକାଶ ଆତ୍ମାମତେ

।।

ସକଳ ଦେଖୁ ନାଥ ତୁହି

ତୋ ରୂପ କେହି ନ ଜାଣଇ

।।

ତୁ ନାଥ ଜ୍ଞାନାଗ୍ନି ସ୍ୱରୂପୀ

ତୃଣ କାଷ୍ଠରେ ଅଛୁ ବ୍ୟାପୀ

।।

ମୋହର ପ୍ରିୟ ପଶୁଗଣ

ବିପଦ ପାଶୁ କର ତ୍ରାଣ

।।

ତୁ ବ୍ରହ୍ମ ପରମ ମଙ୍ଗଳ

ନମସ୍ତେ ପ୍ରଭୁ ଆଦି ମୂଳ

।।

ଆତ୍ମା ଆତ୍ମଜ ଗୃହ ଚିତ୍ତେ

ମମତା କରେ ଦୃଢ଼ଚିତ୍ତେ

।।

ଯେ ପ୍ରାଣୀ ଗୃହବନ୍ଧେ ମଜ୍ଜେ

ସେ ତୋତେ କେବେହେଁ ନଭଜେ

।।

ଯେ ମୁକ୍ତି ସଙ୍ଗ ଏ ଜଗତେ

ସେ ତୋତେ ଭଜେ ଅବିରତେ

।।

ଏଣୁ ବିବେକୀ ପ୍ରାଣୀଙ୍କର

ତୁ ନାଥ ଶୁଭ ସୁଖକର

।।

ହେ ଜ୍ଞାନାତ୍ମକ ଭଗବାନ

ସର୍ବ ଈଶ୍ୱର ନମୋନମଃ

।।

ଧର୍ମାର୍ଥ କାମ ଲୋଭୁଁ ମୁକ୍ତ

ନିଷ୍କାମେ ଭଜି ଅବିରତ

।।

ଅନ୍ତେ ଲଭଇ ଇଷ୍ଟ ଗତି

ଦୁଃଖ ସଙ୍କଟେ ନ ପଡ଼ନ୍ତି

।।

ଅବ୍ୟୟ ସ୍ଥାନେ ରହେ ମନ

ଏଣୁ ଲଭନ୍ତି ଦିବ୍ୟଜ୍ଞାନ

।।

ଏ ପ୍ରାଣୀ ଶରଣ ତୋହର

ଏ ଗ୍ରାହ ହସ୍ତୁ କର ପାର

।।

ଏକାନ୍ତ ଚିତ୍ତେ ଯେ ରହନ୍ତି

ବିଷୟା ସୁଖ ନ ବାଞ୍ଛନ୍ତି

।।

ତୋ ପାଦ ସୁଧା ସୁଖ ପାଇ

ଅଧିକ ବାଞ୍ଛା ତାର ନାହିୋ

।।

ଅତି ଅଦ୍ଭୁତ ତୋ ଚରିତ

ଆନନ୍ଦ ରୂପେ ସୁଲଳିତ

।।

ତୋ କଥା ସୁଧା ସିନ୍ଧୁଜଳେ

ଅବଗାହନ ସୁଖ ଭୋଳେ

।।

କରି ତରନ୍ତି ଦିବ୍ୟ ଦେହୀ

ଏଣୁ ତୋ ମହିମା କେ କହି

।।

ଅକ୍ଷର କ୍ଷର ନାହିଁ ଯାର

ସେ ବ୍ରହ୍ମ ପରମ ଈଶ୍ୱର

।।

ଅବ୍ୟକ୍ତ ଅଧ୍ୟାତ୍ମ ସ୍ୱରୂପୀ

ପରମ ଯୋଗବଳେ ବ୍ୟାପୀ

।।

ଇନ୍ଦ୍ରିୟ ଜ୍ଞାନର ଅଗମ୍ୟ

ଅତ୍ୟନ୍ତ ଦୂର ଅତି ସୂକ୍ଷ୍ମ

।।

ଏଣୁ ସେ ଅତି ଦୂରେ ରହେ

ଅତ୍ୟନ୍ତ ସୂକ୍ଷ୍ମ ସୂକ୍ଷ୍ମ ହୁଏ

।।

ଏଣୁ ଅନନ୍ତ ଆଦି ପୂର୍ଣ୍ଣ

ସେ ହରି ରଖୁ ମୋ ଜୀବନ

।।

ନିବେଦନ ମୋ ଅନୁକ୍ଷଣେ

ମନ ବଚନ ଆଚରଣେ

।।

ଦେଖେ ଏ ଘୋର ଗ୍ରାହ ଗ୍ରାସୁ

ଉଦ୍ଧରି ମୋତେ ସେ ଆଶ୍ୱାସୁ

।।

ଯାର ଚରିତ ବଳ ଘେନି

ବ୍ରହ୍ମାଦି ଦେବାସୁର ମୁନି

।।

ସଂସାର ସୁଖ ତ୍ୟାଗ କରି

ମାୟା ସଂସାରୁ ଗଲେ ତରି

।।

ଅଗ୍ନି ସବିତା ଜ୍ୟୋତି ଯେହ୍ନେ

ପ୍ରକାଶେ ପ୍ରବେଶ ଗଗନେ

।।

ଏଣୁ ଏ ପ୍ରବାହ ସଂସାର

ଇନ୍ଦ୍ରିୟ ବୁଦ୍ଧି ଅହଙ୍କାର

।।

ଶରୀର ଆଦି ସେହି ମତେ

ପ୍ରବେଶ ହୋନ୍ତି ତାର ଗାତ୍ରେ

।।

ଜନ ଶରୀର ପଶୁ ଆଦି

ସେ ରୂପେ ଅରୂପ ସମ୍ପାଦି

।।

କେବେହେଁ ନୋହେ ରୂପ ଗୁଣ

ଏଣୁ ଏ ଅନାଦି କାରଣ

।।

ନମୋ ନମସ୍ତେ ହେ ଅନନ୍ତ

ଅଶେଷ ବେଗ ବଳବନ୍ତ

।।

ଅଖିଳ ବୁଦ୍ଧି ଗୁଣମୟ

ଯାହାର ଅଟେ ଶକ୍ତି କ୍ରୟ

।।

ପ୍ରସନ୍ନଜନ ଯେ ପାଳଇ

ଦୂରନ୍ତ ଶକ୍ତି ଯାର ଦେହୀ

।।

କୁତ୍ସିତ ଇନ୍ଦ୍ରିଗଣେ ଯାର

ମାର୍ଗେ ନ ହୁଅନ୍ତି ଗୋଚର

।।

ମୁଁ ଗ୍ରାହଗ୍ରସ୍ତେ ଗ୍ରସ୍ତ ହୋଇ

ଆତ୍ମା ଶରୀର ନ ଜାଣଇ

।।

ଯେ ହରି ସଂସାରେ କାରଣ

ତା ପାଦେ ପଶିଲି ଶରଣ

।।

ରଖୁ ନ ରଖୁ ସେ ଜାଣଇ

ତା ବିନୁ ଅନ୍ୟ ଗତି ନାହିଁ

।।

ଶ୍ରୀ ଶୁକ ଉବାଚ

ଏମନ୍ତେ ଗଜରାଜ ସ୍ତୁତି

ଦେଇ ଗୋବିନ୍ଦ ପାଦେ ମତି

।।

ଇନ୍ଦ୍ରାଦି ଦେବ ଗମ୍ୟ ନୋହେ

ଯେ ପୂର୍ବ ଭାଗ୍ୟର ଉଦୟେ

।।

ଗଜ ବିକଳ ଶୁଣି ହରି

ଆନନ୍ଦ ଚିତ୍ତେ ମୋଦ ଭରି

।।

ଯେ ହରି ସର୍ବ ଦେବମୟ

ଅଶେଷ ବିଶ୍ୱ ଯାର ଦେହ

।।

ଅଖିଳ ଦେହ ଯାର ବାସ

ସେ ପ୍ରଭୁ ଭକତ ବିଶ୍ୱାସ

।।

ଶୁଣିଲେ ଗଜେନ୍ଦ୍ର ଆରତ

ମନେ ବିଚାରି ଜଗନ୍ନାଥ

।।

ସ୍ତୁତି କରନ୍ତି ଦେବଗଣ

ଶ୍ରବଣେ ପ୍ରଭୁ ନାରାୟଣ

।।

ଭକତ କାରଣ ତତ୍ପର

ପ୍ରଭୁ ନିଶ୍ଚିନ୍ତେ ପରାତ୍ପର

।।

ଭୋଜନ ପାନେ ନାହିଁ ଇଚ୍ଛା

ଘେନିଣ ଦୀନତ୍ରାଣ ଦୀକ୍ଷା

।।

ଗ୍ରାହ ଗ୍ରସ୍ତିତ ମନେ ଜାଣି

ସତ୍ୱରେ ପ୍ରଭୁ ଚକ୍ରପାଣି

।।

ଏମନ୍ତ ପ୍ରଭୁ ଦାଶରଥି

ସ୍ମରଣ କଲେ ଖଗପତି

।।

ଗଗନ ଚରାଧିପ ପ୍ରିୟ

ଯେ ଅଟେ ଚାରି ବେଦମୟ

।।

ଶରୀର ନାଗେ ଅଳଂକୃତ

ମନହୁଁ ଅତି ବଳବନ୍ତ

।।

କନକ ଗିରି ମଧ୍ୟେ ବାସ

ଯାହାର ଗୋବିନ୍ଦ ବିଶ୍ୱାସ

।।

ଏମନ୍ତ ଗୋବିନ୍ଦ ସ୍ମରଣ

ଜାଣିଲା ବିନତା ନନ୍ଦନ

।।

ଆହାର ଅର୍ଥେ ଲୋଭ ମନ

ବିସ୍ତାରି ଥିଲା ଯେ ବଦନ

।।

ତକ୍ଷଣେ କଲାକ ମୁଦ୍ରିତ

ହରି ସ୍ମରଣେ ପ୍ରମୋଦିତ

।।

ଗୋବିନ୍ଦ ନିକଟେ ଗମନ

ମନକୁ ନିବେଶି ବହନ

।।

ଚିରବିରହୀ ଯେହ୍ନେ ବଧୂ

ପାଇଲା ନିଜ ପ୍ରାଣବନ୍ଧୁ

।।

ଦରିଦ୍ର ନିଧିକି ପାଇଲା

ଅପୁତ୍ରୀ ପୁତ୍ର କି ଲଭିଲା

।।

ତେସନେ ଗରୁଡ଼ ଆନନ୍ଦ

ଗମନେ ଚରଣାବିନ୍ଦ

।।

ଗଗନେ ପକ୍ଷ ବିସ୍ତାରିଲା

ପରମ ଆନନ୍ଦେ ଉଡ଼ିଲା

।।

ସର୍ପ ଭୂଷଣ କଳେବର

ବ୍ରହ୍ମାଣ୍ଡ ମଧ୍ୟେ ବଳିୟାର

।।

ପଞ୍ଚ ପଲ୍ଲବ ବିସ୍ତାରିଲା

ରୋଦସି କନ୍ଦର ପୂରିଲା

।।

ପାତାଳେ ପଶି ପକ୍ଷୀବତ

କମ୍ପାଏ ଦନୁଜଙ୍କ ଗାତ୍ର

।।

ଗରୁଡ଼ ପକ୍ଷ ବେଗବାତେ

ସଙ୍ଗତେ ଉଡ଼ିଲେ ପର୍ବତେ

।।

ଆକାଶେ ଦେଖି ଗିରିମାଳ

ଭୟେ କମ୍ପନ୍ତି ଦିଗପାଳ

।।

ପବନ ପ୍ରାୟ କଲା ଗତି

ଗୋବିନ୍ଦ ପାଦେ ଦେଇ ମତି

।।

ତନୁ ଜିଣଇ ଗିରିବର

ବଳୀଙ୍କ ମଧ୍ୟେ ବଳୀୟାର

।।

ଆପଣା ପକ୍ଷ ସମୀରଣେ

କମ୍ପଇ ଚଉଦ ଭୁବନେ

।।

ସତ୍ୱରେ ନିକଟେ ପ୍ରବେଶ

ଦେଖିଲା ପରମ ପୁରୁଷ

।।

ବିମଳ ବିଶାଳ ହୃଦୟ

ଅଞ୍ଜନ ଗିରି ଜିଣି ଦେହ

।।

ଦୁଷ୍ଟ ନାଶନେ ବଳବନ୍ତ

କଟୀରେ ଶୋହେ ପୀତବସ୍ତ୍ର

।।

କଣ୍ଠେ ଶୋଭଇ ମଣିଦାମ

ଗରୁଡ଼ କରଇ ପ୍ରଣାମ

।।

ଯେ ପ୍ରଭୁ ଅଜ ଅବିନାଶୀ

ସକଳ ହୃଦୟ ନିବାସୀ

।।

କରୁଣା ସିନ୍ଧୁ ଭଗବାନ

ବିକଚ କମଳ ଲୋଚନ

।।

ଗରୁଡ଼ ମୁଖକୁ ଚାହିଁଲେ

କୁଶଳ ବାର୍ତ୍ତାକୁ ପୁଚ୍ଛିଲେ

।।

ଗରୁଡ଼ କୃତାଞ୍ଜଳି ହୋଇ

ପଦ୍ମ ଚରଣେ ପ୍ରଣମଇ

।।

ଉଠି କପାଳେ କର ଦେଇ

ଉଭା ହୋଇଲା ମୁଖ ଚାହିଁ

।।

ଗରୁଡ଼େ ଆରୋହିଲେ ହରି

ଜଳଦ ଯେହ୍ନେ ମହାଗିରି

।।

ମହାଗିରିରେ ଶ୍ୟାମ ମେଘ

ତେସନେ ଶୋଭା ଶିରୀ ଅଙ୍ଗ

।।

ସ୍ମିତ ବଦନ ଅନୁପମ

କୋଟିଏ ରତି ଜିଣି ଶ୍ୟାମ

।।

ଶୋଭା ପାଇଲେ ଭଗବାନ

ଅନାଦି ପରମ କାରଣ

।।

ଖଗ ପିଠିରେ ହରି ବସି

ଶୋଭାରେ ଜଗଜ୍ଜନ ତୋଷି

।।

ଉପରେ ଶୀତୋଷ୍ଣ ବାରଣ

କନକମୟ ଛତ୍ର ପୁଣ

।।

ଦେଖନ୍ତେ ମନକୁ ହରଇ

ବିସ୍ତାରେ ବ୍ୟୋମ ଆଚ୍ଛାଦଇ

।।

ଚନ୍ଦ୍ରହୁଁ ଅଧିକ ସୁନ୍ଦର

ମୁକୁତା ମାଳା ମନୋହର

।।

ଗମନ କଲେ ନରହରି

ନିଜ ଭୁବନୁ ଅପସରି

।।

ଗଜକୁ ନିସ୍ତାରିବା ପାଇଁ

ବିଜୟ କଲେ ଭାବଗ୍ରାହୀ

।।

ସମସ୍ତ ଲୋକ ଯା ଉପରେ

ସେ ପ୍ରଭୁ ଘେନି ଖଗେଶ୍ୱରେ

।।

କରନ୍ତି ସଧୀରେ ଗମନ

ସୁନ୍ଦର ଦିଶିଲା ଗଗନ

।।

ଗୋବିନ୍ଦ ବିଜେ କଲେ ପୁଣି

ମିଳିଲେ ତ୍ରିଭୁବନ ପ୍ରାଣୀ

।।

ଆନନ୍ଦେ କଲେ ବେଦ ନାଦ

ହୃଦେ ଭାବନ୍ତି ଆଦିକନ୍ଦ

।।

ଶୁଭିଲା ବହୁ ମତେ ଶଙ୍ଖ

ପଟ୍ଟହ ମୃଦଙ୍ଗ ଅନେକ

।।

ସୁଗନ୍ଧ ନବ କୁସୁମିତ

ବୃଷ୍ଟି କରନ୍ତି ଦେବଯୂଥ

।।

ଗୋବିନ୍ଦ ଶଙ୍ଖ ଧ୍ୱନି ଆଶେ

ମୁନିଏ ମିଳିଲେ ପାରୁଶେ

।।

ସେ ଗିରି କନ୍ଦର ଆବୋରି

ତପ କରନ୍ତି ଦୃଢ଼କରି

।।

ଯେ ଯା ଯଜ୍ଞ ଅଗ୍ନିହୋତ୍ର

ସେବନ୍ତି ତତପର ଚିତ୍ତ

।।

ଖେଚର କିନ୍ନର ଗନ୍ଧର୍ବ

ଯକ୍ଷ ଉରଗ ଆଦି ସର୍ବ

।।

ଯେ ସ୍ୱର୍ଗବାସୀ ପୁଣ୍ୟକର୍ମା

ଜାଣନ୍ତି ଗୋବିନ୍ଦ ମହିମା

।।

ସମସ୍ତେ ସତ୍ୱରେ ଅଇଲେ

ଗୋବିନ୍ଦ ନିକଟେ ମିଳିଲେ

।।

କେ କରେ ପଦ୍ମବୀଜ ମାଳ

ତିଳକ ଶୋଭଇ କପାଳ

।।

ଗଳାରେ ତୁଳସୀର ମାଳ

ହୃଦେ ଲମ୍ବଇ ବନମାଳ

।।

କୃଷ୍ଣ ଗୋପାଳ ନରହରି

ନାମ ଡାକନ୍ତି ଉଚ୍ଚକରି

।।

ମିଳିଲେ ଅନେକ ସାତ୍ତ୍ୱିକ

ଗୋବିନ୍ଦ ପାଦେ ଦେଇ ଚିତ୍ତ

।।

ଭକତେ ଯୂଥ ଯୂଥ ହୋଇ

ଧାବନ୍ତି ହରିଗୁଣ ଗାଇ

।।

କଶ୍ୟପ ଆଦି ପ୍ରଜାପତି

ସଙ୍ଗେତେ ଘେନି ବେଦପତି

।।

ଧବଳ ପକ୍ଷ ବିହଙ୍ଗମ

ଆରୋହୀ ଚଳନ୍ତି ସ୍ୱଧାମ

।।

ଅମର ସିଦ୍ଧ ମୁନି ସଙ୍ଗେ

ମିଳିଲେ କୃଷ୍ଣ ପାଶେ ରଙ୍ଗେ

।।

କେହି କରନ୍ତି ଶଙ୍ଖନାଦ

କେ ବେଣୁ ବଜାନ୍ତି ଆନନ୍ଦ

।।

କଂସାଳ ତାଳ ଦେବବାଦ୍ୟ

କେ ବୀଣା ମର୍ଦ୍ଦଳ ଶବଦ

।।

କେ ଶିଙ୍ଗା ବାୟେ ନାନାମତେ

କେହୁ କାହାଳୀ ଅବିରତେ

।।

ବାଦ୍ୟ ଶବଦ ଧ୍ୱନି ଘୋଷି

ଦେଖନ୍ତି କୃଷ୍ଣ ମୁଖ ଶଶୀ

।।

କେତେହେଁ ମୁନି ଗୀତ ଗାଇ

ନୃତ୍ୟ କରନ୍ତି ଭାବଗ୍ରାହୀ

।।

କେ ଅବା ଗୀତେ ହୋଇ ମତ

ଗୋବିନ୍ଦ ପଦ୍ମପାଦେ ଚିତ୍ତ

।।

କେ ଭାବେ ଜ୍ଞାନ ଭୋଳ ହୋଇ

ପ୍ରଳାପ ବଚନ କହଇ

।।

କେହି ଆନନ୍ଦେ ଅଶ୍ରୁଜଳ

ହରିଙ୍କ ଭାବେ କୁତୁହଳ

।।

ପରମ ଆନନ୍ଦେ କେ ମଜ୍ଜେ

ହରି ଭାବରେ ଚକ୍ଷୁ ବୁଜେ

।।

ଚନ୍ଦନ ପିଚିକା କେ ମାରେ

କୁସୁମ ବୃଷ୍ଟି କେହୁ କରେ

।।

ସୁଗନ୍ଧ କ୍ଷେପନ୍ତି କେ ପଥେ

ମାର୍ଜ୍ଜନା କେ କରନ୍ତି ହସ୍ତେ

।।

କେହି ମାରନ୍ତି ବାହାସ୍ଫୋଟ

ଗୋବିନ୍ଦ ରସେ ତନୁ ମୋଟ

।।

ଆନନ୍ଦେ ନୃତ୍ୟ କେ କରନ୍ତି

ଭୁଜଙ୍ଗ ପ୍ରାୟେ କେ ଚାହାଁନ୍ତି

।।

ଏମନ୍ତେ ଗୋବିନ୍ଦ ଗମନେ

ମିଳିଲେ ନାରଦ ବହନେ

।।

ନଟଙ୍କ ପ୍ରାୟେ ମୋକ୍ଷ ଗତି

ଆନନ୍ଦେ ନାରଦ ନାଚନ୍ତି

।।

ଡାକନ୍ତି ଗୋବିନ୍ଦ ଗୋପାଳେ

ନୃତ୍ୟ କରନ୍ତି ମତିଭୋଳେ

।।

ନାରଦ ଗୀତରସ ପାଇ

ସାଧୁଙ୍କ ମନ ଉଲ୍ଲସଇ

।।

ନାନା ପ୍ରକାରେ ପାଦ ଚାଳି

କର ଯୁଗଳ ରଙ୍ଗେ ତୋଳି

।।

ଖେଳିଲା ସର୍ପଭାବ ପ୍ରାୟେ

ମୁନି କରନ୍ତି ଅବଲୟେ

।।

ଆନନ୍ଦରସେ ମତ୍ତ ହୋଇ

ବୋଲନ୍ତି ନାରାୟଣ ମୁହିଁ

।।

ଭାବେ ନ ଚିହ୍ନେ ପରାପର

ବୋଲନ୍ତି ମୁହିଁ ଯୋଗେଶ୍ୱର

।।

ନାରଦ ପରମ ସାନନ୍ଦେ

ବୋଲନ୍ତି ଭାବ ଗଦଗଦେ

।।

ନାରଦ ଉବାଚ

ଶୁଣିବା ପ୍ରଭୁ ନାରାୟଣ

ଅନାଦି ପରମ କାରଣ

।।

ସଂସାର ତୋର ଦେହୁ ଜାତ

ତୋର ପାଦରେ ଏ ପାଳିତ

।।

ତୋହର ଅନାଦର ଭରେ

ପ୍ରଳୟ ହୋଇ ଚରାଚରେ

।।

ମୃତ୍ତିକା ଘଟ କାର୍ଯ୍ୟ ଯେହ୍ନେ

ମୃତ୍ତିକା ତହିଁ ନୋହେ ଭିନ୍ନେ

।।

ତୋ ତହୁଁ ଜନ୍ମ ଏ ଜଗତ

ତୁ ଯେ ପାଳିଣ କରୁ ଅନ୍ତ

।।

ତୁମ୍ଭର ଅନାଦର ଭରେ

ବିପଦ ଆଦି ଏ ସଂସାରେ

।।

ରଚନା କରୁ ଦାମୋଦର

ତୋହର ବିନୁ ନାହିଁ ଆର

।।

ତୁ ଆତ୍ମାଭାବ ଏଥି ପେଶି

ଏମନ୍ତ ସ୍ତୁତି ଶ୍ରୁତି ଘୋଷି

।।

ତୋ ତହୁଁ କେମନ୍ତେ ସଂସାର

ଭିନ୍ନ ହୋଇବ ଦାମୋଦର

।।

ଯେ ଭିନ୍ନ ଜ୍ଞାନୀ ହୋଏ ପୁଣ

ଯେ ତୁମ ମାୟାରେ ଭ୍ରମଣ

।।

ମାଟି ବିକାର ଘଟ ପ୍ରାୟେ

ତୋ ତହୁଁ କେହି ଆନ ନୋହେ

।।

ଏମନ୍ତ ସଂସାର ଭିଆଣ

ମୁହିଁ ତୋ ଭେଦେ ନାରାୟଣ

।।

ତୋ ତହୁଁ ଭିନ୍ନ ଏ ଜଗତ

ଯେ ଦେଖେ ସଂସାର ଭୋ ନାଥ

।।

ତାର ବିଷୟ ରସେ ମନ

ତୁମର ମାୟାବଳେ ଧ୍ୟାନ

।।

ତା ଦେଖି ନଥାଏ ମୋ ମନ

ଶୁଣିବା ତ୍ରିଜଗନ୍ମୋହନ

।।

ତୋ ପାଦେ କେମନ୍ତେ ସେ ପ୍ରାଣୀ

ମନ ନିବେଶି ଚକ୍ରପାଣି

।।

ତୁମ୍ଭେ ଯେ ସର୍ବ ସୁଖଦାତା

ଜଗତ ଜୀବ ପିତା ମାତା

।।

ସଂସାର ତାରଣ ଈଶ୍ୱର

ଏ ପାପୀ ବାରେକ ଉଦ୍ଧାର

।।

ତୁ ଦେବ ଶରଣ ବତ୍ସଳ

ଜଗତ ପତି ଆଦିମୂଳ

।।

କୃପା ତତ୍ପର ହୁଅ ହରି

ଅନାଥ ଜନେ କର ପାରି

।।

ତୁମ୍ଭର ସରୋଜ ଚରଣ

ମୁହିଁ ଶରଣ ନାରାୟଣ

।।

ତୋ ତହୁଁ ଅନ୍ୟାନ୍ୟ ଜଗତ

ମୁହିଁ ଦେଖଇ ତୋର ଚିତ୍ତ

।।

ସଂସାର ଦୁର୍ଜୟ ଦୁଃଖରୁ

ମୋତେ ଉଦ୍ଧର ଲୋକଗୁରୁ

।।

ଅରୁଣ କରୁଣା ନିର୍ଭର

ତରୁଣ ତରଳ ସମୀର

।।

ବିକଚ ଜଳଜ ଲୋଚନ

ମୋଠାରେ କର ଅବଧାନ

।।

ଏମନ୍ତ ନାରଦଙ୍କ ସ୍ତୁତି

ହୃଦରେ ଧରି ଲକ୍ଷ୍ମୀପତି

।।

ସଦୟ ହୃଦୟ ଲୋଚନ

ନାରଦେ କଲେ ଅବଧାନ

।।

ଆଦି ପୁରୁଷ ସଦାନନ୍ଦ

ପରମ ପୁରୁଷ ଗୋବିନ୍ଦ

।।

ଋଗ୍‌ବେଦ ସାମବେଦ ଧ୍ୱନି

ଗାବନ୍ତି ବାଳଖିଲ୍ୟ ମୁନି

।।

ଅଥର୍ବ ଯଜୁର୍ବେଦ ମତେ

ସ୍ତୁତି କରନ୍ତି ଭକ୍ତି ତନ୍ତ୍ରେ

।।

ନାନା ପୁରାଣ ସ୍ତୁତି ସ୍ତବ

ପଢ଼ି କେ କହେ ତାର ଭାବ

।।

ଭାଷା ପ୍ରବନ୍ଧେ ଗୀତ ଛନ୍ଦେ

କେ ଭାବ ଗୋବିନ୍ଦ ଆନନ୍ଦେ

।।

କେ ହରି ଭାବର କୀର୍ତ୍ତନ

ଲମ୍ପଟେ କରନ୍ତି ନର୍ତ୍ତନ

।।

ସନକ ସନାତନ ଆଦି

ଯେ ଋଷି ସଂସାରେ ପ୍ରସିଦ୍ଧି

।।

ଗୋବିନ୍ଦ ଭାବେ ଦିଗମ୍ବର

ସ୍ତୁତି କରନ୍ତି ନିରନ୍ତର

।।

ମଗଧ ସୁରମୁନି ସଙ୍ଗେ

ଆଦି ପୁରୁଷ ଭାବେ ରଙ୍ଗେ

।।

ଏମନ୍ତ ଗୋବିନ୍ଦର ପାଶେ

ସମସ୍ତେ ସେବନ୍ତି ହରଷେ

।।

ବିଜେ କରନ୍ତି ଚକ୍ରଧର

ଯେ ଜଳେ ଅଛି କରୀବର

।।

ଯେ ଗିରି ହୃଦେ ଅଛି ଗଜ

ବିଜୟ କଲେ ଦେବରାଜ

।।

ତହିଁ ଯେ ଥିଲେ ମୁନିଜନ

ଜାଣିଲେ କୃଷ୍ଣ ଆଗମନ

।।

ଦେବଙ୍କ ଦେବ ସେ ପୁରାଣ

ସମାଧି ଛାଡ଼ି ମୁନିଗଣ

।।

ବିଭ୍ରମ ହୋଇ ବେଗେ ଉଠି

ଗୋବିନ୍ଦ ପାଦେ ଦେଇ ଦୃଷ୍ଟି

।।

ପ୍ରଣାମ କରନ୍ତି ସୁମରି

ଭକତ ଭାବେ ଭାବ କରି

।।

ଯେ ହରି ପୁରାଣ ପୁରୁଷ

ଲକ୍ଷ୍ମୀର କାନ୍ତ ହୃଷୀକେଷ

।।

ଯୋଗୀ କଳ୍ପନା ନିର୍ବିକ୍ଷୟ

ସଚ୍ଚିଦାନନ୍ଦ ନିର୍ବିଜ୍ଞେୟ

।।

ଯେବେ ଯା ଧ୍ୟାନେ ନ ପାଇଲେ

ମୁନି ତା ନୟନେ ଦେଖିଲେ

।।

ଦୁଃଖେ ଯାହାର ଦରଶନ

ତାହାର ଅତି ସୂକ୍ଷ୍ମଜ୍ଞାନ

।।

ତାହାକୁ ଦୁଃଖେ ସେ ନିରୋପି

ନିଶ୍ଚଳ ହୃଦେ ୟାକୁ ସ୍ଥାପି

।।

ଦୂରହିଁ ଦୂର ଯେ ସ୍ୱଭାବେ

ନିକଟ ପୁଣି ଭକ୍ତ ଭାବେ

।।

ଯେ ହରି ନିଜ ତେଜ ରୂପ

ଜଗତ ଦେଖିଲେ ସ୍ୱରୂପ

।।

ଯାହାର ମହିମା ଅପାର

ଯେ ପୂର୍ଣ୍ଣାନନ୍ଦ ବେଦ ସାର

।।

ଯେ ପୂଜା ସକଳ ସଂସାରେ

ଭକତ ବନ୍ଧୁ ଦୟାକରେ

।।

ସମସ୍ତ ଜୀବର ଜୀବନ

ସଂସାର ଜନ୍ମର ଧାରଣ

।।

ସମ୍ପୂର୍ଣ୍ଣାନନ୍ଦ ସର୍ବଠାରେ

ପ୍ରାଣୀ ଦେଖନ୍ତି ତାଙ୍କୁ ଧୀରେ

।।

ନୀଳ ନଳୀନ ଘନଶ୍ୟାମ

ଜଳଦ ନେତ୍ର ଅଭିରାମ

।।

ଶ୍ୟାମସୁନ୍ଦର ସର୍ବ ସାର

ପୀତ ବସନ ମୁକ୍ତାହାର

।।

ମେଘ ଗମ୍ଭୀର ଧୀର ଘୋଷ

ସର୍ବ ଆହ୍ଲାଦ କର ବେଶ

।।

ଏମନ୍ତ ରୂପେ ନରହରି

ପ୍ରାଣୀ ଦେଖିଲେ ଯାନ୍ତି ତରି

।।

ତହୁଁ ଶୀତଳ ମଧୁ ଗନ୍ଧ

ପବନ ବହେ ମନ୍ଦ ମନ୍ଦ

।।

ହରି ଗମନ୍ତେ ତେଜୋମୟେ

ଆକାଶେ ଦିଶିଲେ କେତୁଏ

।।

ନାନା ପ୍ରକାର ବାଦ୍ୟନାଦ

ବେଗେ କରନ୍ତି ପ୍ରତିପଦ

।।

କାହାଳୀ ନାଦ ମନୋହର

ପ୍ରସ୍ଥାନ କଲେ ଚକ୍ରଧର

।।

ଏକୁ ଆରେକ ଗୀତ ବାଦ୍ୟେ

ହରଷ ପରମ ଆନନ୍ଦେ

।।

ଶୁଭଇ ପଞ୍ଚଜନ୍ୟ ସ୍ୱର

ସୁସ୍ୱର ମଧୁର ଗମ୍ଭୀର

।।

ଗୋବିନ୍ଦ ଶରୀର ସୁଗନ୍ଧ

ଦିଗେ ପ୍ରସାରେ ମନ୍ଦ ମନ୍ଦ

।।

ଯେ ଅଙ୍ଗ ସୌରଭ ଅଦ୍ଭୁତ

ଆଘ୍ରାଣେ ଆନନ୍ଦେ ଜଗତ

।।

ସୁର ମଗଧ ବନ୍ଦି ସୁତ

ଆନନ୍ଦେ କଲେ ନୃତ୍ୟ ଗୀତ

।।

ଶଙ୍ଖ ମଙ୍ଗଳ ଘୋଷ ଭାଷେ

ଚଳନ୍ତି ପରମ ପୁରୁଷେ

।।

ଗିରି ସ୍ୱରୂପ ଖଗେଶ୍ୱର

ଦିଶନ୍ତି କୃଷ୍ଣ ମନୋହର

।।

ବିକଚ କମଳ ଲୋଚନ

ସଂସାର ତାପ ବିମୋଚନ

।।

ଗୋବିନ୍ଦ ଦୂରୁ ଦେଖିବାରେ

ଉଠିଲେ ତରୁଙ୍କ ଶିଖରେ

।।

ନିକଟେ ଦେଖିଲେ ମାଧବ

ବୃକ୍ଷୁଁ ଓହ୍ଲାଇ କଲେ ଭାବ

।।

ଦିଗ ବିଦିଗେ ଯେତେ ଜନ

କରନ୍ତି ଜୟ ଜୟ ସ୍ୱନ

।।

କେହି ଉଠଇ କା ଉପରେ

ଅତି ହରଷେ ସ୍ନେହଭରେ

।।

ଗିରି ଗରିଷ୍ଠ ଖଗେଶ୍ୱର

ସୁସ୍ୱର ମଧୁର ଗଭୀର

।।

ଖଗ କନ୍ଧରେ ନରହରି

ଆକାଶେ ଥିଲେ ସେ ସଞ୍ଚରି

।।

ତହିଁ ଉତ୍ତାରୁ ଭଗବାନ

ଶୁଭିଲା ଶତ ଶଙ୍ଖ ସ୍ୱନ

।।

କେହି କରନ୍ତି ନୃତ୍ୟରଙ୍ଗ

କେ ଗୀତ ଗାବନ୍ତି ସୁରଙ୍ଗ

।।

କେ ଶିର ପୋତି କରେ ଗତି

ଉତ୍ତରୀ ବସ୍ତ୍ର କେ ପକାନ୍ତି

।।

କେହି କରନ୍ତି ନାନା ଖେଳ

ବାଳକ ଗତି ପ୍ରାୟ ଲୋକ

।।

ନୟନୁ ଆନ୍ଦାଶ୍ରୁ ନୀର

ଗଳି ପଡ଼ଇ କା ଉପର

।।

କାହାର ତନୁ ଲୋମରାଜି

ଭାବ ପୁଲକରେ ବିରାଜି

।।

ଏମନ୍ତ ଜଗତର ଜନ

ଗୋବିନ୍ଦ ସଙ୍ଗତେ ଗମନ

।।

କେହି କରନ୍ତି ଗୀତ ନାଦେ

ପ୍ରଣାମ କରେ କେ ଆନନ୍ଦେ

।।

କାହାର ମତି ନୃତ୍ୟରସେ

କେ କୃଷ୍ଣ ଗାବନ୍ତି ହରଷେ

।।

କେହି ହରଷେ ସ୍ତୁତି କରେ

କେ ହରି ଶୁଣନ୍ତି କର୍ଣ୍ଣରେ

।।

ଏମନ୍ତେ ତିନି ଲୋକ ପ୍ରାଣୀ

ଭକତ ମଧ୍ୟେ ପରିମାଣି

।।

ହରି ସଙ୍ଗତେ ସେ ଚଳନ୍ତି

ଆନନ୍ଦ ରସେ ବୁଡ଼ିଥାନ୍ତି

।।

ହରି ପ୍ରବେଶ ଗିରିବରେ

ଦୟାର୍ଦ୍ର ଭକତ ଉଦ୍ଧାରେ

।।

ଦେଖିଲେ ସରୋବର ଜଳେ

ଗଜେନ୍ଦ୍ର ଡାକଇ ଆକୁଳେ

।।

ଜଳରେ ହୋଇଅଛି ମଗ୍ନ

କେବଳ ଦିଶଇ ବଦନ

।।

ସୁବର୍ଣ୍ଣ ପଦ୍ମ ଉଚ୍ଚେ କର

ଡାକଇ ରଖ ଚକ୍ରଧର

।।

କୁଞ୍ଜରମାନେ ଦେଖୁଛନ୍ତି

ବିକଳେ ରୋଦନ କରନ୍ତି

।।

ଡାକନ୍ତି ରଖ ରଖ ହରି

ଗ୍ରାହ ମୁଖରୁ କର ପାରି

।।

ଏମନ୍ତେ ଗଜଯୂଥ ବାଣୀ

ଶୁଣି ଚତୁର ଶିରୋମଣି

।।

ଭକତବର ଗଜପତି

ଆରତ ଦେଖିଣ ଶ୍ରୀପତି

।।

କରୁଣା କଲେ ଭଗବନ୍ତ

ଯାହାର ନାହିଁ ଆଦିଅନ୍ତ

।।

ରାଜେନ୍ଦ୍ର ସରୋବର ଜଳେ

ଗ୍ରାହ ଗ୍ରାସିବ ପାଦମୂଳେ

।।

ଦେଖଇ ଗରୁଡ଼ ପୃଷ୍ଠର

ଆକାଶେ ବିଜେ ଚକ୍ରଧର

।।

ପଦ୍ମ ସହିତେ ଥୋର ହସ୍ତ

କଷ୍ଟରେ କଲା ଶିରୋଗତ

।।

ବୋଲଇ ନମୋ ଭଗବାନ

ଜଗତ ଗୁରୁ ନାରାୟଣ

।।

ଊର୍ଦ୍ଧ୍ୱେ ଚାହିଁଲା ଶୁଣ୍ଢ ତୋଳି

ଦେଖଇ ପ୍ରଭୁ ବନମାଳୀ

।।

ଛତ୍ର ବିରାଜେ ଦକ୍ଷକରେ

ସୂର୍ଯ୍ୟ କି ଉଦୟ ଅମ୍ବରେ

।।

ଡାକଇ ଆରତ ଭଞ୍ଜନ

ଭୋ ନାଥ ରଖ ମୋ ଜୀବନ

।।

ହେ ନାରାୟଣ ବିଶ୍ୱଗୁରୁ

ଆରତ ଜନ ଦୁଃଖ ହରୁ

।।

ଗ୍ରାହ ପୀଡ଼ିତ ଗଜ ଦେଖି

ତକ୍ଷଣେ ଗରୁଡ଼ ଉପେକ୍ଷି

।।

ଜଳେ ପଶିଲେ ଚକ୍ରପାଣି

ଚକ୍ରେ କୁମ୍ଭୀର ମୁଣ୍ଡ ହାଣି

।।

କୁମ୍ଭୀର ମୁଖୁଁ ବନମାଳୀ

ହସ୍ତୀ ଚରଣ ହସ୍ତେ ତୋଳି

।।

ଦେଖନ୍ତି ସର୍ବ ଦିଗପାଳେ

ଗଜକୁ ଘେନିଆସି କୂଳେ

।।

ବୋଲନ୍ତି ବିପ୍ର ଜଗନ୍ମାତେ

ଶୁଣ ସୁଜନେ ଏକ ଚିତ୍ତ

।।

ଅଶେଷ ହରିର ମହିମା

କେ ଜାଣିପାରେ ଗୁଣସୀମା

।।

ଗଜକୁ ରଖିଲେ ଯେମନ୍ତେ

ଅଷ୍ଟମସ୍କନ୍ଧ ଭାଗବତେ

।।

ଭାଷା ପ୍ରବନ୍ଧେ ହରିବାଣୀ

ଶୁଣି ସଂସାରୁ ତର ପ୍ରାଣୀ

।।

 

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ବୈୟାସିକ୍ୟାଂ ଅଷ୍ଟମସ୍କନ୍ଧେ ଗଜେନ୍ଦ୍ର ନିସ୍ତାରଣେ

ନାମ ତୃତୀୟୋଽଧ୍ୟାୟଃ ।

•••

 

ଚତୁର୍ଥ ଅଧ୍ୟାୟ

 

ଶ୍ରୀ ଶୁକ ଉବାଚ

ଗଜେନ୍ଦ୍ର ମୋକ୍ଷ ବାଣୀ ଶୁଣି

ବରୁଣ ହ୍ରଦେ ଚକ୍ରପାଣି

।।

ଦେଖିବା ଅର୍ଥେ ଦେବଗଣେ

ମଙ୍ଗଳ ସ୍ତୁତି ଉଚ୍ଚାରଣେ

।।

ବ୍ରହ୍ମା ଶଙ୍କର ଦେବ ଋଷି

ଗନ୍ଧର୍ବେ କୁସୁମ ବରଷି

।।

ହରିର ଗୁଣ ପରସନ୍ନେ

ମିଳିଲେ ହରି ସନ୍ନିଧାନେ

।।

ଦେବେ ଦୁନ୍ଦୁଭି ନାଦ କରି

ନୃତ୍ୟ କରନ୍ତି ଅପସରୀ

।।

ଗନ୍ଧର୍ବେ ଗୀତ ଗାନ୍ତି ସ୍ୱରେ

ମଙ୍ଗଳ ସ୍ତୁତି ଉପଚାରେ

।।

ଋଷି ଚାରଣ ସିଦ୍ଧଗଣେ

ଆଗମ ନିଗମ ପ୍ରମାଣେ

।।

ପୁରୁଷୋତ୍ତମ ମୁଖ ଚାହିଁ

ସ୍ତୁତି କରନ୍ତି ଭାବ ବହି

।।

ଭୂମି ଅନ୍ତରୀକ୍ଷ ଗହନ

ମଙ୍ଗଳ ଶୁଣି ତୋଷ ମନ

।।

କରନ୍ତି ଜୟ ଜୟ ବାଣୀ

କୁମ୍ଭୀର ଆତ୍ମା ଜଳେ ଶୁଣି

।।

ତକ୍ଷଣେ ହୋଇଲା ବାହାର

କି ଅବା ଦେବା ପଟାନ୍ତର

।।

ରବି ଶଶାଙ୍କ ଅଗ୍ନି ଖଞ୍ଜେ

ଅଦ୍ଭୁତ ରୂପ ତେଜ ଗଞ୍ଜେ

।।

କୃଷ୍ଣଙ୍କ ଚକ୍ରେ ପ୍ରାଣ ଦେଲା

ତେଣୁ ତା ଶାପ ପାର ହେଲା

।।

ହୁ ହୁ ଗନ୍ଧର୍ବ ତାର ନାମ

ସ୍ୱଭାବେ ରୂପ ତେଜୋ ଧାମ

।।

ଦେଖନ୍ତି ସର୍ବ ଦେବ ଜନେ

ବିଷ୍ଣୁ ଚରଣେ ତୋଷ ମନେ

।।

ଶତ ପ୍ରଣାମ ଦଣ୍ଡବତ

ନମିଲା ହରି ପାଦଗତ

।।

କର ଅଞ୍ଚଳି ଶିରେ ଦେଇ

ଗନ୍ଧର୍ବ ସ୍ୱରେ ଗୀତ ଗାଇ

।।

ଆନନ୍ଦେ ନମିଲା ଚରଣେ

ହରିଙ୍କ ଆଜ୍ଞା ପରମାଣେ

।।

ଦେଖନ୍ତି ସର୍ବ ଦେବତାଏ

ପଶିଲା ଗୋବିନ୍ଦର ଦେହେ

।।

ଗଜ ଯେ ଥିଲା କୃଷ୍ଣ ପାଶେ

ଗୋବିନ୍ଦ ଶରୀର ସ୍ପରଶେ

।।

ତକ୍ଷଣେ ହୋଇ କୃତ୍ୟ କୃତ୍ୟ

ଅଜ୍ଞାନ ବନ୍ଧରୁ ବିମୁକ୍ତ

।।

ବିଷ୍ଣୁର ରୂପ ପରକାଶେ

ରତ୍ନ କୁଣ୍ଡଳ ରବିତ୍ରାସେ

।।

କଟୀରେ ପୀତବସ୍ତ୍ର ଶୋହେ

ହାର କେୟୁର ଜନ ମୋହେ

।।

ସୁନ୍ଦର ଶୋହେ ଚାରିଭୁଜ

ବିଷ୍ଣୁ ଆୟୁଧ ମହାତେଜ

।।

ତକ୍ଷଣେ ନିଜ ରୂପ ହୋଇ

ଗରୁଡ଼ ଉପରେ ଆରୋହି

।।

ଗରୁଡ଼ ଉଡ଼ି ମହାଶୂନ୍ୟେ

ପଶିଲା ବିଷ୍ଣୁର ଭୁବନେ

।।

ଶ୍ରୀ ଶୁକ ଉବାଚ

ସେ ଗଜ ପୂର୍ବ ଜନ୍ମ କଥା

କହିବା ଶୁଣ ତା ବ୍ୟବସ୍ଥା

।।

ଦ୍ରାବିଡ଼େଶ୍ୱର ଗୁଣ ଧାମ

ଇନ୍ଦ୍ରଦ୍ୟୁମନ ତାର ନାମ

।।

ବିଷ୍ଣୁର ବ୍ରତ ପରାୟଣ

ନିବିଡ଼େ ଭଜନ କରିଣ

।।

ସେ ରାଜା ବସି ଏକ ଦିନେ

ବିଷ୍ଣୁ ପୂଜିଲା ଦୃଢ଼ମନେ

।।

ମଉନ ବ୍ରତେ ତପ କରି

ଧ୍ୟାନେ ଚିନ୍ତିଲା ନରହରି

।।

ନିଶ୍ଚଳେ ବସି କୃଷ୍ଣଛାଲେ

ଅନେକ ବିଷ୍ଣୁଭକ୍ତ ମେଳେ

।।

ଜଟା କପାଳ ମୁଣ୍ଡେ ସାଜେ

ନିବିଡ଼ ଧ୍ୱନି ବଳ ତେଜେ

।।

ଏମନ୍ତ ମୁନିଗଣ ମେଳେ

ଅଗସ୍ତି ଋଷି ବିଜେ କଲେ

।।

ତାହାଙ୍କୁ ଦେଖି ନ ଉଠିଲା

ମୁଖେ ସମ୍ଭାଷଣ ନ କଲା

।।

ଏମନ୍ତ ବସି ମୁନିଜନେ

ବେଗେ ଉଠିଲେ କୋପମନେ

।।

ବୋଲନ୍ତି ଏକୁଆରେ ଚାହିଁ

ଦେଖ ଏହାର ଜ୍ଞାନ ନାହିଁ

।।

ଅବଜ୍ଞା କଲା ବିପ୍ରଗଣେ

ଗଜର ପ୍ରାୟ ମୂର୍ଖପଣେ

।।

ବିପ୍ରଙ୍କୁ ସମ୍ମାନ ନକରେ

ରାଜ ସମ୍ପଦ ଗର୍ବଭରେ

।।

ଅନ୍ତେ ପଡ଼ିବ ତମ ଘୋରେ

କେବେହେଁ ଦୁଃଖୁ ନ ନିସ୍ତରେ

।।

ଏ ଧର୍ମ ପ୍ରମାଣେ ପ୍ରସ୍ତାବେ

ଗଜ ଏ ହେଉ ଏହି ଭାବେ

।।

ଗହନ ବନେ ଚିରକାଳେ

ଗ୍ରାହ ଗ୍ରାସିବ ହ୍ରଦଜଳେ

।।

ଏମନ୍ତେ ତାକୁ ଶାପ ଦେଇ

ମୁନିଏ ଗଲେ କୋପବହି

।।

ଏ ରାଜା ପ୍ରାଣ ତ୍ୟାଗକାଳେ

ଗଜ ଦେଖିଲା ବେନି ଡୋଳେ

।।

ସେ ଗଜ ଯୋନି ଜ୍ଞାନ ହରେ

ନିବାସ ଘନ ବନ ଘୋରେ

।।

ତେଣୁ ଗୋବିନ୍ଦ ଭଜୁଥିଲା

ସେ ଭାବେ ହରି ସୁମରିଲା

।।

ଏମନ୍ତ ଗଜ ମୋକ୍ଷ କରି

ନିଜ ଭୁବନେ ଗଲେ ହରି

।।

ଶ୍ରୀ ଶୁକ ଉବାଚ

ଏବେ ହୋ ପରୀକ୍ଷିତ ଶୁଣ

କହିଲି ଗଜେନ୍ଦ୍ର ମୋକ୍ଷଣ

।।

ଏ କଥା ଫଳ ଶୁଣ ଏବେ

ଯେ ନର ଶୁଣେ ଭକ୍ତିଭାବେ

।।

ଯେ ଅବା ପଢ଼ନ୍ତି ବଦନେ

ଯେବା ପୁଚ୍ଛନ୍ତି ଅନ୍ୟୋ ଅନ୍ୟେ

।।

ସର୍ବ ସମ୍ପଦ ଯଶ କରେ

କଳି କଳୁଷ ଦୁଃଖ ହରେ

।।

ଦୁଷ୍ଟ ସ୍ୱପନ ଗ୍ରହ ପୀଡ଼ା

ସ୍ମରଣ ନାଶେ ସର୍ବ ପୀଡ଼ା

।।

ବ୍ରାହ୍ମଣ ଆଦି ଚାରିବର୍ଣ୍ଣେ

ଯେବେ ଚିନ୍ତନ୍ତି ଏହା ମନେ

।।

ରଜନୀ ଅନ୍ତେ ଉଷାକାଳେ

କର ବଦନ ଧୋଇ ଜଳେ

।।

ଗଜେନ୍ଦ୍ର ମୋକ୍ଷ ସେ ଶୁଣନ୍ତି

କି ଅବା ବଦନେ ଗୁଣନ୍ତି

।।

ଦୁଃସ୍ୱପ୍ନ ଗ୍ରହ ପୀଡ଼ା ନାଶେ

ନିର୍ମଳ ସୁଯଶ ପ୍ରକାଶେ

।।

ସକଳ ଦେବ ଋଷି ମଧ୍ୟେ

ଗୋବିନ୍ଦ କହିଲେ ଆନନ୍ଦେ

।।

ଗଜେନ୍ଦ୍ର ମୋକ୍ଷ କରି ହରି

କହନ୍ତି ଜନେ ଦୟାକରି

।।

ଶ୍ରୀ ଶୁକ ଉବାଚ

ଗଜେନ୍ଦ୍ର ଶୁଣ ମୋ ବଚନ

ଅଶେଷ ଦୁରିତ ଦହନ

।।

ଯେ ନର ଅହୋରାତ୍ର ଅନ୍ତେ

ଶୁଚି ନିର୍ମଳ ଶୁଦ୍ଧ ଚିତ୍ତେ

।।

ଯେ ମୋର ସଙ୍ଗେ ତୋତେ ସ୍ମରେ

ଘୋର ଗହନ ଦୁଃଖେ ତରେ

।।

ପର୍ବତ କନ୍ଦର କାନନେ

ବେତ କୀଚକ ବେଣୁ ବନେ

।।

ସୁର ପାଦପ ଗୁଳ୍ମ ଆଦି

ପର୍ବତ ତ୍ରିଶୃଙ୍ଗ ସମ୍ପାଦି

।।

ବ୍ରହ୍ମ ଭବନ ମୋ ନିବାସ

ଶଙ୍କର ସ୍ଥାନ କପିଳାସ

।।

ଅଗମ୍ୟ ବନଭୂମି ବାସ

ତହିଁରେ କଲେ ସେ ବିଳାସ

।।

କ୍ଷୀର ଜଳଧି ପ୍ରାୟ ମୋର

ଯେ ଶ୍ୱେତ ଦ୍ୱୀପ ମନୋହର

।।

ଶ୍ରୀବସ୍ତୁ କଉସ୍ତୁଭ ମଣି

ଚତୁରଭୁଜ ପରିମାଣି

।।

ଶଙ୍ଖ କମଳ ଚକ୍ର ଗଦା

ଚତୁର କରେ ଶୋହେ ସଦା

।।

ବିନତା ନନ୍ଦନ ଅନନ୍ତ

କମଳ ମୋର ହୃଦଗତ

।।

ବ୍ରହ୍ମା ଶଙ୍କର ଯେ ନାରଦ

ଭକତ ମଧ୍ୟେ ପ୍ରହଲ୍ଲାଦ

।।

ମତ୍ସ୍ୟ କଚ୍ଛପକୁଳ ଆଦି

ଯେ ରୂପେ ଅଛି ମୋ ସମ୍ପାଦି

।।

ଅଶେଷ ଗୁଣ କର୍ମ ଯେତେ

ମୋହର ରୂପ ଏ ଜଗତେ

।।

ସୂର୍ଯ୍ୟ ଶଶାଙ୍କ ହୁତାଶନ

ପ୍ରଣବ ସତ୍ୟ ଯେ ବଚନ

।।

ଗୋ ବିପ୍ର ଆଦି ଧର୍ମ ଯେତେ

ଋଷି ଦେବତା ଯଜ୍ଞମତେ

।।

ଦକ୍ଷ ଦୁହିତା ମନୁ ଯେତେ

ପୂର୍ବେ ମୁଁ କହିଅଛି ତୋତେ

।।

ସୋମ କଶ୍ୟପ ବଂଶ ଆଦି

ସୃଷ୍ଟି ସର୍ଜନେ ସେ ପ୍ରସିଦ୍ଧି

।।

ଗଙ୍ଗା କାଳିନ୍ଦୀ ସରସ୍ୱତୀ

ସୀତା ବାରିଣୀ ନନ୍ଦାବତୀ

।।

ଧ୍ରୁବାଦି ସପ୍ତଋଷି ଯେତେ

ଯେ ପୁଣ୍ୟଶ୍ଳୋକ ଏ ଜଗତେ

।।

ଶ୍ରବଣେ ସର୍ବ ପାପ ହରେ

ଏ ଘୋର ସଙ୍କଟୁ ନିସ୍ତରେ

।।

ଶ୍ରୀ ଶୁକ ଉବାଚ

ଏମନ୍ତ କହି ଦେବବୃନ୍ଦେ

ସେ ହରି ପରମ ଆନନ୍ଦେ

।।

ଆରୋହି ଗରୁଡ଼ ଉପରେ

ତକ୍ଷଣେ ଗଲେ ନିଜ ପୁରେ

।।

ସୁଜନ ହିତେ ଭାଗବତ

କହଇ ବିପ୍ର ଜଗନ୍ନାଥ

।।

 

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ବୈୟାସିକ୍ୟାଂ ଅଷ୍ଟମସ୍କନ୍ଧେ ପରୀକ୍ଷିତ ଶୁକ ସମ୍ବାଦେ

ଗଜେନ୍ଦ୍ର ମୋକ୍ଷଣେ ନାମ ଚତୁର୍ଥୋଽଧ୍ୟାୟଃ ।

•••

 

ପଞ୍ଚମ ଅଧ୍ୟାୟ

 

ଶ୍ରୀ ଶୁକ ଉବାଚ

ଶୁକ କହନ୍ତି ଗଙ୍ଗା ଜଳେ

ସକଳ ମହାଋଷି ମେଳେ

।।

ହରି ଚରିତ ସୁଧାଧୀର

ଗଜ କୁମ୍ଭୀରର ନିସ୍ତାର

।।

ସେ ପ୍ରଶ୍ନ କହି ରାଜା ଆଗେ

ପୁଣି କହନ୍ତି ଅନୁରାଗେ

।।

ଶୁଣ ହେ ଅଭିମନ୍ୟୁ ସୁତ

ଅଦ୍ଭୁତ ଗୋବିନ୍ଦ ଚରିତ

।।

ତୋତେ କହିଲୁ ହରି ଗୁଣ

ମନୁ ଚରିତ ଏବେ ଶୁଣ

।।

ପଞ୍ଚମେ ତାମସ ଯେ ହର

ଗୌତ ନାମେ ମୁନିବର

।।

ଅର୍ଜ୍ଜୁନ ବନ୍ଦି ବିଦ୍ୟା ନାମ

ତାର ତନୟ ଅନୁପମ

।।

ଇନ୍ଦ୍ର ବସଇ ସ୍ୱର୍ଗ ଗ୍ରାମେ

ଘେନି ସପତ ଋଷି ଜନେ

।।

ଦେବ ଦାନବ ଭୂତ ଆଦି

ଯେ ଭାବେ ଅମର ପ୍ରସିଦ୍ଧି

।।

ବିକୁଣ୍ଠା ନାମେ ସୁତନାରୀ

ରୂପେ କମଳା ନୋହେ ସରି

।।

ବୈକୁଣ୍ଠ ସୁରଲୋକ ସଙ୍ଗେ

ବିଷ୍ଣୁ ତାହାର ନିଜ ଅଙ୍ଗେ

।।

ଜନ୍ମ ହୋଇଲେ ନିଜ ଧାମ

ତେଣୁ ବୈକୁଣ୍ଠ ତାର ନାମ

।।

ବୈକୁଣ୍ଠ ପରି ମନେ କଳ୍ପି

ଯହିଁ ବିଜୟ ବିଶ୍ୱରୂପୀ

।।

ସେ ସର୍ବଲୋକ ନମସ୍କୃତ୍ୟ

ଶୁଣ ନୃପତି ପରୀକ୍ଷିତ

।।

ଲକ୍ଷ୍ମୀର ପ୍ରସନ୍ନେ ମୁରାରି

କମଳା ତୁଲେ ପ୍ରୀତି କରି

।।

ନିବାସ କଲେ ପ୍ରିୟ ଭାବେ

ବିଷ୍ଣୁ ଭକତଙ୍କର ଲାଭେ

।।

ବୈକୁଣ୍ଠ ଗୁଣ ଭାବ ଯେତେ

ଭାବେ କହିଲି ତୋ ଅଗ୍ରତେ

।।

କେ ବିଷ୍ଣୁଭାବ ପରିମାଣୁ

କେ ଗଣିପାରେ ଭୂମି ରେଣୁ

।।

ଶୁଣ ରାଜନ ମନତୋଷେ

ଏବେ କହିବା ମନୁବଂଶେ

।।

ଷଷ୍ଠରେ ଯକ୍ଷଙ୍କର ସୁତ

ଚିବୁକ ନାମେ ସେ ବିଦିତ

।।

ଶୂଦ୍ର ମୁଖରୁ ଗୁରୁ ତେଜ୍ୟା

ପ୍ରମୁଖେ ଚିବୁକ ତନୁଜା

।।

ଇନ୍ଦ୍ରର ନାମ ସୁରୋତ୍ତମ

ଛାୟାଦି ଦେବଗଣ ନାମ

।।

ସେ ମୁନି ନାମେ ଚକ୍ରଧର

ବେରଛ ନାମେ ଅବତାର

।।

ଅଗ୍ନିତ ନାମେ ଭଗବାନ

ବେରାଜ ଋଷିର ନନ୍ଦନ

।।

ଯେ ରୂପେ ସମୁଦ୍ର ମନ୍ଥିଲେ

ସୁରଗଣଙ୍କୁ ସୁଧା ଦେଲେ

।।

ଜଳେ ବୁଡ଼ନ୍ତେ ଗିରିବର

କୂର୍ମରୂପେ ଧରି ମନ୍ଦର

।।

ଅମୃତ ଦେଲେ ଦେବାସୁରେ

ଆନନ୍ଦ କରି ତିନି ପୁରେ

।।

ରାଜୋବାଚ

ଶୁକ ବଦନ ଚାହିଁ ହସି

ବୋଲେ ପରୀକ୍ଷ କୁରୁବଂଶୀ

।।

ଭୋ ମୁନି ଅସମ୍ଭବ କଥା

ସମୁଦ୍ର ମନ୍ଥନ ବ୍ୟବସ୍ଥା

।।

କି ରୂପେ ପ୍ରଭୁ ଜନାର୍ଦ୍ଦନ

ଜନ୍ମିଲେ ଜଳଧି ମନ୍ଥନ

।।

କେମନ୍ତେ କୂର୍ମ ରୂପ ଧରି

ପୃଷ୍ଠେ ରଖିଲେ ମହାଗିରି

।।

କେମନ୍ତେ ସର୍ବ ଦେବଗଣେ

ସନ୍ତୋଷ ହେଲେ ସୁଧାପାନେ

।।

ଅନ୍ୟ ବା କି କି ଉପୁଜିଲା

କେତେ ବା ସମ୍ଭୂତ ହୋଇଲା

।।

ବିଷ୍ଣୁ ଚରିତ ଅଗୋଚର

ଭ୍ରମନ୍ତି ବ୍ରହ୍ମା ଶିବ ସୁର

।।

ହରି ମହିମା ତୋର ମୁଖେ

ଶ୍ରବଣେ ପାନ କରି ସୁଖେ

।।

ତୃପତ ନୋହିଲା ମୋ ମନ

ଭୋ ମୁନି କର ପରିତ୍ରାଣ

।।

ସୁତ ଉବାଚ

ସୁତ କହନ୍ତି ବ୍ରହ୍ମମତେ

ସକଳ ଋଷିଙ୍କ ଅଗ୍ରତେ

।।

ଏମନ୍ତେ ପରୀକ୍ଷିତ ବାଣୀ

ଶୁକ ଆନନ୍ଦ ମନେ ଗୁଣି

।।

ହରି ମହିମା ସୁଖେ ମଜ୍ଜି

ଦଣ୍ଡେ ରହିଲା ଚକ୍ଷୁ ବୁଜି

।।

ଅନନ୍ତ ଚିତ୍ତେ ହରି ଧ୍ୟାୟି

କହଇ ରାଜା ମୁଖ ଚାହିଁ

।।

ଶ୍ରୀ ଶୁକ ଉବାଚ

ପୂର୍ବେ ଯେ ଦେବାସୁର ରଣେ

ଯୁଦ୍ଧେ ହାରିଲେ ଦେବଗଣେ

।।

ପଡ଼ିଲେ ଗତପ୍ରାଣ ପ୍ରାୟେ

ଜ୍ଞାନ ନ ଲଭନ୍ତି କେବେହେଁ

।।

ଯେବେ ଦୁର୍ବାସା ମୁନି କ୍ରୋଧ

ଧ୍ୱଂସିଲା ଇନ୍ଦ୍ରର ସମ୍ପଦ

।।

ଯଜ୍ଞାଦି କର୍ମ ନାଶ କଲା

ଏ ତିନି ଭୁବନ କମ୍ପିଲା

।।

ଇନ୍ଦ୍ର ନ ପାରେ ସ୍ୱର୍ଗେ ରହି

କମ୍ପଇ ଅଷ୍ଟଦିଗ ଚାହିଁ

।।

ଭୟେ ନ ରହେ ସ୍ୱର୍ଗଲୋକେ

ବନେ ବୁଲନ୍ତି ଏକେ ଏକେ

।।

ତ୍ରୈଲୋକ୍ୟ ଦିଶେ ଅନ୍ଧକାର

ଭୂମି କମ୍ପଇ ଥରହର

।।

ଲକ୍ଷ୍ମୀ ବିହୀନେ ତିନିଲୋକେ

ଦୁଃଖେ ମଜ୍ଜିଲେ ଅତିରେକେ

।।

ଏମନ୍ତେ ଦେବଲୋକେ ଚାହିଁ

ବାସବ ସଙ୍ଗେ ସଙ୍ଗ ହୋଇ

।।

ଦିଗପାଳଙ୍କୁ ସଙ୍ଗ କରି

ଅନେକ ପ୍ରକାରେ ବିଚାରି

।।

ନିସ୍ତାର ନ ପାଇଲେ ଚିନ୍ତି

ଚିତ୍ତେ ଜନ୍ମିଲା ବହୁ ଭ୍ରାନ୍ତି

।।

ଏମନ୍ତେ କେତେଦିନ ରହି

ପୁଣି ସକଳେ ରୁଣ୍ଡ ହୋଇ

।।

ବିଚାର କଲେ ଏକ ଚିତ୍ତେ

କହିବା ବ୍ରହ୍ମାଙ୍କ ଅଗ୍ରତେ

।।

ଇନ୍ଦ୍ର ନ ଥିଲେ ସୃଷ୍ଟି ନାହିଁ

ଆମ୍ଭେ ନ ପାରୁ ସ୍ଥାନେ ରହି

।।

ଲକ୍ଷ୍ମୀ ବିହିନେ ସୃଷ୍ଟି ନାଶ

ସଂସାରେ ତମ ଘୋର ଗ୍ରାସ

।।

ବ୍ରହ୍ମାର ସୃଷ୍ଟି ଯାର ବଳେ

ଶେଷ ନ ରହେ ଆଖଣ୍ଡଳେ

।।

ଏମନ୍ତ ବିଚାରି ସକଳେ

ଶଙ୍କର ସଙ୍ଗେ ଦେବବଳେ

।।

ସୁମେରୁ ମଧ୍ୟେ ବ୍ରହ୍ମା ସଭା

ଯହିଁ ସକଳ ଋଷି ଦେବା

।।

ସେ ସଭା ମଧ୍ୟେ ଦେବଗଣ

ପଡ଼ିଲେ ବ୍ରହ୍ମାଙ୍କ ଚରଣ

।।

ରୁଦ୍ରଙ୍କୁ କରି ଆଗୁଁସାର

ବୋଇଲେ ଶୁଣ ବେଦବର

।।

ଦୁର୍ବାସା କୋପେ ଇନ୍ଦ୍ର ଦୁଃଖୀ

ଆମ୍ଭେ ସକଳେ ତାହା ଦେଖି

।।

ତ୍ରୈଲୋକ୍ୟ ଲକ୍ଷ୍ମୀ କେଣେ ଗଲା

ଦୁଃଖ ତିମିର ପ୍ରକାଶିଲା

।।

ରବି ଶଶାଙ୍କ ହୁତାଶନେ

ତେଜ ନ ଦିଶେ ଲକ୍ଷ୍ମୀହୀନେ

।।

ସ୍ୱର୍ଗରେ ରହିଲେ ନିଶ୍ଚଳେ

ତ୍ରୈଲୋକ୍ୟ ଲକ୍ଷ୍ମୀ ଇନ୍ଦ୍ରମେଳେ

।।

ଆମ୍ଭେ ତ ହୋଇଲୁ ଅନାଥ

ଋଷି ସକଳ ହେବେ ସନ୍ଥ

।।

ଏମନ୍ତେ ଋଷିଙ୍କ ବଚନେ

ଶୁଣିଣ ପଦ୍ମଯୋନି ମନେ

।।

ଦଣ୍ଡେ ରହିଲା ସ୍ଥିର ହୋଇ

ଦେବଙ୍କୁ ଚାହିଁ ବିରାଜଇ

।।

ଯେତେ ଅଛନ୍ତି ପ୍ରଜାମାନେ

ତେଜ ନ ଦେଖି ପ୍ରଜାଜନେ

।।

ଅଶୁଭ ପ୍ରାୟେ ତା ଦିଶଇ

ଏମନ୍ତ ଦୁଃଖ ମନେ ବହି

।।

ପୁରୁଷୋତ୍ତମ ପାଦ ମୂଳେ

ଚିନ୍ତିଲେ ସମାଧି ନିଶ୍ଚଳେ

।।

ପ୍ରସନ୍ନ ବଦନ ସେ ହୋଇ

ବୋଲନ୍ତି ଦେବଙ୍କୁ ଅନାଇ

।।

ବ୍ରହ୍ମୋବାଚ

ଉଜ୍ଜ୍ୱଳ ବେଶେ ବେଦବର

ଦେବଙ୍କୁ କହନ୍ତି ମଧୁର

।।

ଶୁଣ ସକଳ ଦେବଗଣ

କହିବି ଏହାର କାରଣ

।।

ବ୍ରହ୍ମା ଶଙ୍କର ଦେବଗଣ

ଚାରଣ ସିଦ୍ଧି ବିଚାରଣ

।।

ବ୍ରହ୍ମାଦି ଦେବ ସୁରଗଣେ

ମନୁଷ୍ୟ ପଶୁ ଗୁଳ୍ମ ବନେ

।।

ତାହାର ଅଂଶ କଳା ରହି

ତୁମ୍ଭେ ସକଳେ ଦେବତ୍ରୋହି

।।

ସେ ହର ଅବ୍ୟକ୍ତ ଈଶ୍ୱର

ଆମ୍ଭେ ଯେ ଶରଣ ତାହାର

।।

ଯାହାର ରିପୁ ମିତ୍ର ନାହିଁ

କ୍ଷର ଅକ୍ଷର ଯେ ବୋଲାଇ

।।

ତଥାପି ସୃଷ୍ଟି ସେ କରଇ

ସ୍ୱଭାବେ ତିନିଗୁଣ ବହି

।।

ସୃଷ୍ଟି କରଇ ରଜୋଗୁଣେ

ସତ୍ୟେ ପାଳଇ ଇନ୍ଦ୍ରପଣେ

।।

ତାମସ ଗୁଣେ ସଂହାରଇ

ଅନ୍ତରେ ସର୍ବ ରୂପ ହୋଇ

।।

ତୁମ୍ଭେ ସକଳ ଦେହ ବହି

ବିରାଜ ରୂପେ ଯେ ଗୋସାଇଁ

।।

ଏଣୁ ଜଗତ ଗୁରୁପାଦେ

ଶରଣ ପଶ ଅପ୍ରମାଦେ

।।

ତାର ମହିମା ଶୁଣ ପ୍ରିୟ

ସୁର ରକ୍ଷଣେ ବହେ ଦେହ

।।

ଆମ୍ଭ କୁଶଳ ସେ କରିବ

ଅନାଦି ପ୍ରଭୁ ପଦ୍ମନାଭ

।।

ଶ୍ରୀ ଶୁକ ଉବାଚ

ଏମନ୍ତ କହି ପଦ୍ମଯୋନି

ସଙ୍ଗେ ସକଳ ଦେବ ଘେନି

।।

ଆନନ୍ଦେ କରି ଜୟନାଦ

ସର୍ବେ ମିଳିଲେ ବିଷ୍ଣୁପାଦ

।।

ଯେ ବଇକୁଣ୍ଠ ଯୋଗ ଗମ୍ୟ

ପରମପୁର ଆତ୍ମା ଧାମ

।।

ପ୍ରକୃତି ନ ଜାଣଇ ଯାହା

ଯହିଁ ନ ପଶେ ବିଷ୍ଣୁ ମାୟା

।।

ଅଦୃଷ୍ଟ ଅଶ୍ରିତ ଭୁବନେ

ଦେବେ ମିଳିଲେ ମହାଶୂନ୍ୟେ

।।

ଯହିଁକି ଜୀବ ଆତ୍ମ ଗଲେ

ପୁଣି ନ ପଶଇ ଶୟଳେ

।।

ଏମନ୍ତ ପୁରକୁ ଅନାଇଁ

ବୈକୁଣ୍ଠ ପୁର ମଧ୍ୟେ ଯାଇ

।।

ବ୍ରହ୍ମୋବାଚ

ସତ୍ୟ ଅନନ୍ତ ଅବିକ୍ରିୟ

ଆଦ୍ୟନ୍ତବନ୍ତ ଗୁଣମୟ

।।

ଜନ୍ତୁଙ୍କ ହୃଦେ ଯାର ଘର

ଉପାଧିହୀନ ନିର୍ବିକାର

।।

ମନରୁ ବେଗବାନ ଯେହି

ମନ ବଚନେ ଭେଦ ନାହିଁ

।।

ଶରଣ ବେଦବର ପାଦେ

ଆମ୍ଭେ ପଶିଲୁ ଅପ୍ରମାଦେ

।।

ସ୍ୱଭାବେ ମନ ପ୍ରାଣ ବୁଦ୍ଧି

ଏ ଯହିଁ ନ ପାରନ୍ତି ଭେଦି

।।

ଇନ୍ଦ୍ରିୟଗଣେ ଯେ ଅଦୃଶ୍ୟେ

ଉନ୍ନିଦ୍ର ଭାବେ ଅବକାଶେ

।।

ଛାୟା ଆତପେ ଯେ ନ ମିଶେ

ଅକ୍ଷୟ ଶୂନ୍ୟ ପରକାଶେ

।।

କ୍ରୟ ପରମ ଯେ ବୋଲାଇ

ଆମ୍ଭେ ଶରଣ ଗଲୁ ତହିଁ

।।

ଯେ କାଳ ରୂପେ ଚକ୍ର ଧରେ

ସର୍ବଦା ମଣ୍ଡଳେ ସଞ୍ଚରେ

।।

ଯେ ଚକ୍ର ପଞ୍ଚଦଶ ଭାର

ତ୍ରିନାଭି ସ୍ୱରୂପେ ଓଁ କାର

।।

ଅକ୍ଷୟ ଆତ୍ମା ଯା ସ୍ୱରୂପୀ

ଏ ଆଦି ଅନ୍ତ ମଧ୍ୟେ ବ୍ୟାପୀ

।।

ସେ ଶେଷକାଳର ଚରଣେ

ଆମ୍ଭେ ହେ ପଶିଲୁ ଶରଣେ

।।

ଯାହାର ଜ୍ୟୋତି ପରକାଶ

ନିର୍ମଳ କରେ ଦଶଦିଶ

।।

ଯେ ଯୋଗୀ ଯୋଗପଥେ ଥାଇ

କାଳ ହରନ୍ତି ଯୋଗ ଧ୍ୟାୟି

।।

ଯହିଁ ନ ଲାଗେ ମାୟା ଭ୍ରମ

ରୂପେ ସ୍ୱଭାବେ ଶୁଭକର୍ମ

।।

ଏ ମାୟା ଜଗତେ ସଞ୍ଚରେ

ଅନନ୍ତ ନାନା ରୂପ ଧରେ

।।

ନିର୍ମଳ ଆତ୍ମା ତତ୍ତ୍ୱଜ୍ଞାନ

ପରମ ପୁରୁଷ ପୁରାଣ

।।

ଜନ୍ତୁଙ୍କ ଦେହେ ସମରୂପୀ

ଯେ ଆଦି ଅନ୍ତ ମଧ୍ୟେ ବ୍ୟାପି

।।

ତାର ଚରଣେ ନମସ୍କାର

ଯେ ବ୍ରହ୍ମ ପରମ ଈଶ୍ୱର

।।

ଯେ ଦେବ ବ୍ରହ୍ମଗଣ ଆଦି

ଯା କ୍ରୀଡ଼ା ଅର୍ଥେ ଏ ସମ୍ପାଦ

।।

ସତ୍ୱ ବିଯୋଗେ ସୃଷ୍ଟି କରି

ତହୁଁ ଯୁଗଳ ରୂପ ଧରି

।।

ଦିଶଇ ଅନ୍ତର ବାହାରେ

ପ୍ରଦୀପ ଯେହ୍ନେ ଗୃହାନ୍ତରେ

।।

ଯାହାର ସୂକ୍ଷ୍ମଗତି ଆମ୍ଭେ

ଜାଣି ନ ପାରୁ ଜ୍ଞାନ ଦମ୍ଭେ

।।

ସଂସାର ମଧ୍ୟେ ଛନ୍ତି ଯେତେ

ସେ ଅବା ଜାଣିବେ କେମନ୍ତେ

।।

ଏ ମହୀ ଯାର ବେନି ପାଦ

ସ୍ୱକୃତେ ଦେବ ଚାରି ପାଦ

।।

ଏ କର୍ମ ଗହନେ ସଞ୍ଚରି

ଶରୀର ବହେ ନରହରି

।।

ମହାପୁରୁଷ ଆତ୍ମତତ୍ତ୍ୱ

ମହାବିଭୂତି ବ୍ରହ୍ମମତ

।।

ପ୍ରସନ୍ନ ହେଉ ଯେ ଆମ୍ଭଙ୍କୁ

ଶରଣ ପଶିଲୁ ତାହାଙ୍କୁ

।।

ଜଳ ଯାହାର ବୀର୍ଯ୍ୟ ହୋଇ

ସ୍ୱଭାବେ ନିଜ ତେଜ ବହି

।।

ଭୂତ ସଞ୍ଚରେ ଜୀବ ରୂପେ

ହରଷ ବୁଦ୍ଧି ଅନୁତାପେ

।।

ମଧ୍ୟ ତ୍ରିଭୁବନେ ଅଖିଳ

ଜୀବନେ ବ୍ୟାପି ରହେ ଜଳ

।।

ଅନାଦି ଭ୍ରମି ବ୍ରହ୍ମ ଯେହୁ

ଆତ୍ମାଦି ସର୍ବେ ଦୟା ବହୁ

।।

ସମ ଯାହାର ମନୁ ହୋଏ

ଦେବଙ୍କ ଆତ୍ମା ଯେବା ବହେ

।।

ସ୍ଥାବରଙ୍କର ହେ ଈଶ୍ୱର

ପ୍ରଜାଙ୍କ ପ୍ରଭା ବୃଦ୍ଧି କର

।।

ମହା ବିଭୂତି ବ୍ରହ୍ମରୂପ

ସେ ହରି କଳ୍ପ ଆମ୍ଭ ତପ

।।

ଯାହାର ମୁଖୁ ଅଗ୍ନି ଜାତ

ତେଜେ ତାପଇ ଏ ଜଗତ

।।

କର୍ମକାଣ୍ଡ ସମୀର ଜନ୍ମ

ସେ ସର୍ବ ସାଧେ ସର୍ବ କର୍ମ

।।

ଅନ୍ତଃ ସମୁଦ୍ରେ ବହ୍ନି ଦହି

ଆହାର ରୂପେ ଯେ ଭୁଞ୍ଜଇ

।।

ଯାହାର ଚକ୍ଷୁ ପରଚଣ୍ଡ

ତେଜେ ପ୍ରକାଶଇ ବ୍ରହ୍ମାଣ୍ଡ

।।

ସେ ଦେବଜନ ମାୟାମୟ

ବ୍ରହ୍ମାର ଶୁଦ୍ଧ ଶୂନ୍ୟ ଦେହ

।।

ମୁନିର ନାମ ଯେ ବୋଲାଇ

ଅମୃତ ମୃତ ରପ ବହି

।।

ଚରାଚରଙ୍କ ଦେହ ପ୍ରାଣ

ସେ କରେ ଜୀବ ପରିତ୍ରାଣ

।।

ପ୍ରକାଶେ ସେହୁ ରଜୋବଳେ

ଯାର ବିହାର ଏ ଶୟଳେ

।।

ଯାର ଶ୍ରବଣ ଦଶଦିଶ

ହୃଦରେ ପ୍ରକାଶେ ଆକାଶ

।।

ଯାହାର ନାଭି ଅନ୍ତରୀକ୍ଷ

ମସ୍ତକ ସ୍ୱର୍ଗ ଯା ପ୍ରତ୍ୟକ୍ଷ

।।

ପ୍ରାଣ ଇନ୍ଦ୍ରିୟ ଆତ୍ମା ହେତୁ

ଯାର ପ୍ରସନ୍ନେ ଜ୍ଞାନ ହେତୁ

।।

ଯାହାର ବଳୁ ଇନ୍ଦ୍ର ଜାତ

ତ୍ରିଦଶ ଯାହାର ରକ୍ଷିତ

।।

ଯାହର ପାଶେ ଜନ ପ୍ରାଣ

ଏଣୁ ଏ ସର୍ବଭୂତ ପ୍ରାଣ

।।

ଯାର ପ୍ରସାଦେ ଦେବେ ହୋନ୍ତି

କ୍ରୋଧୁ ସମ୍ଭବ ପଶୁପତି

।।

ହରଷୁଁ ବ୍ରହ୍ମା ଜାତ ହୁଏ

ଲୋକ ପ୍ରକାଶ ଯାର ଦେହେ

।।

ଯାହା ଇନ୍ଦ୍ରିୟ ସପ୍ତଛନ୍ଦ

ମେଢ଼ ପ୍ରଜାପତି ଆନନ୍ଦ

।।

କମଳ ଯାର ପାଦତଳେ

ଛାୟା ସମ୍ଭବ ସୀତା କୁଳେ

।।

ଧର୍ମ ଉଦିତ ସ୍ଥାନ ଯୁଗେ

ଗଗନ ଯାର ଶିରଭାଗେ

।।

ହାସରୁ ଅପସରାଗଣ

ଆମ୍ଭଙ୍କୁ କରୁ ପରିତ୍ରାଣ

।।

ବିପ୍ର ଯାହାର ମୁଖୁ ଜାତ

ବ୍ରହ୍ମା ନିର୍ମାଣ ଗୁହ୍ୟତତ୍ତ୍ୱ

।।

କ୍ଷତ୍ରିୟ ଯାର ଭୁଜବଳ

ଉରୁ ସମ୍ଭବ ବୈଶ୍ୟକୁଳ

।।

ଶୁଦ୍ର ଚରଣୁ ଉତପତ୍ତି

ଯେ ବ୍ରହ୍ମା ପରମ ବିଭୂତି

।।

ଉପର ଓଷ୍ଠୁ ପ୍ରୀତି ଜାତ

ଅଧରୁ ଲୋଭ ଯେ ସମ୍ଭୂତ

।।

କାନ୍ତି ଯାହାର ନାସିକାରୁ

ସମ୍ଭବ ହୁଅଇ ସ୍ପର୍ଶରୁ

।।

ପାଶବ୍ୟ କାମରୁ ସମ୍ଭବ

ଯମ ଜାତ ଯାହାର ଭ୍ରୁବ

।।

ଅଧର୍ମ ବଶେ ପୃଷ୍ଠଦେଶେ

ବେନି ପକ୍ଷରେ କାଳ ବସେ

।।

ଦ୍ରବ୍ୟ ବୟସ କର୍ମ ପୁଣ

ଯେ ମାୟା ପ୍ରକାଶ ଲକ୍ଷଣ

।।

ଯେହୁ ପ୍ରଶାନ୍ତ ଶକ୍ତି ବହେ

ଆମ୍ଭେ ମିଳିଲୁ ତାର ପ୍ରାୟେ

।।

ସତ୍ୟରେ ଯେ ପ୍ରତିପୂଜିତ

ମାୟା ରଚିତ ଗୁଣେ ସ୍ଥିତ

।।

ସେ ହରି ଦେଖାଉ ଶରୀର

ଯେ ନୋହେ କରଣେ ଗୋଚର

।।

ତା ଦେହ ରଖିବାର ଅର୍ଥେ

ଶରଣ ଗଲୁ ପାଦଗତେ

।।

ବୋଲଇ ବିପ୍ର ଜଗନ୍ନାଥ

ଭାଷା ପ୍ରବନ୍ଧେ ଭାଗବତ

।।

ସୁଜନେ ଏଣେ କର ଭାବ

ଯେ ଭାବେ ସଂସାରୁ ତରିବ

।।

 

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ବୈୟାସିକ୍ୟାଂ ଅଷ୍ଟମସ୍କନ୍ଧେ ସମୁଦ୍ର ମନ୍ଥନ ସମ୍ବାଦେ

ନାମ ପଞ୍ଚମୋଽଧ୍ୟାୟଃ ।

•••

 

Unknown

ଷଷ୍ଠ ଅଧ୍ୟାୟ

 

ଶ୍ରୀ ଶୁକ ଉବାଚ

ଏମନ୍ତେ ଦେବ ସ୍ତୁତି ଶୁଣି

ଶୂନ୍ୟେ ପ୍ରକାଶ ଚକ୍ରପାଣି

।।

ସମସ୍ତେ ହରି ତେଜ ଦେଖି

ଦେବେ ବୁଜିଲେ ଭୟେ ଆଖି

।।

ଦିନ ନ ପାରନ୍ତି ବିଚାରି

ବୁଦ୍ଧିର ମତେ ପ୍ରାଣ ଧରି

।।

ରହିଲେ ଅନ୍ଧକାରାଚ୍ଛନ୍ନେ

ଚାହିଁ ନ ପାରନ୍ତି ଗଗନେ

।।

ମଧ୍ୟେ ଯେ ବ୍ରହ୍ମା ରୁଦ୍ର ଥିଲେ

ଟେକି ଅନ୍ତରୀକ୍ଷେ ଚାହିଁଲେ

।।

ଦେଖିଲେ ବିଷ୍ଣୁର ପ୍ରକାଶ

ଶରୀରେ ପୂରିଛି ଆକାଶ

।।

ନୀଳ ମହୀନ୍ଦ୍ର ପ୍ରାୟେ ଦିଶେ

ଅରୁଣ ଲୋଚନ ପ୍ରକାଶେ

।।

ବିକଚ ପୁଣ୍ଡରୀକ ପ୍ରାୟେ

କର୍ଣ୍ଣେ କୁଣ୍ଡଳ ବେନି ଶୋହେ

।।

ତପ୍ତ କାଞ୍ଚନ ପ୍ରାୟେ ବର୍ଣ୍ଣ

ପୀତ ବସନ ପରିଧାନ

।।

ପ୍ରସନ୍ନ ଚାରୁ ସର୍ବ ଅଙ୍ଗ

ସୁମୁଖ ସୁନ୍ଦର ସୁରଙ୍ଗ

।।

ଅମୂଲ୍ୟ ମୁକୁଟ ଲଲାଟେ

କାଞ୍ଚନ ଭୂଷଣ ପ୍ରକଟେ

।।

ମର୍କତ ସ୍ତମ୍ଭ ଦୀର୍ଘ ଭୁଜେ

ବଳୟ କଙ୍କଣ ବିରାଜେ

।।

କାଞ୍ଚି କଳାପ ବଳୟରେ

ଶୋଭିତ ହାର ନୂପୁରରେ

।।

କୌସ୍ତୁଭ ମଣି କଣ୍ଠେ ଶୋହେ

ତେଜ ପ୍ରକାଶେ ଜନମୋହେ

।।

କମଳ ବନମାଳା ରୂପେ

ଊରେ ଲମ୍ବଇ ସୂକ୍ଷ୍ମ ରୂପେ

।।

ଏମନ୍ତ ରୂପେ ଶୂନ୍ୟେ ଚିନ୍ତି

ଶିବ ସହିତେ ବେଦପତି

।।

ଧ୍ୟାନେ ଗୋବିନ୍ଦ ପାଦେ ପଡ଼ି

ସ୍ତୁତି କରନ୍ତି କର ଯୋଡ଼ି

।।

ବ୍ରହ୍ମୋବାଚ

ଅଜାତ ପୁରୁଷ ସ୍ୱଭାବେ

ସୃଷ୍ଟି ସ୍ଥିତି ପାଳନ ଲୋଭେ

।।

ଗୁଣ ବିସ୍ତାର ତୁମ୍ଭେ କର

ମହିମା ଅମୃତ ସାଗର

।।

ଅଣୁ ହିଁ ଅଣୁଭାବ ହୋଇ

ସ୍ୱମାୟା ସୁଖେ ଯେ ଭଜଇ

।।

ମହାନୁଭାବେ ଏ ଜଗତେ

ମହାପୁରୁଷ ନମୋସ୍ତୁତେ

।।

ତୁ ନାଥ ସଂସାର ଧାରଣ

ଏଣୁ ଅଶେଷ ରୂପ ଗୁଣ

।।

ଆଗମ ନିଗମ ସମ୍ପାଦି

ବିଚାର ସାଂଖ୍ୟଯୋଗ ବିଧି

।।

ବେଦ ବିହିତ ରବିତଳେ

ମନ ବଚନର ନିଶ୍ଚଳେ

।।

ତୋହର ରୂପ ଧ୍ୟାନ କରି

ମାୟାଗହନ ଯାନ୍ତି ତରି

।।

ତୁ ନାଥ ଆଦି ଅନ୍ତ ମଧ୍ୟେ

ଯେବା କରାଉ ଆତ୍ମା ତନ୍ତ୍ରେ

।।

ଜଗତ ଆଦି ମଧ୍ୟ ତୁହି

ତୋ ରୂପ ପାରିବ କେ କହି

।।

ମୃତ୍ତିକା ଘଟ ପ୍ରାୟ ହୋଇ

ତୋ ରୂପ ବିଶ୍ୱେ ପ୍ରକାଶଇ

।।

ଆତ୍ମା ଆଶ୍ରୟ ମାୟା କରି

ତୁ ଏ ସଂସାରେ ରୂପ ଧରି

।।

ସଂସାରେ ପଶୁ ଆତ୍ମା ରୂପେ

ସୁଖେ ବିହରୁ କଳ୍ପେ କଳ୍ପେ

।।

ନିର୍ମଳ ଚେତା ମୁନିଗଣେ

ତୋତେ ଦେଖନ୍ତି ଶୁଦ୍ଧ ମନେ

।।

ଯଥା ଅନଳ କାଷ୍ଠେ ଥାଏ

ତେହ୍ନେ ଅମୃତ ଗୁରୁଦେହେ

।।

ଧରିଣ ଦେହେ ଯେହ୍ନେ ଅନ୍ନ

ସଂଯୋଗ କୃଷି କରଷଣ

।।

ମନୁଷ୍ୟ ନାନା ଯୋଗବଳେ

ଭଜନ୍ତି ତୋ ପାଦ କମଳେ

।।

ନମିଣ ତୋ ଚରଣ ତଳେ

ଭବସାଗରୁ ତରିଗଲେ

।।

ସର୍ବେ ନମନ୍ତି ତୋ ଚରଣେ

ତୁ ସ୍ଥିର ସଂସାର ଧାରଣେ

।।

ବାଞ୍ଚିତ ଅର୍ଥ ଫଳ ପାନ୍ତି

ନାନା ପ୍ରକାରେ ତୋତେ ଚିନ୍ତି

।।

ଆତ୍ମା ତୋହର ରୂପ ଦେଖି

ସଂସାର ଦେଖି ହୋନ୍ତି ସୁଖୀ

।।

ଯେସନେ ଅଶ୍ରୁବାନ ବଳେ

ପ୍ରବେଶ କରେ ଗଙ୍ଗା ଜଳେ

।।

ତୋ ଅନୁଗ୍ରହ ବିନୁ ଅଙ୍ଗେ

ଅନଳେ ଯେସନେ ସ୍ଫୁଲିଙ୍ଗେ

।।

କିବା କହିବି ତୋ ଅଗ୍ରତେ

ଆମ୍ଭଙ୍କୁ ରଖ ଏ ଜଗତେ

।।

ଆମ୍ଭେ ସକଳ ଲୋକପାଳେ

ଶରଣ ତୋ ପାଦ କମଳେ

।।

ଏ ଦେହ ଅନ୍ତର ବାହାରେ

ତୋ ତହୁଁ କେବା ଅଛି ପରେ

।।

ଯେ ଅନୁଗ୍ରହେ ବହେ ଅଙ୍ଗ

ଅନଳେ ଯେସନେ ପତଙ୍ଗ

।।

କିସ କହିବୁ ତୋ ଅଗ୍ରତେ

ଆମ୍ଭଙ୍କୁ ରଖ ଏ ଜଗତେ

।।

ଶ୍ରୀ ଶୁକ ଉବାଚ

ଏମନ୍ତ ବ୍ରହ୍ମା ବାକ୍ୟ ଶୁଣି

ସଂସାର ହିତ ମନେ ଗୁଣି

।।

ପରମ ସୁଖେ ତନୁ ପୂରି

ବ୍ରହ୍ମାଙ୍କୁ କହନ୍ତି ମୁରାରି

।।

ଶ୍ରୀ ଭଗବାନୁବାଚ

ଜଳଧି ମନ୍ଥନ ପ୍ରସ୍ତାବେ

ଆତ୍ମା ପ୍ରକାଶ ଅନୁଭବେ

।।

ପ୍ରସନ୍ନ ଚିତ୍ତେ ଭାବଗ୍ରାହୀ

କହନ୍ତି ବ୍ରହ୍ମା ମୁଖ ଚାହିଁ

।।

ଶୁଣ ହୋ ବ୍ରହ୍ମା ଶିବ ଦେବେ

ଯେବା କହିବା ତୁମ୍ଭଠାବେ

।।

ତୁମ୍ଭର ଶ୍ରେଷ୍ଠ ଯେଉଁମତେ

କହିବା ଶୁଣ ଏକ ଚିତ୍ତେ

।।

ଅସୁରଙ୍କର ସଙ୍ଗେ ଯାଇ

ସର୍ବେ ବିଶ୍ୱାସ ରୂପ ବହି

।।

ନାନା ପ୍ରକାରେ ସନ୍ଧି କର

ପ୍ରଲୋଭେ ତାଙ୍କ ମନ ହର

।।

ଯାବତ ସିଦ୍ଧି ନୋହେ କାର୍ଯ୍ୟ

ତାବତ ମିତ୍ର ଭାବେ ଭଜ

।।

ଆପଣା କାର୍ଯ୍ୟ ସିଦ୍ଧି ଅର୍ଥେ

ଶତ୍ରୁଙ୍କୁ ଭଜନ୍ତି ସମସ୍ତେ

।।

କାର୍ଯ୍ୟ ସରିଲେ ନିଜ ଭାବେ

ସର୍ବେ ରହନ୍ତି ଆତ୍ମା ଲୋଭେ

।।

ଅହିଂସା କରି କାର୍ଯ୍ୟ ସିଦ୍ଧି

ଯେମନ୍ତେ ଆତ୍ମା କାର୍ଯ୍ୟ ସିଦ୍ଧି

।।

ଅମୃତ ଅର୍ଥେ ରତ୍ନାକର

ଯେ ପାନେ ହୋଇବ ଅମର

।।

ପୁଣି କହିବା ଉପଦେଶ

ବେଗେ ଗହନ ବନେ ପଶ

।।

ବୃକ୍ଷ ଔଷଧି ଗୁଳ୍ମ ଯେତେ

ବନସ୍ତୁ ଆଣ ଅପ୍ରମିତେ

।।

ପାଷାଣେ ଛେଚି ତାକୁ ବଳେ

ନିକ୍ଷେପ କ୍ଷୀରସିନ୍ଧୁ ଜଳେ

।।

ସେ ଅମ୍ଳଯୋଗେ ବସୁଦଧି

ତେଣୁ ଲଭିବ କାର୍ଯ୍ୟ ସିଦ୍ଧି

।।

ଏ ଯେ ମନ୍ଦର ମହୀଧର

ମନ୍ଥନ ଦଣ୍ଡ ୟାକୁ କର

।।

ବାସୁକୀ ନାଗ ରଜ୍ଜୁ କରି

ମନ୍ଥିବ ଦେବାସୁର ଧରି

।।

ମୋହର ଆତ୍ମା ସହ ଜଳେ

ମନ୍ଥନ କରି ବାହୁବଳେ

।।

ତୁମ୍ଭେ ସେ ଅମୃତ ଖାଇବ

ନିରାଶ ହୋଇବେ ଦାନବ

।।

ଇନ୍ଦ୍ର ଲଭିବ ସର୍ବ ସିଦ୍ଧି

ସର୍ବ ସମ୍ପାଦିବ ଜଳଧି

।।

ଶାନ୍ତି ବଚନେ କାର୍ଯ୍ୟ ପାଇ

ଆଗମ ଶାସ୍ତ୍ରେ ଏହା କହି

।।

ପ୍ରଥମେ ବାସୁକୀ ବଦନେ

ଗରଳ ଛାଡ଼ିବ ମନ୍ଥନେ

।।

ତହିଁକି ନ କରିବ ଭୟ

ମୁଁ ପୁଣି କରିବି ଉପାୟ

।।

ପ୍ରାଣୀ ଯେ ଲୋଭବଶେ ମୋତେ

ବସ୍ତୁ ଆବୋରନ୍ତି ଜଗତେ

।।

ଶ୍ରୀ ଶୁକ ଉବାଚ

ଏମନ୍ତେ ଦେବଗଣେ କହି

ତକ୍ଷଣେ ଗରୁଡ଼ ଆରୋହି

।।

ନିଜ ଭବନେ ହରି ଗଲେ

ଭକତ ପାରିଷଦ ତୁଲେ

।।

ରୁଦ୍ର ବ୍ରହ୍ମାଦି ଦେବଗଣେ

ନମିଲେ ବିଷ୍ଣୁର ଚରଣେ

।।

ସକଳେ ହୋଇ ଏକମତ

ବଳି ଭୁବନେ ଉପଗତ

।।

ଦ୍ୱାରେ ଅସୁର ଯେତେ ଥିଲେ

ଦେବଗଣଙ୍କୁ ନିରୋଧିଲେ

।।

ଦେବ ନିରୋଧ କଥା ଶୁଣି

ଅସୁରଙ୍କର ଚୂଡ଼ାମଣି

।।

ସନ୍ଧି ବିଗ୍ରହ ସେ ଜାଣଇ

ବୋଲଇ ନିଜ ଗଣ ଚାହିଁ

।।

ଦେବଙ୍କୁ ଛାଡ଼ି ତୁମ୍ଭେ ଦ୍ୱାର

କି ଅବା କରିବେ ବିଚାର

।।

ଏମନ୍ତେ ବଳି ଆଜ୍ଞା ପାଇ

ଦ୍ୱାର ଛାଡ଼ିଲେ ଭାବ ବହି

।।

ବଳି ନିକଟେ ଦେବେ ଯାଇ

ଜୟ ଶବଦ ଉଚ୍ଚେ ଗାଇ

।।

ବଳିକି ଦେଖିଲେ ଆସନେ

ବେଷ୍ଟିତ ଅସୁର ଗହଣେ

।।

ସର୍ବ ସମ୍ପଦ ଯାର ଘରେ

କିବା ଉପମା ଦେବା ତୀରେ

।।

ନିଜ ଶରୀର ତେଜ ପୁଞ୍ଜେ

ଦିଗପାଳଙ୍କ ତେଜ ଗଞ୍ଜେ

।।

ଇନ୍ଦ୍ର ଯେ ବଳି ମୁଖ ଚାହିଁ

ବିଶ୍ୱାସେ ବଚନ ପୁଚ୍ଛଇ

।।

ଶୁଣ ରାଜନ କହୁ ତୋତେ

ଏ ତିନି ଲୋକେ ଶୁଭ ଅର୍ଥେ

।।

ଦୁର୍ବାସା ଶାପ ମହାଘୋର

ସମ୍ପଦ ନାଶିଲା ମୋହର

।।

ସୋମ ସବିତା ତେଜ ଗଲା

ସ୍ୱାହା ସୁଧା ହିଁ ନ ଚଳିଲା

।।

କମ୍ପଇ ଏ ତିନି ଭୁବନ

ସର୍ବେ ହୋଇଲେ ଦୁଃଖେଚ୍ଛନ୍ନ

।।

ଏଣୁ ବିଷ୍ଣୁ ଭୁବନେ ଯାଇ

କହିଲୁ ବ୍ରହ୍ମା ରୁଦ୍ର ରାଇ

।।

ସେ ପୁରୁଷୋତ୍ତମ ବଚନ

ଶୁଣ ରାଜନ ସାବଧାନ

।।

ବୋଇଲେ ଏ କ୍ଷୀର ଜଳଧି

ଅମ୍ଳ ସଂଯୋଗେ କର ଦଧି

।।

ମନ୍ଦର ଗିରିକୁ ଆଣିବ

ସମୁଦ୍ର ମଧ୍ୟରେ ସ୍ଥାପିବ

।।

ବାସୁକୀ ନାଗ ରଜ୍ଜୁ କରି

ଦେବ ଅସୁରେ ତାହା ଧରି

।।

ମନ୍ଥନ କରିବେ ଯତନେ

ଉଭୟ ପ୍ରୀତି ତୋଷମନେ

।।

ଯେତେ ଉପୁଜିବ ମନ୍ଥନେ

ସକଳେ ମିଳି ତୋଷମନେ

।।

ସମାନ ଭାଗେ ଭାଗ କର

ସନ୍ତୋଷ ମନେ ଦେବାସୁର

।।

ସଂସାର ଏବେ ହେଉ ରକ୍ଷା

ଏମନ୍ତ ବିଷ୍ଣୁ ଦେଲେ ଦୀକ୍ଷା

।।

ଏଣୁ ସୁଗୁଣ ତୁମ୍ଭେ ଆମ୍ଭେ

ଜଳଧି ମନ୍ଥନ ଆରମ୍ଭେ

।।

ତୁମ୍ଭ ଆମ୍ଭର ଏକ ଗତି

ଯାହା ବୋଇଲେ ଶିରୀପତି

।।

ଏମନ୍ତ ଇନ୍ଦ୍ର ମୁଖୁ ଶୁଣି

ଅସୁର ମନେ ମନେ ଗୁଣି

।।

ବୋଇଲେ ଶୁଭ କଥା ଏହି

ବିଷ୍ଣୁ ମାୟାରେ ମନ ମୋହି

।।

ବଳି ସହିତେ ଉଠି ସର୍ବେ

ସମ୍ମତ କଲେ ପ୍ରିୟ ଭାବେ

।।

ସମ୍ବରାରିଷ୍ଟ ନେମି ତୁଲେ

ଯେତେ ଦାନବ ବୀର ଥିଲେ

।।

ବିଷ୍ଣୁ ମୋହିଲେ ମାୟାମତେ

ହରଷ ଅସୁରଙ୍କ ଚିତ୍ତେ

।।

ଦେବ ଦାନବ ଶ୍ରଦ୍ଧା ମନେ

ଉଦ୍ୟତ ସମୁଦ୍ର ମନ୍ଥନେ

।।

ଏମନ୍ତ ଦେବାସୁରଗଣେ

ବେଗେ ମିଳିଲେ ଗିରିବନେ

।।

ତୀକ୍ଷ୍ମ କୁଠାରେ ବେଗେ ହାଣି

ଅମ୍ଳ ଔଷଧ ବନୁ ଆଣି

।।

ପର୍ବତେ ଛେଚି ପ୍ରତି ଶିଳେ

କ୍ଷୀର ସମୁଦ୍ରେ ପକାଇଲେ

।।

ସେ ଦୋଷୁଁ କ୍ଷୀରୋଦ ଅର୍ଣ୍ଣବେ

ଦଧି ହୋଇଲା ଅମ୍ଳ ଯୋଗେ

।।

ଦେବ ଦାନବ ପ୍ରିୟମାନେ

ମିଳିଲେ ଗିରି ସନ୍ନିଧାନେ

।।

ନାନାଦି ତୀକ୍ଷ୍‌ଣ ଶସ୍ତ୍ର ଧରି

ଉପାଡ଼ି ଘୋର ନାଦ କରି

।।

ଇନ୍ଦ୍ରର ତୁଲେ ଦେବେ ଯେତେ

ଅସୁରେ ବଳିର ସହିତେ

।।

ସମସ୍ତେ ଗିରି ମୁଣ୍ଡ କଲେ

ବଳେ କେତେହେ ଦୂରଗଲେ

।।

କାହିଁ ବହିବେ ଗିରିବର

ସେ ଗିରିବରଙ୍କର ସାର

।।

ପଥେ ଆଣନ୍ତେ ଗିରିବର

ପଡ଼ିଲେ ତାଙ୍କରି ଉପର

।।

ଚୂର୍ଣ୍ଣ ହୋଇଲା ମହାଭାରେ

ସକଳ ପଡ଼ିଲେ ଭୂମିରେ

।।

ଦେବଙ୍କୁ ଦେଖି ଭଗବାନ

ତକ୍ଷଣେ ଗରୁଡ଼ ଆସନ

।।

ପଥେ ମିଳିଲେ ତାଙ୍କ ପାଶେ

ଦେବଙ୍କ ଭକତି ବିଶ୍ୱାସେ

।।

କୋଳେ ମନ୍ଦର ଗିରି କଲେ

ଦେବ ଅସୁରଙ୍କୁ ଚାହିଁଲେ

।।

ଅମୃତ ନୟନେ ଅନାଇ

ଜୀବନ ଦେଲେ ଭାବଗ୍ରାହୀ

।।

ଲାଗନ୍ତେ ଗୋବିନ୍ଦର କର

ତକ୍ଷଣେ ପାଇଲେ ଶରୀର

।।

ଗୋବିନ୍ଦ ଏକହସ୍ତେ ଗରି

ନିଶ୍ଚଳେ ନିଜ କରେ ଧରି

।।

ଗରୁଡ଼ ଉଡ଼େ ଶୂନ୍ୟ ପଥେ

ଦେବ ଦାନବ ବଳି ସାଥେ

।।

କ୍ଷୀର ଜଳଧି ତୀରେ ମିଳି

ଦେବେ ଅସୁରେ ବନମାଳୀ

।।

ଗରୁଡ଼ ପୃଷ୍ଠେ ଗିରିବର

କରେ ନିବେଶି ଗଦାଧର

।।

ଗରୁଡ଼ ଗଲା ନିଜ ଘରେ

ଶୁଣ ନୃପତି ମନସ୍ଥିରେ

।।

ବୋଲଇ ବିପ୍ର ଜଗନ୍ନାଥ

ଅଷ୍ଟମ ସ୍କନ୍ଧେ ଭାଗବତ

।।

 

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ବୈୟାସିକ୍ୟାଂ ଅଷ୍ଟମସ୍କନ୍ଧେ ମନ୍ଦରାଚଳାୟନେ

ନାମ ଷଷ୍ଠୋଽଧ୍ୟାୟଃ ।

•••

 

ସପ୍ତମ ଅଧ୍ୟାୟ

 

ଶ୍ରୀ ଶୁକ ଉବାଚ

ବ୍ୟାସ ନନ୍ଦନ ଅନୁରାଗେ

କହନ୍ତି ପରୀକ୍ଷିତ ଆଗେ

।।

ଦେବ ଦାନବ ଏକ ମେଳେ

ପ୍ରବେଶ ହୋଇଲେ ପାତାଳେ

।।

ବାସୁକୀ ନିକଟେ ମିଳିଲେ

ସମୁଦ୍ର ମନ୍ଥନ କରିଲେ

।।

ଗୋବିନ୍ଦ ଆଜ୍ଞା ଶିରେ ଧରି

ଅଂଶେ ଅଭୟ ରୂପଧରି

।।

ଧରଣୀ ଧରି ଏକ ରୂପେ

ମିଳିଲେ କ୍ଷୀରାବ୍‌ଧି ସମୀପେ

।।

ଦେବେ ବେଷ୍ଟିତ ମହାଗିରି

ରହିଲା ବିଶ୍ୱରୂପ ଧରି

।।

ଦେଖି ସକଳ ତୋଷମନେ

ଆରମ୍ଭ ସମୁଦ୍ର ମନ୍ଥନେ

।।

ବାସୁକୀ ଫଣା ଆଗ ଧରି

ଦେବଙ୍କ ତୁଲେ ନରହରି

।।

ବୋଲନ୍ତି ଅସୁରକୁ ଚାହିଁ

ତୁମ୍ଭେ ହୋ ପୁଚ୍ଛ ଧର ଯାଇ

।।

ହରି ବଚନ ଶୁଣି କର୍ଣ୍ଣେ

ଅସୁର ଭାଳି ଏକ ମନେ

।।

ବୋଲନ୍ତି ବିଷ୍ଣୁମୁଖ ଚାହିଁ

ଏକଥା ଉଚିତ ନୁହଇ

।।

ସ୍ୱଭାବେ ସର୍ପର ଲାଙ୍ଗୁଳ

କେବେହେଁ ନୁହଇ ମଙ୍ଗଳ

।।

ଆମ୍ଭେ ଦେବଙ୍କ ପୂର୍ବେ ଜାତ

ପବିତ୍ର କଶ୍ୟପଙ୍କ ସୁତ

।।

ଧର୍ମ ଅଧର୍ମ ଆମ୍ଭେ ଜାଣୁ

ଆଗମ ନିଗମ ପ୍ରମାଣୁ

।।

ବିଖ୍ୟାତ ଜନ କୁଳଶୀଳ

କେମନ୍ତେ ଧରିବୁ ଲାଙ୍ଗୁଳ

।।

ଆମ୍ଭର ଏଣେ କାର୍ଯ୍ୟ ନାହିଁ

ଏମନ୍ତ ଭାବ ଚିତ୍ତେ ବହି

।।

ସର୍ବ ଅସୁର ଏକମେଳେ

ରହିଲେ କ୍ଷୀର ସିନ୍ଧୁ ଜଳେ

।।

ସମୁଦ୍ର ମନ୍ଥନ ଉପେକ୍ଷି

ପୁରୁଷୋତ୍ତମ ତାହା ଦେଖି

।।

ପୁଚ୍ଛ ଧଇଲେ ଶିରୀରଙ୍ଗ

ସର୍ବ ଦେବଙ୍କୁ ଘେନି ସଙ୍ଗ

।।

ମନ୍ଦର ଧରି ବାହୁବଳେ

ସ୍ଥାପିଲେ କ୍ଷୀର ସିନ୍ଧୁ ଜଳେ

।।

ସ୍ୱଭାବେ ଶରୀର ଜଳଧି

ଯୋଜନ ପାଞ୍ଚ ଲକ୍ଷାବଧି

।।

ଗିରି ପଡ଼ିଲା ରସାତଳେ

ଖୋଜି ନ ପାରିଲେ ସକଳେ

।।

ତୀରେ ଉଠିଲେ ଦୁଃଖମନେ

ବଦନେ ଚାହିଁ ଅନ୍ୟୋଅନ୍ୟେ

।।

ଦଇବ ଅତି ବଳିୟାର

ନାଶିଲା ନିଜ ପୁର୍ଷକାର

।।

ଦେବ ଦାନବ ବିଷ୍ଣୁ ପାଶେ

ରହିଁ ଚାହିଁଲେ ଦଶଦିଶେ

।।

ତାହାଙ୍କ ଦର୍ପଭଗ୍ନ ଚାହିଁ

ହସି ବୋଲନ୍ତି ଭାବଗ୍ରାହୀ

।।

ପାତାଳୁ କୂର୍ମ ରୂପ ଧରି

ପୃଷ୍ଠେ ବସାଇ ମହାଗିରି

।।

ଉଠିଲେ ଘେନି ଗିରିବର

ତୀରେ ଦେଖନ୍ତି ଦେବାସୁର

।।

ଯେସନେ ସରୋବର ମଧ୍ୟେ

ପୃଷ୍ଠକୁ ସ୍ଥାପିଲେ ଆନନ୍ଦେ

।।

ଗିରି ଯୋଜନ ପଞ୍ଚଦଶ

ତୀରେ ରହିଲା ଅବଶେଷ

।।

ଗୋବିନ୍ଦ ମାୟାଯୋଗ କରି

ତକ୍ଷଣେ ମାୟା ରୂପ ଧରି

।।

ବହିଲେ ଗିରି ପୃଷ୍ଠଦେଶେ

ମସ୍ତକ ଲଗାଇ ଆକାଶେ

।।

ଦେଖି ଆନନ୍ଦେ ଦେବାସୁରେ

ବାସୁକୀ ଧରି ତେଜଭରେ

।।

ପର୍ବତେ ତିନିଗୁଣ କରି

ଲଭିଲେ ମନ୍ଥନ ଆବୋରି

।।

ଦେବ ଅସୁର ବେନିଭାଗେ

ବାସୁକୀ ଧରି ଅତି ବେଗେ

।।

ହୁଙ୍କାରି କରନ୍ତି ମନ୍ଥନ

ଶୁଣ ପରୀକ୍ଷିତ ରାଜନ

।।

କଚ୍ଛପ ଗିରି ଘରଷଣେ

ଅନଳ ଲାଗିଲା ତକ୍ଷଣେ

।।

ଗିରି ଯେ କୂର୍ମ ପୃଷ୍ଠେ ଥିଲା

ତକ୍ଷଣେ ଉଶ୍ୱାସ ହୋଇଲା

।।

କଣ୍ଡୁ ଘର୍ଷଣ ସୁଖ ବୁଝି

ସେ କୂର୍ମ ବେନି ଚକ୍ଷୁ ବୁଜି

।।

ସୁଖେ ନିଦ୍ରିତ ନାରାୟଣ

କେ ସେହୁ ଅନଳ ଧାରଣ

।।

ପୁଣି ଗୋବିନ୍ଦ ଅନ୍ତରୀକ୍ଷେ

ମିଳିଲେ ଦେବଙ୍କ ସମ୍ମୁଖେ

।।

ଦେବ ଅସୁର ଅଳ୍ୱ ବଳ

ଜାଣିଲେ ପ୍ରଭୁ ଆଦିମୂଳ

।।

ତକ୍ଷଣେ ପ୍ରଭୁ ଭାବଗ୍ରାହୀ

ଦେବ ଦାନବ ମଧ୍ୟେ ଯାଇ

।।

ପଶିଲେ ତାହାଙ୍କର ଚିତ୍ତେ

ବଳ ହୋଇଲା ଅପ୍ରମିତେ

।।

ବାସୁକୀ ଦେହେ ନରହରି

ପଶିଲେ ବାଳରୂପ ଧରି

।।

ସହସ୍ର ଭୁଜେ ଶୂନ୍ୟପଥେ

ଗିରି ଆବୋରି ହୃଦଗତେ

।।

ରହିଲେ ପ୍ରଭୁ ଆଦିମୂଳ

ଶୂନ୍ୟେ ଦେଖନ୍ତି ଋଷିବଳ

।।

ଆନନ୍ଦେ ଗଗନ ଆରୋହି

ସ୍ତୁତି କରନ୍ତି ବିଷ୍ଣୁ ଚାହିଁ

।।

ପୁଷ୍ପ ବରଷି ବେଦ ନାଦେ

ମୁନିଏ କହନ୍ତି ଆନନ୍ଦେ

।।

ଦେଖନ୍ତି ଅଧଃ ଊର୍ଦ୍ଧ୍ୱେ ଚାହିଁ

ହରିହୁଁ ଅନ୍ୟ ନ ଦିଶଇ

।।

ଉତ୍କଟ ନାଦେ ସୁରାସୁରେ

ଗିରି ମନ୍ଥନ୍ତି ଅତି ଖରେ

।।

ମହା ପର୍ବତ ଘରଷଣେ

ଜଳେ ଯେ ଜଳ ଜନ୍ତୁଗଣେ

।।

ଜଳଧି ସଙ୍ଗେ କ୍ଷୋଭ ପାଇ

ପୂର୍ବେ ରହିଲି ସ୍ଥିର ହୋଇ

।।

ବାସୁକୀ ସହସ୍ର ବଦନେ

ନିଃଶ୍ୱାସ ଛାଡ଼େ ଘନଘନେ

।।

ତାର ନିଃଶ୍ୱାସ ଦାବାନଳ

ପୂରିଲା ଦିଗ ଅନ୍ତରାଳ

।।

ନିଃଶ୍ୱାସ ଅଗ୍ନି ଧୂମ ଲାଗି

ଦେବ ଦାନବେ ଦୁଃଖ ଭାଗି

।।

ସହି ନ ପାରନ୍ତି ମନ୍ଦର

ତାହାକୁ ଦେଖି ଚକ୍ରଧର

।।

ତକ୍ଷଣେ ଶୂନ୍ୟେ ମେଘମାଳ

ଶୀତଳ ବରଷନ୍ତି ଜଳ

।।

କ୍ଷୀର ସମୁଦ୍ରେ ଶୀତ ତପ୍ତ

ରୂପେ ପଶିଲେ ଜଗନ୍ନାଥ

।।

ବାସୁକୀ ଆଦି ଜଳ ଜୀବେ

ତାପୁ ତାରିଲେ ଶୀତଭାବେ

।।

ଦେବ ଦାନବ ଦେହଗତେ

ମାଳ କଙ୍କଣ ଥିଲା ଯେତେ

।।

ସକଳ ଧୂମେ ହତଗର୍ବ

ଅନାଇ ପ୍ରଭୁ ପଦ୍ମନାଭ

।।

ଜଳ ସିଞ୍ଚନେ ସୁଖୀ କଲେ

କଳି ସମେତ ଯେତେ ଥିଲେ

।।

ଏମନ୍ତେ ବାସୁକୀ ଶରୀରେ

ଅତି ମନ୍ଥନ ଗୁଣଭରେ

।।

ଗରଳ ଛାଡ଼େ ଅତି ଦୁଃଖେ

ବରଷା ପ୍ରାୟ ସସ୍ରମୁଖେ

।।

ଜଳେ ପଡ଼ନ୍ତେ ବିଷଜ୍ୱାଳେ

ଯେ ଜଳଜନ୍ତୁ ଥିଲେ ଜଳେ

।।

ବିକଳେ ବୁଲି ଛଟପଟେ

ପୁଣି ଗଭୀରେ ପୁଣି ତଟେ

।।

ସେ ବିଷ ବେଗବନ୍ତ ଜ୍ୱାଳେ

ଦିଗ ପୂରିଲା ଅନ୍ତରାଳେ

।।

ଚକିତେ ଅଧଃ ଊର୍ଦ୍ଧ୍ୱ ମଧ୍ୟେ

ଜନ୍ତୁଏ ପଳାନ୍ତି ବିଷାଦେ

।।

ଡାକନ୍ତି ଊର୍ଦ୍ଧ୍ୱ ମୁଖ କରି

ରଖହେ ପ୍ରଭୁ ଶୂଳଧାରୀ

।।

ନ ସହୁ ବିଷର କଷଣ

ତୋ ପାଦେ ପଶିଲୁ ଶରଣ

।।

ହର ସମୀପେ ମୁନିଗଣ

ମିଳି କରନ୍ତି ପ୍ରଦକ୍ଷିଣ

।।

ଯେ ଦୁଃଖ ବନ ଧୂମକେତୁ

ଅଶେଷ ଅପବର୍ଗ ହେତୁ

।।

ବିକଳେ ମିଳି ଶିବ ପାଶେ

ସ୍ତୁତି କରନ୍ତି ବିଷତ୍ରାସେ

।।

ମିଳି ସକଳ ପ୍ରଜାପତି

ସନ୍ନିଧେ ବସାଇ ପାର୍ବତୀ

।।

ଋଷି ଉବାଚ

ହେ ମହାଦେବ ସଦାଶିବ

କେ ଜାଣିପାରେ ତୋର ଭାବ

।।

ତୁ ଭୂତ ଭୁବନ ଈଶ୍ୱର

ପ୍ରାଣୀର ପ୍ରାଣ ରକ୍ଷା କର

।।

ଏ ବିଷ ସଂସାର ଦହିବ

ଏଣୁ ଉଦ୍ଧର ସଦାଶିବ

।।

ସର୍ବ ଜନ୍ତୁଙ୍କ ବଧ ମୋକ୍ଷ

ତୁ ନାଥ ଈଶ୍ୱର ପ୍ରତ୍ୟକ୍ଷ

।।

କୁଶଳ ଇଚ୍ଛା ଯାର ମନେ

ସେତୋତେ ଚିନ୍ତେ ନିତ୍ୟେଧ୍ୟାନେ

।।

ଜଗତ ଗୁରୁ ନାଥ ତୁହି

ଯେ ତୋର ଶରଣ ପଶଇ

।।

ସ୍ୱଶକ୍ତି ତୋର ଗୁଣମୟୀ

ଯେ ଭାବେ ସର୍ବ ସ୍ଥିତି ହୋଇ

।।

ପ୍ରଳୟ କରୁ ନାଥ ତୁହି

ତୁ ବ୍ରହ୍ମା ବିଷ୍ଣୁ ରୁଦ୍ର ହୋଇ

।।

ତୁ ବ୍ରହ୍ମ ପରମ ଗୁପତ

ସଦ ଅସଦ ଭାଗବତ

।।

ପ୍ରକାଶ ନାନା ଶକ୍ତି ରୂପେ

ତୁ ଆତ୍ମା ମୋହ ଜନ୍ମ ରୂପେ

।।

ସର୍ବ ଦେବଙ୍କ ଆତ୍ମା ତୁମ୍ଭେ

ଅଶେଷ ଯଜ୍ଞର ଆରମ୍ଭେ

।।

ଭୂମି ତୋହର ପାତ୍ର ବେନି

ତୋ ବଳ ବହଇ ମେଦିନୀ

।।

କାଳ ଯେ ତୋର ନିଜ ଗତି

ତୋର ଦୃକ୍ଷଣ ପ୍ରଜାପତି

।।

ଏ ଅଷ୍ଟଦିଗ ତୋ ଶ୍ରବଣ

ତୋହର ରସନା ବରୁଣ

।।

ନଭ ତୋହର ନାଭି ଦେଶ

ନିଃଶ୍ୱାସ ବାତ ଅଣଚାଶ

।।

ପର୍ବତ ତୋର ଅସ୍ଥି ସଂଘ

ତୋ ରୋମ ଔଷଧର ଓଘ

।।

ଏ ସାତ ଛନ୍ଦ ସପ୍ତଧାତୁ

ତୁ ଧର୍ମ ସୃଷ୍ଟି ସ୍ଥିର ହେତୁ

।।

ଭୋ ନାଥ ତୋ ପାଞ୍ଚ ବଦନ

ଯେ ଉପନିଷଦ ବଦନ

।।

ଅଷ୍ଟ ଉତ୍ତର ତିନିଶତ

ଯେ ବ୍ରହ୍ମ ମନ୍ତ୍ରଙ୍କ ଉକତ

।।

ଯେ ବ୍ରହ୍ମ ସର୍ବ ତତ୍ତ୍ୱଧ୍ୟାନ

ଯେଣୁ ତୋହର ଶିବ ନାମ

।।

ଜ୍ୟୋତି ସ୍ୱରୂପେ ତୋର ବାସ

ତୁ ବ୍ରହ୍ମ ପରମ ପ୍ରକାଶ

।।

ଅଧର୍ମ ତୋ ଶରୀର ଛାୟା

ତୋର ଆଶ୍ରିତ ଘୋରମାୟା

।।

ତୋ ତିନି ନେତ୍ର ତିନିଗୁଣ

ଯେ ଗୁଣେ ସଂସାରେ ଧାରଣ

।।

ତୋ ଛନ୍ଦୋମୟ ଶାସ୍ତ୍ର ଶିକ୍ଷା

ଏ ସର୍ବ ପ୍ରାଣୀଙ୍କର ଦୀକ୍ଷା

।।

ଅଖିଳ ଲୋକପାଳ ତୁହି

ତୋ ଅନ୍ତ କେହି ନ ଜାଣଇ

।।

ବିରଞ୍ଚି ବୈକୁଣ୍ଠେ ତୋ ନାମ

ସୁରେନ୍ଦ୍ର ଗଣ ନୁହେଁ ସମ

।।

ପରମ ଜ୍ୟୋତି ତୁ ଆନନ୍ଦ

କେବେହେଁ ଗୁଣେ ନୋହେଭେଦ

।।

ପ୍ରାଣୀଙ୍କି ଅନ୍ତଃକାଳେ ଧରି

ତୃତୀୟ ନେତ୍ର ତୁ ଆବୋରି

।।

କାମ ତ୍ରିପୁର ଘୋର କାଳ

ଦକ୍ଷର ଯଜ୍ଞ ଧ୍ୱଂସ କଲ

।।

ଯେ ଅଛି ଶତ୍ରୁ ଭୂତ ଦେହୀ

ଯେ ଅବା ଲୋଭ କ୍ରୋଧମୟୀ

।।

ତାହାକୁ କରୁ ତୁ ଦହନ

ତୁ ନାଥ ଅଟୁ ନିରଞ୍ଜନ

।।

ପ୍ରାଣୀଙ୍କି କରୁ ଆତଯାତ

ଏଣୁ ତୋ ନାହିଁ ଆଦି ଅନ୍ତ

।।

ଯେ ଆତ୍ମଜ୍ଞାନୀ ଏ ଜଗତେ

ତୋ ପାଦ ଚିହ୍ନେ ଅବିରତେ

।।

ସେବା ତପସ୍ୟା କରି ଭଜେ

ତୋ ରୂପ ଧ୍ୟାନ ଭାବେ ପୂଜେ

।।

କେ ରବିସୁତେ ନ ଡରନ୍ତି

ଏ ଘୋର ସଂସାରୁ ତରନ୍ତି

।।

ଆମ୍ଭେ ଯେ ଘୋର ବିଷଭୟେ

ଶରଣ ଗଲୁ ତୋର ପାୟେ

।।

ଏ ବିଷ ଭୟେ ଦଶଦିଶ

କେବେହେଁ ନ ଦିଶେ ପ୍ରକାଶ

।।

ଏଣୁ ବ୍ରହ୍ମାଣ୍ଡ ନିଶ୍ଚେ ଗଲା

ଅକାଳେ ପ୍ରଳୟ ହୋଇଲା

।।

ଭୟେ କମ୍ପଇ ତିନିପୁର

ଆକାଶେ କମ୍ପେ ସୁରେଶ୍ୱର

।।

ଏ ଘୋର ଭୟୁଁକର ତ୍ରାଣ

ଭୋ ନାଥ ରଖ ଆମ୍ଭ ପ୍ରାଣ

।।

ତୁ ଧର୍ମ ଜ୍ଞାନୀଙ୍କର ସାର

ଯେ ଧର୍ମ ଜନ ଉପକାର

।।

ଶ୍ରୀ ଶୁକ ଉବାଚ

ବ୍ୟସନ ଦେଖି ତାହାଙ୍କର

ଦୟା ବହିଲେ ବେଦବର

।।

ସେ ଦେବ ଦେବ ଭୂତପତି

ବୋଇଲେ ଶୁଣ ଗୋ ପାର୍ବତୀ

।।

ଶିବ ଉବାଚ

ଦେଖ ଭବାନି ପ୍ରଜାଙ୍କର

ଦୁଃଖ ହୋଇଲା ଭୟଙ୍କର

।।

ସମୁଦ୍ର ମନ୍ଥନୁ ଏ ଜାତ

ଏଥୁ ରଖିବା ମୋ ଉଚିତ

।।

ତା ଜନ୍ମ ଧନ୍ୟ ଏ ସଂସାରେ

ଯେ ରହେ ପର ଉପକାରେ

।।

ସାଧୁ ଜନଙ୍କର ଏ ଗତି

କେବେହେଁ ଧର୍ମ ନ ଛାଡ଼ନ୍ତି

।।

କ୍ଷଣ ଭଙ୍ଗୁର ଏ ଶରୀର

ସୁଦୃଢ଼ ପର ଉପକାର

।।

ଏମନ୍ତେ ରୁଦ୍ରଙ୍କ ବଚନ

ଅମ୍ବିକା ଶୁଣି ତୋଷ ମନ

।।

ରୁଦ୍ର ଚରଣ କରେ ଧରି

ମଧୁରେ କହନ୍ତି ଗଉରୀ

।।

ଦେବ୍ୟୁବାଚ

ଭୋ ନାଥ ଜଗତ ଈଶ୍ୱର

ଦେବଙ୍କ ବୋଲ ତୁମ୍ଭେ କର

।।

ଏ ଘୋର ବିଷ କର ଗ୍ରାସ

ଏହି ସଂସାରେ ଥିବ ଯଶ

।।

ଧର୍ମ କରନ୍ତି ଯେତେ ନର

ତାହାଙ୍କୁ ରଖେ ଚକ୍ରଧର

।।

ଏମନ୍ତେ ଗଉରୀ ବଚନେ

ରୁଦ୍ର ଉଠିଲେ ତୋଷମନେ

।।

କ୍ଷୀରାବଧି ତଟେ ବିଜେକରି

କର ଅଞ୍ଜଳି ଜଳେ ଭରି

।।

ଉତ୍କଟ ଘୋର ମହାବିଷ

ଏକା ଗ୍ରାସକେ କଲେ ଗ୍ରାସ

।।

ରଖିଲେ ଅଖିଳ ଭୁବନ

ଶୁଣ ହୋ ପରୀକ୍ଷ ରାଜନ

।।

ଗଳେ ଦିଶିଲା ନୀଳ ପ୍ରଭା

ଆନନ୍ଦ ମନେ ସୁରଦେବା

।।

ଯେ ପର ଦୁଃଖେ ଦୁଃଖ ସହି

ତାହାକୁ ପରମାତ୍ମା କହି

।।

କରନ୍ତି ପର ଉପକାର

ଧନ୍ୟ ଜୀବନ ତାହାଙ୍କର

।।

ଏମନ୍ତ ରୁଦ୍ର କର୍ମ ଦେଖି

ସଂସାର ଜନ ହେଲେ ସୁଖୀ

।।

ବ୍ରହ୍ମା ଗୋବିନ୍ଦ ଦେବମେଳେ

ନମିଲେ ରୁଦ୍ର ପାଦ ତଳେ

।।

ରୁଦ୍ର ବିପନ୍ତେ ଘୋର ବିଷ

ପାଣିରେ ପଡ଼େ ଅବଶେଷ

।।

ବୃଶ୍ଚିକ ବୃନ୍ଦ ସର୍ପଗଣ

ଭକ୍ଷିଲେ ଶେଷ ବିଷକରଣ

।।

ବୋଲଇ ବିପ୍ର ଜଗନ୍ନାଥ

ବିଷ ଭକ୍ଷିଲେ ଉମାକାନ୍ତ

।।

ଏ କ୍ଷୀର ସମୁଦ୍ର ମନ୍ଥନ

ଶୁଣି ପବିତ୍ର ହୁଏ ମନ

।।

ସୁସାଧୁ ଜନଙ୍କର ହିତେ

ଅଷ୍ଟମସ୍କନ୍ଧ ଭାଗବତେ

।।

ଭାଷା ପ୍ରବନ୍ଧ ଗୀତ ନାଦେ

ସୁଜନେ ଶୁଣ ଅପ୍ରମାଦେ

।।

 

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ବୈୟାସିକ୍ୟାଂ ଅଷ୍ଟମସ୍କନ୍ଧେ ବିଷ୍ଣୁ ବିଜୟେ ରୁଦ୍ର ଗରଳ

ଭକ୍ଷଣେ ନାମ ସପ୍ତମୋଽଧ୍ୟାୟଃ ।

•••

 

ଅଷ୍ଟମ ଅଧ୍ୟାୟ

 

ଶ୍ରୀ ଶୁକ ଉବାଚ

ଶୁଣ ରାଜନ ସାବଧାନେ

ସଦାଶିବଙ୍କ ବିଷ ପାନେ

।।

ଦେବ ଦାନବ ମନତୋଷେ

ରୁଦ୍ର ବିରଞ୍ଚି ଘେନି ପାଶେ

।।

ପୁଣି ମନ୍ଥିଲେ କରି ମନୁ

ଜଳୁ ଉଠିଲା କାମଧେନୁ

।।

ସେ ଧେନୁ ଦେଖି ତୋଷମନେ

ବ୍ରାହ୍ମଣେ ଥିଲେ ଯେ ମନ୍ଥନେ

।।

ସ୍ୱଭାବେ ବିପ୍ର ବ୍ରହ୍ମବେତ୍ତା

ଅଗ୍ନି ପୂଜନେ ସାମରଥା

।।

ସେ କାମଧେନୁ ଘେନିଗଲେ

ମନ ଆନନ୍ଦେ ଯଜ୍ଞ କଲେ

।।

ଯେ ଯଜ୍ଞ ସ୍ୱର୍ଗଲୋକ ପଥ

ପ୍ରବେଶ କରେ ନରନାଥ

।।

ପୁଣି ମନ୍ଥିଲେ ସୁରଦେବା

ଉଠିଲେ ଅଶ୍ୱ ଉଚ୍ଚୈଶ୍ରବା

।।

ସେ ସର୍ବ ଲକ୍ଷଣେ ସୁନ୍ଦର

ଶଶାଙ୍କ ସଦୃଶ ପାଣ୍ଡୁର

।।

ସେ ଅଶ୍ୱ ଦେଖି ବଳି ଚିତ୍ତେ

ଶ୍ରଦ୍ଧା ହୋଇଲା ଅନ୍ତର୍ଗତେ

।।

ଈଶ୍ୱର ତାର ମନ ଜାଣି

ବୋଇଲେ ଶୁଣ ବୀରମଣି

।।

ଇନ୍ଦ୍ରର ଅଶ୍ୱ ଯେ ଉଚିତେ

ନେଉ ସେ ଆମ୍ଭ ଅନୁମତେ

।।

ପୁଣି ମନ୍ଥିଲେ ତୋଷଚିତ୍ତେ

ଉଠିଲା ଗଜ ଐରାବତେ

।।

ଚତୁର ଦଣ୍ଡ ଶୋଭାକର

କୈଳାସ ପର୍ବତ ଆକାର

।।

ଇନ୍ଦ୍ରର ଗଜ ଯେ ସ୍ୱଭାବେ

ତେଣୁ ସେ ନ ନେଲେ ଦାନବେ

।।

ସେ ଗଜ ଇନ୍ଦ୍ର ଆବୋରିଲେ

ପୁଣି ମନ୍ଥନ ଯାଇ କଲେ

।।

ସୁନ୍ଦର ପୁଷ୍ପ ପାରିଜାତ

ସୁଗନ୍ଧେ ମୋହିଲା ଜଗତ

।।

ତକ୍ଷଣେ ଉଠିଲା ଗଗନେ

ମିଳିଲା ଶଚୀପତି ବନେ

।।

ପୁଣି ମନ୍ଥିଲେ ବାହୁବଳେ

ମନ୍ଦର କ୍ଷୀର ସିନ୍ଧୁ ଜଳେ

।।

ଉଠିଲେ ଅପସରାବୃନ୍ଦ

ସୁ ସ୍ୱରେ କଲେ ଗୀତନାଦ

।।

ରତ୍ନ ମେଖଳା କଟିତଟେ

କୁଚ କାଞ୍ଚଲା ସୁପ୍ରକଟେ

।।

ରତ୍ନ ଭୂଷଣ ଶୋହେ ଗ୍ରୀବା

ରୂପ କି ପଟାନ୍ତର ଦେବା

।।

ହାର କେୟୁର ଝଟକନ୍ତି

ଗଗନେ ଯେହ୍ନେ ଗ୍ରହପନ୍ତି

।।

ଚାହାଁନ୍ତି କଟାକ୍ଷ ଲୋଚନ

ଯେ ରୂପେ ଜଗତ ମୋହନ

।।

ଗଗନ ମାର୍ଗେ ସ୍ୱର୍ଗେ ଗଲେ

ଇନ୍ଦ୍ରର ଭୁବନେ ମିଳିଲେ

।।

ଅସୁରେ ମନେ ଦୁଃଖ ଭରି

ପୁଣି ମନ୍ଥିଲେ ମହାଗିରି

।।

ସୁନ୍ଦର ଦିଶେ ଦିଶଦିଗ

ଧରଣୀ ହେଉଛି ଉଲ୍ଲାସ

।।

ଅମୃତ ଶୁଭଲଗ୍ନ ବେଳେ

ଲକ୍ଷ୍ମୀ ଉଠିଲେ ମହାଜଳେ

।।

ଦିଗ ପ୍ରକାଶ ଦେହ ଝଳି

ଜୀମୁତେ ଯେସନେ ବିଜୁଳି

।।

କମଳା ରୂପ ଦେଖି ଜନେ

ଲୋଭ ବସିଲା ସର୍ବ ମନେ

।।

ଲକ୍ଷ୍ମୀ ବଦନ ଚାହିଁ ବେଗେ

ଇନ୍ଦ୍ର ମିଳିଲେ ପଦଯୁଗେ

।।

ରତ୍ନ ଆସନ ବେଗେ ଆଣି

ଯହିଁ ବିଜୟେ କମଳିନୀ

।।

ଜାହ୍ନବୀ ନଦୀ ଆଦି ଯେତେ

ସର୍ବେ ମିଳିଲେ ପାଦଗତେ

।।

ସୁବର୍ଣ୍ଣ କୁମ୍ଭେ ନୀର ଭରି

ମୁନିଏ ରହିଲେ ଆବୋରି

।।

ଧରଣୀ ଅଷ୍ଟରତ୍ନ ସିଦ୍ଧି

ଅପରେ ଅଭିଷେକ ବିଧି

।।

ଅଇରାବତ ପୁଣ୍ଡରୀକ

ଏ ବେନି ହସ୍ତୀଙ୍କ ନାୟକ

।।

ସୁବର୍ଣ୍ଣ କୁମ୍ଭେ ନୀର ଭରି

ତୋଳିଲେ ଥୋରହସ୍ତେ ଧରି

।।

ସୁରଭି ପଞ୍ଚାମୃତ ଧାରେ

ସିଞ୍ଚିଲା କମଳା ଉପରେ

।।

ମଧୁ ମାଧବ ବେନି ପାଶେ

ମିଳି କୁସୁମ ଗନ୍ଧ ବାସେ

।।

ମିଳି ଅଶେଷ ମୁନିଗଣେ

ଆଗମ ନିଗମ ପ୍ରମାଣେ

।।

କଲେ ସେ ଅଭିଷେକ ବିଧି

ନିଗମ ମାର୍ଗେ ଯେ ପ୍ରସିଦ୍ଧି

।।

ଗନ୍ଧର୍ବେ କଲେ ଗୀତ ନାଦ

ନାଚନ୍ତି ଅପସରା ବୃନ୍ଦ

।।

ପ୍ରଣବ ମୃଦଙ୍ଗ ଗୋମୁଖା

ମୂରଜ ତନ୍ତ୍ର ସୂତ୍ରଲେଖା

।।

ଶଙ୍ଖ କାହାଳୀ ବେଣୁସ୍ୱନ

ଗର୍ଜ୍ଜନ୍ତି ଶୂନ୍ୟ ପଥେ ଘନ

।।

ସକଳେ ମିଳି ଚାରିପଶେ

ସୁବାକ୍ୟେ ବେଦମନ୍ତ୍ର ଘୋଷେ

।।

କରୀନ୍ଦ୍ରେ ରତ୍ନ କୁମ୍ଭେ ନୀର

ଢାଳିଲେ କମଳାର ଶିର

।।

କ୍ଷୀର ଜଳଧି ଉଠି ତୋଷେ

ମିଳିଲା କମଳାର ପାଶେ

।।

ପୀତ ପତନୀ ବେନି ଦେଲା

ଅମ୍ଳାନ ପଙ୍କଜର ମାଳା

।।

ବରୁଣ ଦେଲା ଦେବୀ ଗଳେ

ମତ୍ତ ମଧୁପଙ୍କର ରୋଳେ

।।

ରତ୍ନ ଭୂଷଣ ନାନା ମତ

ଯେ ବିଶ୍ୱକର୍ମାର ନିୟତ

।।

ହାର କଙ୍କଣ ଅବତଂଶ

ସର୍ବେ ଦିଶନ୍ତି ରବିତ୍ରାସ

।।

ସେ ଦେବୀ ଅଭିଷେକ ଅନ୍ତେ

ପଙ୍କଜମାଳା ଘେନି ହସ୍ତେ

।।

ପାଦ ଚଳନ୍ତେ ମହୀତଳେ

ରତ୍ନ କୁଣ୍ଡଳ କର୍ଣ୍ଣେ ଲୁଳେ

।।

ଶୁଭ୍ର ସୁବାସ ଶୁଭ୍ର ହ୍ୱନ୍ତି

ହୃଦେ ପୟୋଧର ଚଳନ୍ତି

।।

ମୁକୁତା ହାର କୁଚ ଶିଖେ

କୁଙ୍କୁମ ଲେପନ ସୁରେଖେ

।।

ଚରଣେ ଲୁଳିତ ନୂପୁର

ସୁସ୍ୱରେ ଦିଶଇ ସୁନ୍ଦର

।।

ପଥେ ଚଳନ୍ତେ ଜଗନ୍ନାତା

ରୂପେ କି ଦିଶେ ହେମଲତା

।।

ହରି ଚରଣେ ମନ ଦେଇ

ଅନଙ୍ଗ ଲୋଚନେ ଅନାଇ

।।

ଅଶେଷ ବ୍ରହ୍ମାଣ୍ଡ କାରଣ

ବ୍ରହ୍ମ କଳ୍ପଇ ଯା ଚରଣ

।।

ଯଦ୍ୟପି କନ୍ୟା ରୂପ ଧରେ

ମନ ନ ରହେ ଅନ୍ୟବରେ

।।

ଚଞ୍ଚଳ ଗୁଣ ଏହିମତେ

ବିଷ୍ଣୁ ଚରଣେ ଅବିରତେ

।।

ଗୋବିନ୍ଦ ଗଳେ ମାଳା ଦେଇ

ସଲଜ୍ଜେ ଚଉଦିଗେ ଚାହିଁ

।।

କୋଳେ ବସିଲେ ଜଗନ୍ମାତା

ଯେ ଜୀବ ଜୀବନର ଦାତା

।।

ଗୋବିନ୍ଦ କୋଳେ ଲକ୍ଷ୍ମୀ ଦେଖି

ଅସୁରେ ମନ୍ଥନ ଉପେକ୍ଷି

।।

ତୁରୀ ମର୍ଦ୍ଦଳ ଶଙ୍ଖ ସ୍ୱନ

ନୃତ୍ୟ ଉତ୍ସବ ଘନ ଘନ

।।

ବ୍ରହ୍ମା ଶଙ୍କର ଆଦି ଯେତେ

ତକ୍ଷଣେ ମିଳିଲେ ସମସ୍ତେ

।।

ସକଳ ଦେବ ମୋଦ ଭରି

ଆନନ୍ଦେ ପୁଷ୍ପ ବୃଷ୍ଟି କରି

।।

ଲକ୍ଷ୍ମୀ କଟାକ୍ଷ ଦେହେ ଲାଗି

ସର୍ବେ ହୋଇଲେ ମୋକ୍ଷଭାଗୀ

।।

ସୁପୁଣ୍ୟ ଆଦି ସୁରଗଣେ

ଯୁକ୍ତ ହୋଇଲେ ତତକ୍ଷଣେ

।।

ବ୍ରହ୍ମା ଶଙ୍କର ଆଦି ଦେବେ

ଲକ୍ଷ୍ମୀ ଗୋବିନ୍ଦ ତୋଷ ସର୍ବେ

।।

ଲକ୍ଷ୍ମୀ ଗୋବିନ୍ଦ ସଉଭାଗ୍ୟେ

ଗୀତ ମଙ୍ଗଳ ସ୍ତୁତି ମାର୍ଗେ

।।

ମିଳି ସକଳ ଦିଗପାଳେ

ପୁଷ୍ପ ବରଷିଲେ ଗହଳେ

।।

ଲକ୍ଷ୍ମୀ ଗୋବିନ୍ଦ ମୁଖ ଦେଖି

ଦେବେ ସକଳ ହେଲେ ସୁଖୀ

।।

ଶୀଳାଦି ଅଷ୍ଟଗୁଣେ ଯୁକ୍ତ

ସର୍ବେ ହୋଇଲେ କୃତ୍ୟକୃତ୍ୟ

।।

ଲକ୍ଷ୍ମୀଙ୍କୁ ନ ଚାହିଁ ଅସୁରେ

ବିଗୁଣ ବହିଲେ ଅନ୍ତରେ

।।

ବିମନ ହୋଇଲେ ଅସୁରେ

ଲୋଭ ଜନ୍ମିଲା ହୃଦୟରେ

।।

ସର୍ବେ ଯେ ହୋଇଲେ କାତର

ଲାଜ ପ୍ରଭାବ ଗଲା ଦୂର

।।

ପୁଣି ମନ୍ଥିଲେ ମନଦୁଃଖେ

ଚାହାଁନ୍ତି ଅନ୍ୟାନ୍ୟ ସମ୍ମୁଖେ

।।

ମନ୍ଥନେ ହୋଇଲା ବାରୁଣୀ

ରୂପେ ଶୋଭିତ କମଳିନୀ

।।

ଅସୁରେ ହରି ଅନୁମତେ

ସେ କନ୍ୟା ଲଭିଲେ ସମସ୍ତେ

।।

ପୁଣି ମନ୍ଥିଲେ ତୋଷମନେ

ପୌରୁଷ ହରଷ ବଦନେ

।।

ଅଦ୍ଭୁତ ପୁରୁଷ ଉପୁଜେ

ତେଜ ସକଳ ରୂପ ଗଞ୍ଜେ

।।

ହସ୍ତୀର ଶୁଣ୍ଢ ପ୍ରାୟେ ହୋଇ

ଲମ୍ବେ ଉଦଣ୍ଡ ଭୂଜ ଦୁଇ

।।

ସୁନ୍ଦର କମ୍ବୁଗ୍ରୀବ ସାଜେ

ଅରୁଣ ଲୋଚନ ବିରାଜେ

।।

ଶାମ ତରୁଣ ବର୍ଣ୍ଣ ଶୋହେ

ରତ୍ନ ମୂଷଣ ଜନ ମୋହେ

।।

ହୃଦେ ଲମ୍ବଇ ବନମାଳ

ସୁନ୍ଦର ଅଳକା କପୋଳ

।।

ପୀତ ବସନ କଟୀ ପରେ

କୁଞ୍ଚିତ କେଶ ବହେ ଶିରେ

।।

ସିଂହ ବିକ୍ରମ ଶୁଭ୍ର ଅଙ୍ଗ

ଦିଶଇ ନିଶାପତି ଭଙ୍ଗ

।।

ରତ୍ନ ବଳୟ ମଣିବନ୍ଧେ

ଅମୃତ କୁମ୍ଭ ଘେନି କନ୍ଧେ

।।

ସେ ରୂପେ ନାରାୟଣ ଅଂଶେ

ଧନ୍ୱନ୍ତୀ ରୂପ ପରକାଶେ

।।

ସ୍ୱଭାବେ ଆୟୁର୍ବେଦ ଗୁରୁ

ଧୀର ସ୍ୱଭାବେ ମହାମେରୁ

।।

ଅସୁରଗଣ ତାହା ଦେଖି

ଧାଇଁଲେ ମନ୍ଥନ ଉପେକ୍ଷି

।।

ଲୁଟିଲେ ସର୍ବ ବସ୍ତୁ ବଳେ

ଦେବଙ୍କୁ କରି ଅବହେଳେ

।।

ଅମୃତ କୁମ୍ଭ ଅତି ଖରେ

ଥିଲା ଯେ ଧନ୍ୱନ୍ତରୀ କରେ

।।

ସେ କୁମ୍ଭ ବଳେ ଅପହରି

ଧଇଲେ ଘୋର ନାଦ କରି

।।

ପଳାନ୍ତେ ପ୍ରଜାଙ୍କୁ ଲୁଟିଲେ

ପର୍ବତ ଉପରେ ଉଠିଲେ

।।

ଦେବେ ଦୁଃଖିତ ମନ ହୋଇ

ଗୋବିନ୍ଦ ପାଦ ତଳେ ଯାଇ

।।

ବୋଲନ୍ତି ରଖ ନାରାୟଣ

ଘୋର ସଙ୍କଟୁ ଆମ୍ଭ ପ୍ରାଣ

।।

ଅମୃତ ଭକ୍ଷିଲେ ଅସୁରେ

ଆମ୍ଭେ କି ଥିବୁ ସ୍ୱର୍ଗପୁରେ

।।

ନିଶ୍ଚୟେ ହୋଇଲୁ ଅନାଥ

ଶରଣ ରଖ ଜଗନ୍ନାଥ

।।

ଏମନ୍ତେ ଦେବଙ୍କ ବିକଳ

ଦେଖି କହନ୍ତି ଆଦିମୂଳ

।।

ଏ ଭାବେ ପରମ ଆନନ୍ଦ

ଭକ୍ତ ବତ୍ସଳ ଆଦିକନ୍ଦ

।।

ବୋଲନ୍ତି ଶୁଣ ଦେବତାଏ

ଚିତ୍ତେ ନ କର ତୁମ୍ଭେ ଭୟେ

।।

ମୁଁ ଆଜ ଯୋଗ ମାୟା ବଳେ

ଅମୃତ ଆଣି ଦେବି ହେଳେ

।।

ତତ୍‌କ୍ଷଣେ ଅସୁରଙ୍କ ଦେହେ

କିବା ପଶିଲେ ମାୟା ମୋହେ

।।

ତତ୍‌କ୍ଷଣେ ଚିତ୍ତେ କ୍ରୋଧ ହୋଇ

ଏକ ଆରକେ ଗର୍ବ ବହି

।।

କେହି କାହାକୁ ନ ଗଣନ୍ତି

ମୁଁ ଆଗେ ଭକ୍ଷିବି ବୋଲନ୍ତି

।।

ଦେବଙ୍କ ଭାଗ ଆଗ ଦେବା

କେ ବୋଲେ ଆମ୍ଭେ ଯେ ଭକ୍ଷିବା

।।

ଆମ୍ଭର ତୁଲେ ଦେବେ ଦୁଃଖୀ

କେମନ୍ତେ ଭକ୍ଷିବା ଉପେକ୍ଷି

।।

ବଳେ ଆଣିଲେ ସୁଧାକୁମ୍ଭ

ଏମନ୍ତ କହି ମହାଦମ୍ଭ

।।

କେହି କାହାକୁ ନ ଗଣନ୍ତି

ସମର୍ଥ ପଣେ ପଚାରନ୍ତି

।।

ମଧ୍ୟେ ଅମୃତ କୁମ୍ଭ ଥୋଇ

ବିଷ୍ଣୁ ମାୟାରେ ମନମୋହି

।।

ଏମନ୍ତ ସମୟେ ମୁରାରୀ

ତକ୍ଷଣେ ମାୟାରୂପ ଧରି

।।

ସ୍ୱରୂପ ହୋଇଲେ କାମିନୀ

ଅଶେଷ ଜଗତ ମୋହିନୀ

।।

ଶ୍ୟାମ ଉତ୍ପଳ ସ୍ୱରୂପିଣୀ

କାମିନିଗଣ ଶିରୋମଣି

।।

ସର୍ବ ଅବୟବ ସୁନ୍ଦର

ବିରାଜେ କଙ୍କଣ କେୟୁର

।।

ସୁନ୍ଦର ନାମ ଊରୁ ଶୋହେ

କଟୀ ଯେ ଜଗଜ୍ଜନ ମୋହେ

।।

ଉନ୍ନତ ନବ ଯଉବନୀ

ଯୌବନ ଭାରି ମଝାକ୍ଷିଣୀ

।।

ରଙ୍ଗ ଅଧର ଦନ୍ତପନ୍ତି

ହାସ୍ୟ ବଦନ ଝଟକନ୍ତି

।।

ଉତ୍ପଳ ମଲ୍ଲୀମାଳ ଶିରେ

ଶୋହେ ସୁନୀଳ କଳେବରେ

।।

ସୁଗ୍ରୀବ କଣ୍ଠ ଆଭରଣ

ଶୁଭେ ଯେ କଙ୍କଣ ଭୂଷଣ

।।

ବିରାଜେ ଅଙ୍ଗର ଭୂଷିତ

ଉଦର ନିତମ୍ବ ଶୋଭିତ

।।

କଟୀ ମେଖଳା ମନ ରଞ୍ଜି

ଉତ୍ପଳେ ମଣିରତ୍ନ ଖଞ୍ଜି

।।

ଚରଣେ ନୂପୁର ବାଜେଣି

ସୀମନ୍ତ ମଧ୍ୟେ ଶୋହେ ବେଣୀ

।।

ସର୍ବାଙ୍ଗେ ଭୂଷିତ ଭୂଷଣ

ଭୂମି ବିଳାପ ବିମୋଚନ

।।

ଅସୁରଙ୍କର ଚିତ୍ତ ହରି

ମୋହିନୀ ରୂପେ ବନ୍ଦୀ କରି

।।

ଚିତ୍ତେ ଅନଙ୍ଗ ଉଦ୍ଦୀପନ

ହରି ପଶିଲେ ତାଙ୍କ ମନ

।।

ବ୍ରାହ୍ମଣ ଜଗନ୍ନାଥ କହେ

ଅସୁରେ ହରି ମାୟା ମୋହେ

।।

ଅମୃତ ଭକ୍ଷଣ ପାଶୋରି

ବିଷ୍ଣୁଙ୍କୁ ରହିଲେ ଆବୋରି

।।

ବିଷ୍ଣୁ ମୋହିନୀ ରୂପ ବାଣୀ

ଶୁଣି ସଂସାରୁ ତର ପ୍ରାଣୀ

।।

 

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ବୈୟାସିକ୍ୟାଂ ଅଷ୍ଟମସ୍କନ୍ଧେ ବିଷ୍ଣୁ ମୋହିନୀ ରୂପ ଧାରଣ ବର୍ଣ୍ଣନେ

ନାମ ଅଷ୍ଟମୋଽଧ୍ୟାୟଃ ।

•••

 

ନବମ ଅଧ୍ୟାୟ

 

ଅସୁରେ ବସି ଏକ ମନେ

ଶୁଦ୍ଧ ସୁବର୍ଣ୍ଣ ଯଜ୍ଞ ସ୍ଥାନେ

।।

ବିବିଧ ପାନପତ୍ର ଆଣି

ଏକ ଆରକେ ବାକ୍ୟ ଭଣି

।।

ସୁହୃଦପଣ ଦୂର କଲେ

ଦୁଷ୍ଟ ଆଚାର ଆଚରିଲେ

।।

ଏମନ୍ତେ ଶୁଣ ପରୀକ୍ଷିତ

ମୋହିନୀ ରୂପେ ଜଗନ୍ନାଥ

।।

ମିଳିଲେ ଅସୁରଙ୍କ ପାଶେ

ଅମୃତ ହରଇ ବିଶ୍ୱାସେ

।।

ବିଷ୍ଣୁ ମୋହିନୀ ରୂପ ଦେଖି

ସର୍ବେ ନିଶ୍ଚଳ କଲେ ଆଖି

।।

ଚକିତେ ଅନ୍ୟୋଅନ୍ୟେ ଚାହିଁ

ବୋଲନ୍ତି ବିଷ୍ଣୁ ମାୟା ମୋହି

।।

ଦେଖି ଏରୂପ କାନ୍ତି ଧାମ

ନବ ଯୁବତୀ ଅନୁପମ

।।

କାହୁଁ ଅଇଲା କିବା ଅର୍ଥେ

ପାଦେ କରଇ ମନ୍ଦଗତେ

।।

ଏମନ୍ତ କହୁଁ କନ୍ୟା ଆଗେ

ପଥେ ମିଳିଲେ ଯାଇଁ ବେଗେ

।।

ନିଶ୍ଚଳେ ନ ପାରନ୍ତି ଚାହିଁ

ବୋଲନ୍ତି କନ୍ୟା ପାଶେ ରହି

।।

ହେ ପଦ୍ମଲୋଚନ ସୁନ୍ଦରୀ

ଯୁବତୀ ମୁନି ମନୋହାରୀ

।।

କି ତୋର ନାମ କିବା ଅର୍ଥେ

ଅଇଲ କହ ଶୁଦ୍ଧଚିତ୍ତେ

।।

କାହାର ପତ୍ନୀ ତୁ ବୋଲାଉ

ଜ୍ଞାନ ହରିଲୁ ଆମ୍ଭ ଦେହୁଁ

।।

ଆମ୍ଭେ ଯେ ଦେବତା ଅସୁରେ

ସିଦ୍ଧ ଗନ୍ଧର୍ବ ଯେ କିନ୍ନରେ

।।

ମୁନି ଚାରଣ ବିଦ୍ୟାଧର

ଯେ ଅନ୍ୟ ସିଦ୍ଧ ଯୋଗେଶ୍ୱର

।।

ଅଦୃଷ୍ଟପୂର୍ବ ରୂପ ତୁହି

ତୋତେ ତ କେହି ନ ଜାଣଇ

।।

ନିଶ୍ଚେ ଜାଣିଲୁ ତୋ ବାରତା

ତୋତେ ବା ସର୍ଜିଲା ବିଧାତା

।।

ପ୍ରାଣୀଙ୍କ ଇନ୍ଦ୍ରିୟ ହରଣେ

ମୋହିନୀ ରୂପ କି କାରଣେ

।।

ତା ରୂପ ଅଛି ମନୋହର

ତୁ ଏବେ ଆମ୍ଭ ବୋଲ କର

।।

ଆମ୍ଭେ ଯେ ଦେବତା ଦାନବେ

ବଇରି ଅଟୁ ଜ୍ଞାତି ଭାବେ

।।

ଏ ବସ୍ତୁ ବେନି ଭାଗ କରି

ଦିଅ ଗୋ ପରମା ସୁନ୍ଦରୀ

।।

କଶ୍ୟପ ପୁତ୍ର ଆମ୍ଭେ ଦୁଇ

କେବେ ଆମ୍ଭର ନ ପଡ଼ଇ

।।

ତୁମ୍ଭେ ଅମୃତ ଆମ୍ଭ ପାତ୍ରେ

ଦ୍ୱିଭାଗ କରି ଯଥା ଅର୍ଥେ

।।

ପରଷି ଦିଅ ଶୁଦ୍ଧ ଚିତ୍ତେ

ସମାନ ଭାଗ ଦିଅ ପାତ୍ରେ

।।

କେବେହେଁ ନ କରିବ ଭେଦ

ଯେମନ୍ତେ ଉଭୟ ଆନନ୍ଦ

।।

ଅସୁରଙ୍କର ବୋଲ ଶୁଣି

ମାୟା ମୋହିନୀ ଚକ୍ରପାଣି

।।

ମୋହିନୀ ମନ୍ଦହାସ ମୁଖେ

ଅପାଙ୍ଗ କଟାକ୍ଷ ସ୍ମରେଖେ

।।

ଅମୃତ ସମାନ ବଚନ

କହନ୍ତି ଜଗତ ଜୀବନ

।।

ଶ୍ରୀ ଭଗତ ଉବାଚ

ତୁମ୍ଭେ ଯେ କଶ୍ୟପ ନନ୍ଦନ

ଶୁଣ ହୋ ମୋହର ବଚନ

।।

ସ୍ୱଭାବେ ସ୍ୱାମୀ ମୋର ନାହିଁ

କୁଳଟା ବାଦ ମୋର ତହିଁ

।।

ଅସତୀ ନାରୀଙ୍କ ସ୍ୱଭାବ

କେ ଅବା ବିଶ୍ୱାସେ ଭଜିବ

।।

କହିଲି ତୁମ୍ଭ ଆଗେ ସତ

ଏମନ୍ତ ପଣ୍ଡିତଙ୍କ ମତ

।।

ଏମନ୍ତ କନ୍ୟାର ବଚନ

ଶୁଣି ହୋଇଲେ ତୋଷମନ

।।

ଭାବ ସୁଗଭୀର ବଚନ

ମନୁଷ୍ୟ ତେହ୍ନେ ସୁଧାପାନ

।।

ଅସୁରଙ୍କୁ ଏ ବାକ୍ୟ ଭଣି

ଆନ୍ଦେ ପ୍ରଭୁ ଚକ୍ରପାଣି

।।

ଅମୃତ ଭାଣ୍ଡ କରେ ଧରି

ଅଳପ ହାସ୍ୟ ମୁଖେ କରି

।।

ମୋହିନ୍ୟୁବାଚ

ମୋହିନୀ ବୋଇଲେ ବଚନ

ଶୁଣ ସକଳେ ଏକମନ

।।

ସୁର ଅସୁର ନ ଜାଣଇ

ସିଦ୍ଧି ଅସିଦ୍ଧି ସମ ଦୁଇ

।।

ଦ୍ୱିଭାଗେ ଦେବି ସୁଧାରସ

ସଂସ୍କାର ଦେହେ ତୁମ୍ଭେ ବସ

।।

ଏମନ୍ତେ ମୋହିନୀ ବଚନେ

ଶୁଣି ଦାନବେ ତୋଷମନେ

।।

ପ୍ରଥମେ ଉପବାସ କରି

ପ୍ରାତଃ ସ୍ନାନାଦି ସନ୍ଧ୍ୟା ସାରି

।।

ଆନନ୍ଦେ ଘୃତେ ହୋମ କଲେ

ଗୋ ବିପ୍ର ଚରଣେ ପୂଜିଲେ

।।

ଭୂତଙ୍କୁ ଦେଲେ ଭୂତବଳି

ସ୍ତୁତି ଯେ କଲେ ବିପ୍ରେ ମିଳି

।।

ଅଛିଦ୍ର ବସ୍ତ୍ରଯୁଗ୍ମ ପିନ୍ଧି

ଶୋଭା ସୁଗନ୍ଧ ନାନାବିଧି

।।

କୁଶ ଆସନେ ସର୍ବେ ବସି

ବଦନ କଲେ ପୂର୍ବ ଦିଶି

।।

ଧୂପ ଆମୋଦେ ଯଜ୍ଞଶାଳେ

ଆନନ୍ଦେ ବସିଲେ ସକଳେ

।।

ସୁଗନ୍ଧ ମାଲ୍ୟ ଦୀପପନ୍ତି

ଆବୋରି ପାନପତ୍ର ଛନ୍ତି

।।

ଯେ ଯଜ୍ଞଶାଳେ ନରହରି

ଅତି ମୋହିନୀ ରୂପ ଧରି

।।

ଅସୁରଙ୍କର ମନ ମୋହି

ଅମୃତ କୁମ୍ଭ ତଳେ ଥୋଇ

।।

ଅତି ମୋହିନୀ ରୂପ ଦେଖି

ଦେବତା ଅସୁରଙ୍କୁ ରଖି

।।

ରହିଲା ହରି ବକ୍ଷସ୍ଥଳେ

ସୁସଞ୍ଚ କୁଚଯୁଗ ମୂଳେ

।।

ହରି ବିଚାର କଲେ ମନେ

ଅସୁରଙ୍କର ସୁଧାପାନେ

।।

ଦେବେ ହୋଇବେ ଅରକ୍ଷିତ

ଏ କଥା ନୁହଇ ଉଚିତ

।।

ସର୍ପକୁ କ୍ଷୀର ଯେ ପିଆନ୍ତି

ସର୍ପର ଘାତେ ସେ ମରନ୍ତି

।।

ଜାତି ସ୍ୱଭାବେ ନୃଶଂସକ

ଅସୁର ନୁହନ୍ତି ବିବେକ

।।

ଏମନ୍ତେ କୃଷ୍ଣ ମନେ ଚିନ୍ତି

ବୋଇଲେ ହୁଅ ବେନିପନ୍ତି

।।

ବାମେ ଦକ୍ଷିଣେ ମୋର ବସ

କହି ହୁଅନ୍ତି ହସ ହସ

।।

ସଲଜ୍ଜେ ଅସୁରଙ୍କ ମନ

ବଳେ ହରିଲେ ଭଗବାନ

।।

ରୂପ ଦେଖନ୍ତେ ହୋଇ ଛିନ୍ନ

ବଦନୁ ନ ସ୍ଫୁରେ ବଚନ

।।

ବଞ୍ଚନା କରି ନାରାୟଣ

ଅମୃତ କଳସ ଘେନିଣ

।।

ଦୂରେ ଯେ ଦେବଗଣ ଥିଲେ

ତାହାଙ୍କ ପାତ୍ରେ ସୁଧା ଦେଲେ

।।

ଅସୁର ସୁକୃତ ପାଳନେ

ନିଶ୍ଚଳେ ବସିଲେ ମଉନେ

।।

ମାୟାରେ ମୋହିଲେ ଶ୍ରୀଧର

ବଦନୁ ନ ସ୍ଫୁରେ ଉତ୍ତର

।।

ଦେବଙ୍କୁ ପରଶିବା ବେଳେ

ରାହୁ ଯେ ଥିଲା ତାଙ୍କ ମେଳେ

।।

ଗୁପତେ ବସି ଦେବବୃନ୍ଦେ

ଅମୃତ ଭକ୍ଷିଲେ ଆନନ୍ଦେ

।।

ରବି ଶଶାଙ୍କ ତାହା ଦେଖି

ଉଠିଲେ ଆସନ ଉପେକ୍ଷି

।।

ଚାହିଁଣ ଗୋବିନ୍ଦ ବଦନେ

ନୟନ ଠାରିଲେ ମଉନେ

।।

ସୁଦରଶନେ ତାହା ଶିର

ବେଗେ ଛେଦିଲେ ଚକ୍ରଧର

।।

ଅମୃତ ପାନେ ପଡ଼େ ମୁଣ୍ଡ

ତକ୍ଷଣେ ହୋଇ ବେନି ଖଣ୍ଡ

।।

ଅମର ହୋଇଲା ତକ୍ଷଣ

ଦେଖି ସନ୍ତୋଷ ନାରାୟଣ

।।

ବୋଲଇ ବର ମାଗ ତୁହି

ରାହୁ ବୋଲଇ ବିଷ୍ଣୁ ଚାହିଁ

।।

ଭୋ ନାଥ ତୋର ଅବଶେଷ

ଅବଶ୍ୟ କରିବି ମୁଁ ଗ୍ରାସ

।।

ଶୁଣି ସନ୍ତୋଷ ମହାବାହୁ

ବୋଇଲେ ଏହି ବର ହେଉ

।।

ଏମନ୍ତ କହି ଭଗବାନ

ଗ୍ରହ ମଣ୍ଡଳେ ଦେଇ ସ୍ଥାନ

।।

ଏଣୁ ସେ ରାହୁ ସର୍ବକାଳେ

ଗିଳଇ ରବି ଚନ୍ଦ୍ରବଳେ

।।

ବଇରି ଭାବ ନ ଛାଡ଼ଇ

ଅୟନେ ଅୟନେ ଭ୍ରମଇ

।।

ଦେବଙ୍କୁ ଦେଇ ସୁଧାପାନ

ତକ୍ଷଣେ ପ୍ରଭୁ ଭଗବାନ

।।

ଦେଖନ୍ତି ଦେବତା ଅସୁର

ମାୟା ଛାଡ଼ିଲେ ଚକ୍ରଧର

।।

ମୋହିନୀ ରୂପ ଗଲା କେଣେ

ଯେ ରୂପ ଅମୃତ କାରଣେ

।।

କଠୋର ସାଧ୍ୟେ ଭଗବାନ

ଦେବଙ୍କୁ ଦେଲେ ସୁଧାପାନ

।।

ଦେଖନ୍ତି ସ୍ୱର୍ଗ ଲୋକେ ମିଳି

ଗରୁଡ଼େ ବସି ବନମାଳୀ

।।

ଚଳିଲେ ଆପଣା ଭୁବନ

ତାହାଙ୍କୁ ଚିନ୍ତି ସୁଜ୍ଞଜନ

।।

ବୋଲଇ ବିପ୍ର ଜଗନ୍ନାଥ

ଅଷ୍ଟମ ସ୍କନ୍ଧେ ଭାଗବତ

।।

 

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ବୈୟାସିକ୍ୟାଂ ଅଷ୍ଟମସ୍କନ୍ଧେ ଅମୃତ ଭକ୍ଷଣେ

ନାମ ନବମୋଽଧ୍ୟାୟଃ ।

•••

 

ଦଶମ ଅଧ୍ୟାୟ

 

ଶ୍ରୀ ଶୁକ ଉବାଚ

ନିଜ ଭୁବନେ ଗଲେ ହରି

ଶୁଣ ପରୀକ୍ଷ ଦଣ୍ଡଧାରୀ

।।

ଶତ୍ରୁଗଣଙ୍କ ସିଦ୍ଧି ଦେଖି

ସଅୁର ମନେ ମହାଦୁଃଖୀ

।।

ବଳି ସଙ୍ଗତେ ବିଚାରିଲେ

ଯୁଦ୍ଧର ଉଦ୍ୟମ ସେ କଲେ

।।

ନାନା ଆୟୁଧ ଧରି କଲେ

ମାଇଲେ ଅତି କୋପଭରେ

।।

ସିନ୍ଧୁ ମନ୍ଥନ ପ୍ରାୟ ଗୋଳ

ଧାଇଁଲେ ଚତୁରଙ୍ଗ ବଳ

।।

ଅଶ୍ୱଙ୍କୁ ଅଶ୍ୱ ସଜ କଲେ

ହସ୍ତୀଙ୍କୁ ହସ୍ତୀ ଘେନି ତୁଲେ

।।

ଓଟ ମଇଁଷି ଖର ପୃଷ୍ଠେ

ବେଗେ ଧାଇଁଲେ ଘୋର ଦୁଷ୍ଟେ

।।

ଶରଭ କନ୍ଧେ କେ ବସନ୍ତି

କେ କପି ପୃଷ୍ଠେ ଆରୋହନ୍ତି

।।

କେ ଗୃଧ୍ର କାକ ବକ କନ୍ଧେ

ବସିଲେ ଯୁଦ୍ଧର ଆରମ୍ଭେ

।।

ଅମୂଲ୍ୟ ଧନ ବଜ୍ରମୁଷ୍ଟି

ବିବିଧ ଶସ୍ତ୍ର କୁନ୍ତ ଯଷ୍ଟି

।।

ଚର୍ମ ଭୂଷିତ କଳେବର

ଭୂଷିତ କୁନ୍ତେକ ବିସ୍ତାର

।।

ନାନା ପ୍ରକାରେ ସଜ ହୋଇ

ଧାଇଁଲେ ମନେ କ୍ରୋଧ ବହି

।।

ଶଙ୍ଖ ମୃଦଙ୍ଗ ତୁରୀ ଭେରୀ

ଅତି ଉତ୍କଟ ନାଦକରି

।।

ଏମନ୍ତ ପରମ ଦାରୁଣ

ହୋଇଲା ଦେବାସୁର ରଣ

।।

ଯେ ହରିମାୟା ବିଦ୍ୟମାନେ

ଯେ ରୂପେ ସମୁଦ୍ର ମନ୍ଥନେ

।।

ଏମନ୍ତ ବିଷ୍ଣୁର ମୋହନେ

ନିରାଶ ହୋଇ ସୁଧାପାନେ

।।

ସର୍ବ ଦାନବେ ଏକମତେ

ଜଣାଇ ବଳିର ଅଗ୍ରତେ

।।

ଉଦ୍ୟମ କଲେ ଯେବା ଅର୍ଥେ

ନ ଲଭି ବିଧିର ଆୟତେ

।।

ଶତ୍ରୁଙ୍କ କାର୍ଯ୍ୟ ସିଦ୍ଧି ଦେଖି

ଭାଳି ସକଳେ ମନେ ଦୁଃଖୀ

।।

ସମସ୍ତେ ହୋଇ ଯୁଥେ ଯୁଥେ

ବିଚାର କଲେ ଏକଚିତ୍ତେ

।।

ଦେବଙ୍କୁ ବାହୁବଳେ ମାରି

ସର୍ବ ସମ୍ପଦ ନେବା ହରି

।।

ତେବେ ସେ ଜୀବନ ଆମ୍ଭର

ସଂଗ୍ରାମ ହେବ ଶ୍ରେୟସ୍କର

।।

ଏମନ୍ତ ମନରେ ବିଚାରି

ସର୍ବେ ଧାଇଁଲେ ଶସ୍ତ୍ର ଧରି

।।

ଅମୃତ ପାନେ ଦେବଗଣ

ଇଚ୍ଛନ୍ତି ଅସୁରଙ୍କ ରଣ

।।

ସ୍ୱଭାବେ ବିଷ୍ଣୁପରାୟଣ

ଭୟେ ସେ ନ କରନ୍ତି ରଣ

।।

ଏମନ୍ତେ ଦେବାସୁର ରଣ

ନିର୍ଘୋଷ ପରମ ଦାରୁଣ

।।

ଶତେ ବରଷ ନିରନ୍ତରେ

ସମର କଲେ ଦେବାସୁରେ

।।

ଶବଦ କରି ବାହୁନାଦେ

ଯୁଝନ୍ତି ବିବିଧ ଆୟୁଧେ

।।

ବଜାନ୍ତି ଶଙ୍ଖ ରଣଭେରୀ

ଟମକ ମଙ୍ଗଳ ମହୁରୀ

।।

ସକଳ ମଙ୍ଗଳ ସୁବାଦ୍ୟେ

ଗଜ ତୁରଙ୍ଗ ଘୋରନାଦେ

।।

ଶୁଭିଲା ଶବଦ ଗହଳ

ସିଦ୍ଧ ମନ୍ଥନେ ପ୍ରାୟେ ଗୋଳ

।।

ଲାଗିଲା ଯୁଦ୍ଧ ଏକେ ଏକେ

ଦନୁଜଗଣ ବୃନ୍ଦାରକେ

।।

ନାନା ବାହନେ ବିଜେକରି

ରଣେ ଧାଇଁଲେ ଶସ୍ତ୍ର ଧରି

।।

ଓଟର ପୃଷ୍ଠେ କେ ବସନ୍ତି

କେ ଅବା ଅଶ୍ୱ ଆରୋହନ୍ତି

।।

କେ ବସେ ରଥେ କେବା ଖରେ

କେ ମୃଗ ବାନର କନ୍ଧରେ

।।

କେ ବ୍ୟାଘ୍ର କେ ସିଂହ ଆରୋହେ

କେ ଗୃଧ୍ରକଙ୍କ ବଳ ଦେହେ

।।

ଜଳ ଭାସକ ତିମିଙ୍ଗଳେ

ଦୃଢ଼ ଆସନେ ବସି ବଳେ

।।

ଶରଭେ ମହିଷେ କେ ବସେ

ଗବୟ ମକ୍ଷକ ଗୋ ବୃକ୍ଷେ

।।

କେ ଶିବା କେହୁ କୃକଲାଶେ

ଶଶକେ କେ ଅବା ମାନୁଷେ

।।

ଅମୂଲ୍ୟ ରତ୍ନ ଦଣ୍ଡଛତ୍ର

ନୀଳ ଲୋହିତ ଶୀତ ପୀତ

।।

ବିରାଜେ ବାରାହ ଚାମରେ

ଚର୍ମ ଭୂଷଣ ପାଗ ଶିରେ

।।

ବିବିଧ ଶସ୍ତ୍ରେ କେ ଭୂଷଣେ

ଶୋଭନ୍ତି ଦେବା ସୁରଗଣେ

।।

ବିବିଧ ତୀକ୍ଷ୍‌ଣ ଶସ୍ତ୍ର ମୁନେ

ପ୍ରଖର ରବି ରଶ୍ମି ଯେହ୍ନେ

।।

ଏମନ୍ତେ ଦେବାସୁର ବାଳ

ମୃତ ସ୍ୱଭାବ ମହାଗୋଳ

।।

ଅତି କୁପିତ ଦେବାସୁର

କି ଅବା ଦେବା ପଟାନ୍ତର

।।

ଶୋଭନ୍ତି ମହାବୀର ରଣେ

ସାଗର ଜଳଜନ୍ତୁ ଯେହ୍ନେ

।।

ମନ ବଚନେ ଅଗୋଚର

ଭୀଷଣାକୃତି ଭୟଙ୍କର

।।

ଏମନ୍ତେ ରଥେ ବଳି ବସେ

ବୀର ବେଷ୍ଟିତ ଚଉପାଶେ

।।

ନମୁଚି ବିପ୍ରଚିତ୍ତି ବାଣ

ବଜ୍ରଦଂଷ୍ଟ୍ର ଯେ ବିଲୋଚନ

।।

ଶମ୍ବର ଆୟୋ ମୁଖ ହେତି

ଶକୁନି ତାରକ ପ୍ରହେତି

।।

ଦ୍ୱିମୃର୍ଦ୍ଧା ଅଟେ କାଳନାଭ

କୁମ୍ଭ ଇଲଳ ଯେ ନିଶୁମ୍ଭ

।।

ଅରିଷ୍ଟି ଶଙ୍କ ଶିରମୟ

ତ୍ରିପୁରାଧିପତି କାଳୟ

।।

ନିର୍ବାତ କବଚ କପିଳ

ଜୀମୁତ ଦୁନ୍ଦୁଭି ଉତ୍କଳ

।।

ପୌଲମଭୂତ ସନ୍ତାପନ

ଦୟଗ୍ରୀବ ଯେ ଚକ୍ରଷେଣ

।।

ଅରିଷ୍ଟନେମି ଆଦି ବୀରେ

ମିଳିଲେ ସମର ଭୂମିରେ

।।

ନ ପାଇ ଅମୃତର ଭାଗ

ମନେ ବହିଲେ ବଇରାଗ

।।

ସମର ମଧ୍ୟେ ବଳି ଶୋଭା

କିବା ଉପମା ତାକୁ ଦେବା

।।

ନକ୍ଷତ୍ର ମଧ୍ୟେ ପୂର୍ଣ୍ଣଶଶୀ

ଅସୁର ମଧ୍ୟେ ଯେହ୍ନେ ଦିଶି

।।

ବଳି ସଙ୍ଗତେ ପନ୍ତି ପନ୍ତି

ବଳି ଦାନବ ଗୋତ୍ର ଜ୍ଞାତି

।।

ଦେବ ଅସୁର ଘୋର ରଣେ

ବଳି ଆବୋରି ଜଣେ ଜଣେ

।।

କରନ୍ତି ସର୍ବେ ସିଂହନାଦ

ଶଙ୍ଖ ଦୁନ୍ଦୁଭି ବହୁ ବାଦ୍ୟ

।।

ଦେବଙ୍କ ଯୁଦ୍ଧ କରି ବଳେ

ବେଢ଼ିଲେ ଅଶେଷ ମଙ୍ଗଳେ

।।

ଏମନ୍ତ ବଳି ବଳ ଚାହିଁ

ସକଳ ଦେବେ କୋପ ବହି

।।

ସାଜିଲେ ସୁରପତି ସଙ୍ଗେ

ଅଶେଷ ଘୋର ରଣରଙ୍ଗେ

।।

ଅଇରାବତ କନ୍ଧେ ବସେ

ସୂର୍ଯ୍ୟ କିରଣ ପ୍ରାୟ ଦିଶେ

।।

ସେ ସୁରପତିକି ଆବୋରି

ଆନନ୍ଦେ ବାଦ୍ୟନାଦ କରି

।।

ନାନା ବାଦନ ଶସ୍ତ୍ରତୁଲେ

ଅଶେଷ ଦେବ ବିଜେ କଲେ

।।

ରଣ ଶଙ୍କୁଳ ମହାଗୋଳ

ସମୁଦ୍ର କୂଳେ ବେନି ବଳ

।।

ମିଳି ସକଳ ଦିଗପାଳ

ଶବଦ ସିନ୍ଧୁର ଉଲୋଳ

।।

ଶସ୍ତ୍ର ଉଞ୍ଚାଇ କୋପମନେ

ନାମ ଭାଷନ୍ତି ଅନ୍ୟେ ଅନ୍ୟେ

।।

ନିକଟେ ମିଳି ଘୋର ନାଦେ

ଯୁଦ୍ଧ କରନ୍ତି ଅତି କ୍ରୋଧେ

।।

ଇନ୍ଦ୍ରର ତୁଲେ କଳି ଯୁଦ୍ଧେ

ଦାରୁଣ ଦେବାସୁର ମଧ୍ୟେ

।।

ତାରକା ସଙ୍ଗେ କାର୍ତ୍ତିକେୟ

ବିଶ୍ୱକର୍ମାର ସଙ୍ଗମୟ

।।

ବରୁଣ ହେତି ବେନି ବୀରେ

ପ୍ରହତି ମିତ୍ରେ ଯୁଦ୍ଧ କରେ

।।

ଯମର ତୁଲେ କାଳନାଭ

ଯୁଦ୍ଧ କରଇ ବହି ଗର୍ବ

।।

ଶମ୍ବର ତୁଷ୍ଟା ତୁଲେ ରଣ

ସବିତା ତୁଲେ ବିରୋଚନ

।।

ଅପରାଜିତ ଯେ ନମୁଚି

ରଣେ ବସିଲେ ବହି ରୁଚି

।।

ଅଶ୍ୱିନୀ ବୃଷପର୍ବା ଘେନି

ସମର କରନ୍ତି ଏ ବେନି

।।

ସୂର୍ଯ୍ୟର ତୁଲେ ବାଣାସୁର

ରାହୁର ତୁଲେ ନିଶାକର

।।

ପୁଲୋମା ସଙ୍ଗରେ ସମର

କରଇ ଅନଳ ଯେ ବୀର

।।

ଶୁମ୍ଭ ନିଶୁମ୍ଭ ବୀର ବେନି

ଭଦ୍ରକାଳୀଙ୍କୁ ସଙ୍ଗେ ଘେନି

।।

କରନ୍ତି ଯୁଦ୍ଧ ଭୟଙ୍କର

ବୃଷାକପି ଯେ ଜୟବୀର

।।

ମହିମା ବିଭାବରୁ ସଙ୍ଗେ

ଯୁଦ୍ଧ କରଇ ନାନା ରଙ୍ଗେ

।।

ଇଲ୍ୱଳ ବାତାପି ସହିତେ

ରଣେ ପଶିଲେ ବ୍ରହ୍ମପୁତ୍ରେ

।।

ସନକ ତୁଲେ ଅରିନ୍ଦମ

ନିର୍ଭୟେ କରନ୍ତି ସଂଗ୍ରାମ

।।

ଦୁର୍ମର୍ଷ ତୁଲେ ରତିପତି

ଉତ୍କଳ ମାତାର ସଂଘତି

।।

ଇନ୍ଦ୍ର ଯେ ପଛକତି ଥିଲା

ବଳି ତାହାଙ୍କୁ ଅନାଇଲା

।।

ଯୋଚି ଅଶ୍ୱକୁ ଚାରି ବାଣ

ବେଗେ ବିନ୍ଧିଲା ଗରୁ ଟାଣ

।।

ସାରଥି ଏକ ବାଣ ଯୋଖି

ଇନ୍ଦ୍ର ଧାଇଁଲା ତାହା ଦେଖି

।।

ବଳିର ଯେତେକ ନାରାଜ

ବେଗେ ଛେଦିଲା ସୁରରାଜ

।।

ବଳିକି ଚାହିଁ ମନ୍ଦହାସେ

ବେଗେ ମିଳିଲେ ତାର ପାଶେ

।।

ଇନ୍ଦ୍ର ଅଦ୍ଭୁତ କର୍ମ ଚାହିଁ

ବଳି ଯେ ମନେ ରୋଷ ବହି

।।

ପୁଣି ଶକ୍ତି ଏ ଧରି କରେ

ପେଶଇ ବାସବ ଉପରେ

।।

ଉଲ୍‌କା ଯେସନେ ଶୂନ୍ୟମାର୍ଗେ

ପଡ଼ି ବିରାଜେ ଦଶଦିଗେ

।।

ସେ ଶକ୍ତି ବଳି ହସ୍ତେ ଥିଲା

ଈଷିତେ ଇନ୍ଦ୍ର ତା ଛେଦିଲା

।।

ତୋମାର ଶୂଳ ପାଶ ରୁଷ୍ଟି

ବଳି ହସ୍ତରୁ ବେଗେ କାଟି

।।

ନ ପାରି ମାୟା ପ୍ରକାଶିଲା

ତକ୍ଷଣେ ଅନ୍ତର୍ଦ୍ଧାନ ହେଲା

।।

ମାୟାରେ ଶିଳା ବୃଷ୍ଟି ହେଲା

ମେଘ ଗଗନେ ଆଚ୍ଛାଦିଲା

।।

ଦେବଙ୍କ ଉପରେ ବରଷେ

ବିଦ୍ୟୁତ ଯେହ୍ନେ ଦଶଦିଶେ

।।

ପୁଣି କ୍ଷଣକେ ବହୁ ଦୃଷ୍ଟି

ଶୁଷ୍କ ଇନ୍ଧନ କୋଟି କୋଟି

।।

ଦାବାଗ୍ନି ଦେବଙ୍କ ଉପରେ

ପଡ଼ନ୍ତି ମଣ୍ଡଳ ସମରେ

।।

ଶିଳା ପଡ଼ନ୍ତି ତାଙ୍କ ଶିରେ

ଗହନେ ଦେବଙ୍କ ଉପରେ

।।

ପଡ଼ନ୍ତି ମହାଘୋର ରଣେ

ବୃଶ୍ଚିକ ମହାସର୍ପଗଣେ

।।

ବରାହ ବ୍ୟାଘ୍ର ସିଂହ ହସ୍ତୀ

ସମ୍ମୁଖେ ଗର୍ଜ୍ଜନ କରନ୍ତି

।।

ଶତ ସହସ୍ର ଯାତୁଧାନ

ଅନେକ ସଇନ୍ୟ ଅଚିହ୍ନ

।।

ବିବସ୍ତ୍ର ହୋଇ ଶୂଳହସ୍ତେ

ପିଟନ୍ତି ଦେବଙ୍କର ମାଥେ

।।

ରାକ୍ଷସୀଗଣ ବହୁ ନାଦେ

ସମରେ ମିଳିଲେ ଆନନଦେ

।।

ପ୍ରଳୟ ଯେହ୍ନେ ମେଘମାଳେ

ମଳିଳିଲେ ଗଗନ ମଣ୍ଡଳେ

।।

ଗମ୍ଭୀରେ ଘୋରନାଦ କରି

ସଘନେ ବରଷନ୍ତି ବାରି

।।

ପୁଷ୍ପ କ୍ଷଣକେ ଅଗ୍ନି ବୃଷ୍ଟି

ପ୍ରକଳୟ ରାଶିରେ ପ୍ରକଟି

।।

ପ୍ରଳୟ ପ୍ରାୟେ ଅତି ବେଗେ

ଅଗ୍ନି ବେଢ଼ିଲା ଚାରିଦିଗେ

।।

ସମୁଦ୍ର ଉଲ୍ଲୋଳ ଲହରୀ

ଉଠିଲା ଘୋର ନାଦ କରି

।।

ପ୍ରଚଣ୍ଡ ବାତେ ଊର୍ମିଗଣ

ଉଠିଲେ ଦିଶନ୍ତି ଭୀଷଣ

।।

ଏମନ୍ତେ ଅସୁରଙ୍କ ମାୟା

ଦୃଶ୍ୟ ଅଦୃଶ୍ୟ ନାନା କାୟା

।।

ନାନା ପ୍ରକାର ମାୟାବଳେ

ପଶିଲା ଦେବଗଣ ମେଳେ

।।

ଅସୁର ମାୟାବଳ ଦେଖି

ତ୍ରିଦଶେ ସମର ଉପେକ୍ଷିତ

।।

ବିକଳେ ଭ୍ରମନ୍ତି ଗଗନେ

ଅସୁର ମହାବଳେ ଛନ୍ନେ

।।

ରହି ନ ପାରି ସ୍ୱର୍ଗପଥେ

ବିଷ୍ଣୁଙ୍କୁ ଧ୍ୟାନ କଲେ ଚିତ୍ତେ

।।

ଦେବଙ୍କ ଭୟ ଦେଖି ହରି

ଗରୁଡ଼ ପୃଷ୍ଠେ ବିଜେ କରି

।।

ପୀତ ବସନ ପରିଧାନ

ସୁନ୍ଦର କମଳ ଲୋଚନ

।।

ଯୁଦ୍ଧେ ଅଇଲେ ଚତୁର୍ଭୁଜେ

କର୍ଣ୍ଣେ କୁଣ୍ଡଳାରତ୍ନ ସାଜେ

।।

ଶ୍ରୀବତ୍ସ କଉସ୍ତୁଭ ମଣି

ଅମୂଲ୍ୟ ରତ୍ନପୁଞ୍ଜ ଜିଣି

।।

ଏମନ୍ତ ରୂପେ ଦଇତ୍ୟାରୀ

ଦେବଙ୍କ ମଧ୍ୟେ ବିଜେ କରି

।।

ମାୟା ଦେବଙ୍କୁ ବେଢ଼ିଥିଲା

ବିଷ୍ଣୁଙ୍କୁ ଦେଖି ନାଶଗଲା

।।

ତେବେ ସେ ଦେଖନ୍ତି ଆକାଶେ

ତମଃ ଯେସନେ ରବି ତ୍ରାସେ

।।

ଜାଗ୍ରତେ ସ୍ୱପ୍ନ ଯେହ୍ନେ ମିଛ

ଗୋବିନ୍ଦ ଦେଖନ୍ତି ପ୍ରତ୍ୟକ୍ଷ

।।

ଅସୁର ମାୟା ନାଶଗଲା

ଦେବଙ୍କୁ ନିର୍ଭୟ ହୋଇଲା

।।

ଦେବଙ୍କ ମଧ୍ୟେ କାଳନେମି

ଲୁଚି ଯେ ଥିଲା ମାୟା ଘେନି

।।

ଶୂଳ ବୁଲାଇ ଅନ୍ତରୀକ୍ଷେ

ମିଳିଲା ଗୋବିନ୍ଦ ସମ୍ମୁଖେ

।।

ପିଟିଲା ଗରୁଡ଼ ଉପରେ

ହରି ଧରିଲେ ବାମ କରେ

।।

ସେ ଶୂଳ କାଳନେମି ମୁଣ୍ଡେ

କରି ପ୍ରହାରିଲେ ପ୍ରଚଣ୍ଡେ

।।

ମାୟା ସହିତେ ମହାବୀର

ତକ୍ଷଣେ ହେଲା ଶତେଚୁର

।।

ମାଳୀ ସୁମାଳୀ ବେନି ବୀରେ

ଦେଖି ମିଳିଲେ ଅତି ଖରେ

।।

ତ୍ରିଶୂଳ ଗୋବିନ୍ଦ ଉପରେ

ପ୍ରହାର କଲେ ମହାଘୋରେ

।।

ତାହାଙ୍କ ତେଜ ଦେଖି ହରି

ସୁଦରଶନ କରେ ଧରି

।।

ସେ ବେନି ବୀରମୁଣ୍ଡ ହାଣି

ଶଙ୍ଖ ଶବଦେ ଚକ୍ରପାଣି

।।

ମିଳିଲେ ଦେବଗଣ ମଧ୍ୟେ

ତ୍ରିଦଶେ ଦେଖନ୍ତି ଆନନ୍ଦେ

।।

ସେ ହରି ଚରଣ କମଳେ

ସୁଜନେ ଚିନ୍ତି ଧ୍ୟାନବଳେ

।।

ଅଷ୍ଟମ ସ୍କନ୍ଧେ ଭାଗବତ

ଅଦ୍ଭୁତ ବିଷ୍ଣୁର ଚରିତ

।।

ଭାଷା ପ୍ରବନ୍ଧେ ନିରୂପିତ

କହିଲା ବିପ୍ର ଜଗନ୍ନାଥ

।।

 

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ବୈୟାସିକ୍ୟାଂ ଅଷ୍ଟମସ୍କନ୍ଧେ ଦେବାସୁର ଯୁଦ୍ଧେ

ନାମ ଦଶମୋଽଧ୍ୟାୟଃ ।

•••

 

ଏକାଦଶ ଅଧ୍ୟାୟ

 

ଶ୍ରୀ ଶୁକ ଉବାଚ

ହରିଙ୍କୁ ଦେଖି ଦେବଗଣେ

ପୁଣି ମିଳିଲେ ଘୋର ରଣେ

।।

ଗୋବିନ୍ଦ ଅନୁକମ୍ପା ବଳେ

ସମରେ ରହିଲେ ନିଶ୍ଚଳେ

।।

ଇନ୍ଦ୍ର ପବନ ଆଦି ବଳେ

ବେଗେ ମିଳିଲେ ଦିଗପାଳେ

।।

ନିରତେ ଅସୁରଙ୍କ ଗାତ୍ରେ

ପ୍ରହାର କଲେ ନାନା ଅସ୍ତ୍ରେ

।।

ଦେବଙ୍କ ଶସ୍ତ୍ରାଘାତେ ଫୁଟି

ଅସୁର ମଲେ କୋଟି କୋଟି

।।

ଅସୁରବଳ ଭଗ୍ନ ଦେଖି

ଇନ୍ଦ୍ର ଯେ ସମର ଉପେକ୍ଷି

।।

ବଳି ସମ୍ମୁଖେ ବେଗେ ମିଳି

ବଜ୍ର ଉଞ୍ଚାଇ ହସ୍ତ ତୋଳି

।।

ବୋଲଇ ଅତି କୋପମନେ

କର୍କଶ ଗମ୍ଭୀର ବଚନେ

।।

ତୁ ଯେ ବୋଲାଉ ମହାବୀର

ସମ୍ଭାଳ ବଜ୍ରଘାତ ମୋର

।।

ଶୂନ୍ୟେ ବୁଲାନ୍ତେ ସାତବାର

ଦେଖି କମ୍ପିଲେ ସୁରନର

।।

ବଳିକି ବଜ୍ର ପ୍ରହାରଣେ

ପ୍ରଜାଏ ହାହାକାର ରଣେ

।।

ବଳି ବଦନ ଇନ୍ଦ୍ର ଚାହିଁ

ନିନ୍ଦିତ ବଚନ ବୋଲଇ

।।

ରେ ମୁଢ଼ ମୋତେ ମାୟା କରୁ

ଜିଣିବା ପ୍ରାୟେ ମନେ ଧରୁ

।।

ନଟର ପ୍ରାୟ ମାୟା କଲୁ

ନିଜ ସ୍ୱଭାବ ଦେଖାଇଲୁ

।।

କୁହୁକେ ଯେହ୍ନେ ନଟ ଜନ

ମାୟାରେ ହରେ ପ୍ରାଣୀ ମନ

।।

ମାୟାର ବଳେ ସ୍ୱର୍ଗ ଜିଣି

ଇଚ୍ଛା କରନ୍ତି ଯେତେ ପ୍ରାଣୀ

।।

ତାହାଙ୍କୁ ସଦ୍ୟ ନାଶ ବେଗେ

ମୁହିଁ କରଇ ଅଧୋମାର୍ଗେ

।।

ଏବେ ଏମନ୍ତ ଗର୍ବ ତୋର

କୁଳିଶ ମହା ଭୟଙ୍କର

।।

ଏଣେ ତୋହର ଶିର ଛେଦି

ରଖିବି ଅମର ସମ୍ପାଦି

।।

ଏବେ ତୁ ବଜ୍ରାଘାତ ସହ

ଜ୍ଞାତିର ତୁଲେ ରୁଣ୍ଡ ହୁଅ

।।

ଏମନ୍ତ ଇନ୍ଦ୍ରର ବଚନ

ବଳି ହୋଇଲା କୋପମନ

।।

ବଳିରୁବାଚ

କାଳର ବଳେ ଏ ସଂସାରେ

ଯୁଦ୍ଧେ ମିଳନ୍ତି ଯେତେ ନରେ

।।

ଜୟ ଅଜୟ କୀର୍ତ୍ତି ନାଶ

ଏ ଆଦି ଅଟଇ ଅବଶ୍ୟ

।।

ଯୁଦ୍ଧେ ମରିଣ ଅବଶେଷ

ଯାଇ ଅକ୍ଷୟ ସ୍ୱର୍ଗେ ବସେ

।।

ଏଣୁ ସକଳ ଜନ୍ତୁଗଣ

କାଳର ପାଶେ ନିବନ୍ଧନ

।।

ପଣ୍ଡିତ ଜନେ ଏହା ଜାଣି

ଧର୍ମ ଅଧର୍ମ ପରିମାଣି

।।

ଶୋକ ହରଷ ପଥେ ମନ

କେବେହେଁ ନ କରନ୍ତି ଜାଣ

।।

ଆମ୍ଭେ ସକଳେ ଏହା ଜାଣି

ଆଗମ ନିଗମ ପ୍ରମାଣି

।।

ଏଣୁ ଏ ତୁମ୍ଭର ବଚନ

ମର୍ମ ତାଡ଼ିତ ଅଭିମାନ

।।

ଆମ୍ଭେ ଯେ କେବେହେଁ ନଗଣି

ତୁମ୍ଭର ବିବରଣ ଜାଣି

।।

ଶ୍ରୀ ଶୁକ ଉବାଚ

ଏମନ୍ତ ଇନ୍ଦ୍ର ଆଗେ କହି

ନିଜ ଧନୁରେ ଗୁଣ ଦେଇ

।।

ଆକର୍ଣ୍ଣ କରି ଦଶ ବାଣ

ବଳି ବିନ୍ଧିଲା ଗରୁ ଟାଣ

।।

ଇନ୍ଦ୍ର ଉପରେ ବାଣ ବାଜି

ତଳେ ପଡ଼ିଲା ବେଗେ ଭାଜି

।।

ଗଜ ଶରୀର ପୁଷ୍ପମାଳେ

ବାଜି ପଡ଼ଇ ଯେହ୍ନେ ତଳେ

।।

ଇନ୍ଦ୍ର ଅମୋଘ ଶକ୍ତି ଧରି

ଘୋର ହୁଙ୍କାର ନାଦ କରି

।।

ପିଟିଲା ବଳି ବକ୍ଷସ୍ଥଳେ

ଆପଣା ତେଜ ଭୁଜବଳେ

।।

ହୃଦରେ ବାଜି ଶର ଫୁଟେ

ତକ୍ଷଣେ ବକ୍ଷସ୍ଥଳ ଫାଟେ

।।

ବଳି ପଡ଼ିଲା ମହୀତଳେ

ଶୂନ୍ୟେ ଦେଖନ୍ତି ଦିଗପାଳେ

।।

ବଳିର ଭୂମିଗତ ଚାହିଁ

ଜୟ ଅସୁର ବେଗେ ଯାଇ

।।

ସଖାର ଦେଖନ୍ତେ ମରଣ

ଆବୋରି କଲା ଘୋର ରଣ

।।

ସିଂହ ବାହନେ ବେଗେ ମିଳି

ହୁଙ୍କାର ନାଦେ ଗଦା ତୋଳି

।।

ଇନ୍ଦ୍ର ଉପରେ ପ୍ରହାରିଲା

ସେ ଗଦା ହସ୍ତୀରେ ବାଜିଲା

।।

ଗଦା ପ୍ରହାରେ ଜ୍ଞାନ ହାରି

ଗଜ ପଡ଼ିଲା ଇନ୍ଦ୍ର ଧରି

।।

ଅଗ୍ର ଚରଣ ତଳେ ପଡ଼ି

ଶୁଭଇ ମେଘ ଘଡ଼ ଘଡ଼ି

।।

ପଡ଼ିଲା ଅଚେତନ ହୋଇ

ଦେଖି ମାତଳି ବେଗେ ଯାଇ

।।

ରଥେ ସହସ ଅଶ୍ୱ ଯୋଖି

ଇନ୍ଦ୍ର ନିକଟେ ଦେଲା ରଖି

।।

ବିମାନେ ବସି ସୁରପତି

ତକ୍ଷଣେ ତେଜି ନିଜ ହସ୍ତୀ

।।

ଜୟ ମାତଳି ମୁଖ ଚାହିଁ

ଧନ୍ୟ ଶବଦେ ପ୍ରଶଂସଇ

।।

ଜ୍ୱଳନ୍ତା ଶୂଳ ଘେନି ବେଗେ

ପିଟିଲା ମାତଳିର ଅଙ୍ଗେ

।।

ସେ ଶୂଳ ପ୍ରହାରେ ମାତଳି

ସହେ ସ୍ୱଭାବେ ମହାବଳି

।।

ଇନ୍ଦ୍ର ଧାଇଁଲା ଅତି ବେଗେ

ବଜ୍ର ପ୍ରହାରେ ଜମ୍ଭ ଅଙ୍ଗେ

।।

ଜମ୍ଭ ମରଣ ବଜ୍ରାଘାତେ

ପୁଣି ତାହାର ଜ୍ଞାତି ଯେତେ

।।

ନାରଦ ମୁଖୁ ବାକ୍ୟ ଶୁଣି

ଜୟ ଅଜୟ ନ ପ୍ରମାଣି

।।

ନମୁଚି ବଳ ପାକ ସଙ୍ଗେ

ବାହାର ହୁଏ ମହାରାଗେ

।।

ଇନ୍ଦ୍ର ନିକଟେ ବେଗେ ମିଳି

ପୁରୁଷ ବାକ୍ୟେ ଦେଇ ଗାଳି

।।

ନାରାଚ ବରଷେ ଗହଳେ

ଯେସନେ ଆକାଶ ମଣ୍ଡଳେ

।।

ପବନ ବଳେ ମେଘମାଳ

ପର୍ବତେ ବରଷନ୍ତି ଜଳ

।।

ଗର୍ଜ୍ଜନ କରି ବାଣପନ୍ତି

ରଥ ଉପରେ ବରଷନ୍ତି

।।

ଅଦ୍ଭୁତ ଦେଖି ଦେବରାଜ

ବିନ୍ଧିଲେ ସହସ୍ର ନାରାଚ

।।

ଶର ସମୁଦ୍ର ବେଗେ ଗଲା

ଦେଖିଣ ପାକ କୋପ କଲା

।।

ଧନୁ ଆର୍କଷି କର୍ଣ୍ଣ ବେନି

ନାରାଚ କୋପାନଳେ ଘେନି

।।

ମାତଳି ଉପରେ ପ୍ରହାରେ

ଅଦ୍ଭୁତ ଘୋର ନାଦ କରେ

।।

ନମୁଚି କରି ମହାରୋଷ

ବାଣ ବିନ୍ଧିଲା ପଞ୍ଚଦଶ

।।

ସୁବର୍ଣ୍ଣ ପକ୍ଷ ହେଲା ମୁଖେ

ଇନ୍ଦ୍ରତା ଦୂରେ ଥାଇ ଦେଖେ

।।

ପଡ଼ଇ ମାତଳି ଉପରେ

କାତର ହୋଇଲେ ଅମରେ

।।

ଏମନ୍ତ ଅସୁରଙ୍କ ଶସ୍ତ୍ର

ଭେଦିଲା ଦେବ ତାଙ୍କ ଗାତ୍ର

।।

ଶରତ କାଳେ ରବି ଯେହ୍ନେ

ଜୀମୁତ ଆଚ୍ଛାଦେ ଗଗନେ

।।

ଅସୁରଗଣ ରଥ ଦେଖି

ଦେବେ ହୋଇଲେ ମନେ ଦୁଃଖୀ

।।

ଅନାଥ ହୋଇ ସୁରବଳେ

ପଶିଲେ ଯାଇ ସିନ୍ଧୁଜଳେ

।।

ଅସୁର ବଳ ମଧ୍ୟଗତେ

ଦେବେ ସେ ପଡ଼ିଲେ ଆୟତ୍ତେ

।।

ଗର୍ଜିଲେ ଯେହ୍ନେ ପକ୍ଷୀଗଣେ

ଦେବେ ପଶନ୍ତି ଘୋର ରଣେ

।।

ଏମନ୍ତ ସମୟେ ବାସବେ

ଆବୋରିଥିଲେ ଯେ ଦାନବେ

।।

ବାହାର ହୋଇ ଦିବ୍ୟ ରଥେ

ରବି ଯେସନେ ରାତ୍ର ଅନ୍ତେ

।।

ଅସୁରଙ୍କର ଶସ୍ତ୍ର ଦେଖି

ଇନ୍ଦ୍ର ସଂଭ୍ରମ ମନେ ଦୁଃଖୀ

।।

ପୁଣି ଧାଇଁଲା ମନ ଖେଦେ

ବଜ୍ର ଉଞ୍ଚାଇ ଘୋର ନାଦେ

।।

ସେ ଅଷ୍ଟଧାରା ବଜ୍ରାଘାତେ

ଜୀମୁତେ ଯେହ୍ନେ ବଜ୍ରବାତେ

।।

ଦୈତ୍ୟର ପାଦ ଶିରହାଣି

ଘୋର ଶବଦେ ବଜ୍ରପାଣି

।।

ଦେଖି ତା ବନ୍ଧୁ ବର୍ଗବଳ

ବିକଳେ କରନ୍ତି ଗହଳ

।।

ନମୁଚି ତାର ବଧ ଦେଖି

ଅଶ୍ରୁ ନୟନେ ହୋଇ ଦୁଃଖୀ

।।

ଶୋକ ସାଗରେ ସେ ବୁଡ଼ିଲା

ପୁଣି କ୍ଷଣକେ କୋପ କଲା

।।

ଲୌହ ନିର୍ମିତ ଶୂଳ କରେ

ଘେନି ଧାଇଁଲା ଅତି ଖରେ

।।

ସେ ଶୂଳ ସୁବର୍ଣ୍ଣ ବିରାଜେ

ଚଳନ୍ତେ ଘଣ୍ଟି ରାବ ବାଜେ

।।

ସେ ଶୂଳ ଘେନି ଅତି ବେଗେ

ମିଳିଲା ସୁରନାଥ ଆଗେ

।।

ଇନ୍ଦ୍ର ଉପରେ ପ୍ରହାରିଲା

ନିର୍ଭୟେ ସିଂହନାଦ କଲା

।।

ଶୂଳ ଆସନ୍ତେ ଶୂନ୍ୟ ପଥେ

ବାସବ ଧନୁ ଧରି ହସ୍ତେ

।।

ବାଣେ ଛେଦିଲେ ଶତଖଣ୍ଡେ

ପାଷାଣେ ଯେହ୍ନେ ଛତୁପିଣ୍ଡେ

।।

ପୁଣି କୁଳିଶ ପୁରନ୍ଦର

ପେଶିଲା ନମୁଚି ଉପର

।।

ବଜ୍ର ପ୍ରହାର ନ କାଟିଲା

କନ୍ଧରୁ ଚର୍ମ ନ ଛିଡ଼ିଲା

।।

ତା ଦେଖି ଇନ୍ଦ୍ର ବିଚାରଇ

ଅଦ୍ଭୁତ ଦେଖିଲାତ ନାହିଁ

।।

ଆଉ ବଞ୍ଚିଲା ଏ କେମନ୍ତେ

ଏଣୁ ସଂଶୟ ମୋର ଚିତ୍ତେ

।।

ଏ ଶସ୍ତ୍ର ଅସୁରଙ୍କ ରଣେ

ପ୍ରହାରେ ଗଲା ଅକାରଣେ

।।

ଏମନ୍ତେ ରଣମଧ୍ୟେ ରତେ

ଶବଦ ଶୁଭେ ଶୂନ୍ୟପଥେ

।।

ଶୁଣ ହେ ଶୁକ୍ର ଏକ ଚିତ୍ତେ

ନ ଭେଦେ ଶୁଷ୍କ ଆର୍ଦ୍ର ଅସ୍ତ୍ରେ

।।

ପୂର୍ବେ ଏ କଲା ତପ ଘୋର

ଏହାକୁ ଦେଇଅଛୁଁ କର

।।

ଅଜୟ ହୋଇଲା ସ୍ୱଭାବେ

କେହି ନ ଯିବେ ଏହା ଆଗେ

।।

ଶୁଷ୍କ ଆର୍ଦ୍ରରେ ଭେଦ ମୋହେ

ଏଣୁ ତା ଦେହ ଚିର ରହେ

।।

ଏବେ ତୁ ଶୁଣ ମେଘବାନ

ଏହା ମରଣେ କର ଧ୍ୟାନ

।।

ଯେ ତୋତେ ଦିଶେ ଧ୍ୟାନ ମାର୍ଗେ

ତେଣେ ଜୀବନ ହର ବେଗେ

।।

ଏମନ୍ତ ଶୂନ୍ୟବାଣୀ ଶୁଣି

ବାସନ ଧ୍ୟାନ ମନେ ଗୁଣି

।।

ଧ୍ୟାନେ ଦେଖଇ ଜଳଫେନ

ତା ଦେଖି ବିଚାରଇ ମନ

।।

ଏ ଆର୍ଦ୍ର ଶୁଷ୍କ ନ ବୋଲାଇ

ଏଣେ ନାଶିବି ତାର ଦେହୀ

।।

ଏମନ୍ତେ ମନେ ବିଚାରନ୍ତେ

ଫେନ ମିଳିଲା ଆସି ହସ୍ତେ

।।

ନମୁଚି ଅଙ୍ଗେ ପ୍ରହାରିଲା

ତକ୍ଷଣେ ଶିର ଛିଡ଼ିଗଲା

।।

ସମରେ ନମୁଚି ମରଣେ

ମିଳିଲେ ଦେବ ଋଷିଗଣେ

।।

ଇନ୍ଦ୍ର ଉପରେ ପୁଷ୍ପ ବୃଷ୍ଟି

କରନ୍ତି ଦେବେ ନାନା ସ୍ତୁତି

।।

ଗନ୍ଧର୍ବ ଅପସରା ବୃନ୍ଦ

କରନ୍ତି ନୃତ୍ୟ ଗୀତ ନାଦ

।।

ଜୟ ଦୁନ୍ଦୁଭି ରଣେ ବାଜେ

ଦେବ ଦାନବ ରଣମାଝେ

।।

ଏହି ପ୍ରକାରେ ଦିଗପାଳେ

ବରୁଣ ପବନ ଅନଳେ

।।

ଅସୁର ବଳ ସର୍ବମାରି

ପଶୁଙ୍କୁ ଯେସନେ କେଶରୀ

।।

ଅସୁର ବଳ ଭଗ୍ନ ଶୁଣି

ନାରଦ ବାକ୍ୟେ ଶୂଳପାଣି

।।

ଦେବଗଣଙ୍କୁ ବୋଧ କଲେ

ଯୁଦ୍ଧ ନ କର ଆଜ୍ଞା ଦେଲେ

।।

ନାରଦ ସର୍ବ ଦେବଗଣେ

ପ୍ରବୋଧ କଲେ ଜଣେ ଜଣେ

।।

ନାରଦ ଉବାଚ

ବୋଲନ୍ତି ଦେବଗଣେ ଚାହିଁ

ସମର କର କିସ ପାଇଁ

।।

ସିନ୍ଧୁ ମନ୍ଥନେ ପାଇ ପ୍ରାସ

ଅସୁରେ ହୋଇଲେ ବିନାଶ

।।

ତୁମ୍ଭେ ଅମୃତ ପାନ କରି

ହେଳେ ଲଭିବ ସ୍ୱର୍ଗଶିରୀ

।।

ଶ୍ରୀ ଶୁକ ଉବାଚ

ନାରଦ ବାକ୍ୟ ଶୁଣି ଭଲେ

ତ୍ରିଦଶ ସମର ନ କଲେ

।।

ଆନନ୍ଦେ ନୃତ୍ୟ ଗୀତ କରି

ତ୍ରିଦଶ ଗଲେ ନିଜ ପୁରୀ

।।

ଯୁଦ୍ଧେ ଅସୁରେ ଯେତେ ଥିଲେ

ନାରଦ ବାକ୍ୟେ ବାହୁଡ଼ିଲେ

।।

ବ୍ରହ୍ମା ନନ୍ଦନ ବାକ୍ୟ ମାନି

ବଳିର ମୁଣ୍ଡ ପିଣ୍ଡ ଘେନି

।।

ସକଳେ ମିଳି ଏକତୁଲେ

ପଶ୍ଚିମେ ଅସ୍ତଗିରି ଗଲେ

।।

ଯେ ଅବା ଶିର ଉର ଛାଡ଼ି

ସଂଗ୍ରାମ ମଧ୍ୟେ ଥିଲେ ପଡ଼ି

।।

ଶୁକ୍ରର ମୃତ୍ୟୁ ସଂଜୀବନେ

ସକଳେ ବର୍ତ୍ତିଲେ ଜୀବନେ

।।

ବଳିକୁ ଶୁକ୍ର ଘେନି କୋଳେ

ଆସନେ ବସାଇ ନିଶ୍ଚଳେ

।।

ଯୁଦ୍ଧେ ହାରିଲା ମାନଭଙ୍ଗେ

ସମରେ ରହେ କୋପାରମ୍ଭେ

।।

ବୋଇଲେ ବିପ୍ର ଜଗନ୍ନାଥ

ସମୁଦ୍ର ମନ୍ଥନ ଚରିତ

।।

ସୁଜନେ କର ଏବେ ଭାବ

ଏ ଭାବେ ସଂସାର ତରିବ

।।

 

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ବୈୟାସିକ୍ୟାଂ ଅଷ୍ଟମସ୍କନ୍ଧେ ଦେବାସୁର ଯୁଦ୍ଧେ

ନାମ ଏକାଦଶୋଽଧ୍ୟାୟଃ ।

•••

 

Unknown

ଦ୍ୱାଦଶ ଅଧ୍ୟାୟ

 

ବାଦରାୟଣି ଉବାଚ

ବିଷ୍ଣୁ ଯେ ମୋହିନୀ ସ୍ୱରୂପେ

ଅମୃତ ହରି ମାୟା କଳ୍ପେ

।।

ଦେବଙ୍କୁ କରାଇଲେ ପାନ

ମାୟା ମୋହନେ ଭଗବାନ

।।

ଏକଥା ଜାଣି ବିପରୀତ

ବୃକ୍ଷ ଆରୋହି ବିଶ୍ୱନାଥ

।।

ସକଳେ ଭୂତଗଣ ମେଳେ

ଅମ୍ବିକା ଘେନି ନିଜ କୋଳେ

।।

ଦେଖିବା ଅର୍ଥେ ଗଲେ ହର

ଯହିଁ ବିଜୟ ମାୟାଧର

।।

ଗୋବିନ୍ଦ ମାୟା ଦେଖି ତୋଷେ

ଆସନେ ବସାଇ ହରଷେ

।।

ପୂଜିଲେ ରମା ହର ପାଦେ

ରୋମ ହରଷେ ଗଦଗଦେ

।।

ଆନନ୍ଦେ ସେ ହରଗଉରୀ

ହରଷେ ହସ୍ତେ ହସ୍ତେ ଧରି

।।

ସନ୍ତୋଷ କରି କୃଷ୍ଣ ମନ

ବୋଲନ୍ତି ମଧୁର ବଚନ

।।

ଶ୍ରୀ ରୁଦ୍ର ଉବାଚ

ହେ ଦେବ ଦେବ ଜଗତବ୍ୟାପି

ହେ ଜନ୍ମେଜୟ ବିଶ୍ୱରୂପୀ

।।

ସର୍ବ ଶରୀର ଆତ୍ମା ରୂପେ

ତୁ ନାଥ ବସୁ ଭାବକଳ୍ପେ

।।

ସକଳ ଦେହେ ତୁ ଈଶ୍ୱର

ତୁ ନାଥ ଧର୍ମ ନିରାକାର

।।

ଜଗତ ଆଦି ମଧ୍ୟ ଅନ୍ତ

ଏଣୁ ତୁ ବୋଲାଉ ଅନନ୍ତ

।।

ଚରଣ କମଳ ତୋହର

ଆଶ୍ରୟ ମୁନି ଜନଙ୍କର

।।

ବିଚାର ହେତୁ ନିରଞ୍ଜନ

ସ୍ଥିତି ଉଦୟ ସଂଯମନ

।।

ଆତ୍ମାର ଆତମା ଜ୍ଞାନରୂପୀ

ଏଣୁ ଅଶେଷ ଦେହ ବ୍ୟାପି

।।

ସଦ ଅସଦ୍ ଏକ ରୂପୀ

ଦୟା ଅଦୟା ବିଶ୍ୱରୂପୀ

।।

ତୁ ବ୍ରହ୍ମା ହେତୁ ଚିଦାନନ୍ଦ

ଅନାଦି କନ୍ଦ ଆଦିକନ୍ଦ

।।

ସମ ଅସମ ପରିସ୍ଥିତି

ପରମ ପୁରୁଷ ପ୍ରକୃତି

।।

ଯେ ଜନ ଭଜନ୍ତି ତୋ ଗତି

ତୋ ଦେହେ ସାଧୁଜନ ଉକ୍ତି

।।

ଅବ୍ୟୟ ଅନନ୍ତ ସ୍ୱରୂପୀ

ତୁ ନାଥ ସ୍ଥୂଳଶୂନ୍ୟ ବ୍ୟାପୀ

।।

ଦେବ ଦାନବ ମାୟା ଯେତେ

ତୋ ମାୟା ବଳେ ଏ ଜଗତେ

।।

ତୋ ରୂପ ନ ଜାଣନ୍ତି କେହି

ଦୁଷ୍ଟେ ଜାଣିବେ ଅବା କାହିଁ

।।

ଜଗତ ସ୍ଥିତି ଜନ୍ମ ନାଶ

ଭୂତଙ୍କ ଦେହେ ପରକାଶ

।।

ଜୀବର ବଧ ମୋକ୍ଷ ବେନି

ତୁ ନାଥ କରୁ ମାୟାଘେନି

।।

ଆକାଶେ ଯେହ୍ନେ ବାୟୁ ବହେ

ପାର୍ଥିବ ତନୁ ବହେ ଦେହେ

।।

ଅଦେହୀ କେହି ନ ଦେଖନ୍ତି

ଏମନ୍ତ ଈଶ୍ୱରଙ୍କ ଗତି

।।

ସେ ବସେ ଚରାଚର ଦେହେ

ଗଗନ ରସ ପ୍ରାୟ ରହେ

।।

ତୁ ସେ ସଂସାର ଉପକାରୀ

ତ୍ରିଗୁଣେ ନାନା ରୂପ ଧରି

।।

ଯେତେ ସାଧିଲୁ କ୍ରିୟା ଅର୍ଥେ

ସେ ରୂପେ ଦେଖିଲି ମୁଁ ତୋତେ

।।

ଏବେ ଏ ସମୁଦ୍ର ମନ୍ଥନେ

ଦେବ ଦାନବେ ଏକମନେ

।।

ଅମୃତ ଅର୍ଥେ ଅନ୍ୟେ ଅନ୍ୟେ

ତା ଦେଖି ଦେବେ ଦୁଃଖ ମନେ

।।

ତୋତେ ଚିନ୍ତିଲେ ଧ୍ୟାନ କରି

ତୁ ନାଥ ମାୟା ରୂପ ଧରି

।।

ମୋହିନୀ ରୂପେ ଭଗବାନ

ମୋହିଲେ ଅସୁରଙ୍କ ମନ

।।

ସେ ରୂପ ଦେଖାଅ ଗୋ ମୋତେ

ଦେଖିବି ଗଉରୀ ସମେତେ

।।

ଯେ ରୂପେ ପରମ ମଙ୍ଗଳେ

ମୁଁ ତା ଦେଖିବି କୁତୂହଳେ

।।

ଶ୍ରୀ ଶୁକ ଉବାଚ

ଏମନ୍ତେ ରୁଦ୍ର ମୁଖୁଁ ଶୁଣି

ହସି ବୋଲନ୍ତି ଚକ୍ରପାଣି

।।

ଶ୍ରୀ ଭଗବାନୁବା

ଅସୁର ସୁଧା ନେବାବେଳେ

ମୁହିଁ ସେ ଦେବଙ୍କ ବିକଳେ

।।

ମାୟା ମୋହିନୀ ରୂପ ଧରି

ଅସୁର ବଳେ ମାୟା କରି

।।

ଅମୃତ ଦେବଗଣେ ଦେଲି

ପୁଣି ସେ ରୂପ ସଂହାରିଲି

।।

ଏବେ ତୁ ଦେବତାର ଆଶେ

ଯେବେ ମିଳିଲୁ ମୋର ପାଶେ

।।

ଯେ ରୂପ ଦେଖାଇବି ମୁହିଁ

ଯେବେ ସମ୍ଭାଳି ପାରୁ ତୁହି

।।

କାମିନୀ ମଧ୍ୟେ କରେ ମୋହ

ପୁରୁଷ କେ ଧରିବ ଦେହ

।।

ଶ୍ରୀ ଶୁକ ଉବାଚ

ଏମନ୍ତ କହି ଭଗବାନ

ଶରୀର କରି ଅନ୍ତର୍ଦ୍ଧାନ

।।

ରୁଦ୍ର ଚାହାନ୍ତେ ଦଶ ଦିଶେ

ଗଉରୀ ସଙ୍ଗେ ପ୍ରିୟ ବଶେ

।।

ଆଗେ ଯେ ଥିଲା ଉପବନେ

ନାନା କୁସୁମ ତରୁଗଣେ

।।

ତହିଁ ବିଜୟ ଦଇତାରୀ

ଜଗନ୍ମୋହନ ରୂପ ଧରି

।।

ହସ୍ତେ କନ୍ଦୁକ ସାର ଶୋହେ

ସେ ରୂପ ଜନ ମନ ମୋହେ

।।

ନିତମ୍ବେ ବେଷ୍ଟିତ ଅମ୍ବର

କଟି ମେଖଳା ରତ୍ନ ଯାର

।।

ହୃଦ କମ୍ପଇ କୁଚଘଞ୍ଚ

ହାରକୁ କରିଛି ସୁସଞ୍ଚ

।।

ଅତି ସୁସଞ୍ଚ ପଞ୍ଚମଝା

ରୂପକୁ ପଟାନ୍ତର ଦୁଜା

।।

ସ୍ୱଭାବେ ବଡ଼ ଭୟଙ୍କର

ଖଚିତ ନାନା ଅଳଙ୍କାର

।।

ଶିରେ ସୀମନ୍ତ ମଣିମୟ

ଶ୍ରୁତିରେ ତାଟଙ୍କ ଉଦୟ

।।

ଭାଲେ ସିନ୍ଦୂର ବିନ୍ଦୁ ସାଜେ

କମଳ ଲୋଚନ ବିରାଜେ

।।

ରତ୍ନ କୁଣ୍ଡଳ ଶୋହ କର୍ଣ୍ଣେ

ଦଶନ ହସିତ ବଦନେ

।।

କବରୀ ମଧ୍ୟେ ଫୁଟି ଦିଶେ

କି ସେ କନ୍ଦର୍ପ ମୋହ ପାଶେ

।।

ଅଳକାତଳେ ବାମ କର

ସୁରଙ୍ଗ ଅଙ୍ଗୁଳି ଉପର

।।

କନ୍ଦୁକ ଦକ୍ଷ କରେ ଧରି

ଲୀଳା ବିଭ୍ରମ ମୁଖ କରି

।।

ଏମନ୍ତ ରୂପ ରୁଦ୍ର ଦେଖି

ପିଛାଡ଼ି ନ ପାରନ୍ତି ଆଖି

।।

ସଗଣ ଗଉରୀ ସମେତେ

ସକଳେ ଚାହାଁନ୍ତି ଚକିତେ

।।

ଏମନ୍ତ ମୋହିନୀର କରେ

ଥିଲା କନ୍ଦୁକ ଖସେ ଧୀରେ

।।

ତକ୍ଷଣେ ଭୂମିରେ ପଡ଼ିଲା

ପଡ଼ି କେତେ ହେଁ ଦୂର ଗଲା

।।

କନ୍ଦୁକ ଆଣିବାର ଖରେ

ବୃକ୍ଷ ଉହାଡ଼େ ରୋଷଭରେ

।।

ଧାମନ୍ତେ ଅଦ୍ଭୁତ ଅବଳା

କୁଚ ଉପରୁ ବସ୍ତ୍ର ଗଲା

।।

ପବନେ ଉଡ଼େ ଜାନୁବସ୍ତ୍ର

ବେଗେ ତୋଳିଲା ବାମହସ୍ତ

।।

ଶିବ ଯେ ଥିଲେ ଗୌରୀ ଆଗେ

ମଦନ ବାଣ ପଡ଼େ ଅଙ୍ଗେ

।।

ରୂପ ଦେଖନ୍ତେ ଲଜ୍ଜା ଛାଡ଼ି

ଧାମନ୍ତେ କାମେ ମନ ବୁଡ଼ି

।।

ରୁଦ୍ରଙ୍କୁ ଦେଖି ବେଗେ ଧାଇଁ

ବୃକ୍ଷ ଗହଳେ ସେ ଲୁଚଇ

।।

ରୁଦ୍ର ଧାଇଁଲେ ଅତି ବେଗେ

ମିଳିଲେ ବୃକ୍ଷଙ୍କର ଲାଗେ

।।

ବୃକ୍ଷର ମଧ୍ୟେ ଯାଇ ଚଳି

ସ୍ତନ ଦେଖାଇ ବସ୍ତ୍ର ତୋଳି

।।

ଦେଖି ଧାଇଁଲେ ଅତି ବେଗେ

ବସ୍ତ୍ର ଫିଟିଲା କଟି ଭାଗେ

।।

ଜଟା କଳାପ ଅସମ୍ଭାଳ

କପାଳୁ ଗଳେ ଶ୍ରମଝାଳ

।।

କରିଣୀ ଦେଖି ଯେହ୍ନେ ଗଜ

ଧାମଇ ଉଚ୍ଚେ ତୋଳି ଭୂଜ

।।

ରୁଦ୍ର ଧଇଲେ ଯାଇ କୋଳେ

ଆବୋରି ବେନିଭୂଜ ତଳେ

।।

ପୁଣି ମୋହିନୀ ଗଲା ଚଳି

ଧାମଇଁ ଜାନୁବସ୍ତ୍ର ତୋଳି

।।

କବରୀ ବନ୍ଧ ଫିଟିତଳେ

ଖସି ପଡ଼ଇ ଫୁଲମାଳେ

।।

ପୁଣି ଧରନ୍ତେ ହର କୋଳେ

ମୋହିନୀ ଗଲେ ଭୂଜତଳେ

।।

ମୁକୁଳ କେଶ ଅଧୋମୁଖେ

ଧାମଇଁ ବଦନ ସୁରେଖେ

।।

ଏମନ୍ତେ ବିଷ୍ଣୁ ମାୟାବଳେ

ଶଙ୍କର ମଦନ ବିକଳେ

।।

ପୁଣି ଧରନ୍ତେ ଭୁଜ ତୋଳି

ରୁଦ୍ର ଶରୀରୁ ରେତ ଗଳି

।।

କରିଣୀ ଅର୍ଥେ ହସ୍ତୀ ଯେହ୍ନେ

ଧାମଇଁ ଉଠିଣ ଅଜ୍ଞାନେ

।।

ରେତ ପଡ଼ିଲା ଯହିଁ ତହିଁ

ମୋହିନୀ ବସେ ମୋହ ପାଇ

।।

ତକ୍ଷଣେ ହେଲା ରୌପ୍ୟବର୍ଣ୍ଣ

ଗିରି ଗଗନ ଉପବନ

।।

ନଦୀ ସରିତ ସରୋବର

ଧାମନ୍ତେ ପଡ଼େ ରେତ ଧାର

।।

ଏମନ୍ତେ ବିଷ୍ଣୁମାୟା ବସେ

ଈଶ୍ୱର ଧାଇଁ ବନଦେଶେ

।।

ନିରାଶ ହୋଇ ନିବର୍ତ୍ତିଲେ

ଗଉରୀ ନିକଟେ ମିଳିଲେ

।।

ବିଷ୍ଣୁ ମାୟାରେ ମୋହି ମନ

ରୁଦ୍ର ହୋଇଲେ ଛନ୍ନ ଛନ୍ନ

।।

ନିଜ ମୂରତି ଧରି ହରି

ହର ସନ୍ନିଧେ ବିଜେ କରି

।।

କହନ୍ତି ରୁଦ୍ର ମୁଖ ଚାହିଁ

କୋମଳ ବାକ୍ୟେ ଭାବଗ୍ରାହୀ

।।

ଶ୍ରୀ ଭଗବାନୁବାଚ

ହେ ଦେବ ଦେବ ଜଗନ୍ନାଥ

ଇଚ୍ଛାରେ ହେଲୁ ତୁ ମୋହିତ

।।

ଜଗତ ଜନ ମାୟାବଳେ

ଭ୍ରମନ୍ତି ଅବନୀ ମଣ୍ଡଳେ

।।

ନାନା ପ୍ରକାରେ ତନୁ ଧରି

କେବା ପାରିବ ତହୁଁ ତରି

।।

ଭୋ ରୁଦ୍ର ମହିମା ତୋହର

ଅଜ୍ଞାନୀ ଜନେ ଅଗୋଚର

।।

ତୁ ନାଥ ନିଜ ମାୟାବଳେ

ତ୍ରିଗୁଣ ଗ୍ରାସୁ ଅନ୍ତଃକାଳେ

।।

ଯେ ବିଷ୍ଣୁମାୟା ଗୁଣମୟୀ

ସେ ତୋତେ ଆଉ ନ ଲାଗଇ

।।

ଶ୍ରୀ ଶୁକ ଉବାଚ

ଶୁଣ ରାଜନ ଏକଚିତ୍ତେ

ରୁଦ୍ରଙ୍କୁ ପ୍ରବୋଧି ଏମନ୍ତେ

।।

ଶିବଙ୍କୁ ପ୍ରଦକ୍ଷିଣ କରି

ନିଜ ଭୁବନେ ଗଲେ ହରି

।।

ରୁଦ୍ର ଭବାନୀଗଣ ତୁଲେ

ନିଜ ଭୁବନେ ବିଜେ କଲେ

।।

ରୁଦ୍ରଙ୍କ ମଧ୍ୟ ହର ବସି

ବିଷ୍ଣୁର ମାୟା ପରଶଂସି

।।

ଶୁଣ ଗୋ ପ୍ରିୟେ କହି ଯାହା

ଦେଖିଲୁ ବିଷ୍ଣୁଙ୍କର ମାୟା

।।

ଅଶେଷ ଜନମନ ହରେ

କେବା ସେ ମାୟାରୁ ନିସ୍ତରେ

।।

ମୁଁ ମାୟାଧରଙ୍କର ଈଶ

ତା ମାୟା ଦେଖି କଲି ତ୍ରାସ

।।

ତା ମାୟାବଳେ ମୋହ ଶିବ

ଅନ୍ୟ କେ ସେ ମାୟା ତରିବ

।।

ବିଷ୍ଣୁର ମାୟା ଅଗୋଚର

ଯହିଁ ଭ୍ରମନ୍ତି ବ୍ରହ୍ମାସୁର

।।

ଏମନ୍ତେ ହରିର ମହିମା

କେ କହିପାରେ ଗୁଣସୀମା

।।

ଯେ ହରି ଜଗତ ଉଦ୍ଧରେ

ମାୟାରେ ନାନା ରୂପ ଧରେ

।।

ତାର ଚରିତ ଶୁଣି କର୍ଣ୍ଣେ

ମୁଖେ ଗୁଣନ୍ତି ଯେବା ଜନେ

।।

ଯେ ଅବା ପ୍ରସ୍ତାବେ କହନ୍ତି

ଘୋର ସଂସାରୁ ସେ ତରନ୍ତି

।।

ବୋଲଇ ବିପ୍ର ଜଗନ୍ନାଥ

ଭାଷା ପ୍ରବନ୍ଧେ ଭାଗବତ

।।

ଅଷ୍ଟମସ୍କନ୍ଧେ ହରିବାଣୀ

ଶୁଣି ସଂସାରୁ ତର ପ୍ରାଣୀ

।।

 

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ବୈୟାସିକ୍ୟାଂ ଅଷ୍ଟମସ୍କନ୍ଧେ ଶଙ୍କର ମୋହନ ସମ୍ବାଦେ

ନାମ ଦ୍ୱାଦଶୋଽଧ୍ୟାୟଃ ।

•••

 

ତ୍ରୟୋଦଶ ଅଧ୍ୟାୟ

 

ଶ୍ରୀ ଶୁକ ଉବାଚ

ଶୁଣ ହେ ଅଭିମନ୍ୟୁ ସୁତ

କହିବା ମନୁବଂଶ ଜାତ

।।

ସୂର୍ଯ୍ୟ ତନୟ ଅନୁପମ

ତାହାର ଶ୍ରଦ୍ଧାଦେବ ନାମ

।।

ସପ୍ତମେ ବର୍ତ୍ତମାନ ଜାତ

ଶୁଦ୍ଧ ସୁଗୁଣ ସୁବିଖ୍ୟାତ

।।

ତାର ସନ୍ତତି ହେଲେ ଯେତେ

କହିବା ଶୁଣ ଏକ ଚିତ୍ତେ

।।

ଈକ୍ଷ୍ୱାକୁ ସର୍ଯାତି ନଭଗ

ଧୃଷ୍ଟ ନରିଷ୍ୟନ୍ତି ନାଭାଗ

।।

ସପ୍ତମେ ଦିଷ୍ଟ ନାମ କହି

କରୁଷ ପୃଷଧୁ ଏ ଦୁଇ

।।

ଦଶମ ପୁତ୍ର ବସୁମାନ

ଏ ନାମେ ପୁତ୍ର ବିଦ୍ୟମାନ

।।

ସେ ମନୁକାଳେ ଦେବଗଣ

ତାହାଙ୍କ ନାମ ଏବେ ଶୁଣ

।।

ଆଦିତ୍ୟ ବସୁ ରୁଦ୍ର ଗୁଣ

ବିଶ୍ୱଦେବ ଯେ ମରୁଦ୍‌ଗଣ

।।

ଅଶ୍ୱିନୀ ରୁଦ୍ରଙ୍କ ସମେତ

ଦେବତାଗଣ ଏ ବିଖ୍ୟାତ

।।

ତାହାଙ୍କ ମଧ୍ୟେ ବେଦବର

ଇନ୍ଦ୍ରର ନାମ ପୁରନ୍ଦର

।।

ସେ ମନୁକାଳେ ସପ୍ତଋଷି

ଭ୍ରମନ୍ତି ଧ୍ରୁବ ଚକ୍ରେ ବସି

।।

କଶ୍ୟପ ଅତ୍ରି ଋଷି ଶ୍ରେଷ୍ଠ

ତୃତୀୟ ମୁନି ଯେ ବଶିଷ୍ଠ

।।

ବିଶ୍ୱାମିତ୍ର ଯେ ଗଉତମ

ଷଷ୍ଠରେ ଯମଦଗ୍ନି ନାମ

।।

ଭରଦ୍ୱାଜ ଏ ସପ୍ତମୁନି

ଜ୍ଞାନେ ଭ୍ରମନ୍ତି କର୍ମ ଘେନି

।।

ଯେ ବୈ ବସ୍ୱତ ମନୁକଳ୍ପେ

ଗୋବିନ୍ଦ ବାମନ ସ୍ୱରୂପେ

।।

ଜନ୍ମିଲେ ଅଦିତି ଉଦରେ

କଶ୍ୟପ ଋଷିଙ୍କର ଘରେ

।।

ଏ ସପ୍ତ ମନ୍ୱନ୍ତରେ ଯେତେ

ଭାବି କହିଲି ତୋ ଅଗ୍ରତେ

।।

ଏବେ ଭବିଷ୍ୟ ମନୁ ସାତ

ଶୁଣ ସୁମନେ ପରୀକ୍ଷିତ

।।

ବିଶ୍ୱକର୍ମାର କନ୍ୟା ବେନି

ସୂର୍ଯ୍ୟେ ବରିଲେ ଭାବ ଘେନି

।।

ରୂପେ ଦିଶଇ ଅନୁପମ

ତାଙ୍କର ସଂଜ୍ଞା ଛାୟା ନାମ

।।

ସୂର୍ଯ୍ୟର ତେଜ ଅସହନେ

ସଂଜ୍ଞା ଯେ ଅଶ୍ୱରୂପେ ବନେ

।।

ପ୍ରଥମେ ସୂର୍ଯ୍ୟତୁଲେ ରମି

ସଂଜ୍ଞା ପ୍ରସବେ ପୁତ୍ର ତିନି

।।

ଯମ ଯମୁନା ଭାଇ ଭଗ୍ନି

ଜନ୍ମିଲେ ଶ୍ରଦ୍ଧା ଦେବ ତିନି

।।

କହୁ ଅଛଇ ତୋତେ ଭାବେ

ଛାୟାର ଜନ୍ମ ଶୁଣ ଏବେ

।।

ସାବର୍ଣ୍ଣି ନାମେ ଏକ ସୁତ

କନ୍ୟା ତପତି ନାମେ ଜାତ

।।

ତୃତୀୟ ପୁତ୍ର ଶନୈଶ୍ଚର

ଏବେ ହୋ ଶୁଣ ନୃପବର

।।

ସାବର୍ଣ୍ଣି ଅଷ୍ଟ ମନ୍ୱନ୍ତରେ

ଭଜିଲା ସଂସାର ବେଭାରେ

।।

ନିର୍ମୋକ ବିରଜସ୍ୱ ଆଦି

ସାବର୍ଣ୍ଣି ତନୟା ସମ୍ପାଦି

।।

ବିରଜା ଆଦି ଦେବଗଣେ

ଜନ୍ମିଲେ ସଂସାର କାରଣେ

।।

ତାଙ୍କ ପାଳନେ ପ୍ରତିବନ୍ଧେ

ବଳି ବସଇ ଇନ୍ଦ୍ରପଦେ

।।

ତାହାଙ୍କୁ ଛଳିବେ ବାମନ

ଯଜ୍ଞେ ସେ ପୃଥ୍ୱୀ ଦେବେ ଦାନ

।।

ତିନି ଚରଣ ଦାନ ଦେଇ

ବାମନ ପାଦ ମୁଣ୍ଡ ବହି

।।

କେତେ ହେଁ ଦିନ ଦାନ ଫଳେ

ସେ ଭୋଗେ ଭୁଞ୍ଜିବ ସୁତଳେ

।।

ସ୍ୱର୍ଗେ ବସିଣ ଇନ୍ଦ୍ରପଣେ

ଅନ୍ତେ ପଶିବ ନାରାୟଣେ

।।

ସେ କଳିକାଳେ ସପ୍ତମୁନି

ଉଦୟ ନିଜ ତେଜ ଘେନି

।।

ଯେଣେ ଏ ସଂସାର ଧାରଣ

ତାହାଙ୍କ ନାମ ଏବେ ଶୁଣ

।।

ଗାଲବ ଦୀପ୍ତିମାନ ରାମ

କୃପାଚାର୍ଯ୍ୟେ ସେ ଅଶ୍ୱତ୍‌ଥାମ

।।

ଆବର ଋଷ୍ୟଶୃଙ୍ଗ ପୁଣି

ମୋହର ପିତା ବ୍ୟାସମୁନି

।।

ଏ ଆଦି ସପ୍ତଋଷି ଗଣେ

ବ୍ରହ୍ମାର ଆଜ୍ଞା ପରମାଣେ

।।

ହୋଇବେ ଭବିଷ୍ୟତ କାଳେ

ଅଛନ୍ତି ଆଶ୍ରମ ମଣ୍ଡଳେ

।।

ଏହି ସାବର୍ଣ୍ଣି ମନ୍ୱନ୍ତରେ

ବିଷ୍ଣୁ ଯେ ଦେବ ଗୁହ୍ୟ ଘରେ

।।

ସରସ୍ୱତୀ ଯେ ଗର୍ଭୁଜାତ

ନାମରେ ସାର୍ବଭୌମ ଖ୍ୟାତ

।।

ସେ କାଳ ବିଷ୍ଣୁ ନିଜ ଭାବେ

ବଳିକି ଇନ୍ଦ୍ରପଦ ଦେବେ

।।

ବରୁଣ ଭବନେ ନବମେ

ଦକ୍ଷ ସାବର୍ଣ୍ଣି ତନୁ ଜନ୍ମେ

।।

ପୁତ୍ର ଜନ୍ମିବେ ତୋର ରେତୁଁ

ଯେ ଭୁତକେତୁ ଦିପ୍ତୀକେତୁ

।।

ପାର ମରୀଚି ଗର୍ଭୁ ଆଦି

ଏ ନାମେ ଦେବତା ପ୍ରସିଦ୍ଧି

।।

ଦେବ ଅଦ୍ଭୁତ ନାମେ ଇନ୍ଦ୍ର

ଭୋଗ କରିବ ସ୍ୱର୍ଗପଦ

।।

ଋଷିଏ ଦ୍ୟୁତିମାନ ଆଦି

ସେ ମନୁ ସମୟେ ସମ୍ପାଦି

।।

ବିକ୍ଷ ଯେ ଆୟୁଷ୍ମାନ ଘରେ

ସେ ଆୟୁଧାରାର ଗର୍ଭରେ

।।

ଋଷଭ ନାମେ ଜାତ ହେବେ

ଇନ୍ଦ୍ରକୁ ସ୍ୱର୍ଗପଦ ଦେବେ

।।

ଦଶମେ ଉପଶୋକ ସୁତ

ବ୍ରହ୍ମା ସାବର୍ଣ୍ଣି ସେ ବିଖ୍ୟାତ

।।

ତାର କୁମରେ ବ୍ରହ୍ମବାଦୀ

ଜନ୍ମିବେ ଭୂରିଷେଣ ଆଦି

।।

ସୁକୃତି ସତ୍ୟ ହରିଷ୍ମାନ

ଜୟ ଆବର ମୂର୍ତ୍ତି ପୁଣ

।।

ଏ ଆଦି ଋଷିଏ ବ୍ରାହ୍ମଣ

ଏବେ ଦେବତା ନାମ ପୁଣ

।।

ଅବିରୁଦ୍ଧ ଯେ ସୁବାସନ

ଇନ୍ଦ୍ରର ନାମ ଶମ୍ଭୁ ଜାଣ

।।

ବିଷ୍ଣୁ ଯେ ବିଶ୍ୱସ୍ରଷ୍ଟା ଘରେ

ଜନମି ବିସୁଚି ଉଦରେ

।।

ବିଶ୍ୱକସେନ ନାମ ବହି

ପାଳିଲେ ନିଜ ଧର୍ମେ ମହୀ

।।

ବିଶ୍ୱକସେନ ଶମ୍ଭୁ ସଙ୍ଗେ

ମିତ୍ର ହୋଇବେ ସତ୍ୟଯୁଗେ

।।

ଧର୍ମ ସାବର୍ଣ୍ଣି ନାମେ ଖ୍ୟାତ

ଯେ ଏକାଦଶେ ମନୁଜାତ

।।

ସତ୍ୟ ଧର୍ମାଦି ଦଶସୁତ

ତା ଗର୍ଭୁ ହୋଇବେ ସମ୍ଭୁତ

।।

ନିର୍ବାଣ ରୁଚି ବିହଙ୍ଗମ

ଦେବଙ୍କ ନାମ କାଳରାମ

।।

ଇନ୍ଦ୍ର ହୋଇବ ବଇଧୃତ

ଋଷି ଯେ ବରୁଣ ସମ୍ଭୁତ

।।

ବୈଧୃତା ଗର୍ଭେ ବିଶ୍ୱକେତୁ

ଜନମି ସେ ଆର୍ଯ୍ୟକ ରେତୁ

।।

ସେ ଇନ୍ଦ୍ର ବିଶ୍ୱକେତୁ ବଳେ

ତ୍ରୈଲୋକ୍ୟ ପାଳିବ ନିଶ୍ଚଳେ

।।

ରୁଦ୍ର ସାବର୍ଣ୍ଣି ଯେ ଦ୍ୱାଦଶେ

ଜନ୍ମିବେ ନାରାୟଣ ଆଶେ

।।

ଉପଦେଶ ଯେ ଦେବବାନ

ଦେବ ଶ୍ରେଷ୍ଠ ଯେ ତା ନନ୍ଦନ

।।

ଇନ୍ଦ୍ର ହୋଇବେ ଋତୁ ଧାମ

ଦେବତା ହରିତାଦି ନାମ

।।

ତପସ୍ୱୀ ପୁଣି ତପୋମୂର୍ତ୍ତି

ଅଗ୍ନିଧ୍ରକାଦି ଋଷି ସ୍ଥିତି

।।

ମୁଧାମା ନାମ ଦେବ ହରି

ସୁନୃତା ଗର୍ଭେ ଅବତରି

।।

ଦୈତ୍ୟ ସଂହାରି ବିପ୍ରଘରେ

ସାଧିବେ ଏହି ମନ୍ୱନ୍ତରେ

।।

ଦେବ ସାବର୍ଣ୍ଣି ତ୍ରୟୋଦଶ

ଜନ୍ମିବେ ନାରାୟଣ ଅଂଶ

।।

ବିଚିତ୍ର ଚିତ୍ରସେନ ଆଦି

ଦେବସାବର୍ଣ୍ଣି ପୁତ୍ର ସାଧି

।।

ସୁକର୍ମା ସୁକ୍ରମା ଏ ଆଦି

ଦେବତା ରୂପେଣ ପ୍ରସିଦ୍ଧି

।।

ଇନ୍ଦ୍ର ହୋଇବେ ଦିବ୍ୟସ୍ପତି

ଏବେ ହୋ ଶୁଣ ନରପତି

।।

ନିର୍ମୋକ ତତ୍ତ୍ୱ ଦରଶନ

ହୋଇବେ ସପ୍ତଋଷି ଗଣ

।।

ହରିର ଅଂଶେ ଯୋଗେଶ୍ୱର

ଔରସେ ଦେବହୋତ୍ରଙ୍କର

।।

ବୃହତୀ ଗର୍ଭୁଜାତ ହେବେ

ଇନ୍ଦ୍ରଙ୍କୁ ସାହାଯ୍ୟ କରିବେ

।।

ଇନ୍ଦ୍ର ସାବର୍ଣ୍ଣି ଚତୁର୍ଦ୍ଦଶେ

ହୋଇବେ ନାରାୟଣ ଅଂଶେ

।।

ଉରୁ ଗମ୍ଭୀର ବ୍ରଧ୍ନ ତୁଲେ

ତାହାର ସନ୍ତାନ ଜନ୍ମିଲେ

।।

ପବିତ୍ର ରାକ୍ଷସ ନାମରେ

ଦେବତା ସେହି ମନ୍ୱନ୍ତରେ

।।

ହୋଇବ ଶୁଚି ନାମେ ଇନ୍ଦ୍ର

ସୁଖେ ପାଳିବ ଦେବବୃନ୍ଦ

।।

ଅଗ୍ନି ବାହୁ ଯେ ଶୁଚି ଶୁଦ୍ଧି

ମଗଧ ଆଦି ଋଷି ସିଦ୍ଧି

।।

ବୃହଦଭାନୁ ଅବତାରେ

ବିଷ୍ଣୁ ଯେ ସକାତ୍ରୟ ଘରେ

।।

ଜନ୍ମିବେ ବିନତା ଉଦରେ

ଏବେ ହୋ ଶୁଣ ନୃପବରେ

।।

ଚତୁରଦଶ ମନୁଯେତେ

ଭାବେ କହିଲି ତୋ ଅଗ୍ରତେ

।।

କଳ୍ପ ଯେ ମନୁ ଚତୁର୍ଦ୍ଦଶ

ଏ ଭାବେ ବ୍ରହ୍ମାର ଦିବସ

।।

ସହସ୍ର ଯୁଗ ବେଦମତେ

କଳ୍ପେ ହୋଇଲା ଏ ଜଗତେ

।।

ଏମନ୍ତେ ବେନି କଳ୍ପ ଗଲେ

ବ୍ରହ୍ମାଙ୍କୁ ଅହୋରାତ୍ର ଭଲେ

।।

ଏମନ୍ତେ ଶୁକ ମୁଖୁ ଶୁଣି

ରାଜା ହୋଇଲେ ମନେ ଗୁଣି

।।

ରାଜୋବାଚ

ଏ ଭାବେ ବ୍ରହ୍ମାର ଦିବସ

ଭାଷନ୍ତି ମନୁ ଚତୁର୍ଦ୍ଦଶ

।।

ଯେ ମନୁକାଳେ ସେବା ଧର୍ମ

ଯଜ୍ଞ ସ୍ୱଭାବେ ଯଥା କର୍ମ

।।

ବିଷ୍ଣୁର ଆଜ୍ଞା ପରମାଣେ

ଯେବା ସାଧିଲେ ଜଣେ ଜଣେ

।।

ସେ କଥା କହ ମୁନି ମୋତେ

କେ ଅବା କର୍ମ କଲେ କେତେ

।।

ଏମନ୍ତେ ରାଜା ମୁଖୁଶୁଣି

ପୁଣି କହନ୍ତି ଶୁକ ମୁନି

।।

ଶ୍ରୀ ଶୁକ ଉବାଚ

ଯେ ମୁନି ମନୁଙ୍କ ତନୁଜେ

ସେ ସପ୍ତଋଷି ସୃଷ୍ଟିମାଝେ

।।

ଏ ଯେତେ ଦେବ ଇନ୍ଦ୍ରଗଣ

ଏ ସର୍ବ ରୂପ ନାରାୟଣ

।।

ଯଜ୍ଞାଦି କ୍ରିୟା ତା ଶରୀର

ସେ ହରି ଧର୍ମ ନିରାକାର

।।

କଳ୍ପ ଅନ୍ତରେ କାଳବଳେ

ତ୍ରୈଲୋକ୍ୟ ନାଶନ୍ତି ସଲିଳେ

।।

କାଳ ଗ୍ରାସଇ ଶ୍ରୁତିପଥ

ତ୍ରୈଲୋକ୍ୟ ଦିଶଇ ଅନାଥ

।।

ଋଷିଏ ମିଳି ତପବଳେ

ଧର୍ମକୁ ଚିନ୍ତନ୍ତି ସକଳେ

।।

ଧର୍ମ ପାଳନ୍ତି ମୁନିଗଣେ

ସ୍ମୃତି ସଂଯୋଗେ ବିଚାରଣେ

।।

ଇନ୍ଦ୍ର ପାଳଇ ତ୍ରିଭୁବନ

ଆଦ୍ୟରୁ ବିଷ୍ଣୁର ବଚନ

।।

ସେ ହରି ଧରି ସିଦ୍ଧରୂପ

ଯେଣେ ତା ଧର୍ମ ଆଦି କଳ୍ପ

।।

ଆତ୍ମାର ମାୟା ଯୋଗବଳେ

ନାମ ଶରୀର ଏ ଶୟଳେ

।।

ବିହାର କଲ ପଦ୍ମନାଭ

ଚାଲିଲା ଭବଜଳେ ନାବ

।।

ଦୃଶ୍ୟେ ଅଦୃଶ୍ୟେ ସେ ନ ମିଶେ

ସେ ବେଳେ ଭକ୍ତ ଜନ ଦିଶେ

।।

କହିଲୁ କଳ୍ପ ସଂଖ୍ୟା ତୋତେ

କଳ୍ପ ଭୁଞ୍ଜନ୍ତି ମନୁ ଯେତେ

।।

ଯେ ଏହା ଶୁଣେ କର୍ଣ୍ଣପଥେ

ନିଶ୍ଚଳ ମନେ ଶୁଦ୍ଧ ଚିତ୍ତେ

।।

ତିଳେ ନ ରହେ ଭବକ୍ରାନ୍ତି

ଘୋର ସଂସାରୁ ତରିଯାନ୍ତି

।।

ବୋଲଇ ବିପ୍ର ଜଗନ୍ନାଥ

ଭାଷା ପ୍ରବନ୍ଧେ ଭାଗବତ

।।

ଅଷ୍ଟମସ୍କନ୍ଧେ ହରିବାଣୀ

ଭବ ସଂସାରୁ ତର ପ୍ରାଣୀ

।।

 

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ବୈୟାସିକ୍ୟାଂ ଅଷ୍ଟମସ୍କନ୍ଧେ କଳ୍ପସଂଖ୍ୟା ବର୍ଣ୍ଣନେ

ନାମ ତ୍ରୟୋଦଶୋଽଧ୍ୟାୟଃ ।

•••

 

ଚତୁର୍ଦ୍ଦଶ ଅଧ୍ୟାୟ

 

ପରୀକ୍ଷିତ ଉବାଚ

ଶୁକ ଚରଣ କରେ ଧରି

ବୋଲେ ପରୀକ୍ଷ ଦଣ୍ଡଧାରୀ

।।

ଭୋ ମୁନି ତୋର ମୁଖୁ ଶୁଣି

ଦୁର୍ଗମ ଅସମ୍ଭବ ବାଣୀ

।।

ସଂଶୟ କଲି ମୁହିଁ ଚିତ୍ତେ

ସେ କଥା କହ ଏବେ ମୋତେ

।।

ବଳିର ଯଜ୍ଞ ଭଗ୍ନ ଅର୍ଥେ

ବାମନ ଜନ୍ମିଲେ କେମନ୍ତେ

।।

ତାହାର ଅତି ତପ ବଳେ

ଜନ୍ମ ଲଭିଲେ କାହା କୁଳେ

।।

ଧରଣୀ ତିନିପାଦ ଦାନେ

ବଳିକି ଛଳିଲେ ବାମନେ

।।

ସେ ବଳି ସ୍ୱଭାବେ ଈଶ୍ୱର

ଅଶେଷ ଦେବେ ଅଧିକାର

।।

କୃପଣ ପ୍ରାୟେ ତାକୁ ଧରି

କିମ୍ପା ବାନ୍ଧିଲେ ମଧୁହାରୀ

।।

ଏମନ୍ତ ରାଜା ବାକ୍ୟ ଶୁଣି

ଶୁକ କହନ୍ତି ପରିମାଣି

।।

ଶୁଣ ହେ ଅଭିମନ୍ୟୁ ସୁତ

ଅଦ୍ଭୁତ ବିଷ୍ଣୁର ଚରିତ

।।

ଶ୍ରୀ ଶୁକ ଉବାଚ

ଯେମନ୍ତେ ବିଶ୍ୱରୂପ ଛଳେ

ବଳିକି ଚାପିଲେ ପାତାଳେ

।।

ସର୍ବେ ଯେ ଦେବାସୁର ପଣେ

ଯୁଦ୍ଧେ ଜିଣିଲେ ଦେବଗଣେ

।।

ବଳି ସହିତ ମରିଗଲେ

ଶେଷେ ଦାନବ ଯେତେ ଥିଲେ

।।

ବଳିର ମୃତପିଣ୍ଡ ନେଇ

ପଶ୍ଚିମ ଗିରିପୃଷ୍ଠେ ଥୋଇ

।।

ଶୁକ୍ରଙ୍କୁ ଆଣି ଗଉରବେ

ବିଶ୍ୱାସି କହିଲେ ଦାନବେ

।।

ଅସୁରଙ୍କର ଭାବ ଘେନି

ଶୁକ୍ର ଯେ ମୃତ୍ୟୁ ସଞ୍ଜୀବନୀ

।।

ମନ୍ତ୍ରେ ଜୀଆଁଇଲେ ତକ୍ଷଣେ

ଯେତେକ ମରିଥିଲେ ରଣେ

।।

ସକଳେ ଉଠିଲେ ତକ୍ଷଣେ

ନମିଲେ ଶୁକ୍ରଙ୍କ ଚରଣେ

।।

ବୋଲନ୍ତି ଶୁକ୍ର ମୁଖ ଚାହିଁ

ଅନାଥ ହୋଇଲୁ ଗୋସାଇଁ

।।

ଦେବେ ଯେ ଅମୃତ ଭକ୍ଷଣେ

ଅମର ହୋଇ ଘୋର ରଣେ

।।

ଆମ୍ଭଙ୍କୁ ମାରିଗଲେ ସର୍ବେ

ତୁମ୍ଭେ ଜୀବନ ଦେଇ ଏବେ

।।

ତୁମ୍ଭେ ଯେ ଆମ୍ଭର ସହାୟ

ଏବେ କି କରିବୁ ହେ କହ

।।

ଏମନ୍ତେ ଅସୁରଙ୍କର ବାକ୍ୟେ

ଶୁକ୍ର ଚିନ୍ତିଲେ ବସି ଏକେ

।।

ବିଚାର କରି ଶୁଦ୍ଧଚିତ୍ତେ

କହନ୍ତି ବଳିର ଅଗ୍ରତେ

।।

ତୁ ମହାଯଜ୍ଞ ବେଗେ କର

ଯେମନ୍ତେ ଜିଣିବୁ ସମର

।।

ଏମନ୍ତେ ଗୁରୁବାକ୍ୟ ଶୁଣି

ବଳି ଯଜ୍ଞର ବିଧି ଆଣି

।।

ଋତ୍ୱିଜ କରି ଜଣେ ଜଣେ

ବରିଲା ଯଜ୍ଞର କାରଣେ

।।

ତ୍ରିଜୟ ନାମେ ଦେବ କ୍ରତୁ

କଲା ଅସୁର ଜୟ ହେତୁ

।।

ବ୍ରାହ୍ମଣେ ମିଳି ବେଦବାକ୍ୟେ

ମାର୍ଜନା କଲେ ଏକେ ଏକେ

।।

ତ୍ରୈଲୋକ ମଧ୍ୟେ ରାଜା ଏକ

ଏ ଭାବେ କଲେ ଅଭିଷେକ

।।

ସୁବର୍ଣ୍ଣ ରଥେ ମନ୍ତ୍ର ତେଜେ

ବାକ୍ୟେ ଗମଇ ଶୂନ୍ୟମାଝେ

।।

ହରିତ ବର୍ଣ୍ଣ ଅଶ୍ୱ ଜ୍ୟୋତି

ହେମନ୍ତ ରବି ରଥ ଗତି

।।

ସିଂହସ୍ୱରୂପ ଧ୍ୱଜ ସାଜେ

ସୁବର୍ଣ୍ଣ ସିଂହାସନ ମାଝେ

।।

ହୋମ ନିର୍ମିତ ଧନୁ ତୃଣେ

ଅଭେଦ କବଚ ଭୂଷଣେ

।।

ଅମ୍ଳାନ ପୁଷ୍ପମାଳ ଗଳେ

ନିବେଶି ପ୍ରହ୍ଲାଦ ସେକାଳେ

।।

ଭୃଗୁ ଯେ ଶଙ୍ଖ ଦେଲେ କରେ

ଯେ ନାଦେ ତ୍ରିଭୁବନ ପୁରେ

।।

ବିପ୍ରେ ଆହୁତି ମନ୍ତ୍ର ବଳେ

ସ୍ତୁତି କଲେକ ସୁମଙ୍ଗଳେ

।।

ବିପ୍ରଙ୍କୁ ପ୍ରଦକ୍ଷିଣ କରି

ରୋମାଞ୍ଚ ଗାତ୍ରେ ମୋଦଭରି

।।

ପ୍ରହ୍ଲାଦ ପାଦେ ପ୍ରଣମିତ

ବଳି ଆରୋହୀ ଦିବ୍ୟରଥ

।।

ନାନା ଭୁଷଣ କଳେବରେ

ଧନୁ ଖଡ଼ଗ ଧରି କରେ

।।

ରତ୍ନ କଙ୍କଣ ବାହୁମୂଳେ

ବିରାଜେ ମୁକୁଟ କୁଣ୍ଡଳେ

।।

ଜାଜ୍ୱଲ୍ୟ ରଥ ମଧ୍ୟେ ବସି

ଅନଳ ତେଜ ପ୍ରାୟେ ଦିଶି

।।

ଅଷ୍ଟ ଔଶ୍ୱର୍ଯ୍ୟ ବଳି ତେଜେ

ଅସୁରବର୍ଗ ମଧ୍ୟେ ରାଜେ

।।

ଏମନ୍ତ ତୁଲେ ବଳ ଘେନି

ଚଳନ୍ତେ କମ୍ପଇ ମେଦିନୀ

।।

ସକଳେ ହୋଇ ଏକ ମନ

ଗ୍ରାସେ କି ପିଇବେ ଗଗନ

।।

ଅସୁର ସେନା ରଥେ ବସି

ଧାଇଁଲେ ଅନ୍ତରୀକ୍ଷେ ଗ୍ରାସି

।।

ଚଳନ୍ତେ କମ୍ପେ ଦଶଦିଗ

କେ ସହୁ ଅସୁରଙ୍କ ତ୍ରାସ

।।

ମିଳିଲେ ଇନ୍ଦ୍ରର ଭୁବନ

ଅଶେଷ ନିରୋଧି ବିମାନ

।।

ନନ୍ଦନ ବନ ପନ୍ତି ପନ୍ତି

କଳ୍ପ ପାଦପେ ବିରାଜନ୍ତି

।।

ବିହଙ୍ଗ ମିଥୁନେ ଶୋଭିତ

ଭୃଙ୍ଗ କୋକିଳ ଗାନେ ରତ

।।

ହଂସ ସାରସ ଚକ୍ରବାକେ

କାରଣ୍ଡେ ଉତ୍ତମ ଡାହୁକେ

।।

କେଳି କରନ୍ତି ସରୋବରେ

ବହନ୍ତି ସୁଗନ୍ଧି ସମୀରେ

।।

ନଳିନୀ ବନେ ମନୋହର

ସ୍ଥିରକାମୀ ଯେ କ୍ରୀଡ଼ାଘର

।।

ସୁସଞ୍ଚ ପରିଖା ଯେସନ

ଆକାଶ ଗଙ୍ଗାରେ ଭୂଷଣ

।।

ପାଚେରୀ ଦିଶେ ଅଗ୍ନିବର୍ଣ୍ଣ

ଅଟାଳି ଭେଦିଛି ଗଗନ

।।

ଦ୍ୱାରେ କବାଟ ହେମମୟେ

ଦେଖନ୍ତା ପ୍ରାଣୀ ମନମୋହେ

।।

ସ୍ଫଟିକମୟ ପୁର ଦ୍ୱାରେ

ଯେହ୍ନେ ବିରାଜେ ନିଶାକର

।।

କେ କହୁ ଗଜମାର୍ଗ ସୀମା

ଯାହା ଗଢ଼ିଲା ବିଶ୍ୱକର୍ମା

।।

ସଭା ଚତ୍ୱର ପଥ ଶୋହେ

ତପସ୍ୱୀ ଜନ ମନ ମୋହେ

।।

ଅପୂର୍ବ ବିମାନ ସମୂହେ

ମଣି ନିର୍ମିତ ଝରା ଶୋହେ

।।

ପ୍ରବାହ ବେଦିକା ବିରାଜେ

ମଣି ଶୋଭିତ ମହାତେଜେ

।।

ଦିବ୍ୟ କାମିନୀଗଣ ଯହିଁ

ନବ ବୟସୀ ରୂପ ବହି

।।

ଶ୍ୟାମ ବିରଜ ବସ୍ତ୍ର ଯୁକ୍ତ

ଯହିଁ ଚଳନ୍ତି ଯୁଥ ଯୁଥ

।।

ଶୋଭା ଦିଶନ୍ତି ନାନା ବର୍ଣ୍ଣେ

ଘୃତ ପ୍ରଦୀପ ଅଗ୍ନି ଯେହ୍ନେ

।।

କବରୀ ଗନ୍ଧେ ଭୃଙ୍ଗଗଣ

ପ୍ରସରି କରନ୍ତି ଗ୍ରହଣ

।।

ନାନା ସୁଗନ୍ଧ ଲେପ ଦେହେ

ପ୍ରମୋଦ ଗନ୍ଧେ ବାୟୁ ମୋହେ

।।

ସୁବର୍ଣ୍ଣ କାନ୍ଥେ ଜଳ ରନ୍ଧ୍ରେ

ଶୋହେ ଅଗୁରୁ ଧୂପ ଗନ୍ଧେ

।।

ମାର୍ଗେ ସୁଗନ୍ଧ ଧୂପ ଧୂଆଁ

ମଧ୍ୟେ ଚଳନ୍ତି ସୁର ପ୍ରିୟା

।।

ପାଣ୍ଡୁର ଦିଶେ ପନ୍ତି ପନ୍ତି

ଧୂପ ମଣ୍ଡଳ ସଞ୍ଚରନ୍ତି

।।

ମଣି ମଣ୍ଡିତ ହେମ କାନ୍ଥେ

ଛାୟା ଦିଶଇ ମାର୍ଗେ ଯାନ୍ତେ

।।

ଜଗତ ଅଟାଳି ସୁସଞ୍ଚେ

ପତାକା ଶୋହେ ଅତି ଉଚ୍ଚେ

।।

ମୟୂର ପାରାବତ ନାଦେ

ସଙ୍ଗୀତ ମଙ୍ଗଳ ଶବଦେ

।।

ମୃଦଙ୍ଗ ଶଙ୍ଖ ଭେରି ନାଦ

ତାଳ ମୁରଲୀ ବୀଣା ବାଦ୍ୟ

।।

ତାଣ୍ଡବେ ନାନାବାଦ୍ୟ ଶୋହେ

ଶ୍ରୁତି ପ୍ରବନ୍ଧେ ମନ ମୋହେ

।।

ସେ ପୁରେ ମାନୀ କଷ୍ଟ ଦାୟୀ

ପାପିଷ୍ଠେ ନ ପାରନ୍ତି ଯାଇ

।।

ଭୃତ୍ୟ ସନ୍ତାପ ଖଳଜନେ

ସୁଜନେ ପୀଡ଼ଇ ଯେ ଜନେ

।।

ହିଂସ୍ର ହୃଦୟ କାମୀ ଲୋଭୀ

ସେ ନିତ୍ୟେ ପର ପୀଡ଼ା ଭାବି

।।

ସେ କାହିଁ ଯିବେ ସେ ଭୁବନେ

ଯାହା ଚିନ୍ତନ୍ତି ଯୋଗିଜନେ

।।

ଏମନ୍ତ ପୁରେ ରାତ୍ରକାଳେ

ବଳି ମିଳିଲା ଅତି ବଳେ

।।

ବେଗେ ବେଢ଼ିଲା ଅଷ୍ଟଦିଗ

କେ କହୁ ଅସୁରଙ୍ଗ ବେଗ

।।

ଭୂମି ଗଗନ ଅନ୍ତରାଳେ

ବାଦ୍ୟ ନଶୁଭଇ ଚହଳେ

।।

ଶୁକ୍ରର ଶଙ୍ଖ କରେ ଘେନି

ବଳି ଯେ କଲା ଘୋର ଧ୍ୱନି

।।

ଶବଦେ ଭୁବନ କମ୍ପିଲା

ଶବ୍ଦେ ସେ ଇନ୍ଦ୍ର ତ୍ରାସ କଲା

।।

ବଳି ଉଦ୍ୟମ ଇନ୍ଦ୍ର ଶୁଣି

ସଭ୍ରମେ ମନେ ମନେ ଗୁଣି

।।

ବିଚାର କରେ ଗୁରୁ ମେଳେ

କେମନ୍ତେ ରହିବି ନିଶ୍ଚଳେ

।।

ଅସୁରେ ଅମୃତ ନ ପାଇ

ସମରେ ମଲେ ରୋଷ ବହି

।।

ଶୁକ୍ରର ମୃତ୍ୟୁ ସଞ୍ଜୀବନେ

ପ୍ରାଣ ପାଇଲେ ଧାତୁଧାନେ

।।

କିମ୍ପା ଉଦ୍ୟମ ପରିମାଣି

ଅଇଲେ ଆମ୍ଭେ ତା ନଜାଣି

।।

ଭୋ ମୁନି ନମୁଁ ତୋର ପାୟେ

ସ୍ୱର୍ଗେ କେମନ୍ତେ ଥିବୁ ଭୟେ

।।

କହ କି କରିବୁ ଉପାୟେ

ଯାବତ ରଜନୀ ନ ପାହେ

।।

ଦେଖ ଏହାର ତେଜୋରାଶି

ମିଳିଲା ଅନ୍ତରୀକ୍ଷେ ଆସି

।।

ମୁଖେ କି ଆକାଶ ପିଇବ

ତ୍ରିଦଶ ଜିହ୍ୱାରେ ଲେହିବ

।।

ଇନ୍ଦ୍ରର ବାକ୍ୟେ ବୃହସ୍ପତି

ଇନ୍ଦ୍ର କୁଶଳ ମନେ ଚିନ୍ତି

।।

ବୋଲନ୍ତି ଶୁଣ ସୁରପତି

ତୁବେଗେ ଛାଡ଼ ବାରସ୍ପତି

।।

ଶୁକ୍ର ଯେ ଅସୁରଙ୍କୁ ତାରି

ଚିତ୍ତେ ପ୍ରତିଜ୍ଞା ଅଛି କରି

।।

ସଂକଳ୍ପ କଲା ପୁରୋହିତ

ଯଜ୍ଞ କଳ୍ପିଲା ଇନ୍ଦ୍ରଜିତ

।।

ତାହାର ମନ୍ତ୍ରବଳ ତେଜେ

ତୁ କାହିଁ ଥିବୁ ସ୍ୱର୍ଗ ମାଝେ

।।

ଜୀବନେ ଅଛି ଯେବେ କାର୍ଯ୍ୟ

ତେବେ ଅମରାବତୀ ତେଜ

।।

ମୁହିଁ ଜାଣଇ ଯୋଗଧ୍ୟାନେ

ବଳି ଯେ ଶୁକ୍ରର ବଚନେ

।।

ଘୋର ସମରେ ତୋତେ ଜିଣି

ତିନି ଭୁବନେ ବୀରମଣି

।।

ରାଜା ହୋଇବ ଯଜ୍ଞବଳେ

ତୁ ଏବେ ରହ ଯା ନିଶ୍ଚଳେ

।।

ବିଷ୍ଣୁରେ ପଶ ଯା ଶରଣ

ତୋତେ ରଖିବେ ନାରାୟଣ

।।

ଯାବତ ବଳି ତେଜ ନାଶେ

ତାବତ ରହ ବନବାସେ

।।

ଯହିଁ ପର୍ବତ ବନ ଘୋର

ନିଗମେ ରହ ସର୍ବସୁର

।।

ଏମନ୍ତେ ଗୁରୁ ବାକ୍ୟ ଶୁଣି

ଅମୃତ ପ୍ରାୟ ଚିତ୍ତେ ମଣି

।।

ମିଳି ସକଳ ଦେବଗଣେ

ଭୟେ ପଶିଲେ ଘୋର ବନେ

।।

ଏମନ୍ତେ ରଜନୀ ପ୍ରଭାତେ

ବଳି ସେ ଅସୁର ସମେତେ

।।

ବସିଲା ଇନ୍ଦ୍ରର ଆଶ୍ରମେ

ଭୃଗୁ ବଚନେ ସୁଖମନେ

।।

ଇନ୍ଦ୍ର ଭୁବନେ ବସି ତୋଷେ

ତ୍ରୈଲୋକ୍ୟ ରଖେ ଆତ୍ମଦେଶେ

।।

ଶତାଶ୍ୱମେଧ ଯାଗ ଫଳେ

ସଂସାରେ ଯଶ ଲଭେ ହେଳେ

।।

ବୋଇଲା ବିପ୍ର ଜଗନ୍ନାଥ

ଭାଷା ପ୍ରବନ୍ଧେ ଭାଗବତ

।।

ସୁଜନେ ଏଣେ କର ମତି

ତରିବ ବିଷୟ ଦୁର୍ଗତି

।।

 

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ବୈୟାସିକ୍ୟାଂ ଅଷ୍ଟମସ୍କନ୍ଧେ ବଳି ସ୍ୱର୍ଗ ଲଘଂନେ ନାମ

ଚତୁର୍ଦ୍ଦଶୋଽଧ୍ୟାୟଃ ।

•••

 

ପଞ୍ଚଦଶ ଅଧ୍ୟାୟ

 

ଶ୍ରୀ ଶୁକ ଉବାଚ

ଏମନ୍ତେ ପୁତ୍ରଙ୍କର ନଷ୍ଟେ

ସେ ଦେବମାତା ମନ କଷ୍ଟେ

।।

ଇନ୍ଦ୍ରର ଇନ୍ଦ୍ରପଣ ଗଲା

ଗିରି ଦୁର୍ଗମ ଆଶ୍ରେ କଲା

।।

ଦେବେ ଲୁଚିଲେ ଘୋର ବନେ

ଶୁଣି ଅଦିତି ଦୁଃଖମନେ

।।

ରାତ୍ର ଦିବସ ନ ଜାଣଇ

ନିରତେ ଗୃହେ ଥାଇ ଶୋଇ

।।

ତାର ଭୁବନେ ଏକ ଦିନେ

କଶ୍ୟପ ଋଷିର ଗମନେ

।।

ଅଦିତି ଶୟନ ସମ୍ମୁଖେ

କଶ୍ୟପ ବସି ମନଦୁଃଖେ

।।

ଦେଖିଲେ ଅଦିତି ଭୁବନେ

ଆଦିତ୍ୟେ ଅତି ଧୂମ୍ର ଯେହ୍ନେ

।।

ଉତ୍ସବ ଆନନ୍ଦ ନ ଦିଶେ

ଅଷ୍ଟ ସମ୍ପଦ ହୀନେ ମିଶେ

।।

ଦେଖିଲେ ମୁଖେ ସୁଖ ନାହିଁ

ଶୋକ ଆକୁଳେ କମ୍ପେ ଦେହୀ

।।

ଅନାଇ ଅଦିତ ବଦନ

ବୋଲନ୍ତି ମରୀଚି ନନ୍ଦନ

।।

ଶୁଣ ସୁନ୍ଦରୀ ସ୍ଥିର ଚିତ୍ତେ

କହଇ ତୋହର ଅଗ୍ରତେ

।।

ବ୍ରହ୍ମା ସଞ୍ଚିତ ସୃଷ୍ଟି ମଧ୍ୟେ

ବ୍ରହ୍ମାଣ୍ଡେ ବସନ୍ତି ଆନନ୍ଦେ

।।

ତାହାଙ୍କ ଗୃହେ ଦୁଃଖ ନାହିଁ

ଶୁଣ ବିପରୀତ ଦେଖଇ

।।

ଧନ ସମ୍ପଦ ଦୁଃଖ ଦେହେ

ଶୁଣ ନିଗମ ଯାହା କହେ

।।

ଅଶେଷ ବିଷ୍ଣୁର ଚରିତ

କର୍ମର ବଳେ ଏ ଛନ୍ଦିତ

।।

ଶୁଭ ଅଶୁଭ ଭାବବଳେ

କାଳ ଛାଡ଼ଇ ଅନ୍ତରାଳେ

।।

କାଳର ବଳେ ଏ ସଂସାର

କେ ଭୂତ କେ ଅବା ଅସୁର

।।

ଭୋଗ ସମ୍ପଦ ଅର୍ଥେ ଗୃହେ

ପ୍ରାଣୀ ସାଧନ୍ତି ଅତି ମୋହେ

।।

ଏ ଭାବେ ସଂସାର ଚରିତ

କିବା ହୋଇଲା ଆଚମ୍ବିତ

।।

ବିପ୍ର ଅତିଥି କିବା ଘରେ

କୁଟୁମ୍ବ ପୋଷଣେ ତତ୍ପରେ

।।

ପୂଜା ନ ପାଇ ଏ ଭୁବନେ

ନିରାଶେ ଗଲେ ଦୁଃଖ ମନେ

।।

ଯା ଘରୁ ଅତିଥି ବାହୁଡ଼େ

ସେ ପ୍ରାଣୀ ପ୍ରେତ ମୁଖେ ପଡ଼େ

।।

ତାର ସଞ୍ଚିଲା ପୁଣ୍ୟ ଯେତେ

ଗମନ୍ତି ଅତିଥି ସଙ୍ଗତେ

।।

ଅଗ୍ନିରେ ଯଥା କାଳେ ହବି

ନଦେଇ ହୁଅ ପରାଭବି

।।

ମୋର ଅଭାବେ ତୋର ଚିତ୍ତ

କିବା ହୋଇଲା ମୋହଗତ

।।

ଅଗ୍ନି ପୂଜନେ ଶୁଦ୍ଧମନୁ

ଯେ ଜନମାନେ କାମଧେନୁ

।।

ସମ୍ପାଦି ବିପ୍ରଜନେ ଦ୍ୟନ୍ତି

ଦେବେ ଯେ କଲ୍ୟାଣ ବାଞ୍ଛନ୍ତି

।।

ବିପ୍ର ଅଗ୍ନିକି ନ ପୂଜିଲେ

କଲ୍ୟାଣ ଲଭେ କାହିଁ ଭଲେ

।।

ହରିଙ୍କୁ କାହିଁ ସେ ପାଇବ

ଯାହାଙ୍କୁ ବାଞ୍ଛନ୍ତି ଯେ ଶିବ

।।

ଉଭୟ ଲୋକେ ନାହିଁ ସୁଖ

ସର୍ବଦା ଲଭନ୍ତି ବିମୁଖ

।।

ତୋର ତନୁଜ ଦେବରାୟେ

ସ୍ୱର୍ଗେ ଅଛନ୍ତି ନା ନିର୍ଭୟେ

।।

ଇନ୍ଦ୍ରର କୁଶଳ ନ ଦେଖି

କିବା ହୋଇଲୁ ମନେ ଦୁଃଖୀ

।।

ଏମନ୍ତେ ସ୍ୱାମୀ ବାକ୍ୟ ଶୁଣି

ବୋଲଇ ଦକ୍ଷର ନନ୍ଦିନୀ

।।

ଗୋରୁ ବ୍ରହ୍ମାଣ ଇହ ଲୋକେ

ଏ ସର୍ବେ ଅଛନ୍ତି ଯେ ସୁଖେ

।।

ଧର୍ମ ଇଚ୍ଛଇ ମୋର ଘରେ

ଆଗମ ନିଗମ ବେଭାରେ

।।

ତ୍ରିବର୍ଗ ମୋହର ଭୁବନେ

କେବେ ହେଁ ନମୁଞ୍ଚନ୍ତି ଦିନେ

।।

ଅଗ୍ନି ଅତିଥି ମୋର ଗୃହେ

ନିରାଶ ନୁହନ୍ତି କେବେ ହେଁ

।।

ସକଳ ଶୁଭ ତୁମ୍ଭ ବଳେ

ସେ ଯାହା କର୍ମର କୌଶଳେ

।।

ତୁମ୍ଭେ କହିଲ ଯେତେ କର୍ମ

ଗୃହସ୍ଥ ସ୍ୱଭାବ ଏ ଧର୍ମ

।।

ସର୍ବ ଶ୍ରବଣେ ମୋର ଚିତ୍ତ

କେବେହେଁ ନୁହଁଇ ମୋହିତ

।।

ତୁମ୍ଭେ ଯେ ପ୍ରଜାଙ୍କ କୁଶଳେ

ନିରତେ ଭଜି ଯୋଗବଳେ

।।

ସୃଷ୍ଟିର ମଧ୍ୟେ ଯେତେ ଜନେ

ସକଳ ତ୍ରିଗୁଣ ବନ୍ଧନେ

।।

ଅର୍ଜିଲା କର୍ମର ଆୟତ୍ତେ

ଜନ୍ତୁ ସମ୍ଭବନ୍ତି ଜଗତେ

।।

ତଥାପି ଭକ୍ତିକି ଭଜନ୍ତି

ବ୍ରହ୍ମା ଶଙ୍କର ଲକ୍ଷ୍ମୀପତି

।।

ଶୁଣ ହୋ ସ୍ୱାମୀ ବ୍ରହ୍ମସୁତ

ତୁମ୍ଭ ପ୍ରସାଦେ ମୋର ଚିତ୍ତ

।।

ଦୁର୍ଲ୍ଲଭ ଚତୁର୍ବର୍ଗ ମୋହେ

ସେବକୀ ପଣେ ତୁମ୍ଭ ଗୃହେ

।।

ତୁମ୍ଭ ଚରିତ ପ୍ରଜା ହିତେ

ଯେ ଧର୍ମ କହ ମୋ ଅଗ୍ରତେ

।।

ତୁମ୍ଭର ପୁତ୍ର ଦୁଇ ମତ

ଦେବତା ଅସୁର ଯୁକତ

।।

ଏହାଙ୍କୁ ଭଲ ତୁମେ ଇଚ୍ଛ

ମୁଁ ଏହା ଜାଣଇ ପ୍ରତ୍ୟକ୍ଷ

।।

ଦେବେ ଯେ ସତ୍ୟ ଗୁଣେ ଥାନ୍ତି

ଅସୁରେ ରଜ ତମ ଚିନ୍ତି

।।

ପୀଡ଼ା କରନ୍ତି ସାଧୁଜନେ

ଧର୍ମେ ରଖନ୍ତି ମୋ ନନ୍ଦନେ

।।

ମୋ ସୁତେ ଅସୁରଙ୍କ ଡରେ

ଲୁଚିଲେ ବନଗିରି ଘୋରେ

।।

ଇନ୍ଦ୍ରଙ୍କୁ ନ ଦେଖି ମୋ ମନ

ନିରତେ ହୋଇଛି ଦହନ

।।

କହ କି କରିବି ଉପାୟେ

କେମନ୍ତେ ଇନ୍ଦ୍ର ସ୍ୱର୍ଗେ ରହେ

।।

ମୋର ସପତ୍ନୀ ପୁତ୍ର ବଳେ

ବିଚାର କରି ବଳି ହେଲେ

।।

ଶୁକ୍ର ମନ୍ତ୍ରୀର ମନ୍ତ୍ର ତେଜେ

ବସିଲା ଯାଇ ସ୍ୱର୍ଗ ରାଜ୍ୟେ

।।

ମିଳିଲେ ଅନେକ ଦାନବ

ହରିଲେ ଇନ୍ଦ୍ରର ବିଭବ

।।

ମୁଁ ଏବେ ହୋଇ ସ୍ଥାନ ଭ୍ରଷ୍ଟ

ଅନେକ ପାଉଅଛି କଷ୍ଟ

।।

ମୋ ତହୁଁ ଦୁଃଖୀ କେହି ନାହିଁ

ପଡ଼ିଲି ତୁମ୍ଭ ପାଦେ ମୁହିଁ

।।

ତୁମ୍ଭ କୁମରେ ଛନ୍ତି ଯେତେ

ମୋ ପୁତ୍ର ବନରେ ପଶନ୍ତେ

।।

ଯେମନ୍ତେ ଆଜ୍ଞା ମୋତେ କର

ତୁମ୍ଭେ ତ ବୁଦ୍ଧିରେ ଈଶ୍ୱର

।।

ଏମନ୍ତେ ଅଦିତି ବଚନେ

କଶ୍ୟପ ବିଚାରନ୍ତି ମନେ

।।

ଦେଖ ଏ ବିଷ୍ଣୁ ମାୟାବଳେ

ଜୀବର ବନ୍ଧନ ଶୟଳେ

।।

ପଞ୍ଚ ଭୌତିକ ଏ ଶରୀର

ଆତ୍ମା ନିର୍ଲେପ ନିର୍ବିକାର

।।

ଶରୀର ପତ୍ନୀ ପୁତ୍ର ଆଧି

ଏ ବିଷ୍ଣୁ ମାୟାରେ ସମ୍ପାଦି

।।

କେ ଏହା ଅନ୍ୟଥା କରିବ

ବ୍ରହ୍ମା ଶଙ୍କର ବାସୁଦେବ

।।

ତୁ ଏବେ ମୋର ବୋଲକର

ହରି ଚରଣ ମନେ ଧର

।।

ସେ ହରି ତୋର ମନ ଦୁଃଖ

ନିବାରି ଦେବେ ସ୍ୱର୍ଗ ସୁଖ

।।

ଆରତଜନ ବନ୍ଧୁ ହରି

ସେ ପାରେ ଆରତ ନିବାରି

।।

ତାହାର ପାଦ ଆଶ୍ରେ କଲେ

ସଙ୍କଟୁ ତରେ ପ୍ରାଣୀ ଭଲେ

।।

ତାର ଚରଣ ଆଶ୍ରେ କର

ନିର୍ଭୟେ ମନ ଦୁଃଖ ହର

।।

ଏମନ୍ତ କାଶ୍ୟପର ବାଣୀ

ଅଦିତି ପୁଣ କହେ ଶୁଣି

।।

ଭୋ ନାଥ ବୁଦ୍ଧି କହ ମୋତେ

ହରିଙ୍କୁ ସେବିବି କେମନ୍ତେ

।।

ଯେମନ୍ତେ ମୋର ମନୋରଥ

ପୂରଣ କଲେ ଜଗନ୍ନାଥ

।।

ପୁତ୍ର ବସିବ ଇନ୍ଦ୍ର ପଦେ

ଭୋ ନାଥ ନମେ ତୋରପାଦେ

।।

କଶ୍ୟପ ଉବାଚ

ଏମନ୍ତେ ପତ୍ନୀ ବାକ୍ୟ ଶୁଣି

ଇନ୍ଦ୍ର ନନ୍ଦନ ମନେ ଗୁଣି

।।

ବୋଲନ୍ତି ଶୁଣ ଗୋ ଘରଣୀ

ହରି ତୋଷଣ ବ୍ରତ ବାଣୀ

।।

ଯେ ବ୍ରତେ ପ୍ରଭୁ ହୃଷୀକେଶ

ତୋହର ଉଦରେ ପ୍ରବେଶ

।।

ସେ ପ୍ରଭୁ ବେଦଗର୍ଭ ରୂପେ

ବଳିକି ଛଳି ଦାନ କଳ୍ପେ

।।

ତୋର ପୁତ୍ରକୁ ସେ ରଖିବ

ତୁ ଏବେ ହରିପାଦେ ସେବ

।।

ହରି ତୋଷଣ ବ୍ରତକର

ଏ ଦୁଃଖ ସାଗରୁ ନିସ୍ତର

।।

ଶୁଣ କହିବା ବେଦମତେ

ଯେ ବ୍ରତ କରିବୁ ଯେମନ୍ତେ

।।

ଫଗୁଣ ଶୁକ୍ଳପକ୍ଷ ଯୁକ୍ତ

ଦ୍ୱାଦଶୀ ଦିନ ପୟୋବ୍ରତ

।।

ଅର୍ଚ୍ଚନା କରି ଭକ୍ତିବଳେ

ବିଷ୍ଣୁର କଚରଣ କମଳେ

।।

ସେବା କରିବୁ ଯେବେ ମୋତେ

ଶୁଣ କହିବା କଳ୍ପ ତୋତେ

।।

ପ୍ରାତହୁଁ ଅମାବାସ୍ୟା ଦିନ

ମନ୍ଦିର ଗମିବୁ ବହନ

।।

ବରାହ ମାଟି ଖାତେ ଯାଇଁ

ମୃତ୍ତିକା ବାମ ହସ୍ତେ ନେଇ

।।

ଶୁଣ ମନ୍ତ୍ରିବୁ ଯେଉଁ ମନ୍ତ୍ରେ

ଅଙ୍ଗେ ବୋଳିବୁ ଯେଉଁ ଯନ୍ତ୍ରେ

।।

ଭୋ ଦେବ ତୋର ଅନ୍ତଃକାଳେ

ମିଳାଉଥିଲୁ ମହାଜଳେ

।।

ପାତାଳେ ପଙ୍କ ରୂପେ ଥିଲୁ

ବରାହ ଦର୍ଶନେ ଉଠିଲୁ

।।

ହରିର ଦନ୍ତ ଅଗ୍ରବାସୀ

ତୁ ମୋର ହର ପାପରାଶି

।।

ଏମନ୍ତେ ମୃତ୍ତିକା ମନ୍ତ୍ରିବ

ଶରୀରେ ସମଗ୍ର ଲେପିବ

।।

ସ୍ନାନ କରିବ ତିନିକାଳେ

ପବିତ୍ର ଜଳ ଉଦେବେଳେ

।।

ସେ ଯୁକ୍ତ ଆତ୍ମା ଶୁଦ୍ଧ ଚିତ୍ତେ

ସ୍ନାନ କରିବ ଶୁଚି ଗାତ୍ରେ

।।

ଏ ମନ୍ତ୍ର ପଢ଼ି କ୍ରିୟା ବଳେ

ପୂଜା କରିବ ଯଥା କାଳେ

।।

ତୋ ଦୀପ୍ତି ସର୍ବ ଅନ୍ତର୍ଗତେ

ସାକ୍ଷୀ ସ୍ୱରୂପ ଏ ଜଗତେ

।।

ସକଳ ଭୂତର ଆବାସ

ନମସ୍ତେ ପ୍ରଧାନ ପୁରୁଷ

।।

ଚତୁର୍ବିଂଶତି ତତ୍ତ୍ୱଜ୍ଞାତା

ଅବ୍ୟକ୍ତ ସଂଖ୍ୟାଯୋଗ କର୍ତ୍ତା

।।

ଦ୍ୱିଶିର ତ୍ରିଚରଣ ତୁହି

ଚତୁର ଶୃଙ୍ଗ କିନ୍ତୁ ବହି

।।

ସପତ ହସ୍ତ ଯଜ୍ଞରୂପୀ

ନମସ୍ତେ ଚାରିବେଦ ବ୍ୟାପି

।।

ନମସ୍ତେ ଶିବ ରୁଦ୍ରବର

ନମସ୍ତେ ତୁହି ଶକ୍ତିଧର

।।

ସକଳ ବିଦ୍ୟା ଅଧିପତି

ସର୍ବ ଭୂତଙ୍କ ପ୍ରାଣପତି

।।

ହିରଣ୍ୟଗର୍ଭ ନମୋନମଃ

ଜଗତ ଆତ୍ମା ପ୍ରାଣସମ

।।

ଯୋଗ ଐଶ୍ୱର୍ଯ୍ୟ ଯା ଶରୀର

ଯୋଗୀଙ୍କ ହେତୁ ଯୋଗେଶ୍ୱର

।।

ନମସ୍ତେ ପ୍ରଭୁ ଆଦିଦେବ

ତୁ ସାକ୍ଷୀ ଭୂତରେ ସମ୍ଭବ

।।

ତୁ ଋଷି ହରି ନାରାୟଣ

ତୁ ନର ପରମ କାରଣ

।।

ତୁ ମରକତ ଶ୍ୟାମଦେହ

ନମସ୍ତେ କମଳା ଆଶ୍ରୟ

।।

ନମୋ କେଶବ ପୀତବାସ

ନମସ୍ତେ ଭକତ ବିଶ୍ୱାସ

।।

ଭକତ ଜନେ ବରଦାତା

ନମସ୍ତେ ସର୍ବ ପିତାମାତା

।।

ବରଣ୍ୟେ ବରଦାତା ଗୁରୁ

ନମୋ ଭକତ କଳ୍ପତରୁ

।।

ତୋ ପାଦରେଣୁ ମୋର ଶିରେ

ମୋକ୍ଷ ସାଧନେ ଯୋଗବଳେ

।।

ସେ ପାଦପଦ୍ମ ଭକ୍ତି ସେବେ

ଭାବେ ଖଟନ୍ତି ଦେବୀ ଦେବେ

।।

ତୋ ପାଦପଦ୍ମ ଗନ୍ଧବାସେ

ଅଶେଷ ଭବ ଭୟ ନାଶେ

।।

ଏମନ୍ତ ଆବାହନ କର

ନିଶ୍ଚଳ ଚିତ୍ତେ ଭାବେ ଧର

।।

ଏମନ୍ତ ପାଦ୍ୟ ଅର୍ଘ୍ୟ ଆଦି

ଶୁଦ୍ଧ ଭକତି ଯୋଗ ସାଧି

।।

ଅର୍ଚ୍ଚନା କରି ଗନ୍ଧମାଲ୍ୟେ

ପୂଜିବ ଆନନ୍ଦେ ନିଶ୍ଚଳେ

।।

ଉତ୍ତମ ବସ୍ତ୍ର ଅଳଙ୍କାର

ସୁଗନ୍ଧ ପୁଷ୍ପ ମନୋହର

।।

ନୈବେଦ୍ୟ କରି ଷଡ଼ରସ

ସମର୍ପି ପ୍ରଧାନ ପାୟସ

।।

ଦଧି ଶାକର ମଧୁଘୃତେ

ସୁଶାଳୀ ଅନ୍ନ ଘୃତ ଯୁଥେ

।।

ନାନା ପ୍ରକାରେ ଭୋଗ ଦେଇ

ହୃଦେ ଭକତି ଭାବ ବହି

।।

ଯେ ମନ୍ତ୍ର ଦ୍ୱାଦଶ ଅକ୍ଷର

ଜପିବ ଶହେ ଆଠବାର

।।

ହୋମ କରିବ ହୁତାଶନେ

ଶତେକ ମୂଳମନ୍ତ୍ର ଧ୍ୟାନେ

।।

ତୃତୀୟେ ବ୍ରହ୍ମାଣେ ବସାଇ

ସୁସ୍ୱାଦୁ ଅନ୍ନଭୋଗ ଦେଇ

।।

ବିପ୍ରଙ୍କୁ ଦେଇ ଆଚମନ

ନିବେଦି ସୁଦିବ୍ୟ ବସନ

।।

ଅତିଥି ଅନ୍ଧ ରଙ୍କି ଦୁଃଖୀ

ତାଙ୍କୁ ଭୋଜନେ କର ସୁଖୀ

।।

ତାହାଙ୍କୁ ଅନ୍ନଦାନ ଦେଇ

ସନ୍ତୋଷ ଚିତ୍ତେ ଆଜ୍ଞା ପାଇ

।।

ଅନ୍ନ ଭୁଞ୍ଜିବ ସାୟଂକାଳେ

ପଞ୍ଚ ବା ସପତ କବଳେ

।।

ରାତ୍ରେ ବଞ୍ଚିବ ବାଦ୍ୟ ଗୀତେ

ସୁଜନେ ବ୍ରହ୍ମଚାରୀ ମତେ

।।

ଏମନ୍ତେ ହରି ଆରାଧନେ

ହୋମାଦି ବ୍ରାହ୍ମଣ ଭୋଜନେ

।।

ପ୍ରତିପ ଦିନୁ ଏ ଅଭ୍ୟାସ

ଯାବତ ଶୁକ୍ଳ ତ୍ରୟୋଦଶ

।।

କରିବ ତ୍ରିକାଳରେ ସ୍ନାନ

ରଜନୀ ଧରଣୀ ଶୟନ

।।

ଅଙ୍ଗରୁ ଆଳସ୍ୟ ତେଜିବ

ନିନ୍ଦିତ ଭୋଗ ନ କରିବ

।।

ହିଂସା ତ୍ୟଜିବ ସର୍ବଜନେ

ବିଷ୍ଣୁ ଆଶ୍ରୟ କରି ମନେ

।।

ଏମନ୍ତେ ତ୍ରୟୋଦଶୀଦିନ

ସୁଗନ୍ଧ ଉଦକରେ ସ୍ନାନ

।।

ଶାସ୍ତ୍ର ପ୍ରମାଣେ ପଞ୍ଚାମୃତ

କରିବ ବେଦ ବିଧିମତ

।।

ମନ୍ତ୍ର ଉଚ୍ଚାରି ଶୁଦ୍ଧଚିତ୍ତେ

ସମ୍ଭାର ଶକ୍ତି ବେଦମତେ

।।

ହରିହରଙ୍କୁ ଧ୍ୟାନେଧରି

ଅନଳ ମନ୍ତ୍ରେ ହୋମକରି

।।

ନାନା ପ୍ରକାର ନଇବେଦ୍ୟ

ବଟୁକ ମଧୁରାଦି ସ୍ୱାଦ

।।

ନିର୍ବେଦ ବିଷ୍ଣୁ ତୋଷ ଅର୍ଥେ

ପୂଜା କରିବ ନାନା ମତେ

।।

ଅଗ୍ନି ପୂଜନେ କର୍ମ ସାରି

ଗୁରୁ ଆଚାର୍ଯ୍ୟ ପାଦ ଧରି

।।

ଧନ ବସନ ଅଳଙ୍କାର

ସେବା ଦକ୍ଷିଣ ବ୍ରତସାର

।।

ରତ୍ୱିଜଜନ ମନ ତୋଷି

ଦୁଃଖୀ ଦରିଦ୍ରଙ୍କୁ ଆଶ୍ୱାସି

।।

ଭୋଜନେ ତୋଷ ସର୍ବପ୍ରାଣୀ

ଯେଣେ ସନ୍ତୋଷ ଚକ୍ରପାଣି

।।

ସକଳ ବନ୍ଧୁ ଜ୍ଞାତି ମେଳେ

ଭୋଜନ କରି ସାୟଂକାଳେ

।।

ସୁବାଦ୍ୟ ନୃତ୍ୟ ଗୀତ ସ୍ୱରେ

ଉତ୍ସବ କରି ନିଜ ପୁରେ

।।

ଏମନ୍ତେ ପୟୋବ୍ରତ କରି

ଯେବା ଜଗତ ନରନାରୀ

।।

ବାଞ୍ଛିତ ଫଳକୁ ଲଭନ୍ତି

ଅନ୍ତେ ସେ ମାୟାରୁ ତରନ୍ତି

।।

ଏମନ୍ତ ବ୍ରହ୍ମା ମୁଖୁଁ ପୂର୍ବେ

ମୁହିଁ ଯେ ଶୁଣିଛି ପ୍ରସ୍ତାବେ

।।

ତୁ ଯେଣୁ ମୋହର ଭାବିନୀ

ତେଣୁ କହିଲି ଭାବ ଘେନି

।।

ତୁ ଏହା ଶୁଦ୍ଧ ଚିତ୍ତେ ଧର

ହରି ସନ୍ତୋଷ ବ୍ରତକର

।।

ଏ ବ୍ରତ ସର୍ବ ଯଜ୍ଞସାର

ଦୁର୍ଗମ ସଙ୍କଟୁ ଉଦ୍ଧର

।।

ସର୍ବ ଭୂତଙ୍କ ପୂଜ୍ୟ ଏହି

ଦାନ ତପସ୍ୟା ଫଳଦାୟୀ

।।

ଏ ବ୍ରତ କର ତୁ ଧାରଣ

ଚତୁର ବର୍ଗର କାରଣ

।।

ଯମ ନିୟମ ଏଣେ ସାଧି

ଏ ଯୋଗେ ବିଷ୍ଣୁଙ୍କୁ ସମ୍ପାଦି

।।

ତୁ ଏବେ ଚିତ୍ତେ ଏହା ଧର

ହରି ସନ୍ତୋଷ ବ୍ରତ କର

।।

ତୋର ବାଞ୍ଛିତ ହରି ଦେବେ

ତୋ ପୁତ୍ରଗଣଙ୍କୁ ରଖିବେ

।।

ବୋଇଲେ ବିପ୍ର ଜଗନ୍ନାଥ

ଅଦିତି ଶୁଣି ପୟୋବ୍ରତ

।।

ଚିତ୍ତେ ବୋଇଲା ଭଗବାନ

ସୁଜନେ କର ଏଣେ ଧ୍ୟାନ

।।

 

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ବୈୟାସିକ୍ୟାଂ ଅଷ୍ଟମସ୍କନ୍ଧେ ଅଦିତି ପୟୋବ୍ରତ ଉପଦେଶେ

ନାମ ପଞ୍ଚଦଶୋଽଧ୍ୟାୟଃ ।

•••

 

ଷୋଡ଼ଶ ଅଧ୍ୟାୟ

 

ଶ୍ରୀ ଶୁକ ଉବାଚ

ଶୁଣ ପରୀକ୍ଷ ନୃପମଣି

କଶ୍ୟପ ମୁଖୁଁ ବାକ୍ୟ ଶୁଣି

।।

ଚିତ୍ତେ କଳ୍ପିଲା ଅନ୍ତର୍ଗତେ

ବିଧି ପୂର୍ବକ ପୟୋବ୍ରତେ

।।

ଦ୍ୱାଦଶ ଦିନେ ପୟୋବ୍ରତ

କଲା ସେ ହୋଇ ଆନନ୍ଦିତ

।।

ଏକାଗ୍ର ଚିତ୍ତେ ହରି ପାଦ

ସେବା କଳ୍ପିଲା ଅପ୍ରମାଦେ

।।

ସୁଦୃଢ଼ ମନେ ବୁଦ୍ଧି ବଳେ

ଇନ୍ଦ୍ରାସ୍ତ୍ର ଧଇଲା ନିଶ୍ଚଳେ

।।

ଅଦିତି ପୟୋବ୍ରତ ତୋଷେ

ବିଷ୍ଣୁ ମିଳିଲେ ତାର ପାଶେ

।।

ଶରୀର ଯେହ୍ନେ ନୀଳଘନ

ପୀତ ବସନ ପରିଧାନ

।।

ଆଜାନୁଲମ୍ବେ ଚାରି ଭୁଜେ

ଗଦା କମଳ ଚକ୍ର ସାଜେ

।।

ସମୀପେ ବିଷ୍ଣୁ ରୂପ ଦେଖି

ଉନ୍ମିଳ କଲା ବେନି ଆଖି

।।

ଉଠିଲା ଶୋକ ଗଦଗଦେ

ଶିରେ ନିବେଶି ପଦ୍ମପାଦେ

।।

ଭୂମିରେ ଦଣ୍ଡବତେ ଶୋଇ

କର ଅଞ୍ଜଳି ଶିରେ ଦେଇ

।।

ଆନନ୍ଦ ସାଗରେ ବୁଡ଼ିଲା

ନିଜ ଶରୀର ପାଶୋରିଲା

।।

ଶରୀର କମ୍ପିଲା ବିକଳେ

କଣ୍ଠ କୁଣ୍ଠିତ ଅଶ୍ରୁଜଳେ

।।

ବଦନୁ ବଚନ ନସ୍ଫୁରେ

ପ୍ରାଣ ହୋଇଲା କଣ୍ଠଦ୍ୱାରେ

।।

ଚକୋରୀ ଚନ୍ଦ୍ର ଦେଖି ଯେହ୍ନେ

ଅମୃତ ପିଅଇ ଲୋଚନେ

।।

ମନ ନିବେଶି କୃଷ୍ଣ ପାଦେ

ଆନନ୍ଦେ ଶୋକ ଗଦଗଦେ

।।

ବୋଇଲା ବିଷ୍ଣୁ ମୁଖ ଚାହିଁ

ସାନନ୍ଦେ ଶିରେ କର ଦେଇ

।।

ଅଦିତି ଉବାଚ

ଯଜ୍ଞ ପୁରୁଷ ଯଜ୍ଞନାଥ

ତୋର ଚରଣେ ସର୍ବ ତୀର୍ଥ

।।

ସର୍ବ ମଙ୍ଗଳ ତୋର ନାମ

ରୂପ ଅରୂପ ସର୍ବ କର୍ମ

।।

ଶରଣାଗତ ଦୁଃଖ ହର

ତୁ ନାଥ କରୁଣା ସାଗର

।।

କରୁଣାଗତ ବିଶ୍ୱରୂପୀ

ବିଶ୍ୱ ଭାବନ ବିଶ୍ୱବ୍ୟାପୀ

।।

ସ୍ଥିତି ସଂଯମ ସଂହାରଣ

ତୁ ନାଥ ପରମ କାରଣ

।।

ଆତ୍ମା ସମ୍ପଦ ବୁଦ୍ଧି ଜ୍ଞାନ

ତୋର ପ୍ରସନ୍ନେ ପାନ୍ତି ଜନ

।।

କୈବଲ୍ୟ ଜ୍ଞାନର ସନ୍ତୋଷେ

ଅନ୍ତେ ପରମ ପଦେ ମିଶେ

।।

ଭୋ ନାଥ ତୋହର ଚରଣ

ନିର୍ଭୟେ ପଶିଲି ଶରଣ

।।

ସକଳ ଦୁର୍ଗ ମୁଁ ତରନ୍ତି

ଜନ୍ମ ମରଣୁ ନିସ୍ତରନ୍ତି

।।

ଭୋ ନାଥ ପ୍ରଭୁ ଆଦିମୂଳ

ଶୁଣିମା ମୋହର ବିକଳ

।।

ଦୁଃଖେ କମ୍ପିତ ମୋର ପ୍ରାଣ

ତୋ ପାଦେ ପଶିଲି ଶରଣ

।।

ପୁତ୍ରେ ନ ରହନ୍ତି ସ୍ୱର୍ଗରେ

ଭୋ ନାଥ ଶରଣ ତୋହରେ

।।

ସପତ୍ନୀ ଦୁଃଖ କି ନ ଜାଣୁ

ତୁ ନାଥ ଅନ୍ତର୍ଯ୍ୟାମୀ ଯେଣୁ

।।

ଶୁଣି ଅଦିତିର ବଚନ

ପ୍ରସନ୍ନ କମଳ ଲୋଚନ

।।

ଆଦିତି ବଦନ ଅନାଇ

କହନ୍ତି ପ୍ରଭୁ ଭାବଗ୍ରାହୀ

।।

 

 

 

 

 

 

 

 

ଶ୍ରୀ ଭଗବାନୁବାଚ

ଶୁଣ ଅଦିତି ବେଦମାତ

ମୁଁ ଜାଣେ ତୋର ମନୋରଥ

।।

ବଳି ଯେ ସ୍ୱର୍ଗ ବଳେ ନେଲା

ବିକଳେ ଇନ୍ଦ୍ର ପଳାଇଲା

।।

ଦେବେ ମାରିବେ ତାଙ୍କୁ ରଣେ

କାନ୍ଦିବେ ଦୈତ୍ୟ ନାରୀଗଣେ

।।

ସ୍ୱାମୀ ମରଣେ ଅତି ଦୁଃଖୀ

ତୁ ତାହା ଦେଖି ହେବୁ ସୁଖୀ

।।

ସ୍ୱର୍ଗେ ବସିବ ଇନ୍ଦ୍ର ତୋର

ସଙ୍ଗତେ ଘେନି ସର୍ବସୁର

।।

ସକଳ ସମ୍ପଦ ମିଳିବ

ତ୍ରିଲୋକ ନିଶ୍ଚଳେ ପାଳିବ

।।

ଏମନ୍ତ ଚିତ୍ତେ କଲୁ ତୁହି

ଶୁଣ କହିଲି ଯାହା ମୁହିଁ

।।

ଅସୁରେ ଥାଇ ସ୍ୱର୍ଗପୁର

ବଳେ ହେଇଲେ ବଳିୟାର

।।

ଏକଥା ଭଲେ ମୁଁ ଜାଣଇ

ତୋର ପୁତ୍ରଙ୍କୁ ଭୟ ନାହିଁ

।।

କେମନ୍ତେ ତୋହର କୁମରେ

ସୁଖେ ବସିବେ ସ୍ୱର୍ଗପୁରେ

।।

ତୁ ଯେ ମୋହର ପାଦଯୁଗେ

ସେବିଲୁ ପୟୋବ୍ରତ ମାର୍ଗେ

।।

ସେ କଥା ଅନ୍ୟଥା ନୋହିବ

ଏହା ଜାଣନ୍ତି ବ୍ରହ୍ମା ଶିବ

।।

ତପେ ତୁ ତୋଷିଅଛୁ ମୋତେ

ଇନ୍ଦ୍ର ସମ୍ପଦ ରକ୍ଷା ଅର୍ଥେ

।।

ମୋହର ସେବା ବ୍ରତ ଫଳ

କେବେହେଁ ନୁହଁଇ ବିଫଳ

।।

ମୁହିଁ ସେ ଅଂଶେ ତୋର ଗର୍ଭେ

ଜନ୍ମିବି ପୟୋବ୍ରତ ଭାବେ

।।

ଏ ବ୍ରତ ମହିମା ଅନନ୍ତ

ଅବଶ୍ୟ ତୋତେ ଲଭେ ସୁତ

।।

ତୋର ପୁତ୍ରଙ୍କୁ ମୁଁ ରଖିବି

ଶତ୍ରୁଙ୍କ ଭୟ ନିବାରିବି

।।

ନିଶ୍ଚେ ରଖିବି ଦେବକୁଳ

ତୁ ସ୍ୱାମୀ ସଙ୍ଗେ କର ମେଳ

।।

ଏ ବ୍ରତ ଫଳ ତେବେ ପାଇ

ବିଶ୍ୱାସେ ପରକୁ ନ କହି

।।

ସର୍ବ ସମ୍ପଦ ଲଭ ତୁହି

ଦେବତାମାନେ ଏତେ କହି

।।

ଶ୍ରୀ ଶୁକ ଉବାଚ

ତକ୍ଷଣେ ହୋଇଲେ ଅନ୍ତର

ଶୁଣ ପରୀକ୍ଷ ନୃପବର

।।

ଏମନ୍ତେ ବିଷ୍ଣୁର ବଚନେ

ଅଦିତି ଯାନ୍ତେ ତୋଷମନେ

।।

ଆନନ୍ଦେ ପ୍ରଭୁ ହୃଷିକେଶ

କଶ୍ୟପ ଶରୀରେ ପ୍ରବେଶ

।।

ବିଷ୍ଣୁର ତେଜ ବହୁ ଶଶୀ

ରବି ଉଦିତ ପ୍ରାୟେ ଦିଶି

।।

ଅମର ଗୁରୁ ଲଗ୍ନବେଳେ

ଉଚ୍ଚେ ଅଛନ୍ତି ଗ୍ରହ ବଳେ

।।

ମୁହୂର୍ତ୍ତ ନାମ ଅଭିଜିତେ

ପତି କାମିନୀ ଏକ ଯୁକ୍ତେ

।।

ରତି ଆନନ୍ଦେ ରତି ବୀର୍ଯ୍ୟେ

ଗର୍ଭ ସଞ୍ଚାରେ ତେଜ ପୁଞ୍ଜେ

।।

ଦାରୁ ଘର୍ଷଣେ ଅଗ୍ନି ଯେହ୍ନେ

ବାୟୁ ସଂଯୋଗେ ଲାଗେବନେ

।।

ଅଦିତ ବିଷ୍ଣୁରୂପ ଧରି

ଶଶାଙ୍କ ପ୍ରାୟ ମନୋହାରୀ

।।

ଦିଶେ ଅଦିତି ରୂପକାନ୍ତି

ଦିନକୁ ଦିନ ବଢ଼େ ଜ୍ୟୋତି

।।

ଅଦିତି ଗର୍ଭରେ ସଞ୍ଚାର

ସେ କଥା ଜାଣି ବେଦବର

।।

ରଜନୀ କାଳେ ବ୍ରହ୍ମା ଆସି

ଅଦିତି ନିଦ୍ରା ସ୍ଥାନେ ବସି

।।

ଗର୍ଭକୁ ଚାହିଁ ପ୍ରଜାପତି

ଆନନ୍ଦେ କଲେ ଦିବ୍ୟସ୍ତୁତି

।।

ବ୍ରହ୍ମୋବାଚ

ଜୟ ଅନନ୍ତ ତୋର ନାମ

ନମୋ ନମସ୍ତେ ତ୍ରିବିକ୍ରମ

।।

ନମୋ ବ୍ରାହ୍ମଣ ଭାଗବତ

ନମସ୍ତେ ତ୍ରିଗୁଣ ଅର୍ଜିତ

।।

ନମସ୍ତେ ପୃଶ୍ନି ଗର୍ଭରୂପୀ

ନମସ୍ତେ ସର୍ବଲୋକ ବ୍ୟାପୀ

।।

ତ୍ରିନାଭ ବିଷ୍ଣୁ ବେଦ ଇଷ୍ଟ

ହେ ବଦଗର୍ଭ ହେ ତ୍ରିପିଷ୍ଟ

।।

ଏ ସୃଷ୍ଟି ଆଦି ଅନ୍ତ ମଧ୍ୟେ

ତୁ ନାଥ ବିହରୁ ଆନନ୍ଦେ

।।

ତୁମ୍ଭେ ଅନନ୍ତ ଶକ୍ତିଦର

ମନ ବଚନେ ଅଗୋଚର

।।

ତୁ କାଳରୂପୀ ଏ ଜଗତ

ସର୍ଜିପାଳନ କରୁ ଅନ୍ତ

।।

ନୀର ଯେସନେ ସୃଷ୍ଟି ଅନ୍ତେ

ପଶେ ଜଳଧି ଗର୍ଭଗତେ

।।

ସ୍ଥାବର ଆଦି ଜନ୍ମହରି

ତୁ ସବୁ ଆତ୍ମାରୂପ ଧରି

।।

ତୋର ମାୟାର ବଳେ ଜନେ

ତୋ ରୂପ ଜାଣିବେ କେସନେ

।।

ଜନ୍ତୁଙ୍କ ବାହ୍ୟ ଅଭ୍ୟନ୍ତର

ତୋ ତହୁଁ କେ ଅଛି ଅପାର

।।

ଜଳେ ପଡ଼ନ୍ତି ଯେଉଁ ପ୍ରାଣୀ

ସେ କେବେ ନଲଭେ ତରଣୀ

।।

ସେ କାହିଁ ଜଳଧି ତରିବେ

ଯେ ନ ପଶନ୍ତି ତୋର ଭାବେ

।।

ଏମନ୍ତ କରି ନାନା ସ୍ତୁତି

ନିଜ ଭୁବନେ ପ୍ରଜାପତି

।।

ଆନନ୍ଦ ମନେ ବ୍ରହ୍ମା ଗଲା

ଶୁଣ ରାଜନ ବିଷ୍ଣୁଲୀଳା

।।

ଭାଷା ପ୍ରବନ୍ଧେ ଭାଗବତ

କହିଲା ବିପ୍ର ଜଗନ୍ନାଥ

।।

ବାମନ ରୂପ ଧରି ଏବେ

ବିଷ୍ଣୁ ଯେ ବଳିକି ଛଳିବେ

।।

ଏକଥା ଏକମନେ ଶୁଣି

ତରିବ ଭବ ତରଙ୍ଗିଣୀ

।।

 

 

 

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ବୈୟାସିକ୍ୟାଂ ଅଷ୍ଟମସ୍କନ୍ଧେ ବିଷ୍ଣୁ ଅଦିତି ଗର୍ଭଗତେ

ନାମ ଷୋଡ଼ଶୋଽଧ୍ୟାୟଃ ।

•••

 

ସପ୍ତଦଶ ଅଧ୍ୟାୟ

 

ଶ୍ରୀ ଶୁକ ଉବାଚ

ଶୁଣ ଅଭିମନ୍ୟୁ ନନ୍ଦନ

କେମନ୍ତେ ଜନ୍ମିଲେ ବାମନ

।।

ଯେ ହରି ପୟୋବ୍ରତ ଫଳେ

ଜନ୍ମିଲେ ଅବନୀ ମଣ୍ଡଳେ

।।

ତାର ଚରିତ ଶୁଣ ଏବେ

ଯେମନ୍ତେ ବଳିର ପ୍ରସ୍ତାବେ

।।

ବ୍ରହ୍ମାର ସ୍ତୁତି ଶୁଣ ଦୋଷେ

ସେ ହରି ପରମ ପୁରୁଷେ

।।

ଅମୃତ ଭାବ ଯେ ଶରୀର

ହେଲେ ବାମନ ଅବତାର

।।

ଗଗନେ ଉଦେ ଦିବାକର

ବାମନ ଉଦରୁ ବାହାର

।।

ଅଦିତି ଗର୍ଭୁ ଭୂମିଗତେ

ବାମନ ଦେଖିଲା ଅଗ୍ରତେ

।।

ନୀଳ ନୀରଦ ତନୁ ବର୍ଣ୍ଣ

ପ୍ରକାଶ କମଳ ଲୋଚନ

।।

ଆଜାନୁଲମ୍ବେ ଭୁଜ ଚାରି

ଶଙ୍ଖ କମଳ ଗଦା ଧରି

।।

ପୀତ ବସନ କଟୀ ମାଝେ

ତଡ଼ିତ ନୀଳ ମେଘ ସାଜେ

।।

ରତ୍ନ କୁଣ୍ଡଳେ ଶ୍ରୁତି ଯୁଗେ

ଶ୍ରୀବତ୍ସ ଚିହ୍ନ ହୃଦଭାଗେ

।।

କଣ୍ଠେ ଲମ୍ବଇ ବନମାଳ

ସୁନ୍ଦର ଅଳତା କପୋଳ

।।

ପ୍ରସନ୍ନ ମୁଖେ ହାସ ଦିଶେ

ସଲିଳେ କମଳ ପ୍ରକାଶେ

।।

ଜଳଧି ଉଛୁଳେ ଉଲ୍ଲୋଳେ

କାନନେ ନାନା ପୁଷ୍ପ ଲୋକେ

।।

ଋତୁ ବହଇ ଗୁଣବନ୍ତେ

ପ୍ରସରେ ଶରଦ ବସନ୍ତେ

।।

ସୁଗନ୍ଧ ପବନ ଆମୋଦେ

ଗଗନେ ମଙ୍ଗଳ ଶବଦେ

।।

ଭୂମିରେ ବିପ୍ର ବେଦ ନାଦେ

ଅନଳ ପୂଜନ୍ତି ସନ୍ନିଧେ

।।

ଗ୍ରହ ନକ୍ଷତ୍ର ଶୁଭବେଳେ

ପର୍ବତେ ରହିଲେ ନିଶ୍ଚଳେ

।।

ଭାଦ୍ରବ ମାସ ଶୁକ୍ଳପକ୍ଷ

ଦ୍ୱାଦଶୀ ଶ୍ରବଣା ଯେ ରକ୍ଷ

।।

ମୁହୂର୍ତ୍ତ ନାମ ଅଭିଜିତ

ଗ୍ରହ ନକ୍ଷତ୍ର ସୁପ୍ରଶସ୍ତ

।।

ସର୍ବ ନକ୍ଷତ୍ରେ ତାରାଗଣେ

ପ୍ରଶସ୍ତ ମଙ୍ଗଳ ଦକ୍ଷିଣେ

।।

ବିଜୟା ନାମ ମଧ୍ୟାୟନେ

ଶଙ୍ଖ ଦୁନ୍ଦୁଭି ବାଦ୍ୟସ୍ୱନେ

।।

ମୃଦଙ୍ଗପଟ୍ଟହ କଂସାଳ

ଦୁନ୍ଦୁଭି ଭେରୀ ବାଦ୍ୟ ଗୋଳ

।।

ବଜାନ୍ତି ଗୋମୁଖା ଆନକ

ପ୍ରଣବ ତୁରୀ ଯେ ଅନେକ

।।

ସୁଗୀତ ବାଦ୍ୟ ନୃତ୍ୟ ଗୋଳେ

ଦିଗ ଉଛୁଳିଲା ତୁମୂଳେ

।।

ନାଚନ୍ତି ଅପସରା ବୃନ୍ଦେ

ଗନ୍ଧର୍ବ ତାଳଯନ୍ତ୍ର ବାଦ୍ୟେ

।।

ଦେବତା ମୁନି ପିତୃଗଣେ

ଅଗ୍ନି ସମେତ ଜଣେ ଜଣେ

।।

ସୁପର୍ଣ୍ଣ ସିଦ୍ଧି ବିଦ୍ୟାଧର

ସହ କିଂପୁରୁଷ କିନ୍ନର

।।

ଚାରଣ ଯକ୍ଷ ରକ୍ଷ ମଦି

ପିଶାଚ ଗୃହ୍ୟକ ପ୍ରସିଦ୍ଧି

।।

ସ୍ତୁତି ବଚନେ ଗୀତ ସ୍ୱରେ

ପୁଷ୍ପ ବର୍ଷନ୍ତି ନିରନ୍ତରେ

।।

ଅଦିତି ପରେ ପୁଷ୍ପ ବୃଷ୍ଟି

ଯେବେ ଖଣ୍ଡିବ ଜନ୍ମାରିଷ୍ଟି

।।

ଅଦିତି ନିଜ ପୁତ୍ର ଦେଖି

ନିର୍ମଳ କଲା ବେନି ଆଖି

।।

ଯେ ହରି ନିଜ ଯୋଗ ତେଜେ

ଜନ୍ମିଲେ କାଶ୍ୟପର ବୀର୍ଯ୍ୟେ

।।

କଶ୍ୟପ ଜୟ ଜୟ ବାଣୀ

ମଙ୍ଗଳ ବେଦନାଦ ଭଣି

।।

ତକ୍ଷଣେ ପ୍ରଭୁ ଭଗବାନ

ରୂପ ପ୍ରକାଶିଲେ ବାମନ

।।

ଦେଖନ୍ତି ସ୍ୱର୍ଗେ ଦିଗପାଳେ

ଦେବୀ ଦେବତା ଅନ୍ତରାଳେ

।।

ବଟ ବାମନ ରୂପ ଦେଖି

ମୁନିଏ ଆଶ୍ରମ ଉପେକ୍ଷି

।।

ପରମ ହରଷେ ମିଳିଲେ

ଜୟ ମଙ୍ଗଳା ସ୍ତୁତି କଲେ

।।

ବିଧାତା ଆଦି ମୁନି ତୁଲେ

ପୁତ୍ରର ଜାତକର୍ମ କଲେ

।।

ବାମନ ଉଗ୍ର କର୍ମ ଦେଖି

ସବିତା ଗଗନେ ଉପେକ୍ଷି

।।

ସବିତା ମନ୍ତ୍ର କର୍ଣ୍ଣେ କହେ

ଯେଣେ ସବିତା ତେଜ ବହେ

।।

ଗୁରୁ ପଇତା ଦେଲେ କନ୍ଦେ

କଶ୍ୟପ ମେଖଳା ଆନନ୍ଦେ

।।

ଅବନୀ କୃଷ୍ଣାଜିନ ଦେଲେ

ଶଶାଙ୍କ ଦଣ୍ଡ ସମର୍ପିଲେ

।।

ଅଦିତି ଦେଲା କଉପୀନ

ଯେଣେ ତ୍ରିଦଣ୍ଡ ପରିଧାନ

।।

ମୁନିଏ ଦେଲେ କରେ ଦର୍ଭ

ତେଜ ମଣ୍ଡଳ ଦେବଗର୍ଭ

।।

ଶାରଦା ଦେଲେ ଅକ୍ଷମାଳା

ଯେସନେ ବୁଦ୍ଧି ଅନର୍ଗଳା

।।

ବରୁଣ ରାଜା ଶୁଦ୍ଧଚିତ୍ତେ

ଭିକ୍ଷାପାତ୍ରକୁ ଦେଲେ ହସ୍ତେ

।।

ଅମ୍ବିକା ଦେଲେ ଭିକ୍ଷା ଆଣି

ସଙ୍ଗତେ ଘେନି କମଳିନୀ

।।

ଋଷିଏ ବ୍ରହ୍ମତେଜ ଦେଲେ

ସ୍ତୁତି ବଚନେ ସ୍ତୁତି କଲେ

।।

ନର୍ମଦା ନଦୀର ଉତ୍ତରେ

ଭୃଗୁ କଚ୍ଛପେ ବିପ୍ରବରେ

।।

କଶ୍ୟପ ହୋମ କରାଇଲେ

ବିଧାତା ପୁରୁଷର ବୋଲେ

।।

ଏମନ୍ତ ଧରି ଦିବ୍ୟ ମୂର୍ତ୍ତି

ଦେଲେ ଅନଳେ ପୂର୍ଣ୍ଣାହୁତି

।।

ଋତ୍ୱିକେ କରି ନାନା ବିଧି

ବଳିର ମତେ ଅଶ୍ୱମେଧି

।।

କରାଇ ନିଜ ମନ୍ତ୍ର ବଳେ

ଅମରେ ସ୍ଥାପିବ ନିଶ୍ଚଳେ

।।

ସେ କଥା ଜାଣିଣ ବାମନ

ପ୍ରତ୍ୟକ୍ଷେ କଲେକ ଗମନ

।।

ବଳି ଭୁବନେ ବିଷ୍ଣୁଯାନ୍ତେ

ଭୂମି କମ୍ପଇ ପଦାଘାତେ

।।

ବଳିକୁ ଯଜମାନ କରି

ମିଳି ଭୃଗୁଙ୍କୁ ଆଗକରି

।।

ଯଜ୍ଞ କରନ୍ତି ମନ୍ତ୍ର ବଳେ

ଯେମନ୍ତେ ଅମର ମଣ୍ଡଳେ

।।

ବଳି ବସିଲା ଦୃଢ଼ ଚିତ୍ତେ

ନିୟତ୍ତେ ଜନ୍ମ ପରିଯନ୍ତେ

।।

ଏମନ୍ତେ ବଳି ଯଜ୍ଞବାଟେ

ବାମନ ମିଳିଲେ କପଟେ

।।

ତପନ ଦେଖି ତାରାପନ୍ତି

ଯେସନେ ହ୍ୱନ୍ତି ହତଜ୍ୟୋତି

।।

ଭାର୍ଗବ ଆଦି ପୁରୋହିତେ

ସଦସ୍ୟ ଯଜମାନ ଯେତେ

।।

ବାମନ ତେଜେ ଅସ୍ତଗଲେ

ତମ ଯେସନେ ପ୍ରାତଃକାଳେ

।।

ନ କରିପାରି ଅନୁମାନ

ସର୍ବେ ହୋଇଲେ ହତଜ୍ଞାନ

।।

ରବି ଶଶାଙ୍କ କବା ବହ୍ନି

ମିଳିଲେ ନିଜ ତେଜ ଘେନି

।।

ଯେ ତହିଁ ଥିଲେ ବ୍ରହ୍ମାସୁତ

ଯଜ୍ଞ ପ୍ରୋକ୍ଷଣେ ଉପଗତ

।।

ଏମନ୍ତେ ଜାଣି ନ ପାରିଲେ

ବାମନ ତେଜେ ଅସ୍ତ ଗଲେ

।।

ଚାହାନ୍ତି କୁତ୍ସିତ ଲୋଚନେ

କେହି ନ ଜାଣି ଅନୁମାନେ

।।

କାହାରି ଦେହେ ନାହିଁ ଜ୍ଞାନ

କ୍ଷଣେ ରହିଲେ ଖେଦମନ

।।

ସେ ଜଳ କମଣ୍ଡଳୁ ଘେନି

କରିଣ ସାମବେଦ ଧ୍ୱନି

।।

ମିଳିଲେ ଯଜ୍ଞରେ କପଟ

ବାମନ ନୃପତି ନିକଟ

।।

କଟିରେ କୃଷ୍ଣାଜିନ ଶୋହେ

ଖର୍ବ ଶରୀରେ ଜନ ମୋହେ

।।

ବେଷ୍ଟିତ କଟିଲେ ମେଖଳା

ଯଜ୍ଞୋପବୀତ ଅକ୍ଷମାଳା

।।

ଅଦ୍ଭୁତ ବାମନ ଶରୀର

ଶିରେ ବିରାଜେ ଜଟାଭାର

।।

ମାୟା ବାମନ ରୂପ ଦେଖି

ତକ୍ଷଣେ ଆସନ ଉପେକ୍ଷି

।।

ଭୃଗୁ ସହିତେ ଶିଷ୍ୟ ଯେତେ

ଆସନୁ ଉଠିଲେ ତ୍ୱରିତେ

।।

ଅଞ୍ଜଳି ହସ୍ତ କରି ବେଗେ

ମିଳିଲେ ବାମନର ଆଗେ

।।

ବଳି ବାମନ ମୁଖ ଚାହିଁ

ଆସନ ଦେଲେ ବେଗେ ନେଇ

।।

ଚରଣେ ନମସ୍କାର କରି

କୁଶଳ ବାରତା ପଚାରି

।।

ଉତ୍ତମ ଜଳେ ଧୋଇ ପାଦ

ଆନନ୍ଦେ କଣ୍ଠ ଗଦଗଦ

।।

ପାଦ ଉଦକ ଘେନି ଶିରେ

ରୋମ ହରଷ କଳେବରେ

।।

ଯାର ଚରଣେ ଶେଷ ଜଳ

ଖଣ୍ଡଇ ସର୍ବ ଅମଙ୍ଗଳ

।।

ଗିରୀଶ ପରମ ଭକ୍ତିରେ

ଯେ ପାଦୋଦକ ଧରେ ଶିରେ

।।

ବଳି ଯେ ବେନି କର ଯୋଡ଼ି

କହେ ବାମନ ପାଦେ ପଡ଼ି

।।

ବଳି ଉବାଚ

ଭୋ ବିପ୍ର ନମେ ତୋ ଚରଣେ

ଅଶେଷ କୁଶଳ କାରଣେ

।।

ବ୍ରହ୍ମ ଋଷିଙ୍କ ତେଜ ପ୍ରାୟ

ମୁହିଁ ଦେଖଇ ତୋର ଦେହ

।।

ତୁ ବ୍ରହ୍ମ ସ୍ୱରୂପ ସାକ୍ଷାତେ

ତୋ ରୂପ ନାହିଁ ଏ ଜଗତେ

।।

କି ଅର୍ଥେ ତୋହର ଆଗମ

କହ ତୋହର କିସ ନାମ

।।

ମୋ ପିତୃଗଣେ ଆଜି ତୋଷ

ପବିତ୍ର ମୋର ଗୃହବାସ

।।

ଆଜି ମୋ ସଫଳ ଜୀବନ

ଯେଣୁ ତୁମ୍ଭର ଆଗମନ

।।

ପବିତ୍ର ହୋଇଲା ମୋ କୁଳ

ଲଭିଲ ଶତକ୍ରତୁ ଫଳ

।।

ଆଜ ଅନଳ ଘୃତ ଗ୍ରାସେ

ତୋଷେ ଚଳିବେ ନିଜ ବାସେ

।।

ଏ ଗୃହ ପବିତ୍ର ମୋହର

ନିର୍ମଳ ଆଜ ସର୍ବପୁର

।।

ଭୋ ବିପ୍ର ଦାନ ମାଗ ମୋତେ

ଯେ ଅବା ଇଚ୍ଛା ତୋର ଚିତ୍ତେ

।।

ଗୋରୁ କାଞ୍ଚନ ଦିବ୍ୟପୁର

କିବା ପ୍ରାସାଦ ମନୋହର

।।

ଗ୍ରାମ ପାଟଣା କନ୍ୟାଧନ

ଅମୂଲ୍ୟ ରତ୍ନ ବା ସୁବର୍ଣ୍ଣ

।।

ଅନ୍ନ ବସନ ଆଦି ଯେତେ

ଭୋ ବିପ୍ରବର ମାଗ ମୋତେ

।।

ଗଜ ତୁରଙ୍ଗ ଅଶ୍ୱ ତରୀ

ରଥି ପଲ୍ୟଙ୍କ ଆଦିକରି

।।

କିବା ତୋହର ହିତେ ଯେତେ

ଭୋ ବିପ୍ର ମାଗ ଅନୁମତେ

।।

ଦେବି ମୁଁ ଏ ସତ୍ୟ ବଚନ

ଦାରା ତନୟ ବା ଜୀବନ

।।

ଏମନ୍ତ ବଳି ଶୁଦ୍ଧ ଚିତ୍ତେ

କହିଲେ ବାମନ ଅଗ୍ରତେ

।।

ଏମନ୍ତେ ବଳି ବାକ୍ୟ ଶୁଣି

ବିଷ୍ଣୁ ସ୍ୱଭାବେ କୁଶପାଣି

।।

ମଙ୍ଗଳ ସ୍ୱରେ ବେଦଧ୍ୱନି

କରନ୍ତି ବଳି ମନ ଘେନି

।।

ତିନି ଭୁବନ କମ୍ପେ ନାଦେ

ସୁଜନ ମନ ବିଷ୍ଣୁ ପାଦେ

।।

କହଇ ବିପ୍ର ଜଗନ୍ନାଥ

ପ୍ରାକୃତ ବନ୍ଧେ ଭାଗବତ

।।

 

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ବୈୟାସିକ୍ୟାଂ ଅଷ୍ଟମସ୍କନ୍ଧେ ବଳି ଭୁବନେ ବେଦଧ୍ୱନି କରଣେ

ନାମ ସପ୍ତଦଶୋଽଧ୍ୟାୟଃ ।

•••

 

Unknown

ଅଷ୍ଟାଦଶ ଅଧ୍ୟାୟ

 

ଶ୍ରୀ ଶୁକ ଉବାଚ

ବଳିର ଏ ବଚନ ଶୁଣି

ସନ୍ତୋଷେ ପ୍ରଭୁ ଚକ୍ରପାଣି

।।

ବଳି ବାକ୍ୟକୁ ସ୍ତୁତି କରି

ବଟୁ ବାମନ ରୂପ ଧରି

।।

ବୋଲନ୍ତି ମଧୁର ବଚନ

ସେବ ବାକ୍ୟେ ମୋହ ପ୍ରାଣୀମନ

।।

ଶ୍ରୀ ଭଗବାନୁବାଚ

ହେ ବଳି ଧନ୍ୟ ତୋ ବଚନ

କୁଳ ଉଚିତ ସୁଶାସନ

।।

ଧର୍ମ ସମ୍ଭୂତ ଯଶସ୍କର

ଅର୍ଥୀଜନକୁ ସୁଧାକର

।।

ଯାହାର ବଂଶେ ପୁରୋହିତ

ଭାର୍ଗବ ପଦ୍ମଯୋନି ସୁତ

।।

ପ୍ରହ୍ଲାଦ ଯାର ପିତାମହ

ବିଷ୍ଣୁ ଭଜନେ ମହାଶୟ

।।

ବ୍ରାହ୍ମଣେ ଦାନ ତୁମ୍ଭ କୁଳେ

ପ୍ରସିଦ୍ଧ ଭୁବନ ମଣ୍ଡଳେ

।।

ଯାହାର ବଂଶେ ରଣତୀର୍ଥ

ସଂଗ୍ରାମେ ନୁହନ୍ତି ନିସତ

।।

ଅତିଥି ଆଗମନେ ସୁଖୀ

ଦୁଃଖୀଜନଙ୍କ ଦୁଃଖ ଦୁଃଖୀ

।।

ନିର୍ମଳ ଯଶ ଯାର କୁଳେ

ବିଖ୍ୟାତ ଏ ମହୀମଣ୍ଡଳେ

।।

ପ୍ରହ୍ଲାଦ ଜାତ ଯେଉଁ କୁଳେ

ଯେହ୍ନେ ଶଶାଙ୍କ ତାରାମେଳେ

।।

ଯେବଂଶେ ହିରଣ୍ୟାକ୍ଷ ବୀର

ଦେବ ମାନବେ ଅଗୋଚର

।।

ହିରଣ୍ୟ ଦୈତ୍ୟ ଗଦାପାଣି

ଏକାକୀ ଭ୍ରମଇଁ ଧରଣୀ

।।

ତାହାର ସଙ୍ଗେ ଗଦାଯୁଦ୍ଧେ

କେହି ନ ଗଲେ ରଣ ମଧ୍ୟେ

।।

ଶୁକର ରୂପେ ପୂର୍ବେ ହରି

ଦନ୍ତାଗ୍ରେ ଧରଣୀ ଉଦ୍ଧରି

।।

ତାହାର ଆଗମନ କାଳେ

ସେ ହରି ଥିଲେ ମହାଜଳେ

।।

ବରୁଣ ପୁରେ ଦଇତ୍ୟାରି

ସଙ୍ଗେ ହିରଣ୍ୟ ଯୁଦ୍ଧ କରି

।।

ଅନେକ ମାୟା ଯୁଦ୍ଧ କଲା

ବିଷ୍ଣୁର ପଦାଘାତେ ମଲା

।।

ସେ ହରି ହିରଣ୍ୟାକ୍ଷ ମାରି

ଦନ୍ତାଗ୍ରେ ଧରଣୀ ଉଦ୍ଧରି

।।

ଆତ୍ମାକୁ ଜୟୀ ପ୍ରାୟେ ମଣି

ସକଳ ସଭା ମଧ୍ୟେ ଭଣି

।।

ଅନୁଜ ବଧ ଶୁଣି ରଣେ

ହିରଣ୍ୟକଶିପୁ ତକ୍ଷଣେ

।।

ଭ୍ରାତୃ ମରଣେ କ୍ରୋଧ କରି

ପ୍ରଚଣ୍ଡ ଶୂଳ କରେ ଧରି

।।

ସମନ ତୁଲ୍ୟ କୋପମନେ

ମିଳିଲା ବିଷ୍ଣୁର ଭୁବନେ

।।

ଗୋବିନ୍ଦ ତାର ଆଗମନେ

ଦେଖି ଭାବିଲେ ମନେ ମନେ

।।

କୃତାନ୍ତ ପ୍ରାୟେ ଶୂଳ ତୋଳି

ଦେଖି ଧାଇଁଲେ ମହାବଳୀ

।।

ସେ ହରିମାୟା ଯୋଗବଳେ

ଅଦ୍ଭୁତ ଦେଖି ପଳାଇଲେ

।।

ଅସୁର ମନେ ବିଚାରଇ

ଏ ମୋର ମାରିଅଛି ଭାଇ

।।

ଏହାକୁ ପ୍ରାଣେ ନାଶ କଲେ

ତେବେ ଜୀବନ ଥିବ ଭଲେ

।।

ଏମନ୍ତେ ଚିନ୍ତି ଶୂଳଧରି

ପଛେ ଧାଇଁଲେ ରୋଷ ଭରି

।।

ଭୟେ ପଳାନ୍ତି ତାକୁ ଦେଖି

ସଭ୍ରମେ ଭୁବନ ଉପେକ୍ଷି

।।

ତେଣେ ପଳାନ୍ତି ନରହରି

ପଛେ ଅସୁର ଗଦାଧରି

।।

ସେ ବିଷ୍ଣୁ କରନ୍ତି ବିଚାର

ସ୍ୱଭାବେ ଅଜୟ ଅସୁର

।।

ଏହାକୁ ମାୟା ମୁଁ ନ କଲେ

ନୋହିଲେ ନ ରହିବ ଭଲେ

।।

ଏହା ହୃଦରେ ମୁହିଁ ପଶି

ମାୟାରେ ମନକୁ ଆର୍କଷି

।।

ଯେମନ୍ତେ ଏ ମୋତେ ନ ପାଇ

ନିର୍ଭୟେ ନିଜ ପୁରେ ଯାଇ

।।

ମୋର ବିଷୟେ ବହିକ୍ରୋଧ

କରଇ ଭଇରବ ନାଦ

।।

ଶବଦେ ଭୁବନ କମ୍ପିଲା

ସମୁଦ୍ର କୂଳକୁ ଲଘିଂଲା

।।

ସେ ବୀର ବିଚାରଇ ମନେ

ଏ ତ ଲୁଚିଲା ମନଚ୍ଛନ୍ନେ

।।

ନିଶ୍ଚେ ସେ ବଇକୁଣ୍ଠ ଗଲା

ଏମନ୍ତ ବୋଲି ବାହୁଡ଼ିଲା

।।

ପଥେ ଚଳନ୍ତି ମନେ ଭାବି

ବୋଲଇ ଅବଶ୍ୟ ମାରିବି

।।

ଏ ମୋର ଭ୍ରାତା ହତକାରୀ

ଏମନ୍ତ କ୍ରୋଧ ମନେ ଧରି

।।

ଜୀବନେ ଥିବା ପରିଯନ୍ତେ

ବିଷ୍ଣୁ ନ ଭଜି କଦାଚିତ୍ତେ

।।

ହରିର ତୁଲେ ବାଦ କଲା

ଅନ୍ତେ ସେ ବିଷ୍ଣୁଙ୍କୁ ପାଇଲା

।।

ତାହାର ତନୟ ପ୍ରହ୍ଲାଦ

ନିତ୍ୟ ସେବିଲା ବିଷ୍ଣୁ ପାଦ

।।

ବିଷ୍ଣୁ ଭକତ ମହାଶୟ

ଦେବେ ଦାନବ ସେ ଅଜୟ

।।

ତାହାର ବଂଶେ ତୋର ଜାତ

ସ୍ୱଭାବେ ଅଟୁ ଭାଗ୍ୟବନ୍ତ

।।

ବ୍ରହ୍ମଜ୍ଞ ମହିମା ତୋହର

ଏ କୁଳେ ଅତି ଯଶସ୍କର

।।

ତିନି ଭୁବନେ ତୁ ଯେ ରାଜା

ସର୍ବେ କରନ୍ତି ତୋର ପୂଜା

।।

ଏଣୁ ତୋହର ହସ୍ତେ ତୁହି

ନିବାସ ଅର୍ଥେ କଳ୍ପେ ଭୂଇଁ

।।

ମୋହର ପାଦେ ପାଦ ତିନି

ମାପିଣ ଦିଅ ହେ ମେଦିନୀ

।।

ଦାରା ତନୟ ମୋର ନାହିଁ

କେବଣ ବସ୍ତୁ ମୁଁ ଇଚ୍ଛଇ

।।

ଏ ଭୂମି ଦାନ ଦିଅ ମୋତେ

ଯେମନ୍ତେ ରହିବି ନିଶ୍ଚିନ୍ତେ

।।

ତୁ ଅଟୁ ଭକତ ଈଶ୍ୱର

ଆନେ କି ପ୍ରୟୋଜନ ମୋର

।।

ଏମନ୍ତ ବିପ୍ର ମୁଖୁଁ ଶୁଣି

ବୋଲେ ଦନୁଜ ବୀରମଣି

।।

ବଳି ଉବାଚ

ଭୋ ବିପ୍ର ଶୁଣ ମୋ ଉତ୍ତର

ତୁ ଅତି ବାଳକ ଶରୀର

।।

ବୃଦ୍ଧର ପ୍ରାୟେ କଥା କହୁ

ବିଚାରେ ବାଳକ ତୁ ନୋହୁ

।।

ସ୍ୱଭାବେ ବାଳବୁଦ୍ଧି ଘେନି

ନ ଜାଣୁ ଆତ୍ମାଲାଭ ହାନି

।।

ଅଜ୍ଞାନୀ ପ୍ରାୟେ ତୋର ମତି

ଏଣୁ ତୋ ବିପରୀତ ରୀତି

।।

ମୁହିଁ ତ୍ରିଲୋକ ଏକ ରାଜା

ସର୍ବେ କରନ୍ତି ମୋତେ ପୂଜା

।।

ତ୍ରିପାଦ ଭୂମି ମାଗୁ ମୋତେ

ଏ ଦାନ ଦେବି ମୁଁ କେମନ୍ତେ

।।

ଲୋକେ କରିବେ ଉପହାସ

ଏ କଥା ନୁହଇ ବିଶ୍ୱାସ

।।

ଯେ ବିପ୍ର ମୋ ଦାନ ଘେନି

ସେ କାହିଁ ଆନକୁ ମାଗିବ

।।

ଏଣୁ ଜୀବିକା ନିର୍ବାହାର୍ଥେ

ପୃଥିବୀ ମାଗ ଇଚ୍ଛା ମତେ

।।

ଏମନ୍ତ ବଳି ମୁଖୁଁ ଶୁଣି

ବାମନ ବିପ୍ର କହେ ପୁଣି

।।

ଶ୍ରୀ ଭଗବାନୁବାଚ

ଶୁଣ ହେ ବଳି ନୃପନାଥ

ଅଜ୍ଞାନୀ ଜନଙ୍କର ମତ

।।

ସମୁଦ୍ର ଆବରଣ ମହୀ

ଏତେ ସମ୍ପଦ ଯେତେ ପାଇ

।।

ତେବେ ହେଁ ଆତ୍ମା ନ ପୂରଇ

ଶୁଣ ନୃପତି ମନ ଦେଇ

।।

ସପତ ଦ୍ୱୀପେ ଅଧିପତି

ଥିଲେ ଯେ ଅନେକ ନୃପତି

।।

ବୈଶ୍ୟ ଯେ ମାନଧାତା ପଦ

ଲଭିଣ ଅତୁଲ୍ୟ ସମ୍ପଦ

।।

ସେ ଅର୍ଥ କାମ ଯେତେ କଲେ

ବିଷ୍ଣୁର ଅନ୍ତ ନ ପାଇଲେ

।।

ପୂର୍ବର କର୍ମଫଳ ବଳେ

ଯେ ଦିନେ ଯାହା ଅବା ମିଳେ

।।

ତେଣେ ସନ୍ତୋଷ ଯାର ଚିତ୍ତ

ଯେ ପ୍ରାଣୀ ତ୍ରିଭୁବନେ ସତ୍ୟ

।।

ଯେ ଅର୍ଥ କାମେ ଅସନ୍ତୋଷ

ହୋଏ ସେ ବିଧାତାର ବଶ

।।

ଉଭୟ ଲୋକେ ସୁଖ ନାହିଁ

ଅତୃପ୍ତି ଥିବ ତାର କାହିଁ

।।

ସେ ଅସନ୍ତୋଷ ତେଜେ ଜଳେ

ଅନଳ ଯେହ୍ନେ ଘୃତବଳେ

।।

ସନ୍ତୋଷ ଜଳବିନ୍ଦୁ ପାଇ

ସେ ଅଗ୍ନି ତେଜ ଯେ ଲିଭଇ

।।

ଏଣୁ ସମ୍ପଦେ କାର୍ଯ୍ୟ ନାହିଁ

ତ୍ରିପାଦେ ଦିଅ ମୋତେ ମହୀ

।।

ତେକେ କୃତାର୍ଥ ମୋ ଜୀବନ

ଅଧିକେ କିବା ପ୍ରୟୋଜନ

।।

ଏମନ୍ତ ବାକ୍ୟ ବିପ୍ର ଘୋଷେ

ସେ ବାକ୍ୟ ଶୁଣି ବଳି ହସେ

।।

ବୋଲଇ ଧର କୁଶପାଣି

ତୋ ପାଦ ପ୍ରମାଣେ ଧରଣୀ

।।

ଦେବଇଁ ସତ୍ୟ ମୋ ବଚନ

ଭୋ ବିପ୍ର ତୋଷଚିତ୍ତେ ଘେନ

।।

ଏମନ୍ତ ସତ୍ୟ ବଳି ବାଣୀ

ବାମନ ତୋଷମନ ଶୁଣି

।।

ଶୁକ୍ର ଯେ ରାଜା ପଛେ ଥିଲା

ଦାନର ନିଶ୍ଚୟେ ଦେଖିଲା

।।

ଶୁକ୍ରାଚାର୍ଯ୍ୟ ଉବାଚ

କର ଅଞ୍ଜଳି ଅଗ୍ର କରି

ବଳିକୁ କହେ ଆଗ ସରି

।।

ଶୁଣ ହୋ ବୈଲୋଚନ ସୁତ

ତୋତେ ଦେଖିଲି ବିପରୀତ

।।

ପାତ୍ର ଅପାତ୍ର ତୁ ନ ଜାଣୁ

ବିପ୍ରକୁ ଦାନ ପରିମାଣୁ

।।

ଦେଖ ଏ ପ୍ରଭୁ ଭଗବାନ

କପଟ ଶରୀର ବାମନ

।।

ବିବୁଧଗଣ ରକ୍ଷା କାର୍ଯ୍ୟେ

ଜନ୍ମିଲେ କଶ୍ୟପର ବୀର୍ଯ୍ୟେ

।।

ଅଦିତି ଗର୍ଭେ ଜାତ ହୋଇ

ଅଇଲା ତୋର ଜ୍ଞାନ କାହିଁ

।।

ଅନର୍ଥ ଅର୍ଥ ତୁ ନ ଜାଣି

ହସ୍ତେ ଧଇଲୁ କୁଶପାଣି

।।

ଅଦିତି ଗର୍ଭେ ଜାତ ହୋଇ

ଏମନ୍ତ ଦେଖିଲାତ ନାହିଁ

।।

ତୋହର ଯଶ ସୁଖ ଶିରୀ

ହରି ବାମନ ରୂପ ଧରି

।।

ଇନ୍ଦ୍ରକୁ ଦେବ ମାୟାବଳେ

ତୁ ମୂଢ଼ ପଶିବୁ ପାତାଳେ

।।

ତିନି ଚରଣେ ତିନିପୁର

ସମ୍ପଦ ହରିବ ତୋହର

।।

ସର୍ବସ୍ୱ ବିଷ୍ଣୁ ହସ୍ତେ ଦେଇ

ତୁ ପୁଣି ବିଶ୍ରମିବୁ କାହିଁ

।।

ପାଦକେ ଅବନୀ ପୂରିବ

ଶରୀର ବ୍ରହ୍ମାଣ୍ଡ ଘୋଟିବ

।।

ଦ୍ୱିତୀୟ ପାଦ ଅଷ୍ଟ ଦିଶ

ବିକ୍ରମି ଭୁବନ ଆକାଶ

।।

ସଂକଳ୍ପ ଯେବେ ତୁ ନ ଦେବୁ

ନିଶ୍ଚେ ତୁ ନରକେ ପଡ଼ିବୁ

।।

ସଂକଳ୍ପ କରି ନାନା ଅର୍ଥେ

ଯେବା ନଦିଏ ଲୋଭ ଚିତ୍ତେ

।।

ସେ କାହିଁ ଥିବ ଏ ସଂସାରେ

ପଡ଼େ ନରକ ଅନ୍ଧକାରେ

।।

ଯେ ଦାନେ ବୃତ୍ତି ଯାଇ ନାଶ

କୁଳ ସମୂଳେ ଧର୍ମନାଶ

।।

ଯେ ଦାନ କେବେହେଁ ନ କରେ

ଯଶ ସମ୍ପଦ ଯେଣେ ହରେ

।।

ପୂର୍ବେ ଯେ ସିଦ୍ଧି ମୁନିମାନେ

ଯେ ଧର୍ମ କହିଛନ୍ତି ଜନେ

।।

ତାହା କହିବି ତୋ ଅଗ୍ରତେ

ରାଜନ ଶୁଣ ଏକ ଚିତ୍ତେ

।।

ମନ ବଚନ ସତ୍ୟକରି

ଓଁ କାର ନାଦ ସେ ଉଚ୍ଚାରି

।।

ଦେବି ମୁଁ ବୋଲି ଯାହା କରେ

କେ ଜ୍ଞାନ ଥାଉ ତାହା ହରେ

।।

ଏ ଦେହ ବୃକ୍ଷର ସ୍ୱରୂପ

ସତ୍ୟ ତାହାର ଫଳ ପୁଷ୍ପ

।।

ବୃକ୍ଷରନାଶେ ନାଶ ଯାନ୍ତି

ବୃକ୍ଷର ମୂଳେ ଥିଲେ ଶାନ୍ତି

।।

ସଂକଳ୍ପ ସତ୍ୟ ନାଶ ଯାନ୍ତେ

କେବେହେଁ ନମିଳେ ଜଗତେ

।।

ଆକାର ଉକାର ମକାରେ

ଶବଦ ଉଚ୍ଚାରଣ କରେ

।।

ଯେ ତାହା ଅଜ୍ଞାନେ ହରନ୍ତି

ନିଜ ଶରୀର ନ ଧରନ୍ତି

।।

ହାସ୍ୟ ସଂଯୋଗ ନାରୀ ସଙ୍ଗେ

ବିହାର କନ୍ୟାବର ଯୋଗେ

।।

ବୃତ୍ତ୍ୟର୍ଥେ ପ୍ରାଣୀର ସଙ୍କଟେ

ଗୋରୁ ବ୍ରାହ୍ମଣଙ୍କର କଷ୍ଟେ

।।

ମିଥ୍ୟା କହିଲେ ଯେବେ ତରେ

ଏକଥା କେବେହେଁ ନ କରେ

।।

ଏମନ୍ତ ଭୃଗୁ ବାକ୍ୟ କହି

ବଳି ତା ବାକ୍ୟେ ମନ ଦେଇ

।।

ସଂଶୟ ରହିଲାକ ଚିତ୍ତେ

ଗୁରୁ ବଚନେ ଧର୍ମ ମତେ

।।

ବୋଲଇ ବିପ୍ର ଜଗନ୍ନାଥ

ଭାଷା ପ୍ରବନ୍ଧେ ଭାଗବତ

।।

ବଳି ବାମନ ବାକ୍ୟ ବନ୍ଧେ

କହିଲେ ଏ ଅଷ୍ଟମ ସ୍କନ୍ଧେ

।।

ସୁଜନେ ଶୁଣ ଏକଚିତ୍ତେ

ହରି ଚରିତ ଭାଗବତେ

।।

ସୁଜନେ ଶୁଣି ଏବେ ଭାବ

ଏ ଭାବେ ସଂସାରୁ ତରିବ

।।

 

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ବୈୟାସିକ୍ୟାଂ ଅଷ୍ଟମସ୍କନ୍ଧେ ବଳି ବାମନ ସମ୍ବାଦେ

ନାମ ଅଷ୍ଟାଦଶୋଽଧ୍ୟାୟଃ ।

•••

 

ଊନବିଂଶ ଅଧ୍ୟାୟ

 

ଶ୍ରୀ ଶୁକ ଉବାଚ

ବଳି ଯେ ଅସୁରଙ୍କ ପତି

ସ୍ୱଭାବେ ଧର୍ମେ ଥିଲା ମତି

।।

କୁଳ ଆଚାର୍ଯ୍ୟ ବାକ୍ୟ ଶୁଣି

ଧର୍ମ ଅଧର୍ମ ମନେ ଗୁଣି

।।

ତୁନି ହୋଇଲା କ୍ଷଣେ ମାତ୍ର

ଶିଥିଳ କମ୍ପମାନ ଗାତ୍ର

।।

ଦଣ୍ଡକେ ଗୁରୁ ମୁଖ ଚାହିଁ

ମୁଖେ ହରଷ ଭାବ ବହି

।।

ବଳି ଉବାଚ

ଭୋ ଗୁରୁ ସତ୍ୟ ତୋର କଥା

ଗୃହସ୍ଥ ଜନର ବ୍ୟବସ୍ଥା

।।

ଯେ ଧର୍ମ କାମ ଅର୍ଥ ଯଶ

ବୃତ୍ତି ସହିତେ ହୁଏ ନାଶ

।।

ଏମନ୍ତ ଧନ ଲୋଭେ ଭାବି

ବିପ୍ରଙ୍କୁ କେମନ୍ତେ ଲଙ୍ଗିବି

।।

ସର୍ବ ଦେବତା ବିପ୍ର ଦେହେ

ବ୍ରାହ୍ମଣ ଦେବେ ବିଷ୍ଣୁ ରହେ

।।

ଏକ ବିପ୍ରକୁ ବଞ୍ଚାଇଲେ

ବ୍ରହ୍ମାଣ୍ଡେ ଯଶ କରି ଭଲେ

।।

ପ୍ରହ୍ଲାଦ ବଂଶେ ମୁହିଁ ଜାତ

ଏ କଥା ଜଗତେ ବିଖ୍ୟାତ

।।

କପଟ ପ୍ରାୟେ ମାୟା କରି

କେମନ୍ତେ ସଚ୍ୟ ବାକ୍ୟ ହରି

।।

ପଡ଼ି କପାଳ କର୍ମ ବଳେ

ଅଯଶ ଲଭିବି ଶୟଳେ

।।

ସତ୍ୟ ଉପରେ ଧର୍ମ ନାହିଁ

ଏ କଥା ପୃଥ୍ୱୀ ଅଛି କହି

।।

ଧର୍ମରେ ସମ୍ପଦ ପତନେ

ନରକେ ନ ତରି ଯେସନେ

।।

ସ୍ୱସ୍ଥାନେ ଭୋଗ ନାହିଁ ତାପ

ବିପ୍ର ଲଘଂନେ ଯେତେ ପାପ

।।

ସେ ଭୂମି ଛାଡ଼ି ଅନ୍ତକାଳେ

ମୁଁ କି ପାଇବି ଅନ୍ତରାଳେ

।।

ଏ ଭୂମି ବିପ୍ରେ ବାକ୍ୟ ଦେଇ

କେମନ୍ତେ ଲଘିଂବଇଁ ମୁହିଁ

।।

ପ୍ରାଣୀଙ୍କ ହିତ ସାଧୁଜନ

ଯେ କରେ ଧନ୍ୟ ତା ଜୀବନ

।।

ମରୀଚି ଆଦି ଋଷି ଯେତେ

ପୂର୍ବେ ଏ ସାଧନ ସମସ୍ତେ

।।

ପୃଥିବୀ ଆଶା ବଶ କଲେ

ସଙ୍ଗତେ କିବା ଘେନିଗଲେ

।।

ମୋହର ବଂଶେ ଯେ ଦାନବେ

ଏ ଭୂମିଗତେ ଥିଲେ ସର୍ବେ

।।

ସେ ସର୍ବେ କାଳେ ଅସ୍ତ ହେଲେ

ଯଶ ରହିଲା ମହୀତଳେ

।।

ସମରେ ଯେ ବୀର ପଶନ୍ତି

ଆତ୍ମା ବିଚାର ନ କରନ୍ତି

।।

ଯେ ତୀର୍ଥେ ତ୍ୟଜନ୍ତି ଶରୀର

ସ୍ୱଧର୍ମ କରନ୍ତି ବିଚାର

।।

ଯେ ସତପାତ୍ରେ ଦ୍ୟନ୍ତି ଦାନ

ସେ ସର୍ବେ ସାତ୍ତ୍ୱିକ ଜୀବନ

।।

ଏ ସତ୍ୟ ଧର୍ମ ଦୁଇ କରି

ତୁମ୍ଭ ବଚନ ମନେ ଧରି

।।

ଏ ମୋର ଶରୀର ନ ଥିବ

ଏଥକୁ ସାକ୍ଷୀ ସଦାଶିବ

।।

ବ୍ରହ୍ମାର ବଂଶେ ଜାତ ହୋଇ

ଏମନ୍ତ କହ କାହିଁ ପାଇଁ

।।

ମୁଁ ଯେ ଧରଣୀ ଦେବି ଦାନ

ଏଥକୁ ସାକ୍ଷୀ ଭଗବାନ

।।

ବେଦ ବିଧାନ ଯେ ଜାଣନ୍ତି

ଆତ୍ମାକୁ ସର୍ବଭୂତେ ଚିନ୍ତି

।।

ଅନେକ ଯଜ୍ଞ ମତେ ପୂଜି

ଯାର ଚରଣେଭାବେ ମଜ୍ଜି

।।

ସେ ହରି ଦୟା ମୋତେ କରୁ

ଅଥବା ଶରୀର ସଂହାରୁ

।।

ତହିଁକି ମୋର ଚିନ୍ତା ନାହିଁ

ବିପ୍ରେ ଧରଣୀ ଦେବି ମୁହିଁ

।।

ଅଧର୍ମ ମାର୍ଗେ ଯେବେ ମୋତେ

ବିପ୍ର ମାରିବେ କୋପ ଚିତ୍ତେ

।।

ଏ ବ୍ରହ୍ମା ତନୁ ନଷ୍ଟ ମୋର

ମୁଁ ତ ଏହାର ନିର୍ବିକାର

।।

ଯେବେ ବ୍ରାହ୍ମଣ ରୂପ ଧରି

ବିଷ୍ଣୁ ମୋ ସଙ୍ଗେ ବାଦ କରି

।।

ଯେବେ ମାରିବେ ଯୁଦ୍ଧେ ମୋତେ

ମୋତହୁଁ ଧର୍ମ କେ ଜଗତେ

।।

ଶ୍ରୀ ଶୁକ ଉବାଚ

ଏମନ୍ତ ଶୁଣି ବଳି ମୁଖେ

ସେ ଭୃଗୁ ଅତି ମନଦୁଃଖେ

।।

ବଳିର ସତ୍ୟକଳ୍ପ ଦେଖି

କ୍ରୋଧେ ଅରୁଣ କରି ଆଖି

।।

କଟାକ୍ଷ ନୟନେ ଅନାଇ

ମୁଖେ କି ଅନଳ ଜଳଇ

।।

ନିର୍ଘାତେ କମ୍ପିତ ନିଃଶ୍ୱାସେ

ବଳିକି ଶାପ ଦେଲେ ରୋଷେ

।।

ତୁ ସତ୍ୟ ସନ୍ଧ ନୃପମଣି

ମୋହର ମହିମା ନ ଜାଣି

।।

ମୋ ବାକ୍ୟ ନକଲୁରେ ଦୁଷ୍ଟ

ସର୍ବ ସମ୍ପଦ ହେଉ ନଷ୍ଟ

।।

ଏମନ୍ତ ଗୁରୁ ଶାପ ପାଇ

ଧରଣୀ ଦାନେ ମନ ଦେଇ

।।

ବାମନ ବେନି ପାଦ ଧରି

ଉଦକ ପୂର୍ବ ପୂଜାକରି

।।

ବଳିର ପତ୍ନୀ ବିନ୍ଧ୍ୟାବଳୀ

କର୍ଣ୍ଣେ ଭୂଷଣ ରତ୍ନମାଳୀ

।।

ଉଦକ ପୂର୍ଣ୍ଣ ଘଟ ବେଗେ

ଘେନି ମିଳିଲା ସ୍ୱାମୀ ଆଗେ

।।

ବଳି ବାମନ ପାଦ ଯୁଗେ

ଜଳ ଢାଳିଲାନେଇ ବେଗେ

।।

ପାଦ ଉଦକ ଘେନି ଶିରେ

ମନନ୍ଦେ ପୁଲକ ଶରୀରେ

।।

ଯେ ଜଳ ଭୁବନ ପାବିନୀ

କାନ୍ତ କାମିନୀ ସଙ୍ଗେ ଘେନି

।।

କୃତାର୍ଥ ହୋଇ କରଯୋଡ଼ି

ଚରଣେ ପୁନଃ ପୁନଃ ପଡ଼ି

।।

ଆନନ୍ଦ ସାଗରେ ବୁଡ଼ିଲେ

ଶୂନ୍ୟେ ଯେ ଦେବେ ଶୁଣୁଥିଲେ

।।

ଗନ୍ଧର୍ବଗଣ ବିଦ୍ୟାଧର

ସିଦ୍ଧ ଚାରଣ ଯେ କିନ୍ନର

।।

କରନ୍ତି ଜୟ ଜୟ ବାଣୀ

କୁସୁମ କଳ୍ପବୃକ୍ଷ ଆଣି

।।

ସିଞ୍ଚିଣ ମନ୍ଦାକିନୀ ବାରି

ପୁଷ୍ପ ବରଷି ସ୍ତୁତି କରି

।।

ସହସ୍ର ଦୁନ୍ଦୁଭି ଶବଦେ

କମ୍ପଇ ଚତୁର୍ଦ୍ଦିଗବାଦ୍ୟେ

।।

ନୃତ୍ୟ କରନ୍ତି ଅପସରୀ

ମଙ୍ଗଳ ଗୀତେ ନାଦ କରି

।।

ଆଗ ହୋଇଲା ତାର ରାଣୀ

ବଳି ଯେ ଘେନି କୁଶପାଣି

।।

ବେଦ ବଚନେ ବାକ୍ୟ କରି

ସ୍ୱାମୀ କାମିନୀ ମୋଦ ଭରି

।।

ବ୍ରାହ୍ମଣେ କର ସ୍ତୁତିନାଦ

ଧରିଣ ଦେଲା ତିନିପାଦ

।।

ଆତ୍ମା ସନ୍ତୋଷେ ଯେତେ ଧନ

ଦକ୍ଷିଣା ଦେଲା ଯଜମାନ

।।

ତାର ଦୁର୍ଲଭ କର୍ମ ଶୁଣି

ଦେବେ କରନ୍ତି ଜୟବାଣୀ

।।

ବାମନ ହସ୍ତେ ଜଳ ଘେନି

ପାଦକେ କମ୍ପିଲା ମେଦିନୀ

।।

ବାମନ ବଳି ମୁଖ ଚାହିଁ

ବୋଇଲେ ଆଉ ମହୀ କାହିଁ

।।

ବଳି ବୋଇଲେ ଦେବି ସ୍ୱର୍ଗ

ବାମନ ପାଦ ଦେଲେ ବେଗ

।।

ଦ୍ୱିତୀୟ ପାଦ ସ୍ୱର୍ଗେ ଢାଙ୍କେ

ଘୋର ଶବଦ ଦିଗ କମ୍ପେ

।।

ଅଦ୍ଭୁତ ବାମନ ଶରୀର

ପୂରିଲା ସ୍ୱର୍ଗ ଅଭ୍ୟନ୍ତର

।।

ବଳି ଯେ ଆଶ୍ଚର୍ଯ୍ୟ ଚକିତେ

ପ୍ରବେଶ ବାମନ ଅଗ୍ରତେ

।।

ଦେଖଇ ବାମନ ଶରୀର

ଦେବ ମାନବେ ଅଗୋଚର

।।

ନିର୍ଗୁଣ ଆତ୍ମା ସେ ସ୍ୱଭାବେ

କିବା ଉପମା ଦେବା ଏବେ

।।

ବେନି ଚରଣେ ଭୂ-ଆକାଶେ

ପର୍ବତ ଗଣେ ଜଙ୍ଘଦେଶେ

।।

ବିହଙ୍ଗ ଗଣ ଜାନୁ ମୂଳେ

ଉଡ଼ନ୍ତି ଯେହ୍ନେ ଅନ୍ତରାଳେ

।।

ସନ୍ଧ୍ୟା ଦିଶଇ ବସ୍ତ୍ର ପ୍ରାୟେ

ମରୁତଗଣ ଊରୁଦ୍ୱୟେ

।।

ଗୃହ୍ୟରେ ପ୍ରଜାପତି ଦିଶେ

ଜଘନ ତଳର ରାକ୍ଷସେ

।।

ନାଭି ପ୍ରଦେଶେ ନଭ ଦିଶେ

ସପତ ସିନ୍ଧୁ କୃକ୍ଷି ଦେଶେ

।।

ଉରେ ବିରାଜେ ତାରାଗଣ

ଯେହ୍ନେ ଅଳଙ୍କାର ଭୂଷଣ

।।

ଧର୍ମ ବିଚାର ହୃଦ ମଧ୍ୟେ

ନିଜ ଶରୀର ଅଧ ଊର୍ଦ୍ଧ୍ୱେ

।।

ସ୍ତନମଣ୍ଡଳେ ରୁତ ସତ୍ୟ

ମନ ପ୍ରକାଶେ ନିଶାନାଥ

।।

କମଳ ହୃଦୟେ ବିରାଜେ

କମଳ ବେନି ହସ୍ତେ ସାଜେ

।।

କଣ୍ଠେ ବିରାଜେ ସାମବେଦ

ରସ ପ୍ରକାଶେ ଅନୁପଦ

।।

ଦେବତା ଆଦି ଦିଗପାଳେ

ଦିଶନ୍ତି ଭୁଜ ଅନ୍ତରାଳେ

।।

ଗଗନ ଦିଶେ ଶିର ଦେଶେ

ମେଘେ ବସନ୍ତି କେଶ ପାଶେ

।।

ନାସିକା ମଧ୍ୟେ ବହେ ଶ୍ୱାସ

କର୍ଣ୍ଣେ ବିରାଜେ ସର୍ବଦିଶ

।।

ବେନି ଲୋଚନେ ରବି ଦିଶେ

ବଦନେ ଅନଳ ପ୍ରକାଶେ

।।

ବାଣୀରେ ସପ୍ତଛନ୍ଦ ଦିଶେ

ଜିହ୍ୱାରେ ବରୁଣ ପ୍ରକାଶେ

।।

ବିଧି ଯେ ନିଷେଧ ଭୂଦେଶେ

ରାତ୍ର ଦିବସ ପକ୍ଷେ ଦିଶେ

।।

କ୍ରୋଧ ଲଲାଟେ ପ୍ରକାଶଇ

ଅଧର ଦେଶେ ଲୋଭ ବହି

।।

ସ୍ପରଶେ କନ୍ଦର୍ପ ରହଇ

ଯେତେ ସଲିଳ ବିରାଜଇ

।।

ଅଧର୍ମ ପୃଷ୍ଠଦେଶେ ରହେ

କ୍ରମଶ ମାର୍ଗେ ଯୋଗଶୋହେ

।।

ଛାୟାରେ ମୃତ୍ୟୁ ବିରାଜଇ

ହସିତ ମାୟାରେ ବସଇ

।।

ତନୁ ପାଦପେ ନାନା ଜାତି

ଔଷଧ ବୃକ୍ଷ ବିରାଜନ୍ତି

।।

ନଦୀ ସମୁହ ନାଡ଼ୀ ଦେଶେ

ଶିଳା ସମୂହ ନଖେ ବସେ

।।

ବ୍ରହ୍ମା ବିରାଜେ ବୁଦ୍ଧି ମଧ୍ୟେ

ପ୍ରାଣେ ଦେବତା ଋଷି ସାଧ୍ୟେ

।।

ସ୍ଥାବର ଜଙ୍ଗମ ସହିତେ

କୀଟ ପତଙ୍ଗ ଦିଶେ ଗାତ୍ରେ

।।

ସର୍ବାଙ୍ଗେ ଦିଶେ ତିନିପୁର

ଦେବ ମାନବେ ଅଗୋଚର

।।

ନିଜ ଆୟୁଧ ଚତୁର୍ଭୁଜେ

ଶଙ୍ଖ କମଳ ଚକ୍ର ସାଜେ

।।

ଗଦା ସାରଙ୍ଗ ଅଛି କର

ତୃଣ ଅକ୍ଷୟ ବାଣଧର

।।

ସୁନନ୍ଦ ମୋକ୍ଷ ପାଇ ସାଧେ

ସ୍ୱରୂପେ ସ୍ତବନ ଆନନ୍ଦେ

।।

ଦିଗ ଉଭାରି ଦିଗପାଳେ

ମୁନି ବିବୁଧ ଅନ୍ତରାଳେ

।।

କିରୀଟ ଅଙ୍ଗଦ ଉଜ୍ଜ୍ୱଳ

ଶ୍ରବଣେ ମକର କୁଣ୍ଡଳ

।।

ଶ୍ରୀବତ୍ସ ଚିହ୍ନ ବନମାଳା

କଟିରେ ସୁବର୍ଣ୍ଣ ମେଖଳା

।।

ବନମାଳାର ଗନ୍ଧ ବାସେ

ଭ୍ରମର ଉଡ଼ୁଛନ୍ତି ପାଶେ

।।

ପାଦକେ ଧରଣୀ ପୂରିା

ଦ୍ୱିତୀୟେ ସ୍ୱର୍ଗ ଗ୍ରସ୍ତ ହେଲା

।।

ପୂରିଲା ଚତୁର୍ଭୁଜେ ଦିଗ

ଶରୀରେ ପୁରେ ନଭୋମାର୍ଗ

।।

ଏମନ୍ତେ ବାମନର ଦେହୀ

ତୃତୀୟ ପାଦ ଠାବ ନାହିଁ

।।

ମହତ ଜନ ତପଲୋକ

ଲୁଚିଲା ବାମନ ମସ୍ତକ

।।

ବୋଇଲା ବିପ୍ର ଜଗନ୍ନାଥ

ଅଦ୍ଭୁତ ବାମନ ଚରିତ

।।

ସୁଜନେ ଶୁଣ ଏକ ଚିତ୍ତେ

ଭାଷା ପ୍ରବନ୍ଧେ ଭାଗବତେ

।।

ବଳି ବାମନ ଏ ପ୍ରସ୍ତାବ

ଶୁଣି ତ୍ରିତାପୁଁ ନିସ୍ତରିବ

।।

 

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ବୈୟାସିକ୍ୟାଂ ଅଷ୍ଟମସ୍କନ୍ଧେ ବାମନ ବିଶ୍ୱରୂପ ଦର୍ଶନେ

ନାମ ଊନବିଂଶୋଽଧ୍ୟାୟଃ ।

•••

 

ବିଂଶ ଅଧ୍ୟାୟ

 

ବାମନ ରୂପ ତେଜ ଦେଖି

ବୁଜିଲେ ହର ବ୍ରହ୍ମା ଆଖି

।।

ବ୍ରହ୍ମା ମରୀଚି ମୁନିଗଣେ

ମିଳିଲେ ବାମନ ଚରଣେ

।।

ସନକ ଆଦି ଋଷିଗଣେ

ନମିଲେ ବାମନ ଚରଣେ

।।

ପୁରାଣ ଇତିହାସ ବେଦ

ତର୍କ ସଂହିତା ଉପବେଦ

।।

ଯମ ନିୟମ ବେନିପାଶେ

ସର୍ବେ ମିଳିଲେ ମହାତ୍ରାସେ

।।

ଅପରେ ଯୋଗୀ ସିଦ୍ଧ ଯେତେ

ଜ୍ଞାନୀଏ ଅନଳ ସମେତେ

।।

ଅଶେଷ କର୍ମବଦ୍ଧ ପାଶି

ଅଭ୍ୟାସ କରି ଭବରାଶି

।।

ବେଗେ ମିଳିଲେ ମୋଦଭରି

ସ୍ତୁତି ବଚନେ ସ୍ତୁତି କରି

।।

ବିରଞ୍ଚି ଅତି ତୋଷମନେ

କରେ ସଂପୁଟ ଉପାସନେ

।।

ବାମନ ପାଦ ତଳେ ଯାଇ

ତକ୍ଷଣେ ବ୍ରହ୍ମଜ୍ଞାନ ପାଇ

।।

ଯେ ବିଷ୍ଣୁ ନାଭିପଦୁ ଜାତ

ଯାହାରେ ସର୍ଜିଲା ଜଗତ

।।

ଆନନ୍ଦେ କମଣ୍ଡଳୁ ଭରି

ଶୁଚି ପବିତ୍ର ଗଙ୍ଗାବାରି

।।

ମନ୍ତ୍ର ଉଚ୍ଚାରି ହସ୍ତେ ଘେନି

ଯେ ନୀର ଭୁବନ ପାବନୀ

।।

ବାମନ ପାଦ ଶୂନ୍ୟେ ଗଲା

ବାଜନ୍ତେ ବ୍ରହ୍ମାଣ୍ଡ ଫାଟିଲା

।।

ବ୍ରହ୍ମାଣ୍ଡ ରନ୍ଧ୍ରେ ଜଳରାଶି

ବେଗେ ବ୍ରହ୍ମାଣ୍ଡ ମଧ୍ୟେ ପଶି

।।

ବିଷ୍ଣୁର ପାଦ ପଖାଳିଲା

ବ୍ରହ୍ମାର ଭୁବନେ ମିଳିଲା

।।

ସେ ଜଳ କମଣ୍ଡଳୁ ଘେନି

ବିଷ୍ଣୁ ସମୀପେ ପଦ୍ମଯୋନି

।।

ସଙ୍ଗରେ ଘେନି ଦେବଗଣ

ଯେ ସିଦ୍ଧ କିନ୍ନର ଚାରଣ

।।

ନମି ବାମନ ପାଦତଳେ

ନିଶ୍ଚଳେ ରହି ସ୍ତବ କଲେ

।।

ଗଙ୍ଗା ଯେ ଥିଲା କମଣ୍ଡଳେ

ବ୍ରହ୍ମା ତା ବିଷ୍ଣୁପାଦେ ଢାଳେ

।।

ଶୁଦ୍ଧ ପବିତ୍ର ଜଳରାଶି

ଗୋବିନ୍ଦ ନଖକୋଣେ ପଶି

।।

ତହୁଁ ଉଛୁଳି ଅନ୍ତରୀକ୍ଷେ

ପଡ଼ିଲା ଋଷିଙ୍କ ସମୀକ୍ଷେ

।।

ସୋମ ଆଦିତ୍ୟ ଲୋକେ ଜିଣି

ସ୍ୱର୍ଗେ ପଡ଼ିଲା ତରଙ୍ଗିଣୀ

।।

ସୁମେରୁ ଶିଖେ ଅନ୍ତରୀକ୍ଷେ

ସେ ଜଳେ ପଡ଼ି ପ୍ରତ୍ୟକ୍ଷେ

।।

ଚତୁରଦିଗେ ଚାରିଧାରେ

ପଡ଼ିଲା ଧରଣୀ ଉପରେ

।।

ସମୁଦ୍ରେ ପଶି ଚାରିଦିଗେ

ନଦୀ ସ୍ୱଭାବେ ଅତି ବେଗେ

।।

ଏବେ ହୋ ଶୁଣ ମହୀପତି

ବରୁଣ ଧ୍ୟାୟି ପ୍ରଜାପତି

।।

ଘେନି ସୁଗନ୍ଧ ପୁଷ୍ପମାଳ

ଚନ୍ଦନ କର୍ପୂର ସଲିଳ

।।

ସନ୍ନିଧେ ଧୂପ ଦୀପ ଥୋଇ

ଫଳ ଅକ୍ଷତ ମନ୍ତ୍ରେ ଦେଇ

।।

ଜୟ ଶବଦେ ସ୍ତୁତି ଭଣି

ନିର୍ମଳ ବାକ୍ୟ ବେଦବାଣୀ

।।

ବିଷ୍ଣୁର ମହିମା ଉକତେ

ତାଣ୍ଡବ ବାଦ୍ୟ ନୃତ୍ୟଗୀତେ

।।

ଶଙ୍ଖ ଦୁନ୍ଦୁଭି ନାଦ ଘୋଷେ

ବ୍ରହ୍ମା ଯେ ମିଳି ବିଷ୍ଣୁ ପାଶେ

।।

ଅତି ଉଲ୍ଲାସେ ସୁଖ ମନେ

ଶଙ୍ଖ ଦୁନ୍ଦୁଭି ନାଦ ସ୍ୱନେ

।।

ବିଷ୍ଣୁର ଯଶ ଗାଇ ତୋଷେ

ଯେ ଶଙ୍ଖପୂରେ ଦଶଦିଶେ

।।

ଏମନ୍ତେ ମହୋତ୍ସବ ଦେଖି

ଅସୁରେ ଭୁବନ ଉପେକ୍ଷି

।।

ଦ୍ୱିପାଦ ଦାନେ ସ୍ୱର୍ଗ ମହୀ

ପୂରିଲା ବାମନର ଦେହୀ

।।

ସ୍ୱସ୍ଥାନେ ରହି ନ ପାରିଲେ

ବଳିର ସମୀପେ ମିଳିଲେ

।।

ରହି ବଚନ କୋପ ଚିତ୍ତେ

ବୋଲନ୍ତି ବଳିର ଅଗ୍ରତେ

।।

ବ୍ରାହ୍ମଣ ନୁହଁଇ ବାମନ

କପଟେ ମାଗି ଭୂମି ଦାନ

।।

ମାୟାବୀମାନଙ୍କର ବର

ସମ୍ପଦ ହରିଲା ଆମ୍ଭର

।।

ବାମନ ରୂପ ଏ ଜଗତେ

ଦେବଙ୍କ କାର୍ଯ୍ୟ ସିଦ୍ଧି ଅର୍ଥେ

।।

ଆମ୍ଭର ରିପୁ ଏ ବାମନ

କପଟେ ମାଗି ଭୂମି ଦାନ

।।

ଏ ମାୟା ବ୍ରାହ୍ମଣ ଶରୀରେ

ସମ୍ପଦ ହରିଲା ଆମ୍ଭରେ

।।

ଏ ବଳି ନିତ୍ୟ ସତ୍ୟବ୍ରତ

ବିଶେଷ ବ୍ରାହ୍ମଣ ଭକତ

।।

କେବେ ହେଁ ମିଥ୍ୟା ଏ ନ କହେ

ଦୁଃଖୀଜନଙ୍କୁ ଦୟାବହେ

।।

ଆମ୍ଭର ପ୍ରଭୁ ଏ ରାଜନ

ନିଶ୍ଚେ ବଇରୀ ଏ ବାମନ

।।

ଆସ ଏହାକୁ ବଧକର

ବଳିକୁ ସଙ୍କଟୁ ଉଦ୍ଧାର

।।

ଏ ମଲେ ଶତ୍ରୁ ନାହିଁ ଦୁଜା

ବଳି ହୋଇବ ସ୍ୱର୍ଗେ ରାଜା

।।

ତେବେ ସେ ଆମର ଜୀବନ

ସଫଳ କଲେ ଏହା ମନ

।।

ଏମନ୍ତେ ବୋଲି ଏକଚିତ୍ତେ

ଅସୁର ଧାଇଁଲେ ତ୍ୱରିତେ

।।

ଶୂଳ ଖଡ଼ଗ ହସ୍ତେ ଧରି

ଧାଇଁଲେ ଘୋର ନାଦ କରି

।।

ଶବଦେ ଭୁବନ କମ୍ପିଲା

ସିନ୍ଧୁ କି ଉଛୁଳି ପଡ଼ିଲା

।।

ତାହାଙ୍କୁ ଦେଖି ବିଷ୍ଣୁଗଣେ

ତକ୍ଷଣେ ବାହାରିଲେ ରଣେ

।।

ମିଳିଲେ କରେ ଶସ୍ତ୍ର ଧରି

ଶଙ୍ଖ ଶବଦ ମୋଦ ଭରି

।।

ନନ୍ଦ ସୁନନ୍ଦ ଜୟ ଆଦି

ବିଜୟ ସୁବଳ ସୁବୁଦ୍ଧି

।।

ବଳ କୁମୁଦ କୁମୁଦାକ୍ଷ

ବିଶ୍ୱକେସନ ଆଦି ବତ୍ସ

।।

ବିନତା ସୁତ ଯେ ଜୟନ୍ତ

ସୁବାହୁ ପିଙ୍ଗଳ ମୁଦ୍ରିତ

।।

ସାତ୍ତ୍ୱିକ ପୁଷ୍ପଦନ୍ତ ବୀର

ଶ୍ରୀଦେବ ବସୁ ମନୋହର

।।

ଦଶ ସହସ୍ର ହସ୍ତୀବଳ

ସ୍ୱଭାବେ ତେଜ ଅନର୍ଗଳ

।।

ବେଗେ ଧାଇଁଲେ ଘୋର ରଣେ

କୁଞ୍ଜର ଯେହ୍ନେ ପଦ୍ମ ବନେ

।।

ଅସୁର ବଳ ନାଶ ଦେଖି

ବଳି ହୋଇଲା ମନେ ଦୁଃଖୀ

।।

ଗୁରୁବଚନ ମନେ ସ୍ମରି

ବୋଇଲା ଜଣ ଜଣ କରି

।।

ହେ ବିପ୍ରଚିତ୍ତ ହେ ପ୍ରହେତି

ହେ ରାହୁ ତାରକ ସୁମତି

।।

ମୋର ବଚନ ଚିତ୍ତେ ଧର

କେହେ ହେଁ ସମର ନକର

।।

ଆମ୍ଭର ନୁହେଁ ଯଶକାଳ

ଈଶ୍ୱର କାୟା ଅନ୍ତରାଳ

।।

ଯେ ପ୍ରଭୁ ବଳେ ବଳବନ୍ତା

ପ୍ରାଣୀଙ୍କ ଦୁଃଖ ସୁଖଦାତା

।।

ସେ ଯେ ଅଶେଷ ମାୟାଧର

ସଂସାର ଯାର ଖେଳଘର

।।

ଯାହାକୁ କାଳ ବାମ ହୋଇ

ତାହାର ଜୟ ଯଶ ନାହିଁ

।।

ଯେବେ ଦଇବ ଆମ୍ଭ ପକ୍ଷ

ପ୍ରସନ୍ନ ହୋଇବା ପ୍ରତୃକ୍ଷ

।।

ତେବେ ଜିଣିବା ଆମ୍ଭେ ରଣେ

ଏମନ୍ତେ ବୋଧି ଜଣେ ଜଣେ

।।

ଶ୍ରୀ ଶୁକ ଉବାଚ

ବଳି ବଚନ ବୀରେ ଶୁଣି

ଜୟ ବିଜୟ ପରିମାଣି

।।

ପୁଣି ମିଳିବା ଜୟକାଳେ

ଏମନ୍ତ ବୋଲି ରସାତଳେ

।।

ପଶିଲେ ମନେ କ୍ରୋଧ କରି

ଏବେ ହୋ ଶୁଣ ଦଣ୍ଡଧାରୀ

।।

ଗରୁଡ଼ ବିଷ୍ଣୁ ଆଜ୍ଞା ପାଇ

ବଳି ସମୀପେ କ୍ରୋଧ ବହି

।।

ବରୁଣ ପାଶ ଘେନି କରେ

ବଳିକୁ ଯଜ୍ଞର ଶାଳରେ

।।

ସୋମ ଅଭିଷେକ ଦିବସେ

ବଳିକି ବାନ୍ଦେ ଅତି ରୋଷେ

।।

ଶୁଭିଲା ହାହାକାର ନାଦ

ଅସୁରେ ହୋଇଲେ ବିଷାଦ

।।

ବଳିର ଦେଖିଣ ବନ୍ଧନ

ବୋଲନ୍ତି ପ୍ରଭୁ ଭଗବାନ

।।

ତୃତୀୟ ପାଦ ମୋର କରେ

ଦେଲୁ ଯେ ଓଁକାର ଉଚ୍ଚାରେ

।।

ଭୂମି ଗଗନ ଏକ ପାଦେ

ଆବର ପାଦଶୂନ୍ୟ ଭେଦେ

।।

ତୃତୀୟ ପାଦ ଏବେ ଦିଅ

ସକଳ ଦୁଃଖୁ ପାରି ହୁଅ

।।

ଯାବତ ଚନ୍ଦ୍ର ସୂର୍ଯ୍ୟ ଦିଶେ

ତପନ ଅନଳ ପ୍ରକାଶେ

।।

ତାବତ ଭୂମି ଏ ତୋହର

ମୁଁ ଯେ ଘେନିବି ତିନିପୁର

।।

ତୃତୀୟ ପାଦ ସ୍ଥାନ ଦେଇ

ତୁ ଏବେ ଥାଅ ସୁଖୀ ହୋଇ

।।

ନ ଦେଲେ ପଡ଼ିବୁ ନରକେ

ଅଯଶ ଥିବ ତିନିଲୋକେ

।।

ଏମନ୍ତ ବଳି ଆଗେ କହି

ବିଷ୍ଣୁ ରହିଲେ ସ୍ଥିର ହୋଇ

।।

ବୋଲଇ ବିପ୍ର ଜଗନ୍ନାଥ

ସୁଜନ ହିତେ ଭାଗବତ

।।

ସୁଜନ ଏଣେ ମନ ଦିଅ

ଯେଣେ ଖଣ୍ଡିବ ମାୟାମୋହ

।।

 

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ବୈୟାସିକ୍ୟାଂ ଅଷ୍ଟମସ୍କନ୍ଧେ ବଳି ବନ୍ଧନେ

ନାମ ବିଂଶୋଽଧ୍ୟାୟଃ ।

•••

 

ଏକବିଂଶ ଅଧ୍ୟାୟ

 

ଶ୍ରୀ ଶୁକ ଉବାଚ

ବଳିକୁ ହରି ଯେତେବେଳେ

ବନ୍ଧନ କଲେ ଦାନ ଛଳେ

।।

ବନ୍ଧନ ଦୁଃଖ ବଳି ମନ

କେହେ ହେଁ ନ ହୋଇଲା ଛନ୍ନ

।।

ନିର୍ବାଣ ପଣେ ଚିତ୍ତ ଦେଇ

ବୋଲେ ବାମନ ମୁଖ ଚାହିଁ

।।

ବଳି ଉବାଚ

ଭୋ ନାଥ ମୋର ବାକ୍ୟ ଯେବେ

ମୁଁ ନ ଲଙ୍ଗିବି ଦୁଷ୍ଟଭାବେ

।।

ଏକଥା କେବେ ହେଁ ନ ଘଟେ

ଯେବେ ଜୀବନ ମୋର ତୁଟେ

।।

ତ୍ରିପାଦ ଭୂମି ମୋର ହସ୍ତେ

ଦେଇ ମୁଁ ଲଘିଂବି କେମନ୍ତେ

।।

ଚରଣ ଅଛି ଯେବେ ତୋର

ଭୋ ନାଥ ଦିଅ ମୁଣ୍ଡେ ମୋର

।।

ନରକେ ମୋର ଭୟ ନାହିଁ

ପାଶ ବନ୍ଧନେ ନ ଡରଇ

।।

ମୋର ନିଗ୍ରହେ ନାହିଁ ଭୟ

ଅସାଧୁ ବାଦେ ମୋର ଭୟ

।।

ଆମ୍ଭର ଚକ୍ଷୁ ମଦେ ଅନ୍ଧ

ସତ୍ୟ ଯେ ମଣୁ ଏ ସମ୍ପଦ

।।

ସର୍ବ ଅର୍ଜ୍ଜନ ଆୟୁ ଯଶ

ବାହାରେ କରୁ ତୁ ପ୍ରକାଶ

।।

ବଇରୀ କରି ତୋ ବିଷୟେ

ପୂର୍ବେ ଯେ ଥିଲେ ମହାଶୟେ

।।

ଅନ୍ତେ ଲଭିଲେ ତୋ ଚରଣ

ଅନେକ ସିଦ୍ଧ ମୁନିଗଣ

।।

ତୁ ନାଥ ମୋତେ ଦୟାକରି

ବରୁଣ ପାଶେ ବନ୍ଦୀ କରି

।।

ନିଗ୍ରହ କରୁ ଯେତେ ମୋତେ

ସେ ଭୟ ନାହିଁ ମୋର ଚିତ୍ତେ

।।

ତୋ ଭକ୍ତ ମୋର ପିତାମୟ

ସୁସାଧୁ ଗଣେ ମହାଶୟ

।।

ତୋର ଚରଣେ ଆଶ୍ରେ କଲା

ପିତାର ଦଣ୍ଡୁ ନିସ୍ତରିଲା

।।

ଜାଣଇ ମିଥ୍ୟା ଏ ସଂସାର

କେ ବନ୍ଧୁ ଅବା ଅଛି ପର

।।

କେବା ଜନନୀ ଭ୍ରାତା ସୁତ

କିବା ସମ୍ପଦ ଏ ଜଗତ

।।

ଅନ୍ତେ ପଶିଲେ ତୋରପାଦେ

ମାୟା ଜିଣିଲେ ଅପ୍ରମାଦେ

।।

ରହିଲେ ପାରିଷଦ ହୋଇ

ଜନ୍ମ ମରଣ ଆଉ କାହିଁ

।।

ତୋର ମହିମା ଭାବଗ୍ରାହୀ

ମୂଢ଼େ ଜାଣିବେ ଅବା କାହିଁ

।।

ଶ୍ରୀ ଶୁକ ଉବାଚ

ଏମନ୍ତ କହୁ କହୁ ବଳି

ଗଗନେ ଗର୍ଜନ ଉଛୁଳି

।।

ଆକାଶ ପୁରେ ଶଙ୍ଖନାଦ

ତକ୍ଷଣେ ମିଳିଲା ପ୍ରହ୍ଲାଦ

।।

ବଳି ମିଳିଲା ତାକୁ ଦେଖି

ବାମନ ସମୀପେ ଉପେକ୍ଷି

।।

ବିଷ୍ଣୁର ପ୍ରାୟ ତାର ତେଜ

ତୁଲ୍ୟ ନୁହଇ ଗ୍ରହରାଜ

।।

ପୀତ ବସନ ପରିଧାନ

ସୁନ୍ଦର ନଳୀନ ନୟନ

।।

ଆଜାନୁ ବେନି ବାହୁ ଶୋହେ

ରୂପେ ଅନଙ୍ଗ ସରି ନୋହେ

।।

ଏମନ୍ତ ପ୍ରହ୍ଲାଦର ପାଦେ

ଆନନ୍ଦ ଶୋକ ଗଦଗଦେ

।।

ଚରଣେ ଦଣ୍ଡବତ ହୋଇ

ମନ କଳ୍ପିତେ ଅର୍ଘ୍ୟ ଦେଇ

।।

କହିଲା ପିତାମହ ପାଶେ

ବାମନ ଅନୁଗ୍ରହ ଆଶେ

।।

ସେ ପ୍ରହଲ୍ଲାଦ ଅତି ବେଗେ

ମିଳିଲା ବିଷ୍ଣୁପାଦ ଯୁଗେ

।।

ଆନନ୍ଦେ ଅଶ୍ରୁଜଳେ ଭରି

କର ଅଞ୍ଜଳି ଶିରେ ଧରି

।।

ପୁଲକ ଅଶ୍ରୁ ଗଦ ଗଦ

ସ୍ତୁତି କରଇ ପ୍ରହଲାଦ

।।

ତୁ ନାଥ ଅନୁଗ୍ରହ ମନେ

ଏହାକୁ ସ୍ଥାପି ଇନ୍ଦ୍ରାସନେ

।।

ପୁଣି ନାଶିଲୁ ସୁଖସ୍ଥାନୁ

ଯେଣୁ ହୋଇଲା ତୋତେ ମନ୍ୟୁ

।।

ନିଶ୍ଚୟ କଲୁ ଅନୁଗ୍ରହ

ତୋତେ ନାଶିଲୁ ମାୟାମୋହ

।।

ନମସ୍ତେ ଜଗତ ଈଶ୍ୱର

ନମସ୍ତେ ଶଙ୍ଖଚକ୍ରଧର

।।

ତୁ ନାରାୟଣ ବିଶ୍ୱଗୁରୁ

ମହା ମହିମା ମହାମେରୁ

।।

ଆତ୍ମା ପ୍ରକାଶ ସର୍ବଭୂତେ

ଭୋନାଥ ନମସ୍ତେ ନମସ୍ତେ

।।

ଶ୍ରୀ ଶୁକ ଉବାଚ

ପ୍ରହଲାଦର ଭକ୍ତି ଦେଖି

ହିରଣ୍ୟଗର୍ଭ ମନେ ସୁଖୀ

।।

ବେଗେ ନମିଲେ ବିଷ୍ଣୁପାଦେ

ଚତୁର ମୁଖେ ବେଦନାଦେ

।।

ବଳିର ପତ୍ନୀ ଆସି ବେଗେ

ବିଷ୍ଣୁ ଚରଣେ ଅନୁରାଗେ

।।

ସ୍ୱାମୀ ବଚନେ ଅତି ଦୁଃଖୀ

ସ୍ତୁତି କରଇ ଅଶ୍ରୁମୁଖୀ

।।

ବିନ୍ଧ୍ୟାବଳୀ ଉବାଚ

ଭୋନାଥ ନିଜ କ୍ରୀଡ଼ା ଅର୍ଥେ

ତୋର ପ୍ରକାଶ ଏ ଜଗତେ

।।

ତୋହର ମହିମା ନ ଜାଣି

ଗର୍ବ ବହନ୍ତି ଯେତେ ପ୍ରାଣୀ

।।

ଜ୍ଞାନ ହରାନ୍ତି ସୁଖ ଭୋଳେ

ସେ କାହିଁ ଥିବେ ଏ ଶୟଳେ

।।

ବ୍ରହ୍ମୋବାଚ

ଭୂତ ଭାବନ ଭୂତଈଶ

ହେ ଦେବ ଦେବ ଜଗଦୀଶ

।।

ଏହାକୁ ନିଗ୍ରହ ତୁ କଲୁ

ବରୁଣ ପାଶରେ ବାନ୍ଧିଲୁ

।।

ସର୍ବ ସମ୍ପଦ ଦେଇ ତୋତେ

ଭ୍ରାନ୍ତି ନ କଲା କିଛି ଚିତ୍ତେ

।।

ତ୍ରିଲୋକ ତୋତେ ଦାନ ଦେଲା

ଚିତ୍ତେ ବିଷାଦ ନ ଚିନ୍ତିଲା

।।

ତୁ ନାଥ ବସୁ ସର୍ବଭୂତେ

ଏହାକୁ ବାନ୍ଧିଲୁ କେମନ୍ତେ

।।

ତୁ ନାଥ ସର୍ବ ଚିତ୍ତ ଜାଣୁ

କେ ତୋର ମହିମା ବଖାଣୁ

।।

ବ୍ରହ୍ମାର ବାକ୍ୟ ଶୁଣି ହରି

ବଳିକି ଚିତ୍ତେ ଦୟାକରି

।।

ବୋଲନ୍ତି ପ୍ରଭୁ ଭଗବାନ

ବିଧାତା ଶୁଣ ମୋ ବଚନ

।।

ଶ୍ରୀ ଭଗବାନୁବାଚ

ମୁଁ ଯାକୁ ଅନୁଗ୍ରହ କରେ

ସର୍ବ ସମ୍ପଦ ବେଗେ ହରେ

।।

ଯେ ଅର୍ଥ କାମେ ମତ୍ତ ହୋଇ

ପର ଅପର ନ ଜାଣଇ

।।

ମୁଁ ଯେ ବସଇ ସର୍ବଭୂତେ

ମୋତେ ନ ମାନେ ଗର୍ବଚିତ୍ତେ

।।

ଏ ଜୀବ ଆତ୍ମା ନିଜ କର୍ମେ

ମାୟାରେ ସର୍ବଭୂତେ ଭ୍ରମେ

।।

ନାନା ଯୋନିରେ ଜାତ ହୋଇ

ଜ୍ଞାନ ନ ଲଭେ ମାୟାମୋହି

।।

ଜନ୍ମ ମରଣ ମାୟାରୂପ

ବିଦ୍ୟା ଐଶ୍ୱର୍ଯ୍ୟ ଧନାଧିପ

।।

ଏ ଭାବେ ଗର୍ବ ଯାର ନାହିଁ

ମୋହର ଅନୁଗ୍ରହ ତହିଁ

।।

ଯେ ଜନ ଦମ୍ଭମାନ ବହେ

ଧନ ସମ୍ପଦ ମୋହ ହୁଏ

।।

ସେ ମୋତେ ଜାଣିବ କେମନ୍ତେ

ମାୟା ମୋହିତ ଅବିରତେ

।।

ଏ ଯେ ଦାନବ ଦୈତ୍ୟରାଜା

ନିଜ ସ୍ୱଭାବେ ମହାତେଜା

।।

ଅସୁର ବୁଦ୍ଧି ନ ଘେନିଲା

ଗୁରୁ ବଚନ ନ ମାନିଲା

।।

ବନ୍ଧୁବାନ୍ଧବ ଜ୍ଞାତି ଯେତେ

ଏହାକୁ ଛାଡ଼ିଲେ ସମସ୍ତେ

।।

କେବେ ହେଁ ସତ୍ୟ ନ ଛାଡ଼ିଲା

ମୋର ବଚନେ ମନ ଦେଲା

।।

ଏ ଭୂମି ଦାନ ଦେଲା ମୋତେ

ତ୍ରୈଲୋକ୍ୟେ ଥିବ ଏ କେମନ୍ତେ

।।

ଏହାକୁ ଦେବି ଦିବ୍ୟସ୍ଥାନ

ସୁରଙ୍କୁ ଦୁର୍ଲ୍ଲଭ ଭୁବନ

।।

ନିର୍ମଳ ବିଶ୍ୱକର୍ମାପୁର

ଦେବ ଦାନବେ ଅଗୋଚର

।।

ଯେ ପୁରେ ଯୁଗ ସଂଖ୍ୟା ନାହିଁ

କାଳର ତେଜ ନ ଲାଗଇ

।।

ସେ ପୁରେ ଥିବ ଦିନା କେତେ

ସାବର୍ଣ୍ଣି ମନୁ ପରିଯନ୍ତେ

।।

ସେ ମନୁକାଳ ସ୍ୱର୍ଗପୁରେ

ବସିବ ଅମର ଶରୀରେ

।।

ଇନ୍ଦ୍ର ହୋଇବ ସ୍ୱର୍ଗଦେଶେ

ମୁଁ ପୁଣି ଥିବି ଏହା ପାଶେ

।।

ନିଶ୍ଚିନ୍ତେ ଥାଉ ଏ ସୁତଳେ

ଦାରା ତନୟ ବନ୍ଧୁମେଳେ

।।

ଧନ ହିଁ ଥିବ ଅପ୍ରମିତ

ଶତ୍ରୁ ନୋହିବ ଉପଗତ

।।

ସୁଦରଶନ ତା ପ୍ରତ୍ୟକ୍ଷେ

ଆବୋରି ଥିବ ଅନ୍ତରୀକ୍ଷେ

।।

ଦୈତ୍ୟଦାନବ ତାର ସଙ୍ଗେ

ନିଶ୍ଚିନ୍ତେ ଥିବେ ମନରଙ୍ଗେ

।।

ମୁହିଁ ଯେ କରେ ଗଦା ଧରି

ଥିବଇଁ ତୋ ପୁର ଆବୋରି

।।

ନିରତେ ଦେଖୁଥିବ ଚିତ୍ତେ

ଥିବି ମୁଁ ତାହାର ଅଗ୍ରତେ

।।

ଏମନ୍ତ କହି ଭଗବାନ

ଫେଡ଼ିଲେ ବଳିର ବନ୍ଧନ

।।

ସେ ହରି ଚରଣ ପଙ୍କତେ

ବ୍ରାହ୍ମଣ ଜଗନ୍ନାଥ ଭଜେ

।।

 

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ବୈୟାସିକ୍ୟାଂ ଅଷ୍ଟମସ୍କନ୍ଧେ ବଳିବନ୍ଧନ ମୋକ୍ଷଣେ

ବାମନ ପ୍ରସନ୍ନେ ନାମ ଏକବିଂଶୋଽଧ୍ୟାୟଃ ।

•••

 

ଦ୍ୱାବିଂଶ ଅଧ୍ୟାୟ

 

ଶ୍ରୀ ଶୁକ ଉବାଚ

ଏମନ୍ତ ବିଷ୍ଣୁ ମୁଖୁ ଶୁଣି

ବଳି କୃତାର୍ଥ ପ୍ରାୟ ମଣି

।।

ସାଧୁ ମହତ ସେ ସ୍ୱଭାବେ

ପ୍ରସନ୍ନ ମନ ପ୍ରିୟଭାବେ

।।

କର ଅଞ୍ଜଳି ଶିରେ କରି

ରୋମ ପୁଲକ ଅଶ୍ରୁଭରି

।।

ପ୍ରଣାମ କରି ବିଷ୍ଣୁପାଦେ

ବୋଲେ ମନନ୍ଦ ଗଦଗଦେ

।।

ବଳିରୁବାଚ

ମୋହର ଭାଗ୍ୟ ଏ ଜଗତେ

ଦାନ ମୁଁ ଦେଲି ତୋର ହସ୍ତେ

।।

ବ୍ରହ୍ମା ସୃଷ୍ଟିରେ ହୋଇ ଜନ୍ମ

କିବା କରିବ ଏଡ଼େ କର୍ମ

।।

ଭୋନାଥ ଅନୁଗ୍ରହ କର

ଦିଗପାଳଙ୍କୁ ଅଗୋଚର

।।

ଯେ ଅବା ଧରି ନିଜ ପଦ

ଦୁର୍ଲ୍ଲଭ ଲଭେ ତୋର ପାଦ

।।

ଶ୍ରୀ ଶୁକ ଉବାଚ

ଏମନ୍ତ ବିଷ୍ଣୁ ଆଗେ କହି

ପୁତ୍ର କଳତ୍ର ସଙ୍ଗେ ନେଇ

।।

ବଳି ଯେ ବସିଲା ନିଶ୍ଚଳେ

ଗୋବିନ୍ଦ ଚାପିଲେ ପାତାଳେ

।।

ତକ୍ଷଣେ ପାତାଳେ ପ୍ରବେଶ

ଶୁଭିଲା ଜୟ ଜୟ ଘୋଷ

।।

ଇନ୍ଦ୍ରକୁ ଆଣି ତୋଷ ମନେ

ସ୍ଥାପିଲେ ଅମର ଭୁବନେ

।।

ଅଦିତି କଲା ପୟୋବ୍ରତ

ସୁଫଳ କଲେ ଜଗନ୍ନାଥ

।।

ଦେଖିଣ ବାମନର ଗତି

ରହିଲା ତାଙ୍କର ସନ୍ତତି

।।

ଖଣ୍ଡିଲେ ଜଗତ ବିଷାଦ

ବଳିକୁ ଦେଖିଲେ ପ୍ରହ୍ମାଦ

।।

ଏମନ୍ତେ ନମି ବିଷ୍ଣୁ ପାଦେ

ଆନନ୍ଦେ ଅଶ୍ରୁ ଗଦଗଦେ

।।

ପ୍ରହ୍ମାଦ ଉବାଚ

ହିରଣ୍ୟକଶିପୁ କୁମର

ବୋଇଲେ ଦେଖ ଭାଗ୍ୟ ମୋର

।।

ଏ ଜଗନ୍ନାଥଙ୍କ ପ୍ରସାଦେ

ବ୍ରହ୍ମାଦି ଲଭନ୍ତି ସମ୍ପଦେ

।।

କମଳା ବକ୍ଷସ୍ଥଳେ ବସେ

କଟାକ୍ଷେ ଜନ ଦୁଃଖ ନାଶେ

।।

ସର୍ବଦା ସମୀପେ ବସଇ

ପ୍ରସାଦ ଲଭି ନ ପାରଇ

।।

ଯାହା ନ ଲଭେ ବାମଦେବ

ଆନ ବା କେ ତାହା ପାଇବ

।।

ସେ ପାଦପଦ୍ମ ରେଣୁ ଆଶେ

ଯୋଗୀଏ ଯୋଗ ସାଧିପ୍ରାଶେ

।।

ଅଷ୍ଟାଙ୍ଗ ଯୋଗରେ ଅଭ୍ୟାସ

ଚରଣେ କରିଥାନ୍ତି ଆଶ

।।

ସେ କାହିଁ ଲଭିବେ ସେ ଭାବ

ଯାହା ନ ପାରି ବ୍ରହ୍ମା ଶିବ

।।

ଏମନ୍ତ ପ୍ରହଲ୍ଲାଦ କହି

ବାମନ ପାଦେ ଶିର ଦେଇ

।।

ଦେଖି ସନ୍ତୋଷ ଭଗବାନ

କହନ୍ତି କୋମଳ ବଚନ

।।

ଶ୍ରୀ ଭଗବାନୁବାଚ

ପ୍ରହ୍ଲାଦ ଶୁଣ ମୋ ଉତ୍ତର

ଯାଅ ତୁ ସୁଢ଼ଳ ମନ୍ଦିର

।।

ଆନନ୍ଦେ ନିଜ ପୌତ୍ର ତୁଲେ

ସୁଖେ ବିହର ଜ୍ଞାତି ମେଳେ

।।

ମୁଁ ଥିବି ଦିଗପାଳ ହୋଇ

ନିତ୍ୟେ ଦେଖିବୁ ମୋତେ ତୁହି

।।

ମୋ ଆହାଲାଦ ମୋ ଦର୍ଶନ

ନାଶିବ କର୍ମର ବନ୍ଧନ

।।

ଶ୍ରୀ ଶୁକ ଉବାଚ

ବିଷ୍ଣୁର ବଚନ ଶୁଣିଲା

ଅନେକମତେ ସ୍ତୁତି କଲା

।।

ତକ୍ଷଣେ ମିଳିଲା ସୁତଳେ

ବନ୍ଧୁ କୁଟୁମ୍ବ ସଙ୍ଗ ମେଳେ

।।

ଏବେ ତୁ ଶୁଣ ପରୀକ୍ଷିତ

ବିଷ୍ଣୁର ଅଦ୍ଭୁତ ଚରିତ

।।

ଯଜ୍ଞ ପୁରୁଷ ରୂପ ଧରି

ଅନଳ କୁଣ୍ଡୁ ଅବତରି

।।

ଭୃଗୁ ବଦନ ଚାହିଁ ରୋଷେ

ବୋଲନ୍ତି ସ୍ୱଧର୍ମ ବିଶ୍ୱାସେ

।।

ଅନାଇ ବାମନ ଚରଣ

ଯଜ୍ଞ ସ୍ୱରୂପ ନାରାୟଣ

।।

ଯଜ୍ଞ ସ୍ୱରୂପୀ ବ୍ରହ୍ମା ଆଦି

ବିପ୍ରେ ଅଛନ୍ତି ବେଦବାଦୀ

।।

ତାହାଙ୍କ ମଧ୍ୟେ ସେ ଶଉରୀ

କହନ୍ତି ଯଜ୍ଞରୁ ବାହାରି

।।

ଶ୍ରୀ ଶୁକ ଉବାଚ

ତୁ ବ୍ରହ୍ମା ଶାନ୍ତନୁର ଶିଷ୍ୟ

ଜାଣୁ ତୁ ଭୂତ ଯେ ଭବିଷ୍ୟ

।।

ଆଗମ ନିଗମ ବିଖ୍ୟାତ

ମୁହିଁ ଦେଖିଲି ବିପରୀତ

।।

ଯଜ୍ଞ ସଙ୍କଳ୍ପ କରି ବଳେ

ବଳିକୁ ସ୍ଥାପିଲେ ନିଶ୍ଚଳେ

।।

ଏବେ ତା କର୍ମଛିଦ୍ର ଦେଖି

ରହିଲୁ ଯଜ୍ଞ ତା ଉପେକ୍ଷି

।।

ଯଜ୍ଞ ନ ଘେନି କର୍ମକଲେ

କେମନ୍ତେ ବର୍ତ୍ତିକୁ ତୁ ଭଲେ

।।

ଏ ଯଜ୍ଞ ତୋହର ଗୋଚର

ତୁ ଏବେ ପୂର୍ଣ୍ଣାହୁତି କର

।।

ଯଜ୍ଞପୁରୁଷ ମୁଖୁ ଶୁଣି

ଭୃଗୁ ଅନେକ ସ୍ତୁତି ଭଣି

।।

ବୋଲଇ ଯୋଡ଼ି ବେନିକର

ପୁଲକ ଆନନ୍ଦେ ଶରୀର

।।

ଶ୍ରୀ ଶୁକ ଉବାଚ

ଭୋ ନାଥ ଏ ଯଜ୍ଞ ଶରୀର

ଅଶେଷ ଜନ୍ମ ଉପକାର

।।

ଏମନ୍ତ ଆଜ୍ଞା ଘେନି ମାଥେ

ଶ୍ରୁବ ଧଇଲା ଦକ୍ଷ ହସ୍ତେ

।।

ଋତ୍ୱିକ ଋଷି ଗଣ ସଙ୍ଗେ

ଆହୁତି ଦେଲା ନାନାରଙ୍ଗେ

।।

ଆନନ୍ଦେ ଭରି ଅଦଭୂତ

ଭୃଗୁ ହୋଇଲା କୃତକୃତ୍ୟ

।।

ଶ୍ରୀ ଭଗବାନୁବାଚ

ଏବେ ତୁ ଶୁଣ ହେ ରାଜନ

ବାମନ ରୂପେ ଭଗବାନ

।।

ବଳିର ହସ୍ତୁ ଘେନି ଦାନ

କପଟେ ଏ ତିନି ଭୁବନ

।।

ଇନ୍ଦ୍ରକୁ ଇନ୍ଦ୍ର ପଣେ ସ୍ଥାପି

ତିନି ଭୁବନେ ଦେହ ବ୍ୟାପୀ

।।

ବିଷ୍ଣୁର ଦେଖି ଦିବ୍ୟ ଗତି

କୃତାର୍ଥ ଚିତ୍ତେ ପ୍ରଜାପତି

।।

ଭୃଗୁ ଅଙ୍ଗିରା ଘେନି ତୁଲେ

ପିତୃ ସମେତ ମୁନି ମେଳେ

।।

ଶୌନକ ତୁଲେ ଭୃଗୁପତି

ମିଳିଲେ କଶ୍ୟପ ଅଦିତି

।।

ଦିଗପାଳଙ୍କ ମଧ୍ୟେ ଆଣି

କଳ୍ପ କୁସୁମ ଗଙ୍ଗାପାଣି

।।

ବାମନ ପାଦେ ଅଭିଷେକେ

ସର୍ବ ସମ୍ପଦ ମନ ସୁଖେ

।।

ଅଶେଷ ଗୀତ ନୃତ୍ୟବାଦ୍ୟେ

ଇନ୍ଦ୍ରକୁ ସ୍ଥାପି ଇନ୍ଦ୍ରପଦେ

।।

ସର୍ବ ସମ୍ପଦ ସଙ୍ଗେ ଘେନି

ମଙ୍ଗଳ ନାଦେ ବେଦଧ୍ୱନି

।।

ବ୍ରାହ୍ମଣମାନେ ତୋଷମନେ

ବାମନେ ବସାଇ ବିମାନେ

।।

ଆନନ୍ଦେ ପ୍ରଜାପତି ବୋଲେ

ସକଳ ଦିଗପାଳ ତୁଲେ

।।

ଇନ୍ଦ୍ର ବାମନ ଭୁଜବଳେ

ସମସ୍ତ ଦିଗପାଳ ମେଳେ

।।

ନିଶ୍ଚିନ୍ତେ ସ୍ୱର୍ଗେ ସେ ବସିଲା

ଯେଣୁ ଅଦିତି ବ୍ରତ କଲା

।।

ଏବେ ହୋ ପରୀକ୍ଷିତ ଶୁଣ

ସଙ୍ଗତେ ଘେନି ଦେବଗଣ

।।

ବାମନ ପାଦେ ସ୍ତୁତି କଲେ

ଆନନ୍ଦେ ନିଜ ପୁରେ ଗଲେ

।।

ବଳି ବାମନର ପ୍ରସ୍ତାବେ

ପ୍ରଶଂସା କରି ଶୁଦ୍ଧଭାବେ

।।

ତୁ ଯେଣୁ ପଚାରିଲୁ ମୋତେ

ବାମନ ରୂପ ତୋ ଅଗ୍ରତେ

।।

କହିଲି ଆଦି ଅନ୍ତ କରି

ଯେ କଥା ଶ୍ରବଣେ ବିସ୍ତାରି

।।

ବିଷ୍ଣୁ ମହିମା କେ କହିବ

ଯାହା ନ ଜାଣେ ବ୍ରହ୍ମା ଶିବ

।।

ଭୂମିରେ ରେଣୁ ଅଛି ଯେତେ

ଆକାଶେ ନକ୍ଷତ୍ର ସହିତେ

।।

ମେଘ ବରଷା ଯେତେ ଧାର

ଯେ ବିନ୍ଦୁ ପ୍ରକାଶେ ବିହାର

।।

ଏହା ଗଣି ତ ଅତିରେକେ

ଜଗତେ ଅଛନ୍ତି ବା ଥୋକେ

।।

ହରି ମହିମା ସଂଖ୍ୟାକାରୀ

ନାହିଁ ସଂସାରେ ଦେହଧାରୀ

।।

ସେ ହରି ଚରଣ ସରୋଜେ

ବ୍ରାହ୍ମଣ ଜଗନ୍ନାଥ ଭଜେ

।।

 

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ବୈୟାସିକ୍ୟାଂ ଅଷ୍ଟମସ୍କନ୍ଧେ ବଳି ପାତାଳ ଗମନେ

ନାମ ଦ୍ୱାବିଂଶୋଽଧ୍ୟାୟଃ ।

•••

 

ତ୍ରୟୋବିଂଶ ଅଧ୍ୟାୟ

 

ଶ୍ରୀ ଶୁକ ଉବାଚ

ଶୁକ କହନ୍ତି ଅନୁରାଗେ

ଆନନ୍ଦେ ପରୀକ୍ଷିତ ଆଗେ

।।

ଶୁଣ ହେ ଅଭିମନ୍ୟୁ ବଳା

ଏମନ୍ତ ଈଶ୍ୱରର ଲୀଳା

।।

ମାୟା କଳ୍ପିତ ଏ ସଂସାର

ମତ୍ସ୍ୟାଦି ନାନା ଅବତାର

।।

ଧର୍ମକୁ ପାଳି ଯୁଗେ ଯୁଗେ

ସାଧୁଙ୍କୁ ରଖି ଅନୁରାଗେ

।।

ଦୁଷ୍ଟ ବିନାଶି ଧର୍ମ ପାଳେ

ରୂପ ପ୍ରକାଶେ ଯଥାକାଳେ

।।

ତା ରୂପ କେ କରିବ ଅନ୍ତ

ସ୍ୱଭାବେ ମହିମା ଅନନ୍ତ

।।

ଏମନ୍ତ ଶୁକ ମୁଖୁଁ ଶୁଣି

ଆନନ୍ଦ ମନେ ନୃପମଣି

।।

ବୋଲେ ଚରଣେ ହସ୍ତ ଦେଇ

ଭୋ ମୁନି ନିସ୍ତରିଲି ମୁହିଁ

।।

ରାଜୋବାଚ

କି ରୂପେ ମୀନ ଅବତାର

ହୋଇଲେ ଜଗତ ଈଶ୍ୱର

।।

ନିନ୍ଦିତ ଜଳଚର ରୂପେ

ଦେହ ବହିଲେ କେଉଁ କଳ୍ପେ

।।

କେବଣ କାର୍ଯ୍ୟ କିବା ଅର୍ଥେ

ପ୍ରସନ୍ନେ କହ ମୋ ଅଗ୍ରତେ

।।

ତାର ଚରିତ୍ର ପାପ ହର

ଅଶେଷ ପ୍ରାଣୀ ସୁଖଘର

।।

ଅନାଦି ପ୍ରଭୁ ନାରାୟଣ

ମାୟାରେ ପରମ କାରଣ

।।

ତାର ବଚନେ ଶୁକ ମୁନି

କହନ୍ତି ତାର ଭାବ ଘେନି

।।

ଶ୍ରୀ ଶୁକ ଉବାଚ

ଶୁଣ ହେ ଅଭିମନ୍ୟୁ ସୁତ

କହିବି ଏଥିର ବୃତ୍ତାନ୍ତ

।।

ଭୋ ପ୍ରଭୁ ଜଗତ ଈଶ୍ୱର

ବ୍ରହ୍ମାଣ୍ଡ ଯାର ଖେଳଘର

।।

ସୁଜନ ପାଳନ ସଂହରେ

ସଂସାର ମଧ୍ୟେ ରୂପ ଧରେ

।।

ଧର୍ମ ରକ୍ଷଣ ଦେହ ଧରି

ଅଧର୍ମ ସମୁଦ୍ର ନିବାରି

।।

ଦୁଷ୍ଟଙ୍କୁ କରେ ସଂହାରଣ

ସାଧୁଙ୍କୁ ରଖେ ନାରାୟଣ

।।

ଶୁଣ ତୁ ଯେଉଁ ଅର୍ଥେ ହରି

କୁତ୍ସିତ ମୀନ ରୂପ ଧରି

।।

ବ୍ରହ୍ମା ସେ ସୃଷ୍ଟି ଆଦ୍ୟକାଳେ

ବେଦ ପୁସ୍ତକ ଥୋଇ କୂଳେ

।।

ଜଳ ପଶିଣ ସନ୍ଧ୍ୟା କରେ

ସେ ବେଦ ହୟଗ୍ରୀବ ହରେ

।।

ଅଗାଧ ଜଳେ ପଶିଗଲା

ବିଧାତା ବିଷ୍ଣୁଙ୍କୁ ଚିନ୍ତିଲା

।।

ଦାନବ ଦୁଷ୍ଟମତି ଜାଣି

ତକ୍ଷଣେ ପ୍ରଭୁ ଚକ୍ରପାଣି

।।

ଶଫରୀ ରୂପକୁ ଧଇଲେ

ସେ ମହାଜଳରେ ପଶିଲେ

।।

ଯେମନ୍ତେ ମାଇଲେ ଅସୁର

ବେଦ ଉଦ୍ଧରି ଚକ୍ରଧର

।।

ସେ କଥା ଶୁଣ ଏକ ଚିତ୍ତେ

ଭାବେ କହିବା ତୋ ଅଗ୍ରତେ

।।

ପ୍ରକାଶ ବ୍ରହ୍ମାର ରଜନୀ

ଯେ କଳ୍ପ ନାମ ସେ ଦଇନୀ

।।

ଏମନ୍ତ ପ୍ରଳୟ ନିକଟେ

ରାଜା ସେ ଥିଲା ସିନ୍ଧୁ ତଟେ

।।

ତାହାର ନାମ ସତ୍ୟବ୍ରତ

ଅଶେଷ ଗୁଣରେ ଭୂଷିତ

।।

ସ୍ୱଭାବେ ବିଷ୍ଣୁ ପରାୟଣ

ତପ ସାଧନେ ସେ ନିର୍ଗୁଣ

।।

ତପ ସାଧନ୍ତି ସିନ୍ଧୁ ତୀରେ

ଜଳ ଭକ୍ଷଣେ ଦିନ ହରେ

।।

ସେ ତପ ଫଳ ସାଧ୍ୟ ଅନ୍ତେ

ମନୁ ହୋଇବ ଭବିଷ୍ୟତେ

।।

ଅଦିତି ଗର୍ଭେ ଜାତ ହୋଇ

ସେ ଶ୍ରଦ୍ଧାଦେବ ନାମ ବହି

।।

ମନୁ ହୋଇବ ଏ ଜଗତେ

ହରି ସ୍ଥାପିବ ତୋଷ ଚିତ୍ତେ

।।

ଏବେ ହୋ ଶୁଣ ନରପତି

ସେ ସତ୍ୟବ୍ରତ ରାଜା ଗତି

।।

ସେ ସତ୍ୟବ୍ରତ ଏକ କାଳେ

ମିଳିଲା କୃତମାଳ କୂଳେ

।।

ସେ ନଦୀଜଳେ ସ୍ନାନକରି

ଗୋବିନ୍ଦ ନାମ ଚିତ୍ତେ ସ୍ମରି

।।

ସୂର୍ଯ୍ୟଙ୍କୁ ଜଳ ଦେବା ଅର୍ଥେ

ଜଳ ଅଞ୍ଜଳି ଘେନି ହସ୍ତେ

।।

ସେ ଜଳେ ଶଫରୀ ଶରୀର

ଦିଶଇ ଉତ୍ତମ ସୁନ୍ଦର

।।

ସେ ସତ୍ୟବ୍ରତ ତା ଦେଖିଲା

ଜଳ ଅଞ୍ଜଳି ପକାଇଲା

।।

ରାଜାର ହସ୍ତୁ ପଡ଼ି ଜଳେ

ସେ ମୀନ ଡାକିଲା ବିକଳେ

।।

ମହାକାରୁଣ୍ୟ ହେ ରାଜନ

ମୁଁ ଦୁଃଖୀ ତୁ ଦୀନ ପାଳନ

।।

ଜଳେ ଯେ ନ ପକାଅ ମୋତେ

ମୋ ଜ୍ଞାତି ଅଛନ୍ତି ସମସ୍ତେ

।।

ମୋତେ ଗିଳିବ ବୋଲି ଡରେ

ଯାଇ ପଶିଲି ତୋର କରେ

।।

ମୋତେ ଗିଳିବେ ଏହିକ୍ଷଣି

ମୋ ପ୍ରାଣ ରଖ ନୃପମଣି

।।

ପ୍ରାଣୀ ଜୀବନ ରକ୍ଷା କଲେ

ଆପଣେ ରକ୍ଷା ହୋଇ ଭଲେ

।।

ଏବେ ମୁଁ ତୋହର ଶରଣ

ପଶିଲି ରଖ ମୋର ପ୍ରାଣ

।।

ଏମନ୍ତେ ଶଫରୀ ବଚନ

ସେ ରାଜା ଶୁଣି ସାବଧାନ

।।

ଜଳ ଅଞ୍ଜଳି କରେ ଧରି

ମୀନକୁ ଜଳରୁ ଉଦ୍ଧରି

।।

ସେ ମୀନ କମଣ୍ଡଳେ ଭରି

ଜନ୍ତୁ ଜୀବନ ରକ୍ଷା କରି

।।

ଗୃହେ ମିଳିଲେ ଦଣ୍ଡଧାରୀ

ଜଳେ ତର୍ପଣ କରି ସାରି

।।

ସେ ମୀନ କମଣ୍ଡଳୁ ଜଳେ

ରହି ନ ପାରି ରାତ୍ରକାଳେ

।।

ବିକଳେ କରଇ ରୋଦନ

ମୋ ପ୍ରାଣ ରଖ ହେ ରାଜନ

।।

ଚଳି ନପାରି କମଣ୍ଡଳେ

ବେଗେ ତୁ ଥୁଅ ଅନ୍ୟ ଜଳେ

।।

ଏମନ୍ତ ଶଫରୀ ବଚନ

ଶୁଣି ସମ୍ଭ୍ରମେ ସେ ରାଜନ

।।

ସେ ମୀନ କମଣ୍ଡଳୁ ନେଇ

କଳସ ଜଳ ମଧ୍ୟେ ଥୋଇ

।।

ଏମନ୍ତେ ରଜନୀ ପାହିଲା

ପୁଣି ସେ ମୀନ ଡାକ ଦେଲା

।।

ହେ କାରୁଣିକ ଦଣ୍ଡଧର

କଳସୁଁ ମୋ ପ୍ରାଣ ଉଦ୍ଧର

।।

ମୋ ଦେହ କଳସେ ନ ଚଳେ

ବେଗେ ତୁ ଥୁଅ ଅନ୍ୟଜଳେ

।।

ଯେମନ୍ତେ ଆନନ୍ଦେ ବିହରି

ଅଳପ ଜଳେ ପ୍ରାଣୀ ମରି

।।

ତକ୍ଷଣେ କଳସୁଁ ଉଦ୍ଧରି

କୂପେ କ୍ଷେପିଲା ଦଣ୍ଡଧାରୀ

।।

ମୁହୂର୍ତ୍ତେ ଜଳ ମଧ୍ୟେ ଥାଇ

ତୃତୀୟ ହସ୍ତ ଦେଲା ସେହି

।।

କୂପେ ସେ ଡାକଇ ବିକଳେ

ଭୋ ରାଜା ଥୁଅ ଅନ୍ୟ ଜଳେ

।।

କୂପେ ମୁଁ ନ ପାରଇ ରହି

ମୋର ଜୀବନ ରଖ ତୁହି

।।

ଶଫରୀ ବାକ୍ୟେ ନୃପମଣି

କୂପୁଁ ଉଦ୍ଧରି ତାକୁ ଆଣି

।।

ତକ୍ଷଣେ ଖାତଜଳେ ଥୋଇ

ଖାତେ ବଢ଼ିଲା ତାର ଦେହୀ

।।

ଡାକଇ ଜୀବନ ବିକଳେ

ଭୋ ପ୍ରଭୁ ଥୁଅ ଅନ୍ୟଜଳେ

।।

ତକ୍ଷଣେ ଖାତୁଁ ସେ ଉଦ୍ଧରେ

ନେଇ ଥୋଇଲେ ସରୋବରେ

।।

ସେ ଦିବ୍ୟ ସରୋବରେ ରହି

ଜଳେ ନ ଚଳେ ତାର ଦେହୀ

।।

ତକ୍ଷଣେ ତହିଁରୁ ଉଦ୍ଧରି

ହ୍ରଦେ କ୍ଷେପିଲା ଦଣ୍ଡଧାରୀ

।।

ସେ ମୀନ ଦିନେ ତହିଁ ରହେ

ତହିଁ ବଢ଼ିଲା ମହାକାୟେ

।।

ପୁଣି ଡାକଇ ମହାନାଦେ

ରାଜନ ରହି ନୁହେଁ ହ୍ରଦେ

।।

ତା ଶୁଣି ତୋଳି ହ୍ରଦୁଁ ବଳେ

କ୍ଷେପିଲା ସମୁଦ୍ରର ଜଳେ

।।

ସେ ମୀନ ପଡ଼ି ସିନ୍ଧୁ ଜଳେ

ଡାକଇ ଜୀବନ ବିକଳେ

।।

ଭୋ ନୃପ ରଖ ମୋ ଜୀବନ

ତୋଠାରେ ପଶିଲି ଶରଣ

।।

ଶରଣ ଜନ ଉପେକ୍ଷିଲେ

କେ ତାକୁ ପ୍ରଶଂସଇ ଭଲେ

।।

ଏ ଜଳେ ଜୀବଛନ୍ତି ଯେତେ

ବଳେ ଗିଳିବେ ଆସି ମୋତେ

।।

ଏମନ୍ତ ମୀନ ମୁଖୁଁ ଶୁଣି

ଚିତ୍ତେ ବିଚାରି ନୃପମଣି

।।

ଏକି ଅଦ୍ଭୁତ କର୍ମ ମୁହିଁ

ଜଗତେ ଦେଖିଲି ତ ନାହିଁ

।।

କେଉଁ ଦେବତା ଅବା ବଳେ

ମୋତେ ଛଳଇ ମୀନ ଛଳେ

।।

କି ବୁଦ୍ଧି କରିବଇଁ ମୁହିଁ

ଭାଳଇ ମୀନ ମୁଖ ଚାହିଁ

।।

ବିଷ୍ଣୁର ମାୟାରେ ମୋହିତ

ତକ୍ଷଣେ ହୋଇ ସ୍ତମ୍ଭୀଭୂତ

।।

ପୁଣି କ୍ଷଣକେ ନୃପବର

କପାଳେ ଦେଇ ବେନିକର

।।

ବୋଲଇ ମୀନ ମୁଖ ଚାହିଁ

ମୋହର ଧର୍ମ ରଖ ତୁହି

।।

କେଉଁ ଦେବତା ମାୟାଛଳେ

ମୋ ଚିତ୍ତ ମୋହିଲୁ ତୁ ବଳେ

।।

ଏ ତୋର ବିଶ୍ୱରୂପ ଦେହ

ମାୟା ନ କରି ସତ କହ

।।

ଏମନ୍ତ ଜଳଚର ଦେହୀ

ଜଗତେ ଦେଖିଲା ତ ନାହିଁ

।।

ରେ ମୀନ ତୋହର ଶରୀରେ

ଶତ ଯୋଜନ ସରଯୁରେ

।।

ନିଶ୍ଚେ ଜାଣିଲି ତୋତେ ଆଜ

ତୁ ନାରାୟଣ ଦେବରାଜ

।।

ଅନାଦି ପ୍ରଭୁ ଭଗବାନ

ଅବ୍ୟକ୍ତ ପ୍ରଭୁ ନିରଞ୍ଜନ

।।

ପ୍ରାଣୀଙ୍କ ନିସ୍ତାରଣ ଅର୍ଥେ

ମୀନ ଶରୀର ଏ ଜଗତେ

।।

ସ୍ଥିତି ପାଳନ ସଂହାରଣ

ତୁ ନାଥ ପରମ କାରଣ

।।

ନମସ୍ତେ ଜଳଚର ଦେହୀ

ଭୋନାଥ ମୋତେ କର ତ୍ରାହି

।।

ତୋର ମାୟାରେ ଭ୍ରମ ହ୍ୱନ୍ତି

ହର ବିରଞ୍ଚି ସୁରପତି

।।

ତୁ ନାଥ ଜନ ଉପକାରେ

ନାନା ଶରୀର ଏ ସଂସାରେ

।।

ଯେ ରୂପ ଧରୁ ଏ ଜଗତେ

ସାଧୁଜନଙ୍କ ସିଦ୍ଧି ଅର୍ଥେ

।।

କି କାର୍ଯ୍ୟେ ମୀନ ରୂପ ତୋର

କୁହ ହେ କମଳାର ବର

।।

ଏମନ୍ତେ ରାଜା ବାକ୍ୟ ଶୁଣି

କହନ୍ତି ପ୍ରଭୁ ଚକ୍ରପାଣି

।।

ଶ୍ରୀ ଭଗବାନୁବାଚ

ଶୁଣ ରାଜନ ସତ୍ୟବ୍ରତ

ତୁ ଯେଣୁ ମୋହର ଭକତ

।।

ତେଣୁ ଅଇଲି ତୋତେ କହି

ଅଦ୍ଭୁତ ମୀନ ରୂପ ହୋଇ

।।

ମାୟାବୀ ପ୍ରଚଣ୍ଡ ଦାନବ

ନାମ ଯାହାର ହୟଗ୍ରୀବ

।।

ବ୍ରହ୍ମାର ବେଦ ହରି ବଳେ

ବେଗେ ପଶିଲା ମହାଜଳେ

।।

ପ୍ରଳୟ ଜଳେ ମୁଁ ବିହରି

ସେ ବେଦ ଉଦ୍ଧାରଣ କରି

।।

ରଖିବି ସଂସାରର ବୀଜ

ହରିବି ହୟଗ୍ରୀବ ତେଜ

।।

ତୁ ଏବେ ରହ ମୋ ବଚନେ

ଆଜ ହୁଁ ଗଣ ସାତଦିନେ

।।

ପ୍ରଳୟ ଜଳେ ତିନିପୁର

ନାଶ ହୋଇବ ମହାବୀର

।।

ବହିଣ ଅଣଚାଶ ବାତ

ଆକାଶେ ବିଜୁଳି ପୂରିତ

।।

ଗଭୀର ନାଦ ମେଘମାଳ

ପ୍ରଚଣ୍ଡ ବରଷିବ ଜଳ

।।

କ୍ଷଣକେ ସିନ୍ଧୁ ଉଛୁଳିବ

ଉଲ୍ଲୋଳ ଗଗନେ ମିଳିବ

।।

ସପତ ଋଷିଙ୍କ ମଣ୍ଡଳେ

ଜଳଧି ଲାଗିବ କଲ୍ଲୋଳେ

।।

ବ୍ରହ୍ମାର ରଜନୀ ହୋଇବ

ଏ ତିନିପୁର ନାଶ ଯିବ

।।

ତୁ ଏବେ ମୋର ପୂଜା କରି

ଔଷଧି ବୀଜକୁ ସୁମରି

।।

ତୋର କୁଟୁମ୍ବଛନ୍ତି ଯେତେ

ତାହାଙ୍କୁ ଘେନିଣ ସଙ୍ଗତେ

।।

ଆଜହୁଁ ସପତ ଦିବସେ

ନାବ ମିଳିବ ଆସି ପାଶେ

।।

ସେ ନାବ ସମୁଦ୍ରର କୂଳେ

ତୋତେ ମିଳିବ ସନ୍ଧ୍ୟାକାଳେ

।।

ତୁ ତହିଁ ବସି ସର୍ବଘେନି

ତରିବୁ ବ୍ରହ୍ମାର ରଜନୀ

।।

ଆଗତ କଳ୍ପ ପରିଯନ୍ତେ

ତୁ ଥିବୁ ଋଷିଙ୍କ ସଙ୍ଗତେ

।।

ସେ ନାବ ମୋର ଶୃଙ୍ଗେ ବାନ୍ଧି

ମନ ପବନ ହୃଦେ ଛନ୍ଦି

।।

ବ୍ରହ୍ମା ରଜନୀ କାଳେ ଯେତେ

ସେ ନାବେ ବସିବୁ ନିଶ୍ଚିନ୍ତେ

।।

ସପତ ଋଷି ସଙ୍ଗେ ଘେନି

ବଞ୍ଚିବୁ ବ୍ରହ୍ମାର ରଜନୀ

।।

ସେ ମହାଜଳେ ଯେବେ ନାବ

ପ୍ରଳୟ ପବନେ କମ୍ପିବ

।।

ମୋହର ସଙ୍ଗେ ସେ ନିଶ୍ଚଳେ

ବନ୍ଧନେ ଥିବ ନାବ ଜଳେ

।।

ପରମ ବ୍ରହ୍ମ ମୋ ମହିମା

ଜାଣି ନପାରେ ହରବ୍ରହ୍ମା

।।

ମୋ ଅନୁଗ୍ରହେ ମୋତେ ଜାଣି

ସଙ୍କଟୁ ତର ନୃପମଣି

।।

ଏମନ୍ତ କହି ଚକ୍ରଧର

ତକ୍ଷଣେ ହୋଇଲେ ଅନ୍ତର

।।

ଗୋବିନ୍ଦ ଆଜ୍ଞା ଘେନି ଶିରେ

ରାଜା ମିଳିଲେ ସିନ୍ଧୁ ତୀରେ

।।

ଘେନଇ ସର୍ବ ମହୌଷଧ

ରାଜାର ଯେତେକ ସମ୍ପଦ

।।

ସମୁଦ୍ର ତୀରେ କୁଶପାଡ଼ି

କପାଳେ ବେନି କର ଯୋଡ଼ି

।।

ମୀନ ରୂପକୁ ଧ୍ୟାନ କରି

କୃଷ୍ଣ ଚରଣ ମନେ ଧରି

।।

ସମୁଦ୍ର ତୀରେ ସେ ରହିଲା

ଏମନ୍ତ ସାତଦିନ ଗଲା

।।

ସର୍ବ ସମ୍ପଦ ଶିରେ ଘେନି

ସକଳ ଔଷଧ କାମିନୀ

।।

ରାତ୍ର ହୁଁ ଶୂନ୍ୟେ ମେଘ ମିଳି

ପ୍ରଚଣ୍ଡ ଆକାଶେ ବିଜୁଳି

।।

ନାବ ମିଳିଲା ତତକ୍ଷଣେ

ବିଷ୍ଣୁର ଆଜ୍ଞା ପରମାଣେ

।।

ଋଷିଏ ଶୂନ୍ୟମାର୍ଗେ ଆସି

ରାଜା ସମୀପେ ନାବେ ବସି

।।

ଦେଖିଲେ ସର୍ବ ମହୋଷଧ

ରାଜାର ଯେତେକ ସମ୍ପଦ

।।

ସେ ନାବେ ରାଜା ସଙ୍ଗେ ବସି

ମୁନିଏ ରାଜାଙ୍କୁ ପ୍ରଶଂସି

।।

ବୋଲନ୍ତି ତୁ ଯେ ଭାଗ୍ୟବନ୍ତ

ସଙ୍କଟୁ ରଖିଲେ ଅନନ୍ତ

।।

ଏବେ ଆମ୍ଭର ବୋଲକର

ଏ ନାବେ ବିଷ୍ଣୁଙ୍କୁ ସୁମର

।।

ତୋହର ଭାବେ ସେ ମାଧବ

ଆମ୍ଭଙ୍କୁ ସଙ୍କଟୁ ତାରିବ

।।

ଏମନ୍ତ ଋଷିଙ୍କ ବଚନେ

ରାଜା ବସିଲେ ବିଷ୍ଣୁଧ୍ୟାନେ

।।

ତକ୍ଷଣେ ପ୍ରଭୁ ନରହରି

ଅଦ୍ଭୁତ ମୀନ ରୂପଧରି

।।

ଏକଇ ଶୃଙ୍ଗ ଶିରେ ସାଜେ

ସ୍ୱଭାବେ ଶୂନ୍ୟତେଜ ରାଜେ

।।

ମେରୁର ପ୍ରାୟ ଅତି ଦମ୍ଭ

ଶତେ ଯୋଜନ ତାର ଲମ୍ବ

।।

ସେ ଶୃଙ୍ଗେ ନାବ ବାନ୍ଧି ବଳେ

ସେ ରାଜା ବସିଲା ନିଶ୍ଚଳେ

।।

ସେ ନାବେ ମୁନିଙ୍କ ସଙ୍ଗତେ

ବିଷ୍ଣୁଙ୍କୁ ଧ୍ୟାନ କଲା ଚିତ୍ତେ

।।

ମହାପ୍ରଳୟ କାଳେ ବସି

ଗୋବିନ୍ଦ ବଚନେ ସାହସୀ

।।

ଆକୁଳେ ଶିରେ କର ଦେଇ

ବୋଲଇ ରଖ ଭାବଗ୍ରାହୀ

।।

ଏ ଘୋର ସଙ୍କଟୁ ତାରଣେ

ଶରଣ ଗଲି ତୋ ଚରଣେ

।।

ଏମନ୍ତେ ଯୋଡ଼ି ବେନିକର

ଗୋବିନ୍ଦ ଚିନ୍ତେ ନୃପବର

।।

ସପତ ଋଷିଙ୍କ ବଚନେ

ନିଶ୍ଚଳେ ବସି ଯୋଗଧ୍ୟାନେ

।।

ମନବଚନ ହୃଦେ ଛନ୍ଦି

ନିଶ୍ଚଳେ ଇନ୍ଦ୍ରିୟ ନିରୋଧି

।।

ଅନ୍ତରେ ମନ ସ୍ଥିର କରି

ଗୋବିନ୍ଦ ପଦକୁ ସୁମରି

।।

ରାଜୋବାଚ

ଭୋ ନାଥ ସଙ୍କଟ ତାରଣ

ପଶିଲି ତୋ ପାଦେ ଶରଣ

।।

ଅଶେଷ ବ୍ରହ୍ମାଣ୍ଡ ଠାକୁର

ଏ ଘୋର ସଙ୍କଟୁ ଉଦ୍ଧର

।।

ଅନାଦି ଅବିଦ୍ୟାର ବଳେ

ପ୍ରାଣୀ ଚଳନ୍ତି ଏ ଶୟଳେ

।।

ଯାବତ ଏ ପାଦ ନ ଚିନ୍ତେ

ତାବତ ସୁଖୀ କେ ଜଗତେ

।।

ଭୋନାଥ ତାପତ୍ରୟ ତାରୁ

ଅଶେଷ ଦେବଙ୍କର ଗୁରୁ

।।

ଅଜ୍ଞାନ ଜନ ଏ ଜଗତେ

ବନ୍ଧନ କର୍ମର ଆୟତେ

।।

ସୁଖର ଲୋଭେ ଦୁଃଖ ପଡ଼େ

ଯାବତ ଭକ୍ତି ମାର୍ଗ ହୁଡ଼େ

।।

ତାବତ ସୁଖ କାହିଁ ତାର

ଲଭଇ ଦୁଃଖ ମହାଘୋର

।।

ଯାବତ ନ ଜାଣଇ ତୋତେ

ତାବତ ଭ୍ରମଇ ଜଗତେ

।।

ତୋହର ମାୟା ଏ ସଂସାର

ଦୁର୍ଗମ ଘୋର ଅନ୍ଧକାର

।।

ତୋର ଭଜନ ରବିତ୍ରାସ

ଆତ୍ମାର ତମ କରେ ନାଶ

।।

ଏମନ୍ତ ଧ୍ୟାନେ ଦଣ୍ଡଧାରୀ

ଚିତ୍ତେ ଅନେକ ସ୍ତୁତିକରି

।।

ରଖିଲେ ସମାଧି ନିଶ୍ଚଳେ

ନାବ ଗୋବିନ୍ଦ ପାଦମଳେ

।।

ଏମନ୍ତ ଶୁଣି ନୃପମଣି

ତକ୍ଷଣେ ପ୍ରଭୁ ଚକ୍ରପାଣି

।।

ପ୍ରଳୟ ଜଳେ ମୀନ ରୂପ

ହୟଗ୍ରୀବର ହରି ଦର୍ପ

।।

ବ୍ରହ୍ମାର ବେଦକୁ ଉଦ୍ଧରି

ଜଳେ ଅସୁର ପ୍ରାଣ ହରି

।।

ମିଳିଲେ ନୃପତିର ଆଗେ

ସଦୟ ଚିତ୍ତେ ଅନୁରାଗେ

।।

ବୋଲନ୍ତି ରାଜା ମୁଖ ଚାହିଁ

ସଂସାରେ ଭାଗ୍ୟବନ୍ତ ତୁହି

।।

ଏମନ୍ତ କହି ଭଗବାନ

ଆନନ୍ଦେ ଦେଲେ ତତ୍ତ୍ୱଜ୍ଞାନ

।।

ବୋଇଲେ ଦିବାକର ବଂଶେ

ଜନ୍ମ ହୋଇବୁ ମୋର ଅଂଶେ

।।

ବଇବସ୍ୱତ ମନୁ ହୋଇ

ପ୍ରଜା ପାଳିବୁ ଧର୍ମେ ମହୀ

।।

ଏ ଜ୍ଞାନେ ଘେନି ତୁ ଜୀବନ

ମନୁଷ୍ୟ ମଧ୍ୟେ ତୁହି ଧନ୍ୟ

।।

ଏ ମୋର ମୀନ ଅବତାରେ

ଧ୍ୟାନ ତୋ ରହୁ ନିରନ୍ତରେ

।।

ତୋହର ତୁଲେ ମୋ ସମ୍ବାଦ

ଶୁଣନ୍ତେ ତୁଟଇ ପ୍ରମାଦ

।।

ଏମନ୍ତ କହି ଭଗବାନ

ତକ୍ଷଣେ ହେଲେ ଅନ୍ତର୍ଦ୍ଧାନ

।।

ବୋଲଇ ବିପ୍ର ଜଗନ୍ନାଥ

ଭାଷା ପ୍ରବନ୍ଧେ ଭାଗବତ

।।

ସୁଜନେ ଶୁଣ ଏକଚିତ୍ତେ

ସଂସାରୁ ତରିବ ଯେମନ୍ତେ

।।

ଅଷ୍ଟମ ସ୍କନ୍ଧେ ଏ ଚରିତ

ଅମୃତ ରସମୟ ଗୀତ

।।

 

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ବୈୟାସିକ୍ୟାଂ ଅଷ୍ଟମସ୍କନ୍ଧେ ମୀନ ଅବତାର ବର୍ଣ୍ଣନେ ନାମ ତ୍ରୟୋବିଂଶୋଽଧ୍ୟାୟଃ ।

ଭୀମସ୍ୟାପି ରଣେ ଭଙ୍ଗୋ ମୁନେରପି ମତିଭ୍ରମଃ

ଯଦି ଶୁଦ୍ଧମଶୁଦ୍ଧଂ ବା ମମଦୋଷା ନ ବିଦ୍ୟତେ ।

Image